Unknown

ଚଉପଦୀ ମାଳା

ଯଦୁମଣି ମହାପାତ୍ର

ପଦେ

କବି ଯଦୁମଣିଙ୍କ ରଚନାବଳୀକୁ ଏକତ୍ରିତ କରି ତତ୍‍ସହ ତାଙ୍କ ଜୀବନୀକୁ ପ୍ରକାଶ କରି ଲୋକଚକ୍ଷୁକୁ ଆଣିବା ପାଇଁ ଆମେ ଦଶ ବର୍ଷ ତଳେ କଳ୍ପନା କରିଥିଲୁ । କିନ୍ତୁ କବିଙ୍କର ବିକ୍ଷିପ୍ତ ରଚନାବଳୀକୁ ସଂଗ୍ରହ କରିବା ପାଇଁ କେହି ହେଲେ ଆଗଭର ହେଲେ ନାହିଁ । କଷ୍ଟସ୍ୱୀକାର କରି ସମଗ୍ର ଗଡ଼ଜାତ ଅଞ୍ଚଳ ବୁଲି କବିଙ୍କର ଲେଖା-ଗୁଡ଼ିକ ସଂଗ୍ରହ କରିବା ଅତି କଷ୍ଟକର ବ୍ୟାପାର ବୋଲି ଅନେକଙ୍କଠାରୁ ଶୁଣିବାକୁ ପାଇଲୁ । ତଥାପି ଆମେ ଆଶା ନ ଛାଡ଼ି କବିଙ୍କର କାବ୍ୟ ଓ ହାସ୍ୟରସଗୁଡ଼ିକୁ ଗ୍ରନ୍ଥାବଳୀ ଆକାରରେ ପ୍ରକାଶ କରିବାକୁ ବରଂ ଦୃଢ଼ ସଂକଳ୍ପ କଲୁ ।

 

ଇତ୍ୟବସରରେ ଦୈବାତ୍‌ ଶ୍ରୀଯୁକ୍ତ ଫକୀରଚରଣ ଦାସ (ସମାଜର ଜେନେରାଲ ମ୍ୟାନେଜର) ଆମକୁ ଏ ଦିଗରେ ପ୍ରୋତ୍ସାହିତ କରି ସଂଗ୍ରାହକ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ରଙ୍କ ସହିତ ପରିଚୟ କରାଇ ଦେଲେ । ଏଥିପାଇଁ ତାଙ୍କ ନିକଟରେ ଆମେ ଚିର କୃତଜ୍ଞ । ଚକ୍ରଧର ବାବୁ ହିଁ ଏକମାତ୍ର ବ୍ୟକ୍ତି ଯେ କି ବହୁ କଷ୍ଟ ସ୍ୱୀକାର କରି କବିଙ୍କର ବିକ୍ଷିପ୍ତ ରଚନାବଳୀକୁ ସଂଗ୍ରହ କରି ସେଗୁଡ଼ିକର ଟୀକା କରି ପାରିଛନ୍ତି । ଆଉ ଯାହାସବୁ କବିଙ୍କର ରଚନାବଳୀରେ ଦିଆ ନ ଯାଇ ଅସଂପୂର୍ଣ୍ଣ ରହିଯାଇଛି ସେଗୁଡ଼ିକ ଯଦି କୌଣସି ସାହିତ୍ୟ ରସିକ ତଥା ସହୃଦୟ ବ୍ୟକ୍ତି ଆମକୁ ଯୋଗାଇ ଦେଇ ପାରନ୍ତି ତାହାହେଲେ ଆମେ ଉପକୃତ ହେବୁ ।

ଗ୍ରନ୍ଥାବଳୀର ପାଣ୍ଡୁଲିପିଟି ଅବସର ପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ କରୁଣାକର କରଙ୍କଦ୍ୱାରା ସଂଶୋଧନ କରାଯାଇଛି ।

 

ଆମୁଖ

ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ।

ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ ।।

 

କାବ୍ୟ ଓ ସାହିତ୍ୟ ହେଉଛନ୍ତି ଶବ୍ଦ ଓ ଅର୍ଥର ସୃଷ୍ଟି । ସାହିତ୍ୟ ଶବ୍ଦର ଅର୍ଥ ଏହି ଯେ—ତହିଁର ମଧ୍ୟରେ ଶବ୍ଦ ଓ ଅର୍ଥର ସଂଯୋଗ (ସହିତ) ରହିଛି । କାବ୍ୟ ଓ ସାହିତ୍ୟ ଯେଉଁ ସୌନ୍ଦର୍ଯ୍ୟର ସୃଷ୍ଟି କରେ ତାହାର ମଧ୍ୟ ବୈଶିଷ୍ଟ୍ୟ ଏହି ସାହିତ୍ୟ ଶବ୍ଦରେ ମିଳିଥାଏ । ନିସର୍ଗ ସୌନ୍ଦର୍ଯ୍ୟ ମନୁଷ୍ୟର ସୃଷ୍ଟି ନୁହେଁ, ତାହା ସାହିତ୍ୟ ଏବଂ ସକଳ ପ୍ରକାର ଶିଳ୍ପ କଳାର ସୌନ୍ଦର୍ଯ୍ୟଠାରୁ ଭିନ୍ନ । ସଙ୍ଗୀତ ଶବ୍ଦମୟ କିନ୍ତୁ ସଙ୍ଗୀତର ଶବ୍ଦରେ ଅର୍ଥ ରହିବାର ପ୍ରୟୋଜନ ନାହିଁ । ଅଧିକାଂଶ ସ୍ଥଳରେ ସଙ୍ଗୀତରେ ଅର୍ଥ ମଧ୍ୟ ରହି ନ ଥାଏ । ଚିତ୍ରକଳା, ସ୍ଥପତି ଶିଳ୍ପ ପ୍ରଭୃତିରେ ଶବ୍ଦର ପ୍ରୟୋଗ ହୋଇ ନ ଥାଏ ତେଣୁ ତାହା ଶବ୍ଦାର୍ଥ ନୁହେଁ । ସୁତରାଂ ସାହିତ୍ୟରେ ଯେଉଁ ସୌନ୍ଦର୍ଯ୍ୟ ବୋଧହୁଏ—ତାହାର ସୂତ୍ର ଶବ୍ଦ ଓ ଅର୍ଥର ମାଧ୍ୟମରେ ନିହିତ ରହିଛି । ଶବ୍ଦ ଓ ଅର୍ଥର ମାଧ୍ୟମରେ ଅନୁସନ୍ଧାନ କଲେ ସାହିତ୍ୟରେ ସୌନ୍ଦର୍ଯ୍ୟ ବୋଧ ସହଜରେ ହୋଇଥାଏ ।

 

ସାହିତ୍ୟରେ ଶବ୍ଦଗୁଡ଼ିକ ଯେପରି ପରେ ପରେ ସଜା ହୋଇଥାଏ—ତାହା ମଧ୍ୟରେ ସୌନ୍ଦର୍ଯ୍ୟର ତାରତମ୍ୟ ରହିଥାଏ । ସ୍ଥଳେ ସ୍ଥଳେ ଶବ୍ଦର ସଜ୍ଜା ଖୁବ୍ ଯାକଜମକ ଭାବରେ ହୋଇଥାଏ । ସ୍ଥଳେ ସ୍ଥଳେ ଖୁବ୍ ଅନାଡମ୍ବର ଭାବରେ ହୋଇଥାଏ । ଏହିପରି ସାଜସଜ୍ଜାକୁ ବର୍ଣ୍ଣ ଓ ପଦର ସଂଘଟନା ଓ ରୀତି କହନ୍ତି । ପଦ ଏବଂ ବର୍ଣ୍ଣର ଏହିପରି ସଜ୍ଜାରେ ଲକ୍ଷ୍ୟ ହେଉଛି—ମାଧୁର୍ଯ୍ୟ, ଓଜସ୍ୱିତା ଏବଂ ପ୍ରସାଦ ପ୍ରଭୃତି ଗୁଣଲାଭ ଅର୍ଥାତ୍ ପଦର ସଂଯୋଜନା ଅନୁସାରେ ମାଧୁର୍ଯ୍ୟ, ଓଜଃ, ପ୍ରସାଦ ପ୍ରଭୃତି ଗୁଣ ପ୍ରକାଶିତ ହୋଇଥାଏ । ଏହାକୁ ବୃତ୍ତି ଓ ରୀତି ମଧ୍ୟ କୁହାଯାଏ-। ବୃତ୍ତି ଓ ରୀତି କାବ୍ୟଶୋଭାର ନାମ ମାତ୍ର, କିନ୍ତୁ ସେହି ଶୋଭାର ସନ୍ଧାନ ସେମାନେ ଦେଇପାରନ୍ତି ନାହିଁ ।

 

କେବଳ ଗଣର ବ୍ୟାଖ୍ୟା କରିଲେ କାବ୍ୟତତ୍ତ୍ୱ ଉପଲବ୍‍ଧ ହୁଏ ନାହିଁ । ଗୁଣ ହେଉଛି ଗୁଣୀର ଧର୍ମ । ଗୁଣୀକୁ ନ ଜାଣିଲେ ଗୁଣର ପରିଚୟ ମିଳି ପାରିବ ନାହିଁ, ଯେପରି ଶୂରର ଗୁଣ ଶୌର୍ଯ୍ୟ, ଦୀପ୍ତିମାନର ଗୁଣ ଦୀପ୍ତି—ସେହିପରି ମାଧୁର୍ଯ୍ୟ ପ୍ରଭୃତି ଗୁଣ ଯେଉଁ ବିଶିଷ୍ଟ ଅର୍ଥ କିମ୍ବା କାବ୍ୟର ଆତ୍ମାକୁ ଆଶ୍ରୟ କରି ରହିୃ-ଥାଆନ୍ତି—ସେହି କାବ୍ୟର ଆତ୍ମାର ଅନୁସନ୍ଧାନ କଲେ କାବ୍ୟ ଶୋଭାର ରହସ୍ୟ ପ୍ରକଟିତ ହୋଇଥାଏ ।

 

କାବ୍ୟ ସୌନ୍ଦର୍ଯ୍ୟ ସୃଷ୍ଟି କରେ—ଏହା ଅନୁଭବ ସିଦ୍ଧ । ସୁତରାଂ ରମଣୀର ଦେହ ଯେପରି କଙ୍କଣ, ହାର କେୟୂରାଦି ଅଳଙ୍କାରଦ୍ୱାରା ଶୋଭା—ସମନ୍ୱିତ ହୁଏ ସେହିପରି ଶବ୍ଦ ଓ ଅର୍ଥର କୌଶଳମୟ ପ୍ରୟୋଗଦ୍ୱାରା କାବ୍ୟ ସୌନ୍ଦର୍ଯ୍ୟ ଲାଭ କରିଥାଏ ବୋଲି ଅନୁମାନ କରାଯାଇପାରେ । କୌଣସି ସୌନ୍ଦର୍ଯ୍ୟଶାଳୀ ବାକ୍ୟର ବା ସନ୍ଦର୍ଭର ବିଶ୍ଳେଷଣ କରିଲେ କେତେଗୁଡ଼ିଏ ସାଧାରଣ ସୂତ୍ରର ସନ୍ଧାନ ମିଳିଯାଇପାରେ । ଏହି ସାମାମ୍ୟ ଧର୍ମଗୁଡ଼ିକର ନାମ ଅଳଙ୍କାର ଦିଆଯାଇଛି । କେତେକଙ୍କୁ କୁହାଯାଏ—ଶବ୍ଦାଳଙ୍କାର, ଯଥା—ଅନୁପ୍ରାସ ପ୍ରଭୃତି । କେତେକଙ୍କୁ କୁହାଯାଏ—ଅର୍ଥାଳଙ୍କାର ଯଥା— ଉପମାରୂପକ ପ୍ରଭୃତି । ଏକଥା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ ଅନୁପ୍ରାସ—ଉପମା ପ୍ରଭୃତି ଅଳଙ୍କାର କାବ୍ୟର ଶୋଭାବର୍ଦ୍ଧନ କରେ । ସେଥିଲାଗି ଆମ ଦେଶରେ ସାହିତ୍ୟତତ୍ତ୍ୱକୁ ଅଳଙ୍କାର ଶାସ୍ତ୍ରର ଅନ୍ତର୍ଗତ ବୋଲି ନିର୍ଦେଶିତ ହୋଇଥାଏ, କିନ୍ତୁ ଏମତ ସଂପୂର୍ଣ୍ଣଭାବରେ ଗ୍ରାହ୍ୟ ହୋଇପାରେ ନାହିଁ । ପ୍ରଥମତଃ ଅଳଙ୍କାର କହିଲେ ଅଳଙ୍କାର୍ଯ ନିଶ୍ଚୟ ରହିବ । କେହି ନିଜେ ନିଜର ଅଳଙ୍କାର ହୋଇପାରେ ନାହିଁ । ସୁତରାଂ ଗୁଣର ଅନ୍ତରାଳରେ ଯେପରି ଗୁଣୀକୁ ଖୋଜିବାକୁ ହେବ ସେହିପରି ଅଳଙ୍କାରର ଅନ୍ତରାଳରେ ଅଳଙ୍କାର୍ଯକୁ ମଧ୍ୟ ଖୋଜି ପାଇବାକୁ ହେବ । ଆହୁରି ମଧ୍ୟ ଜଗତରେ ଏପରି ଅନେକ ରୂପସୀ ଅଛନ୍ତି—ଯାହାଙ୍କର ରୁପଲାବଣ୍ୟ ନିରାଭରଣତା ମଧ୍ୟରେ ସମଧିକ ପରିସ୍ଫୁଟ ହୋଇ ଉଠିଥାଏ । ସେହିକଥା କାଳିଦାସ ଶକୁନ୍ତଳାଙ୍କ ରୂପ ବର୍ଣ୍ଣନବେଳେ କହିଛନ୍ତି—

 

‘‘କିମିବ ହି ମଧୁରାଣାଂ ମଣ୍ଡନଂ ନାକୃତୀନାମ୍ ।”

 

ସେହିପରି ଏପରି ସୁନ୍ଦର କାବ୍ୟରାଜି ରହିଅଛି—ତାହା ମଧ୍ୟରେ କୌଣସି ପରିଚିତ ଅଳଙ୍କାର ନ ଥିଲେ ମଧ୍ୟ ତହିଁର କାବ୍ୟ—ସୌନ୍ଦର୍ଯ୍ୟର ଅଣୁମାତ୍ର ହାନି ହୁଏନାହିଁ । ଏ ପ୍ରସଙ୍ଗରେ ଆଚାର୍ଯ୍ୟ ମମ୍ମଟଭଟ୍ଟ ନିମ୍ନଲିଖିତ ଶ୍ଳୋକଟିର ଉଲ୍ଲେଖ କରିଛନ୍ତି—

 

‘‘ଯଃ କୌମାରହରଃ ସ ଏବ ହି ବରସ୍ତା ଏବ ଚୈତ୍ରକ୍ଷପା—

ସ୍ତେ ଚୋନ୍ନୀଳିତମାଳତୀ—ସୁରଭୟଃ ପୌଢ଼ାଃ କଦମ୍ୱାନିଳାଃ ।

ସା ଚୈବାସ୍ମି ତଥାପି ତତ୍ର ସୁରତବ୍ୟାପାରଲୀଳାବିଧୌ

ରେବାରୋଧସି ବେତସୀତରୁତଳେ ଚେତଃ ସମୁତ୍‍କଣ୍ଠତେ ।

 

‘‘ଯେଉଁ ନାୟକ ମୋର କୁମାରୀତ୍ୱ ଅପହରଣ କରିଥିଲେ, ସେ ସେହିପରି ଅଛି । ସେହି ଚୈତ୍ର ରଜନୀ ମଧ୍ୟ ରହିଅଛି । ଉନ୍ମୀଳିତ ମାଳତୀକୁସୁମର ସୌରଭ-ବାହୀ କଦମ୍ବବନର ପ୍ରଗଲ୍‍ଭ ବାୟୁ ପୂର୍ବପରି ବହୁଅଛି । ମୁଁ ମଧ୍ୟ ସେହିପରି ରହିଅଛି । ତଥାପି ରେବାନଦୀ ତୀରସ୍ଥିତ ବେତସବୃକ୍ଷତଳରେ ସୁରତଲୀଳାନିମିତ୍ତ ମୋର ଚିତ୍ତ ଉତ୍କଣ୍ଠିତ ହେଉଛି ।”

 

ଏହି କବିତାଟିର ସୌନ୍ଦର୍ଯ୍ୟ ଅପରୂପ କିନ୍ତୁ ଏହାର ମଧ୍ୟରେ କୌଣସି ଅଳଙ୍କାର ନାହିଁ । ଏହାର ସୌନ୍ଦର୍ଯ୍ୟକୁ ଆଶ୍ରୟ କରି ନୂତନ ଅଳଙ୍କାର ଉଦ୍‍ଭାବନା କରାଯାଇପାରେ । କିନ୍ତୁ ଏପରି ଭାବରେ ଅଗ୍ରସର ହେଲେ ଅଳଙ୍କାର ଅସଂଖ୍ୟ ହୋଇ ପଡ଼ିବ ଏବଂ ତାହାଦ୍ୱାରା କାବ୍ୟସୌନ୍ଦର୍ଯ୍ୟର କୌଣସି ସୁସଙ୍ଗତ ସ୍ଫୁରଣ ବା ବ୍ୟାଖ୍ୟା ମିଳିପାରିବ ନାହିଁ ।

 

ରମଣୀ ଦେହର ତୁଳନାଟି ସ୍ମରଣ ରଖିଲେ ଆଉ ଗୋଟିଏ ଯୁକ୍ତିର ଅବତାରଣା କରି ଅଳଙ୍କାରର ଅସଂପୂର୍ଣ୍ଣତା ପ୍ରମାଣ କରାଯାଇପାରେ । ଅଳଙ୍କାର ବାହାରର ବସ୍ତୁ । କିନ୍ତୁ ରୂପସୀର ଅଳଙ୍କାର ଅପେକ୍ଷା ଅଧିକ ମନୋହାରୀ ହୋଇଥାଏ ତାହାର ଲାବଣ୍ୟ । ଏହି ଲାବଣ୍ୟ ଅବୟବମାନଙ୍କର ଗଠନଦ୍ୱାରା ଆକ୍ଷିପ୍ତ ହୋଇଥାଏ । କିନ୍ତୁ ଏହା ଅବୟବ ସଂସ୍ଥାନଠାରୁ ପୃଥକ୍‍ଭାବରେ ପରିଗଣିତ ହୋଇଥାଏ । ଅଳଙ୍କାର ଏହି ସୌନ୍ଦର୍ଯ୍ୟର ବୃଦ୍ଧି ସମ୍ପାଦିତ କରିଥାଏ, କିନ୍ତୁ ଅଳଙ୍କାର ଏହି ସୌନ୍ଦର୍ଯ୍ୟର ପ୍ରାଣ ହୋଇପାରେନାହିଁ । ରମଣୀଦେହ ଅନେକ ସମୟରେ ଅଳଙ୍କାର ବାହୁଲ୍ୟରେ ଭାରାକ୍ରାନ୍ତ ହୋଇଥାଏ; ସେତେବେଳେ ସୌନ୍ଦର୍ଯ୍ୟର ଉପଚୟ ନ ହୋଇ ଅପଚୟ ମଧ୍ୟ ହୋଇଥାଏ । କିନ୍ତୁ କେହି କେବେ କହିବେ ନାହିଁ— ଯେ କୌଣସି ରମଣୀ ଲାବଣ୍ୟବାହୁଲ୍ୟରେ ଭାରାକ୍ରାନ୍ତ ହୋଇଛି । ସେହିପରି ଅନେକ କାବ୍ୟ ମଧ୍ୟ ଅଳଙ୍କାରର ବାହୁଲ୍ୟରେ ଭାରାକ୍ରାନ୍ତ ହୋଇଥାଏ କିନ୍ତୁ କୌଣସି ଶ୍ରେଷ୍ଠ କାବ୍ୟରେ ସୌନ୍ଦର୍ଯ୍ୟର ବାହୁଲ୍ୟ ଲକ୍ଷିତ ହୁଏ ନାହିଁ ।

 

ବର୍ତ୍ତମାନ ବିଚାର କରି ଦେଖିବାକୁ ହେବ—ଶବ୍ଦାର୍ଥ କୌଣସି ଶକ୍ତିର ବଳରେ କାବ୍ୟର ସୌନ୍ଦର୍ଯ୍ୟ ସୃଷ୍ଟି ହୋଇଥାଏ । ଗୋଟିଏ ଦୃଷ୍ଟାନ୍ତର ପରୀକ୍ଷା କରାଯାଉ—

 

‘‘କୃତେ ବରକଥାଳାପେ କୁମାର୍ଯଃ ପୁଲକୋଦ୍‍ଗମୈଃ

ସୂଚୟନ୍ତି ସ୍ପୃହାମନ୍ତର୍ଲଜ୍ଜୟାଽବନତାନନାଃ ।”

 

‘‘ଭାବୀ ବରର ବିଷୟ ଆଲୋଚିତ ହେଲେ—କୁମାରୀମାନେ ଲଜ୍ଜାରେ ମୁଖ ଅବନତ କରି ପୁଲକର ଉଦ୍ୟମଦ୍ୱାରା ନିଜ ନିଜର ଅନ୍ତଃସ୍ଥିତ ସ୍ପୃହାକୁ ସୂଚିତ କରିଥାନ୍ତି ।” ଏଠାରେ ବକ୍ତବ୍ୟ କଥାଟି ସହଜ ଭାବରେ ଏବଂ ସାଧାରଣ ଭାବରେ କୁହାଯାଇଛି । ଏ ଅର୍ଥଟି କାଳିଦାସ ‘‘କୁମାରସମ୍ଭବ” କାବ୍ୟରେ ଏପରିଭାବରେ ପ୍ରକାଶ କରିଛନ୍ତି—

 

ଏବଂ ବାଦିନି ଦେବର୍ଷୌ ପାର୍ଶ୍ୱେ ପିତୁରଧୋମୁଖୀ ।

ଲୀଳାକମଳପତ୍ରାଣି ଗଣୟାମାସ ପାର୍ବତୀ ।।

 

‘‘ଦେବର୍ଷି ନାରଦ ପାର୍ବତୀଙ୍କର ଶିବଙ୍କ ସହିତ ବିବାହ କଥା କହିଲାବେଳେ ପାର୍ବତୀ ପିତାଙ୍କ ପାଖରେ ମୁହଁ ଅନବନତ କରି ବସି ଲୀଳାପଦ୍ମର ଦଳ ଗଣିବାକୁ ଲାଗିଲେ ।”

 

ପ୍ରଥମ ଶ୍ଳୋକଟିକୁ କେହି ଶ୍ରେଷ୍ଠ କାବ୍ୟ କହିବେ ନାହିଁ । କିନ୍ତୁ ଏହାକୁ କାବ୍ୟ ବୋଲି ସ୍ୱୀକାର କରିବାକୁ ଅଧିକାଂଶ କାବ୍ୟ ରସିକ ଆପତ୍ତି କରିବେ । ଦ୍ୱିତୀୟ ଶ୍ଳୋକଟି ଯେ ସୁନ୍ଦର କାବ୍ୟ—ଏହା ସର୍ବବାଦି ସମ୍ମତ । ତେବେ ତାର କାବ୍ୟତ୍ୱ କେଉଁଠାରେ ? ପାର୍ବତୀଙ୍କର ପୂର୍ବ ଇତିହାସରୁ କାବ୍ୟତ୍ୱର କେତେକାଂଶ ଅନୁଭୂତ ହେଉଛି । ଯେଉଁମାନେ ପାର୍ବତୀଙ୍କର ବରପ୍ରାପ୍ତି ନିମିତ୍ତ ତପସ୍ୟା ପ୍ରଭୃତିର ବିଷୟ ଜାଣନ୍ତି ସେମାନେ ପାର୍ବତୀଙ୍କର ବ୍ୟବହାରର ତାତ୍ପର୍ଯ୍ୟ ବିଶେଷ ଭାବରେ ହୃଦୟଙ୍ଗମ କରିବେ । କାଳିଦାସଙ୍କର ଏହି ଶ୍ଳୋକଟି ଆଲୋଚନା କଲେ କେତୋଟି ବିଷୟ ବିଶେଷ ଭାବରେ ପ୍ରକଟିତ ହୋଇଥାଏ । ଏହି ଶ୍ଳୋକରେ ଲଜ୍ଜା ବା ସ୍ପୃହାର କଥା ସରଳଭାବରେ କୁହାଯାଇ ନାହିଁ । ଏହି ଶ୍ଳୋକରେ ଲଜ୍ଜା, ପୁଲକ, ସ୍ପୃହା ପ୍ରଭୃତି ଶବ୍ଦ ଯେ କେବଳ ବ୍ୟବହୃତ ହୋଇନାହିଁ ତାହା ନୁହେଁ; ଯେଉଁ ଶବ୍ଦ ବ୍ୟବହୃତ ହୋଇଛି ତହିଁର ଆକ୍ଷରିକ ଅର୍ଥ କରିଲେ ମଧ୍ୟ ସପୁଲକ ଲଜ୍ଜାବୋଧ ହେବନାହିଁ । ଏଠାରେ କେବଳ ମାତ୍ର ଲୀଳାପଦ୍ମର ପତ୍ର ଗଣନା ଉଲ୍ଲିଖିତ ହୋଇଛି, ଆଉ ଯେ କେହି ଅନନ୍ତ କାଳ ଧରି ଲୀଳାପଦ୍ମର ପତ୍ର ଗଣନା ମଧ୍ୟ କରିପାରେ-। ପାର୍ବତୀ ମଧ୍ୟ ଅନ୍ୟସମୟରେ ଲୀଳାପଦ୍ମର ପାଖୁଡ଼ା ଗଣି ପାରନ୍ତି; କେହି କହିବେ ନାହିଁ ଯେ ତାହା ଲଜ୍ଜା ବା ସ୍ପୃହା ଅର୍ଥ ପ୍ରକାଶ କରିବ । କିନ୍ତୁ ଏଠାରେ ଅଧୋମୁଖ ହୋଇ ରହିବା ଏବଂ ଲୀଳାକମଳ ପତ୍ରର ଗଣନାର ସହଜ ବୋଧ ଅର୍ଥ ଗୌଣ ହୋଇଛି ଏବଂ ତାହା ସଲଜ୍ଜ ପ୍ରେମାତୁରତାର ପ୍ରାଧାନ୍ୟ ପ୍ରକାଶ କରୁଛି । ଏହି ପ୍ରାଧାନୀଭୂତ, ଦ୍ୱିତୀୟ ଅର୍ଥର ନାମ— ବ୍ୟଞ୍ଜନା ବା ଧ୍ୱନି । ଆଚାର୍ଯ୍ୟ ଆନନ୍ଦବର୍ଦ୍ଧନ ଅଭିନବ ଗୁପ୍ତାଙ୍କ ମତରେ ଏହି ଧ୍ୱନି ବା ବ୍ୟଞ୍ଜନା ହେଉଛି କାବ୍ୟର ପ୍ରାଣ ।

 

ସୁତରାଂ ଦେଖଯାଉଛି ଯେ କାବ୍ୟରେ ଶବ୍ଦର ୨ଟି ଅର୍ଥର ଉପଲବଧି ହୋଇପାରେ । ୧ମ ଶବ୍ଦଟିର ସହଜ, ସାଧାରଣ ଅର୍ଥ । ଏହା ଅବଶ୍ୟ ସ୍ୱୀକାର କରିବାକୁ ହେବ ଯେ, ପ୍ରତ୍ୟେକ ଶବ୍ଦର ସଙ୍ଗରେ ଗୋଟିଏ ଅର୍ଥ ଗୁନ୍ଥା ହୋଇଥାଏ । ଏହି ଅର୍ଥକୁ କହନ୍ତି—ସାଙ୍କେତ । ଏହି ସାଙ୍କେତିକ ଅର୍ଥର ନାମ ବାଚ୍ୟାର୍ଥ । ଶବ୍ଦ ସାକ୍ଷାତ୍ ଭାବରେ ଏହି ସାଙ୍କେତିକ ଅର୍ଥ ପ୍ରକାଶ କରିଥାଏ । ଏହି ଅର୍ଥ ଏବଂ ଶବ୍ଦ ମଧ୍ୟରେ କୌଣସି ବ୍ୟବଧାନ ରହି ନ ଥାଏ ।

 

ଅନେକ ସମୟରେ ଏହି ବାଚ୍ୟାର୍ଥ ଗ୍ରହଣ କରିଲେ କୌଣସି ସଙ୍ଗତ ଅର୍ଥ ମିଳେ ନାହିଁ । ପୁରୁଷ ସିଂହ କହିଲେ ନରସିଂହ ଅବତାର ବୁଝାଏ ନାହିଁ କି, ପୁରୁଷ ମଧ୍ୟ ସିଂହ ନୁହେ । ତିଣୁ ପୁରୁଷସିଂହ ଶବ୍ଦ ତେଜସ୍ୱିତା ବୁଝାଇଥାଏ । ଆଜିକାଲି କଳାବଜାର ଶବ୍ଦପ୍ରୟୋଗ ହୋଇଥାଏ । ବଜାର ଯେ କାଳିପରି କଳା ଏ ଅର୍ଥ ବୁଝାଉ ନାହିଁ, ତାହା କେବଳ ଲୁଚାଛପା କାରବାର କଥା ବା ଦୁର୍ନୀତି ବୁଝାଇଥାଏ । ଏହି ଜାତୀୟ ଅର୍ଥକୁ କହନ୍ତି ଲାକ୍ଷଣିକ ଅର୍ଥ । କିନ୍ତୁ ଏହି ଅର୍ଥଟି ମଧ୍ୟ ବାଚ୍ୟ ଅର୍ଥର ଅଙ୍ଗ । କାରଣ ପୁରୁଷସିଂହ ବା କଳାବଜାର କହିଲେ ପ୍ରଥମରେ ସିଂହତ୍ୱ ବା କୃଷ୍ଣତ୍ୱ ବୁଝାଇ ପରେ ତେଜସ୍ୱିତା ଓ ଦୁର୍ନୀତି ବୁଝାଏ । ପ୍ରାଥମିକ ବା ବାଚ୍ୟ ଅର୍ଥ ବାଧିତ ହେଲା ପରେ ଅଭିପ୍ରେତ ଅର୍ଥଟି ସରଳ ଭାବରେ ଲକ୍ଷିତ ହୁଏ । ଏହି ଲକ୍ଷିତ ଅର୍ଥ ପରେ ମଧ୍ୟ ଆଉ ଗୋଟିଏ ଅର୍ଥ ଦ୍ୟୋତିତ ହୋଇପାରେ କିମ୍ୱା ହୋଇ ନ ପାରେ । କିନ୍ତୁ ‘‘ଏବଂ ବାଦିନି” ପର୍ବୋକ୍ତ କାଳିଦାସଙ୍କର ଶ୍ଳୋକଟିରେ ଯଦ୍ୟପି ଏ ଜାତୀୟ ଲାକ୍ଷଣିକ ଅର୍ଥ ଆଦୌ ନାହିଁ, ତଥାପି ପ୍ରଥମ ଅର୍ଥର ସଙ୍ଗେ ସଙ୍ଗେ ଦ୍ୱିତୀୟ ଅର୍ଥଟି ପ୍ରକାଶିତ ହୁଏ । ମନେ ରଖିବାକୁ ହେବ ଯେ, ଏଠାରେ ପ୍ରାଥମିକ ଅର୍ଥଟି ବାଧିତ ହୋଇ ନାହିଁ । କିନ୍ତୁ ପ୍ରାଥମିକ ଅର୍ଥ ପ୍ରକାଶିତ ହୋଇ ଦ୍ୱିତୀୟ ଅର୍ଥଟିକୁ ଆକ୍ଷିପ୍ତ କରୁଛି । ସୁତରାଂ ଜଣାଯାଏ ଯେ ଲାକ୍ଷଣିକ ଅର୍ଥ ଏପରି ପ୍ରସିଦ୍ଧି ଲାଭ କରିଛି ଯେ ତାହା ସହଜରେ ଜଣାପଡ଼େ । ପ୍ରାଥମିକ ବା ବାଚ୍ୟ ଅର୍ଥ ଉଦ୍‍ବୋଧିତ ହୁଏ ନାହିଁ । ସୁତରାଂ ଲାକ୍ଷଣିକ ଅର୍ଥ ହେଉଛି ବାଚ୍ୟ ଅର୍ଥର ଅଙ୍ଗ ।

 

‘‘ଏବଂ ବାଦିନି ଦେବର୍ଷୌ” ଶ୍ଳୋକଟି ଖାଣ୍ଟି ବ୍ୟଞ୍ଜନାର ନିଦର୍ଶନ । ଏହାର ବିଶ୍ଳେଷଣ କଲେ ବାଚ୍ୟ ଅର୍ଥ ଏବଂ ବ୍ୟଙ୍ଗ୍ୟ ଅର୍ଥର ପ୍ରାର୍ଥକ୍ୟ ଏବଂ ବ୍ୟଞ୍ଜନାର ବୈଶିଷ୍ଟ୍ୟ ସହଜରେ ଜଣାପଡେ । ବାଚ୍ୟ ଅର୍ଥଟି ସାକ୍ଷାତ୍ ଭାବରେ ଶବ୍ଦଦ୍ୱାରା କଥିତ ହୋଇଥାଏ । ଏହା ଶବ୍ଦର ସହିତ ଜଡ଼ିତ । କିନ୍ତୁ ବାଚ୍ୟ ଅର୍ଥ ଏବଂ ବ୍ୟଙ୍ଗ୍ୟ ଅର୍ଥର ମଧ୍ୟରେ କିଛି ବ୍ୟବଧାନ ରହିଥାଏ । ଏହି କ୍ରମ ସବୁ ସମୟରେ ଲକ୍ଷିତ ହୁଏ ନାହିଁ । ତଥାପି ବାଚ୍ୟ ଅର୍ଥ ଏବଂ ବ୍ୟଙ୍ଗ୍ୟ ଅର୍ଥର ଏହି ଦୁରତ୍ୱ ବା କ୍ରମ ଅବଶ୍ୟମ୍ଭାବୀ । ‘‘ଅଧୋମୁଖ ହୋଇ ରହିବା ଏବଂ ଲାଳାପଦ୍ମ ପତ୍ରଗଣନା” ଅର୍ଥର ଉପଲବ୍ଧି ପରେ ‘ଲଜ୍ଜା ଓ ସ୍ପୃହା’ ରୂପ ବ୍ୟଙ୍ଗ୍ୟ ଅର୍ଥ ଦ୍ୟୋତିତ ହୁଏ । ଧ୍ୱନି ହେଉଛି ବ୍ୟଙ୍ଗ୍ୟ ଅର୍ଥର ନାମାନ୍ତର ମାତ୍ର । ଏହି ଧ୍ୱନିକୁ ‘କାବ୍ୟର ଆତ୍ମା’ ବୋଲି ଆନନ୍ଦବର୍ଦ୍ଧନ ପ୍ରଭୃତି ଆଚାର୍ଯ୍ୟମାନେ ସ୍ୱୀକାର କରିଛନ୍ତି ।

 

‘‘କାବ୍ୟରସାତ୍ମକ ବାକ୍ୟ” ବୋଲି ବିଶ୍ୱନାଥ ମହାପାତ୍ର ପ୍ରଭୃତି ଆଚାର୍ଯ୍ୟମାନେ କାବ୍ୟର ଲକ୍ଷଣ କରିଛନ୍ତି । କିନ୍ତୁ ଏହି ରସ ବାଚ୍ୟ ଅର୍ଥଦ୍ୱାରା ପ୍ରତୀତ ହୁଏ ନାହିଁ । ଶୃଙ୍ଗାର ରସ, ବୀର ରସ କହିଲେ—ପ୍ରେମ, ପ୍ରୀତି ବା କ୍ରୋଧ ପ୍ରଭୃତି ଶବ୍ଦ ଉଚ୍ଚାରଣ କଲେ ରସର ପ୍ରତୀତ ହୁଏ ନାହିଁ କିନ୍ତୁ ତାହା ଦୋଷଯୁକ୍ତ (ସ୍ୱଶବ୍ଦ ବାଚ୍ୟତ୍ୱ) ହୁଏ । ଏହି ରସ କେବଳ ବ୍ୟଞ୍ଜନାଦ୍ୱାରା ପ୍ରତୀତ ହୁଏ ।

 

ରସ କି ବସ୍ତୁ ? ରସ ବୋଧ ନିମିତ୍ତ ବ୍ୟଞ୍ଜନାର ବା ଧ୍ୱନିର କେତେ ଦୂର କିପରି ପ୍ରୟୋଜନ ଓ ଉପଯୋଗିତା ରହିଅଛି ?

 

ମାନବ ହୃଦୟରେ କେତେଗୁଡ଼ିଏ ପ୍ରବୃତ୍ତି ବା ଭାବ ନିହିତ ଅଛି—ଯଥା—ରତି, ଶୋକ, ଉତ୍ସାହ, କ୍ରୋଧ ପ୍ରଭୃତି । ଲୌକିକ ଜୀବନରେ ଏହି ଭାବଗୁଡ଼ିକ ଲୌକିକ କର୍ମ ମଧ୍ୟ ଦେଇ ପ୍ରକାଶିତ ହୋଇଥାଏ । ବୁଦ୍ଧି ଏ ଭାବମାନଙ୍କୁ ନିୟନ୍ତ୍ରିତ କରେ ଏବଂ ଭାବମାନଙ୍କଦ୍ୱାରା ନିୟନ୍ତ୍ରିତ ହୁଏ । ଯେତେବେଳେ ଲୌକିକ ଜୀବନରେ ଏହି ଭାବଗୁଡ଼ିକ ନିଷ୍କ୍ରିୟ ହୋଇଥାଏ ସେତେବେଳେ ପୂର୍ବ ସଂସ୍କାର ଫଳରେ ଏହି ଭାବଗୁଡ଼ିକ ବାସନା ରୂପରେ ଅନ୍ତରେ ନିହିତ ରହିଥାଆନ୍ତି । ଲୌକିକ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ନିଜର ଭାବଦ୍ୱାରା ଉଦ୍‌ବୋଧିତ ଓ ଚାଳିତ ହୋଇ କାର୍ଯ୍ୟରେ ନିଯୁକ୍ତ ଓ ବ୍ୟାପୃତ ରହେ । ଯେଉଁ ସବୁ ଭାବ ପରଗତ ଅର୍ଥାତ, ଯେଉଁ ଭାବ ସବୁ ପରର, ଯାହା ସହିତ ତାହାର ସଂପର୍କ ନାହିଁ, ଯେଉଁ ଭାବଦ୍ୱାରା ସେ ସ୍ପଷ୍ଟ ହୁଏ ନାହିଁ, ସେ ଭାବ ସଂପର୍କରେ ସେ ଉଦାସୀନ ରହିଥାଏ । ଲୌକିକ ଜଗତରେ ଇଷ୍ଟସିଦ୍ଧି ହେଉଛି ଏ ସବୁର ପ୍ରୟୋଜନ । ଏହି ସବୁ ଭାବ ଯଦି ଭାଷାରେ ପ୍ରକାଶ କରିବାକୁ ହୁଏ ତେବେ ବାଚ୍ୟ ଅର୍ଥ ହେଉଛି ତହିଁର ଯଥାର୍ଥରେ ଉପଯୋଗୀ, କାରଣ ବାଚ୍ୟ ଅର୍ଥଦ୍ୱାରା ଏହି ଭାବଗୁଡ଼ିକ ସାକ୍ଷାତ୍ ଭାବରେ ପ୍ରକାଶିତ ହୋଇ ପାରିବେ ।

 

କବି କେବଳ ଏକ ଅଲୌକିକ ଜଗତ ରଚନା କରେ । କବିର ସେ ଅଲୌକିକ ଜଗତରେ ଏହି ଭାବଗୁଡ଼ିକ ବ୍ୟକ୍ତିଗତ ଗଣ୍ଡି ଅତିକ୍ରମ କରିଥାଏ, ସେହି ଜଗତରେ ପରଗତ ଅନୁଭବ ବା ଭାବ ସମ୍ୱନ୍ଧରେ ଆମ୍ଭେମାନେ ଉଦାସୀନ ରହିପାରୁ ନାହୁଁ । ସେହି ଅଲୌକିକ ଜଗତରେ ଇଷ୍ଟସିଦ୍ଧି ନିମିତ୍ତ ଏହି ଭାବଗୁଡ଼ିକୁ ସଙ୍କୁଚିତ କରିବାକୁ ପଡ଼େ ନାହିଁ । ସେହି ଜଗତରେ ଏହି ଭାବରାଶିର ସ୍ରୋତ କର୍ମର ବାଲୁକାରେ ବାଧାପ୍ରାପ୍ତ ହୁଏ ନାହିଁ । ଏହି କବିର ଜଗତଟି ହେଉଛି ରସର ଏବଂ କାବ୍ୟର ଜଗତ ତାହା ଲୌକିକ ଜଗତଠାରୁ ସମ୍ପୂର୍ଣ୍ଣ ଭିନ୍ନ—ଅଲୌକିକ । ସେହି କଥା ଆଚାର୍ଯ୍ୟ ମମ୍ମୁଟଭଟ୍ଟ କହିଛନ୍ତି ।

 

‘‘ନିୟତିକୃତନିୟମରହିତାଂ ହ୍ଲାଦୈକମୟୀମନନ୍ୟପରତନ୍ତ୍ରାମ୍ ।

ନବରସରୁଚିରାଂ ନିର୍ମ୍ମିତିମାଦଧତୀ କବେର୍ଜୟତି ।।”

 

ସଂକ୍ଷେପରେ ଶ୍ଳୋକଟିର ଅର୍ଥ ହେଉଛି— ‘‘କାବ୍ୟ ଜଗତ ଲୌକିକ ଜଗତଠାରୁ ଭିନ୍ନ । ଲୌକିକ ଜଗତରେ ସୁଖ ଦୁଃଖ ବିଷାଦର ଛାୟା ଜଡ଼ି ହୋଇଥାଏ—କିନ୍ତୁ କାବ୍ୟ ଜଗତ ହେଉଛି ସଦା ସର୍ବଦା ଆହ୍ଲାଦମୟ; କାର୍ଯ୍ୟ କାରଣ ଭାବରେ ଲୌକିକ ଜଗତ ଚାଳିତ ହୁଏ । କିନ୍ତୁ କବିର ଅଲୌକିକ ଜଗତରେ କାର୍ଯ୍ୟ କାରଣ ଭାବରେ ସ୍ଥିରତା ନାହିଁ । ଲୌକିକ ଜଗତ ପ୍ରକୃତିର ନିୟମରେ ପରିଚାଳିତ—କିନ୍ତୁ କବିର ଜଗତଟି କବିର ଅଧୀନ । ଅନ୍ୟର ଅଧୀନ ନୁହେଁ । ଲୌକିକ ଜଗତରେ ମଧୁର କଟୁ, ଅମ୍ଳ , ପ୍ରଭୃତି ୬ଟି ରସର ଆସ୍ୱାଦନ ହୁଏ । କିନ୍ତୁ କବିର ଅଲୌକିକ ଜଗତରେ ଶୃଙ୍ଗାର ପ୍ରଭୃତି ୯ଟି ରସର ଆସ୍ୱାଦନ ହୁଏ ଏବଂ ସେହି ରସର ଆସ୍ୱାଦନ ସର୍ବଦା ଆନନ୍ଦମୟ । ଏହା ହେଉଛି କବିର ଅଲୌକିକ କାବ୍ୟ ଜଗତ।” ମାନବର ଅନ୍ତର୍ନିହିତ ଭାବଗୁଡିକ ବ୍ୟକ୍ତିଗତ ଗଣ୍ଡି ଅତିକ୍ରମ କଲେ ରସରୂପତା ଲାଭ କରେ । ଆଦି କବି ବାଲ୍ମୀକି କାମ ମୋହିତ କ୍ରୌଞ୍ଚ ମିଥୁନରୁ ଜଣକର ମୃତ୍ୟୁରେ ଶୋକାତୁର ହୋଇ ଗାନ କରିଥିଲେ—

 

ମା ନିଷାଦ ପ୍ରତିଷ୍ଠାଂ ତ୍ୱମଗମଃ ଶାଶ୍ୱତୀଃ ସମାଃ ।

ଯତ୍ କ୍ରୌଞ୍ଚ-ମିଥୁନା-ଦେକ ମବଧୀଃ କାମମୋହିତମ୍ ।।

 

ମୁନି ବାଲ୍ମୀକି କ୍ରୌଞ୍ଚ ମିଥୁନର ମୃତ୍ୟୁରେ ଶୋକରେ ଅଭିଭୂତ ହୋଇ-ଥିଲେ । ସେହି ଶୋକ ବାଲ୍ମୀକିଙ୍କ ନିଜସ୍ୱ ଭାବ, ଏହା ଳୌକିକ ଜଗତରେ କୌଣସି ଭାବରେ ପ୍ରତିଫଳିତ ହୋଇଥିବ । କିନ୍ତୁ କବି ବାଲ୍ମିକି ଯେତେବେଳେ କାବ୍ୟ ରଚନା କଲେ ସେତେବେଳେ ଏହା ଆଉ ତାଙ୍କର ନିଜସ୍ୱ ବ୍ୟକ୍ତିଗତ ଶୋକ ହୋଇ ରହିଲା ନାହିଁ । ଏହି ଭାବଟି ନିଖିଳ ମାନବର ଆନନ୍ଦନିଧାନ କରୁଣରସରେ ରୂପାନ୍ତରିତ ହେଲା । ପୂର୍ଣ୍ଣ କୁମ୍ଭରୁ ଜଳ ଯେପରି ଉଛୁଳି ପଡ଼େ ସେହିପରି ବାଲ୍ମୀକିଙ୍କର ପରିପୂର୍ଣ୍ଣ ଶୋକରୁ ଯେଉଁ ଶୋକର ଅଂଶଟି ଉଛୁଳି ପଡ଼ିଲା—ତାହା ବ୍ୟକ୍ତିବିଶେଷର ଶୋକ ମାତ୍ର ହୋଇ ରହିଲା ନାହିଁ । ତାହା ସର୍ବସାଧାରଣ ଶୋକରେ ପରିଣିତ ହୋଇ ସମସ୍ତଙ୍କର ଉପଭୋଗ୍ୟ ବସ୍ତୁ ହୋଇପଡ଼ିଲା । ଏହି ପରିବର୍ତ୍ତନରେ କ୍ରୌଞ୍ଚର ମଧ୍ୟ କୌଣସି ବାସ୍ତବ ରୂପ ରହିଲା ନାହିଁ । ସେ ହେଲା କରୁଣ ରସର ଆଲମ୍ୱନ ବିଭାବ ଅର୍ଥାତ୍ କ୍ରୌଞ୍ଚକୁ ଆଶ୍ରୟ କରି କରୁଣ ରସ ଉତ୍‍ଥିତ ହେଲା । ତେଣୁ ଲୌକିକ ଜଗତରେ ଯାହାକୁ କାରଣ କହନ୍ତି ଅଲୌକିକ ରସ ଜଗତରେ ତାହାକୁ କହନ୍ତି ବିଭାବ ।

 

ଆଉ ଗୋଟିଏ ଦୃଷ୍ଟାନ୍ତ ଦେଖାଯାଉ—

 

ଗ୍ରୀବାଭଙ୍ଗାଭିରାମଂ ମୁହିରନୁପତି ସ୍ୟନ୍ଦନେ ଦତ୍ତ ଦୃଷ୍ଟିଃ

ପଶ୍ଚାର୍ଦ୍ଧେନ ପ୍ରବିଷ୍ଟଃ ଶରପତନଭୟାଦ୍ ଭୂୟସା ପୂର୍ବକାୟମ୍ ।

ଦର୍ଭୈରର୍ଦ୍ଧାବଲୀଢ଼ୈଃ ଶ୍ରମବିବୃତ—ମୁଖଭ୍ରଂଶିଭିଃ କୀର୍ଣ୍ଣବର୍ତ୍ମ ।

ପ୍ରଶ୍ୟୋଦଗ୍ରପ୍ଳୁତତ୍ୱାତ୍ ବିୟତି ବହୁତରଂ ସ୍ତୋକମୁର୍ବ୍ୟାଂ ପ୍ରୟାତି ।

କବିବର ଗଙ୍ଗାଧର ମେହେର ପ୍ରଣୟ ବଲ୍ଲରୀରେ କାଳିଦାସଙ୍କ ଏହି ଶ୍ଳୋକର ଭାବ ଏହିପରି ବର୍ଣ୍ଣନା କରଛନ୍ତି –

ସ୍ୱଭାବ ସୁଲଭ                  ଲମ୍ଫେ କୃଷ୍ଣସାର

ଗଗନେ ଅଧିକ ଯାଇ,

ଥରେ ଥରେ ମାତ୍ର                  ଦେଉଥାଏ ବନ

ଭୂମିରେ ପାଦ ପକାଇ।

ପୁଚ୍ଛ ଲପଟାଇ                  ସ୍ଫୀତ ସଙ୍କୁଚାଇ

ଆଶୁଗ-ପତନ-ଭୟେ,

ଗ୍ରୀବା ଭାଙ୍ଗି ଥରେ                  ଥରେ ରଥେ ଚାହିଁ

ପଳାଏ ପୁଣି ଅଥୟେ ।

ଶରମ-ବିବୃତ-                  ମୁଖ-ଚ୍ୟୁତ-ଦର

କବଳିତ କୁଶମାନ

ଗଗନ ପଥରେ                  ଇତସ୍ତତଃ ପଡ଼ି

ଯାଉଥାଏ ସ୍ଥାନ ସ୍ଥାନ ।

[ପ୍ରଣୟବଲ୍ଲରୀ ୧ମ ସର୍ଗ ୧ମ ପୃଷ୍ଠା]

 

ଏହି ଭୟ କାହାର ଭୟ ? ମୃଗ ଶିଶୁର ଭୟ ବୋଲି କହିଲେ ଠିକ୍ ହେବ ନାହିଁ । କାରଣ ମୃଗଶିଶୁ ଭୟରେ ପଳାଉଛି । ଅବିରାମ ଗ୍ରୀବା ଭାଙ୍ଗି ଦେଖିବାକୁ ତାହାର ଅବକାଶ ଓ ଅବସର ମଧ୍ୟ ନାହିଁ । ମୃଗ ଶିଶୁର ଭୟ ବର୍ଣ୍ଣିତ ହୋଇଛି ବୋଲି କହିଲେ—ଏ ପ୍ରକାର ବର୍ଣ୍ଣନା କବିର ବାକ୍‍ଚାତୁରୀ ବୋଲି ବର୍ଜିତ ହେବ । ତାହାହେଲେ କେବଳ ସେକଥା କହିଲେ ହେବ ମୃଗଶିଶୁ ଭୟରେ ପଳାଉଛି—ଏବଂ ସେ ସମ୍ପର୍କରେ ଆମ୍ଭେମାନେ ଉଦାସୀନ ରହିଥାନ୍ତୁ, ଯଦିବା କବି ବା ପାଠକର ଭୟ ବୋଲି କୁହାଯାଏ । ତାହା ମଧ୍ୟ ଠିକ୍ ହେବ ନାହିଁ; କାରଣ କବିର ଭୟ ହୋଇଥିଲେ ସେ ଭୟରେ ପଳାଇଥାନ୍ତେ କିନ୍ତୁ ସେ ସବୁ କିଛି ହୋଇ ନାହିଁ । ତହିଁ ପରବର୍ତ୍ତରେ ଆମ୍ଭେମାନେ ମୃଗ ଶିଶୁର କାର୍ଯ୍ୟ କଳାପ କଳ୍ପନା ନେତ୍ରରେ ଦେଖି ଭୟାନକ ରସର ଉପଲବ୍ଧି କରିଥାଉଁ । ସ୍ଥାୟୀଭାବ ଭୟ ପ୍ରଭୃତିର ପ୍ରୟୋଗରେ ରସ ସୃଷ୍ଟି ହୁଏ ନାହିଁ । ରସ ସୃଷ୍ଟିର ଉପାୟ ହେଉଛି—ମୃଗଶିଶୁ ଯାହା କରୁଛି ଏବଂ ତାହାର ଅଙ୍ଗ ଭଙ୍ଗି ପ୍ରଭୃତି । ଅଲୌକିକ ରସ ଜଗତରେ ଏହାର ନାମ ଅନୁଭାବ । ମୂଳଭାବ ସହିତ ଯେଉଁ ସବୁ ସହକାରି ଭାବ ରହିଥାଏ ତାହାକୁ ଅଲୌକିକ ରସ ଜଗତରେ କହନ୍ତି ବ୍ୟଭିଚାରୀ ବା ସଞ୍ଚାରୀଭାବ । ଅର୍ଥାତ ଲୌକିକ ଜଗତରେ ଯାହାକୁ ରସର କାରଣ, କାର୍ଯ୍ୟ ଓ ସହକାରୀ କହନ୍ତି, ଅଲୌକିକ କାବ୍ୟଜଗତରେ ଯଥାକ୍ରମରେ ରସର ବିଭାବ, ଅନୁଭବ ଏବଂ ବ୍ୟଭିଚାରୀ ଭାବ କହନ୍ତି । ‘‘ବିଭାବାନୁବଭାବ ବ୍ୟଭିଚାରୀ ସଂଯୋଗାତ୍ ରସ ନିଷ୍ପତ୍ତିଃ”— ବିଭାବ, ଅନୁଭାବ ଏବଂ ବ୍ୟଭିଚାରୀ ଭାବର ସଂଯୋଗରେ ରଷ ନିଷ୍ପନ୍ନ ହୋଇଥାଏ ବୋଲି ଭରତ ମୁନି ପ୍ରକାଶ କରିଛନ୍ତି ।

 

ଏହି ରସ ଅଲୌକିକ ବସ୍ତୁ I କବିର ଶୋକ ରହିଲା କବିର ହୃଦୟରେ I କ୍ରୌଞ୍ଚର ଶୋକ ରହିଲା ତ୍ରୌଞ୍ଚର ହୃଦୟରେ I କିନ୍ତୁ ତ୍ରୌଞ୍ଚର କାତରତା ଓ କ୍ରନ୍ଦନ ପ୍ରଭୃତିର ସଂଯୋଗରେ କବିର ଶୋକର ଯେଉଁ ଅଂଶ ଉଦ୍‌ବେଳିତ ହୋଇ ବାହାରେ ଆସି ପ୍ରକାଶ ପାଇଲା—ତାହା କରୁଣ ରସ ସୃଷ୍ଟି କଲା I ଏଠାରେ କ୍ରୌଞ୍ଚ ହଉଛି ବିଭIବ ମାତ୍ର I ତହିଁରୁ ଅତିରିକ୍ତ ମୂଲ୍ୟ ତାହାର ନାହିଁ I ରସ ମୁନିର ଶୋକ ନୁହେଁ କିମ୍ବା କ୍ରୌଞ୍ଚରଶୋକ ନୁହେଁ I ଭୟ କବିର ନୁହେ କି ମୃଗ ଶିଶୁର ନୁହେଁ I ଭାବନା ବା ଦର୍ଶନ ବଳରେ କବି ଏବଂ ସହୃଦୟର ପ୍ରତୀତି ହେଉଛି କରୁଣ ଓ ଭୟାନକ ରସର ଆଧାର I କବି ଏବଂ ଭାବଗୁଡ଼ିକ ନିଜ ଚିତ୍ତରେ ଉପଲବ୍‍ଧି ହୁଏ ଏବଂ ସେହି ଉପଲବ୍‍ଧି ମଧ୍ୟରେ ଏହି ଭାବଗୁଡ଼ିକର ସାଧାରଣୀକରଣ ହୋଇଥାଏ I ବାହାରର ବିଭାବ ଅନୁଭାବ ଏବଂ ବ୍ୟଭିଚାରୀ ଭାବର ସଂଯୋଗରେ କବିର ଏବଂ ସହୃଦୟଙ୍କର ହୃଦୟସ୍ଥିତ ଭାବ ରସରେ ପରିଣତ ହୁଏ I ରସ୍ୟତେ ଇତି ରସଃ—କେବଳ ଆସ୍ୱାଦ କରିବା ହେଉଛି ରସର ପ୍ରାଣ I ଏହା ହେଉଛି ରସ ନାମର ସାର୍ଥକତା I ପ୍ରତୀତି ବ୍ୟକ୍ତିରିକ୍ତ ରସର ଅନ୍ୟ କୌଣସି ଆଧାର ନାହିଁ ବୋଲି ରସ ହେଉଛି ଆଲୌକିକ I ସେଥିଲାଗି ରସର ପ୍ରତୀତି ଓ ଅଭିବ୍ୟକ୍ତି ନିମିତ୍ତ ବ୍ୟଞ୍ଜନା ଏକାନ୍ତ ଆବଶ୍ୟକ I ବାଚ୍ୟ ଅର୍ଥ ଲୌକିକ ଜଗତର କାର୍ଯ୍ୟ ଓ ପ୍ରୟୋଜନ ପ୍ରକାଶ କରେ I ତେଣୁ ସେହି ବାଚ୍ୟ ଅର୍ଥଶାସ୍ତ୍ର ପ୍ରଭୃତିର ବାହନ ହୋଇ ସେ ଶାସ୍ତ୍ରମାନଙ୍କରେ ପ୍ରଯୁକ୍ତ ହୁଏ I ସେହି ବାଚ୍ୟ ଅର୍ଥ ଅଲୌକିକ ରସ ଜଗତର କାର୍ଯ୍ୟ ସମ୍ପାଦିତ କରିପାରେ ନାହିଁ I ତେଣୁ—ରସ ବ୍ୟଞ୍ଜନାଦ୍ୱାରା ଲଭ୍ୟ ସୁତରାଂ ବ୍ୟଞ୍ଜନାର ବା ଧ୍ୱନି ଅର୍ଥର ପ୍ରାଧାନ୍ୟ ନ ରହିଲେ ରସ ସମ୍ପୂର୍ଣ୍ଣତା ଲାଭ କରିପାରେ ନାହିଁ I

 

ବିଭବ, ଅନୁଭାବ ଓ ବ୍ୟଭିଚାରି ଭାବଦ୍ୱାରା ରତି ପ୍ରଭୃତି ସ୍ଥାୟୀଭାବ ଚିତ୍ତରେ ବ୍ୟକ୍ତ ବା ଜାଗରିତ ହୁଏ I ଏହି ସ୍ଥାୟୀଭାବକୁ ରସ କହନ୍ତି I ବୀଜରେ ଅଙ୍କୁର ପରି ଯାହାଠାରେ ସ୍ଥାୟୀଭାବ ଜାଗରିତ, ଉଦ୍‍ବୁଦ୍ଧ ହୁଏ ତାହାର ରସାସ୍ୱାଦନ କରିବାର କଥା I କିନ୍ତୁ କାବ୍ୟ ନାଟକରେ ଆଲମ୍ୱନ ବିଭାବରେ ଥିବା ରତି ପ୍ରଭୃତି ସ୍ଥାୟୀଭାବ ଶ୍ରୋତା ଏବଂ ଦ୍ରଷ୍ଟା ଲୋକଙ୍କ ବିଭିନ୍ନ ହୃଦୟରେ କିପରି ରସରୂପରେ ବ୍ୟକ୍ତ ହୁଏ ?

 

ଶ୍ରୋତା ଏବଂ ଦ୍ରଷ୍ଟାଙ୍କ (ସାମାଜିକ) ମନରେ ରତି ପ୍ରଭୃତି ସ୍ଥାୟୀଭାବ ବାସନା ରୁପରେ ରହିଥାଏ । ଏହି ସ୍ଥାୟୀଭାବ ବାସନାର ଉଦବୋଧନର ନାମ—ରସ । ରାମଚରିତ କାବ୍ୟ ନାଟକର ଆଲମ୍ୱନ ବିଭାବ ହୋଇଥିଲେ ୧ମରେ ରାମ ସୀତାରୂପରେ ସେ ଦୁହେଁ ଜ୍ଞାନ ହୋଇଥାନ୍ତି, କିନ୍ତୁ ସହୃଦୟତା ଏବଂ ବ୍ୟଞ୍ଜନାବୃତ୍ତିଦ୍ୱାରା ସେ ଦୁହେଁ ପରେ ରାମ ସୀତା ରୂପରେ ପ୍ରତୀତ ହୁଅନ୍ତି ନାହିଁ । କିନ୍ତୁ ପରେ ସେମାନେ ନିଜ ନିଜର ବ୍ୟକ୍ତିତ୍ୱ ତ୍ୟାଗକରି ସାମାନ୍ୟରୂପରେ ସର୍ବସାଧାରଣଙ୍କର ରତି ପ୍ରଭୃତିର ଆଲମ୍ୱନ ବିଭାବ ରୂପରେ ପ୍ରତୀତ ହୁଅନ୍ତି । ସେଥିଲାଗି ସାମାଜିକଙ୍କ ଚିତ୍ତରେ ରତି ପ୍ରଭୃତି ଯେଉଁସବୁ ବାସନା ଥାଏ—ତହିଁର ଉଦ୍‌ବୋଧ ବା ଜାଗରଣ ହୋଇଥାଏ । ଏହି ସ୍ଥାୟୀଭାବର ଉଦ୍‍ବୋଧ ଓ ଆସ୍ୱାଦ ହେଉଛି—ରସ । ରସର ଏହି ଆସ୍ୱାଦ ପ୍ରକାରକୁ ସାଧାରଣୀକରଣ କହନ୍ତି । ସାଧାରଣୀକରଣର ଅର୍ଥ ହେଉଛି ବ୍ୟକ୍ତିତ୍ୱ, ତେଶ ଓ କାଳର ବ୍ୟବଧାନ ଦୂର କରି ସର୍ବସାଧାରଣ ହେବା ଅର୍ଥାତ୍ ସଂକୀର୍ଣ୍ଣ ଗଣ୍ଡୀ ପରିତ୍ୟାଗ କରି ବ୍ୟାପକ ଆତ୍ମାର ଅନୁଭବ କରିବା ଅର୍ଥାତ୍ ଲୌକିକ ଜଗତ ସଂପର୍କ ନ ରଖି ଦେଶ ଓ କାଳର ବ୍ୟବଧାନ ଦୂର କରି ବ୍ୟକ୍ତି ବିଶେଷର ସମ୍ପର୍କ ମଧ୍ୟ ଦୂର କରି ସର୍ବସାଧାରଣ ଭାବରେ ଚିତ୍ତରେ ବିଭାବାଦିକୁ ପ୍ରତିଫଳିତ କଲେ ସ୍ଥାୟୀଭାବର ଉଦ୍‌ବୋଧ ହୁଏ । ଏହିପରି ସର୍ବସାଧାରଣ ହେବା କାର୍ଯ୍ୟକୁ ବିଭାବାଦିର ସାଧାରଣୀକରଣ ବ୍ୟାପାର କହନ୍ତି ।

 

ନାଟ୍ୟରସୂର ଉଦାହରଣ—

ଆଲୋକମାଳାରେ ସୁସଜ୍ଜିତ ଉଜ୍ଜ୍ୱଳ ରଙ୍ଗମଞ୍ଚ ବାଦ୍ୟରେ ମୁଖରିତ । ଦର୍ଶକଗଣ ନାଟକ ଦେଖିବାକୁ ଉତ୍କର୍ଣ୍ଣ ହୋଇ ବସିଛନ୍ତି । ଯବନିକା ପତନପୂର୍ବରୁ ବିଭିନ୍ନ ଶ୍ରେଣୀର ଦର୍ଶକଗଣ ପ୍ରକୃତିରେ, ଜାତିରେ ବ୍ୟବସାୟରେ ଭିନ୍ନ ହେଲେ ମଧ୍ୟ ସମସ୍ତେ ନାଟକ ଦେଖିବା ସକାଶେ ଆଗ୍ରହରେ ଅଧୀର ହୋଇଥାନ୍ତି ।

 

ରଙ୍ଗାଳୟରେ ପ୍ରବେଖ ପୂର୍ବରୁ ସେମାନଙ୍କର ନିଜ ନିଜର ଯେଉଁସବୁ ବ୍ୟକ୍ତିଗତ ସୁଖଦୁଃଖର ଆଶା ଆକାଙ୍‍କ୍ଷାର ଭାବନାସ୍ରୋତ ରହିଥିଲା— ତାହା କ୍ରମେ କ୍ରମେ ଅପସରି ଯାଉଥାଏ । ସେମାନେ କ୍ରମେ କ୍ରମେ ନିଜ ନିଜର ବ୍ୟକ୍ତିତ୍ୱ ପରିହାର କରି ସର୍ବସାଧାରଣ ଦର୍ଶକଙ୍କ ସହିତ ଏକ ଭାବରେ ମିଳି ଯାଇଥାନ୍ତି । ସମସ୍ତ ଦର୍ଶକଙ୍କ ମଧ୍ୟରେ ଯେଉଁ ବ୍ୟକ୍ତିତ୍ୱର ପ୍ରାଚୀର ରହିଥିଲା— ତାହା କ୍ରମେ କ୍ରମେ ଭଗ୍ନ ହୋଇଯାଉଛି । ଯବନିକାର ଉତ୍ତୋଳନ ପରେ ପରେ ନଟନଟୀମାନେ ବିଭିନ୍ନ ବେଶଭୂଷାରେ ବିଭିନ୍ନ ପାତ୍ରଙ୍କର ଭୂମିକାରେ ଅବତୀର୍ଣ୍ଣ ହୋଇ ଅଭିନୟ କରି ଦର୍ଶକମାନଙ୍କୁ ଅଭିଭୂତ ଓ ଚମତ୍‍କୃତ କରିଥାନ୍ତି । ଦର୍ଶକମାନଙ୍କ ମନରେ ୧ମରେ ଯେଉଁ ସାଧାରଣୀ କରଣ ଆରମ୍ଭ ହୋଇଥାଏ, ତାହା କ୍ରମେ କ୍ରମେ ପୂର୍ଣ୍ଣତା ଲାଭ କରେ । ଦର୍ଶକମାନଙ୍କର ଭିନ୍ନ ଭିନ୍ନ ବ୍ୟକ୍ତି ବୋଲି ଯେଉଁ ଅଭିମାନ ଥାଏ ସେ ପୃଥକ୍‌ବ୍ୟକ୍ତିତ୍ୱର ଅଭିମାନ କ୍ରମେ କ୍ରମେ ଅପସରି ଯାଏ । ସେ ସମୟରେ ସେମାନେ ‘‘ମୁଁ ଅମୁକ ଲୋକଙ୍କ ପୁଅ, ଅମୁକର ବନ୍ଧୁ, ଅମୁକର ସ୍ୱାମୀ, ମୁଁ ଧନୀ, ମୁଁ ଦରିଦ୍ର, ମୁଁ ଦୁଃଖୀ, ମୁଁ ଚିର ସୁଖୀ” ଏହି ସବୁ ସାଂସାରିକ ସମ୍ବନ୍ଧ ଓ ଚିନ୍ତାକୁ ବିସ୍ମୃତ ହୋଇଯାନ୍ତି । ସେ ସମୟରେ ଯେଉଁମାନେ ଅଭିନୟ କରୁଥାନ୍ତି ସେହି ନଟନଟୀଗଣ ଯେ-- ନିଜଠାରୁ ଭିନ୍ନ ବା ଭିନ୍ନ ନୁହନ୍ତି କିମ୍ୱା ଯେ ନଟନଟୀଙ୍କଠାରୁ ଭିନ୍ନ ନୁହେ, ଏହିପରି କୌଣସିଜ୍ଞାନ ଦର୍ଶକମାନଙ୍କ ମନରେ ସେ ସମୟରେ ରହେ ନାହିଁ । ରାମ ସୀତା ପ୍ରଭୃତିଙ୍କର କିମ୍ୱା ନଟନଟୀଙ୍କର, ଭୂମିକାର ରାମ ସୀତା ପ୍ରଭୃତି ବିଭାବ ମଧ୍ୟ ରାମସୀତାଙ୍କର କିମ୍ୱା ପରର, କିମ୍ବା ନିଜର” ଏହିପରି ଜ୍ଞାନ ମଧ୍ୟ ଦର୍ଶକଙ୍କ ମନରେ ସେ ସମୟରେ ରହେ ନାହିଁ । କେବଳ ମୁଁ ଦେଖୁଛି, ଶୁଣୁଛି ଜ୍ଞାନ ରହିଥାଏ । ଏହା ହେଉଛି— ସାଧାରଣୀକରଣ ।

 

ଏହି ଅବସ୍ଥାରେ ନିଜ ନିଜର ପରିମିତ ବା ସୀମିତ ବ୍ୟକ୍ତିତ୍ୱର ଲୋପ ହୋଇଥାଏ । ସେ ସମୟରେ ସମସ୍ତ ସହୃଦୟ ଦର୍ଶକଙ୍କର ହୃଦୟ ଏକ ହୋଇଯାଏ । ପ୍ରତ୍ୟେକ ସହୃଦୟ ଦର୍ଶକ ସେ ସମୟରେ ନିଜ ନିଜର ବ୍ୟକ୍ତିତ୍ୱ ପରିହାର କରି ସମସ୍ତଙ୍କ ଏକ ହୋଇଯାନ୍ତି ବୋଲି ଅନୁଭବ କରନ୍ତି-। ସେମାନେ ସମସ୍ତେ ସତ୍ତାଚୈତନ୍ୟର ଭୂମିରେ ଅବତୀର୍ଣ୍ଣ ହୁଅନ୍ତି । ସେ ସମୟରେ ସମସ୍ତେ ମନ, ବଚନ, କର୍ମରେ ହୃହୟରେ, ନୟନ କର୍ଣ୍ଣରେ ଏକ ହୋଇଗଲା ପରି ମନେ କରନ୍ତି । ଏହାକୁ ଆଚାର୍ଯ୍ୟ ମମ୍ମଟ କହିଛନ୍ତି— ‘ସକଳସହୃଦୟସମ୍ୱାଦଭାର୍ଜା’ ସେ ସମୟରେ ସୃହୃଦୟ ଦର୍ଶକ ମାନଙ୍କର ଭେଦଜ୍ଞାନ ରହେ ନାହିଁ ଏବଂ ସାଦୃଶ୍ୟ ଜ୍ଞାନ ମଧ୍ୟ ରହେ ନାହିଁ । ସେ ସମୟରେ ରାମ ସୀତା ପ୍ରବୃତି ବ୍ୟକ୍ତିବିଶେଷରୂପରେ ଜ୍ଞାତ ହେଲେ ସେମାନଙ୍କର ଆରାଧ୍ୟତା ପ୍ରଭୃତି ଜ୍ଞାନରୁ ରସିକଙ୍କ ଚିତ୍ତରେ ବାସନା ରୂପରେ ଅବସ୍ଥିତ ରତି ପ୍ରଭୃତି ସ୍ଥାୟୀ ଭାବରୁ ଉଦ୍‍ବୋଧ ହେବ ନାହିଁ । ଶତ୍ରୁ ଜ୍ଞାନ ହେଲେ ଈର୍ଷା ହେବ । ମିତ୍ର ଜ୍ଞାନ ହେଲେ କିମ୍ୱା ନିଜର ବୋଲି ଜ୍ଞାନ ହେଲେ ଲଜ୍ଜା ପ୍ରଭୃତି ଜାତ ହେବ । ସେତେବେଳେ—

 

କାବ୍ୟ ନାଟକ ବର୍ଣ୍ଣିତ ଚରିତ୍ର ଦୃଶ୍ୟ ପ୍ରଭୃତିର ଆଲୋଚନାଦ୍ୱାରା ପାଠକ ଓ ଶ୍ରୋତା ନିଜ ନିଜର ଦେଶକାଳ ଅବସ୍ଥା ଏବଂ ନିଜ ନିଜର ବ୍ୟକ୍ତିତ୍ୱ ଓ ବୈଶିଷ୍ଟ୍ୟକୁ ବିସ୍ମୀତ ହୁଏ । ନିଜର ଅସାଧାରଣ ବ୍ୟକ୍ତିତ୍ୱ ପରିହାର କରି କାବ୍ୟ ନାଟକର ଚରିତ୍ର ବିଭାବାଦି ସହିତ ନିଜର ସାଧାରଣ ସମ୍ପର୍କ ସ୍ଥାପନ କରେ । ଏଣୁ ଏହାକୁ ସାଧାରଣୀକରଣ କରନ୍ତି । ଏହି ଅବସ୍ଥାରେ ବିଭାବାଦିର ସାଧାରଣତ୍ୱ ଯୋଗୁଁ ସହୃଦୟ ରସିକ ଲୋକ ବିଭାବାଦି ସହିତ ତନ୍ମୟ ହୋଇଯାନ୍ତି । ତେଣୁ ବିଭାବାଦିଗି ରତି ପ୍ରଭୃତି ସ୍ଥାୟୀଭାବ ରସିକ ଲୋକଙ୍କ ଚିତ୍ତରେ ସୂକ୍ଷ୍ମ ବାସନା— ରୂପରେ ଅବସ୍ଥିତ ରତି ପ୍ରଭୃତି ସ୍ଥାୟୀ ଭାବକୁ ଉଦ୍‌ବୋଧିତ କରେ । ତେଣୁ ସହୃଦୟ ରସିକ ଲୋକର ‘‘ନିଜର, ପରର ଶତ୍ରୁର, ମିତ୍ର କିମ୍ୱା ନିଜର ନୁହେଁ ପରର ନୁହେ, ଶତ୍ରୁର ନୁହେ, ମିତ୍ରର ନୁହେ” ବୋଲି ଜ୍ଞାନ ରହେନାହିଁ । ସେହି କଥା ବିଶ୍ୱନାଥ ମହାପାତ୍ରେ କହିଛିନ୍ତି ।

 

‘‘ପରସ୍ୟ ନ ପରସ୍ୟେତି ମମେତି ନ ମମେତି ଚ ।

ତଦାସ୍ୱାଦେ ବିଭାବାଦେଃ ପରିଚ୍ଛେଦୋ ନ ବିଦ୍ୟତେ । ”

 

ବିଭାବାଦିର ଆସ୍ୱାଦନ କାଳରେ ଏହି ବିଭାବାଦି ବା ପରର ନୁହେଁ, ମୋ ନିଜର ବା ନିଜର ନୁହେ”, ଏହିପରି କୌଣସି ବନ୍ଧନ ରହେ ନାହିଁ ।

 

‘‘ବ୍ୟାପାରୋଽସ୍ତି ବିଭାବାଦେ ର୍ନାମ୍ନା ସାଧାରଣୀ କୃତିଃ ।

ପ୍ରମାତାଯଦ ଭେଦେନ ସ୍ୱାତ୍ମାନଂ ପ୍ରତିପଦ୍ୟତେ । (ସାହିତ୍ୟ ଦର୍ପଣ)

 

ବିଭାବାଦିର ସାଧାରଣୀକରଣ ନାମରେ ଗୋଟିଏ ବ୍ୟାପାର ରହିଅଛି । ସେହି ବ୍ୟାପାର ବଳରେ ସହୃଦୟ ରସିକ ବିଭାବାଦି ସହିତ ନିଜକୁ ଅଭିନ୍ନ ବୋଲି ଜ୍ଞାନ କରେ । ସହୃଦୟ ଲୋକ ରସିକ, କବି, ନାୟକ, ନାୟିକା ଏବଂ ଅନ୍ୟାନ୍ୟ ଦର୍ଶକଙ୍କ ହୃଦୟ ସହିତ ନିଜ ହୃଦୟକୁ ଏକାକାର କରିଥାଏ । ସମାନଂ ହୃଦୟଂ ଯସ୍ୟ ସଃ ସହୃଦୟଃ । ଆମ୍ଭେମାନେ ସହୃଦୟ ଶବ୍ଦକୁ ଭାଷାରେ ଯେପରି ଅର୍ଥ କରିଥାଉଁ ସଂସ୍କୃତରେ ତାହା ନୁହେଁ । ସଂସ୍କୃତରେ ରସାନୁଭବୀ ଲୋକକୁ ସପୃଦୟ କହନ୍ତି— ଆଚାର୍ଯ୍ୟ ଅଭିନବ ଗୁପ୍ତ ସହୃଦୟର ଲକ୍ଷଣ କରିଛନ୍ତି—

 

‘‘ଯେଷାଂ କାବ୍ୟାନୁଶୀଳନ ବଶାନ୍ ବିଶଦୀଭୂତେ

ମନୋମୁକୁରେ ବର୍ଣ୍ଣନୀୟ ତନ୍ମୟୀଭାବଯୋଗ୍ୟତା ତେ

ହୃଦୟ-ସମ୍ୱାଦଭାବଃ ସହୃଦୟାଃ (ଧ୍ୱନ୍ୟାଲୋ ୧/୧ ଟୀକା)

 

କାବ୍ୟ ଚର୍ଚ୍ଚାର ଅଭ୍ୟାସ ବଶରୁ ଯେଉଁମାନଙ୍କର ହୃଦୟରୂପକ ଦର୍ପଣ ସ୍ୱଚ୍ଛ ଓ ନିର୍ମଳ ହୋଇଥାଏ ଏବଂ ଯେଉଁମାନେ ବର୍ଣ୍ଣନୀୟ ବିଭାବାଦି ବିଷୟ ସହିତ ତନ୍ମୟତା ବା ଏକାତ୍ମତା ଲାଭ କରିଥାନ୍ତି ସେମାନେ ହେଉଛନ୍ତି ସହୃଦୟ । ଯେଉଁ ବିଭାବାଦି ହୃଦୟ—ସମ୍ୱାଦୀ ଅର୍ଥାତ୍ ଯେଉଁ ବିଭାବ– ପ୍ରଭୃତି ଗୋଟିଏ ହୃଦୟ ସହିତ ଅନ୍ୟ ହୃଦୟର ମିଳନ ଘଟାଇପାରେ ସେହି ବିଭାବ—ପ୍ରଭୁତିର ଚର୍ବଣା ହେଉଛି ରସର ଅଭିବ୍ୟକ୍ତି । ଏହି ସାଧାରଣୀକରଣକୁ ଆବରଣଭଙ୍ଗ ବୋଲି ମଧ୍ୟ କେହି କେହି କହନ୍ତି । ରସ ଗଙ୍ଗାଧର–ରଚୟତା ଜଗନ୍ନାଥ ରସକୁ ‘‘ ଭଗ୍ନାବରଣ ଚୈତନ୍ୟ” ବୋଲି କହିଛନ୍ତି–ଅଖଣ୍ଡ ଚୈତନ୍ୟ ବା ଆତ୍ମା ହେଉଛି ବ୍ୟାପକ ପଦାର୍ଥ । ସେହି ଆତ୍ମା ଉପରେ ଆନନ୍ଦ ଓ ଜ୍ଞାନ ବୋଲି ଦୁଇଟି ଧର୍ମ କଲ୍ପିତ ହୋଇଥାଏ । ଏହି ଅଖଣ୍ଡ ଆନନ୍ଦ ଉପରେ ବ୍ୟକ୍ତିତ୍ୱ, ସସୀମତ୍ୱ, ରଜତମ ପ୍ରଭୃତି ଆବରଣ ରହିଅଛି । ଏହି ଆବରଣର ଭଙ୍ଗ ହେଲେ ବ୍ୟକ୍ତିତ୍ୱ ରଜତମ ପ୍ରଭୃତି ବାଧା ଦୁର ହେଲେ ଆନନ୍ଦମୟ ଶୁଦ୍ଧ ଚୈତ୍ୟ ବା ଆତ୍ମାର ଉପଲବ୍‍ଧି ହୁଏ । ତାହାର ନାମ ହେଉଛି ରସ । ବିଭାବ– ପ୍ରଭୃତିର ସାଧାରଣୀକରଣ ପ୍ରକ୍ରିୟାଦ୍ୱାରା ଏହି ଆବରଣ ଦୁର ହୋଇଥାଏ ଏବଂ ରସର ଉପଲବ୍‍ଧି ହୁଏ । ଏହିରସ ହେଉଛି ବ୍ରହ୍ମ । ‘‘ ରସୋ ବୈସଃ, ଆନନ୍ଦଚିଦ୍ ଘନଃ । ” ତେଣୁ ରସକୁ କହନ୍ତି ବ୍ରହ୍ମାନନ୍ଦ—ସହୋଦର ।

 

ଏହି ଧ୍ୱନିତତ୍ତ୍ୱ ଏବଂ ରସତତ୍ତ୍ୱର ଭିତ୍ତି ଉପରେ ସଂସ୍କୃତ ସାହିତ୍ୟର କାବ୍ୟ ସୌଧ ପ୍ରତିଷ୍ଠିତ । ଓଡ଼ିଆଭାଷାର ରୀତିଯୁଗର କାବ୍ୟ କବିତାମାନ ଅକ୍ଷରେ ଅକ୍ଷରେ ସଂସ୍କୃତ ସାହିତ୍ୟର ସରଣୀ ଅନୁସରଣ କରିଛନ୍ତି । ସେମାନଙ୍କର ସଂସ୍କୃତ—ସାହିତ୍ୟ ଥିଲା ଏକମାତ୍ର ଆଦର୍ଶ । ସେଥିଲାଗି ମୁଁ ଏଠାରେ ଧ୍ୱନିତତ୍ତ୍ୱ ଏବଂ ରସତତ୍ତ୍ୱର ସଂକ୍ଷିପ୍ତ ସମୀକ୍ଷା ପ୍ରଦାନ କଲି । ଓଡ଼ିଆ ରୀତି ଯୁଗର କାବ୍ୟମାନଙ୍କୁ, କବିତାମାନଙ୍କୁ ଆଲୋଚନା କରିବାକୁ ହେଲେ ଧ୍ୱନି ଏବଂ ରସ ଦୃଷ୍ଟିରୁ କରିବାକୁ ହେବ ।

 

ଓଡ଼ିଆଭାଷା ସ୍ୱଭାବତଃ କୋମଳ ଏବଂ ମଧୁର । ପ୍ରତିଭା ସମ୍ମନ୍ନ କବିଙ୍କର ହାତରେ ପଡିଲେ ଏହି ଭାଷାରେ ଭାବ ପ୍ରକାଶନର ଅଦ୍‍ଭୁତ କ୍ଷମତା ହୋଇଥାଏ । ଭାବର ସୂକ୍ଷ୍ମତା ଏବଂ ମନୋବିକାରମାନଙ୍କର ପ୍ରକାଶରେ ଓଡ଼ିଆଭାଷା ନିତାନ୍ତ ସମର୍ଥ ଏବଂ କ୍ଷମ । ସଂସ୍କୃତ ଶବ୍ଦମାନଙ୍କର ମିଶ୍ରଣରେ ଓଡ଼ିଆ ଶବ୍ଦ ଭଣ୍ଡାର ପରିପୂର୍ଣ୍ଣ ହୋଇ ଅତି ବିଶାଳ ହୋଇଅଛି । ତେଣୁ ଓଡ଼ିଆ ଭାଷାରେ ରୀତିଯୁଗର କାବ୍ୟମାନଙ୍କରେ ଶବ୍ଦମାନଙ୍କର ସୌଷ୍ଟବ ପଦାବଳୀମାନଙ୍କର ମଧୁମୟ ବିନ୍ୟାସ ପଦମାନଙ୍କର କୋମଳ ଶଯ୍ୟା ଯେପରି ସୁନ୍ଦର ଭାବରେ ନିବଦ୍ଧ ହୋଇଛି—ତାହା ଦେଖିଲେ ଆଶ୍ଚର୍ଯ୍ୟ ଏବଂ ବିସ୍ମୟରେ ସ୍ତବ୍‍ଧ ଏବଂ ଚମତ୍‌କୃତ ହେବାକୁ ହୁଏ । ଯେଉଁ ଦେଶର କବି ଜୟଦେବ ସଂସ୍କୃତ ସାହିତ୍ୟରେ ‘କାନ୍ତ କୋମଳ ପଦାବଳୀ’ରେ ଗୀତ ଗୋବିନ୍ଦର ରଚନା କରିଥିଲେ—ସେହି ଦେଶର କବି ମାନଙ୍କର ସେ ପ୍ରଧାନ ଆଦର୍ଶ ଥିଲେ । ସେଥିଲାଗି ଓଡ଼ିଶାର କବିମାନଙ୍କର ରଚନାମାନଙ୍କରେ ସେହି କାନ୍ତ କୋମଳ ପଦାବଳୀ ଦେଖିବାକୁ ମିଳେ, ସେହି ରୀତିଯୁଗର କବିମାନଙ୍କର ରଚନାରେ ବିଭିନ୍ନ ଅନୁପ୍ରାସ ଏବଂ ଭିନ୍ନ ଭିନ୍ନ ଯମକ ପ୍ରତିପଦରେ ପୂରି ରହିଛି ବୋଲି କହିଲେ ଚଳେ । ସେଥିଲାଗି ସେ କାବ୍ୟମାନ ଅତିଶ୍ରୁତି ସୁଖକର ହୋଇଥାଏ ଏବଂ ସାଧାରଣ ଲୋକେ ଅର୍ଥ ନ ବୁଝିଲେ ମଧ୍ୟ ଛନ୍ଦ ଏବଂ ପଦମାନଙ୍କର ଲାଳିତ୍ୟ ଏବଂ କମନୀୟତାରେ ମୁଗ୍‍ଧ ହୋଇ ମନକର୍ଣ୍ଣ ଦେଇ ସେହି କାବ୍ୟମାନ ପାନ କରିଥାନ୍ତି । ପାଲାମାନଙ୍କରେ ଯେତେ ଯେତେ ଲୋକଙ୍କର ସମାଗମ ଏବଂ ତନ୍ମୟତା ହୋଇଥାଏ ତାହା ଯେ ଦେଖିଛି ସେ ଅକ୍ଷରେ ଅକ୍ଷରେ ଏହି କଥାର ସତ୍ୟତା ଉପଲବ୍‌ଧି କରିପାରିବ । ଶ୍ଳେଷ ଅଳଙ୍କାରର ବିନ୍ୟାସରେ ମଧ୍ୟ ସେମାନେ ସଂସ୍କୃତ ଏବଂ ଓଡ଼ିଆ ପଦମାନଙ୍କ ସମ୍ମିଶ୍ରଣରେ ଏକ କମନୀୟ କୌଶଳ ବ୍ୟବହାର କରିଛନ୍ତି ତାହା ସହୃଦୟ ସମାଲୋଚକମାନଙ୍କ ହୃଦୟାବର୍ଜକ । ସେ ଯୁଗର କବିମାନଙ୍କର ଶବ୍ଦ–ବିଭବ ଯେପରି ଅସୀମ ଥିଲା– ଭାବବିଭବ ଏବଂ ଅର୍ଥ ବିଭବ ମଧ୍ୟ ସେପରି ଅପରିସୀମ ଥିଲା । ହୃଦୟର କ୍ଷଣ କ୍ଷଣ ପରିବର୍ତ୍ତନଶୀଳ ଭାବମାନଙ୍କର ସେ କାବ୍ୟମାନଙ୍କରେ ବିନ୍ୟାସ ହୋଇଥିବାରୁ ଗୋଟିଏଗୋଟିଏ ପଦ୍ୟ ମଧ୍ୟ ମନୋରମ ଚିତ୍ର ପରି ପ୍ରତୀତ ହୁଏ ।

 

ଯଦୁମଣି ମହାପାତ୍ରେ ହେଉଛନ୍ତି ଆମ୍ଭର ସେହି ରୀତିଯୁଗର କବି, ସେ କେବଳ ଜାତିରେ ବିନ୍ଧାଣୀ ନ ଥିଲେ କି କେବଳ ଜଣେ ହାସ୍ୟରସର କବି ନ ଥିଲେ, କିନ୍ତୁ ସେ ଜଣେ ରୀତି –ଯୁଗ –କାବ୍ୟର ଶ୍ରେଷ୍ଠ ବିନ୍ଧାଣୀ ଥିଲେ । ତାଙ୍କର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଏବଂ ରାଘବ ବିଳାସ ତହିଁର ଶ୍ରେଷ୍ଠ ନିଦର୍ଶନ । ହାସ୍ୟରସ କବିତାମାନଙ୍କରେ ମଧ୍ୟ ସେହି ରୀତି−ଯୁଗର ଛାୟା ପ୍ରତିଫଳିତ । ରୀତିଯୁଗର କାବ୍ୟମାନଙ୍କ ରୀତି ଓ ଲକ୍ଷଣ ଯଦୁମଣି ମହାପାତ୍ରଙ୍କର କବିତା ଓ କାବ୍ୟମାନଙ୍କରେ ପୂର୍ଣ୍ଣତା ଲାଭ କରିଛି । କବିମାନଙ୍କର ଶବ୍ଦ ବିଭବ ଏବଂ ଅର୍ଥ ବିଭବ ଯେପରି ଅସରନ୍ତି— ଯଦୁମଣି ମହାପାତ୍ରଙ୍କ ଶବ୍ଦ ବିଭବ ଏବଂ ଅର୍ଥ ବିଭବ ମଧ୍ୟ ସେହିପରି ଅସୀମ ଏବଂ ବ୍ୟାପକ – ଯଦୁମଣି ମହାପାତ୍ରଙ୍କର କାବ୍ୟ ଏବଂ କବିତା ଭିନ୍ନ ଭିନ୍ନ ଅନୁପ୍ରାସ ଭିନ୍ନ ଭିନ୍ନ ଯମକ ଏବଂ ଶ୍ଳେଷ ପ୍ରଭୃତି ଶବ୍ଦାଳଙ୍କାର ଏବଂ ଲଳିତକାନ୍ତ କୋମଳ ପଦାବଳୀରେ ପରିପୂର୍ଣ୍ଣ । ତହିଁର ଉଦାହରଣ ଏବଂ ସମୀକ୍ଷା ଶ୍ରୀ ଚକ୍ରଧର ମହାପାତ୍ରେ ଏହି ଗ୍ରନ୍ଥର ଅବତରଣିକାରେ ବିସ୍ତାର ଭାବରେ ଆଲୋଚନା କରି ଏବଂ କବିଙ୍କର ଜୀବନୀ ସଂଗ୍ରହ କରି ଲେଖି ମୋର କାର୍ଯ୍ୟଭାର ଲଘୁ କରିଛନ୍ତି ।

 

ଯଦୁମଣି ମହାପାତ୍ରେ ଯେପରି ମହାକବି ଥିଲେ ସେପରି ସେ ହାସ୍ୟରସ ରସିକ ଥିଲେ ଏବଂ ସେପରି ସେ ସତ୍‌ସାହସୀ ଏବଂ ସତ୍ୟନିଷ୍ଠ ଏବଂ ନ୍ୟାୟପର ଥିଲେ । ଆଜୀବନ ଦାରିଦ୍ର୍ୟର କଷାଘାତରେ ଉତ୍‌ପୀଡ଼ିତ ହେଲେ ମଧ୍ୟ ସେ କଦାପି ଧାର୍ମିକ ରାଜାମାନଙ୍କ ନିକଟରେ ନିଜର ସମ୍ମାନ ଓ ମହତ୍ତ୍ୱ ବିକ୍ରୟ କରି ନଥିଲେ ଏବଂ ପ୍ରତି ପଦରେ ସେମାନଙ୍କର ତୀବ୍ର ସମାଲୋଚନା କରିଥିଲେ ।

 

ଭାଗବତରେ କଥିତ ଅଛି —

 

ଚୀରାଣି କିଂ ପଥି ନସନ୍ତି ଦିଶନ୍ତି ଭିକ୍ଷାଂ

ବୈବାଘ୍ରିଂପାଃ ପରଭୃତଃ ସରିତେଽପ୍ୟଶୁ ଷ୍ୟନ୍ ।

କସ୍ମାଦ୍ ଭଜନ୍ତି କବୟୋ ଧନଦୁର୍ମଦାନାମ୍ ।

 

ବାଟରେ କଣ ଚୀରା କନା ନାହିଁ ? ଗଛର ଫଳ କଣ ଲୋକଙ୍କୁ ମିଳୁ ନାହିଁ ? ନଈ କଣ ସବୁ ଶୁଖି ଗଲାଣି ? କାହିଁକି କବିମାନେ ଧନରେ ଦୁର୍ମଦ ଧନିକ ମାନଙ୍କର ସ୍ତୁତି ଗାନ କରୁଛନ୍ତି ?” ଏହି କଥାଟି ଯଦୁମଣି ମହାପାତ୍ରଙ୍କଠାରେ ଅକ୍ଷରେ ଅକ୍ଷରେ ପ୍ରଯୋଜ୍ୟ ଥିଲା । ସେ ସଦା ସର୍ବଦା ନିଜ ସମ୍ମାନ ବଜାୟ ରଖିଥିଲେ କାହାରି ପାଖରେ ନିଜର ମସ୍ତକ କଦାପି ଅବନତ କରି ନ ଥିଲେ ।

 

ଏ ବିଷୟ ମଧ୍ୟ ଚକ୍ରଧର ମହାପାତ୍ରେ ତାଙ୍କ ଜୀବନୀରେ ପ୍ରତିପାଦିତ କରିଛନ୍ତି । ଧନ୍ୟ ସେ ସ୍ୱାଧୀନ ଚେତା କବି । ସେ ନିଜକୁ ଉତ୍କଳ ଘଣ୍ଟ ବୋଲି କହୁଥିଲେ। ଯେଉଁ ଦେଶରେ ଏପରି ସ୍ୱାଧୀନ ଚେତା ଉତ୍କଳ ଘଣ୍ଟଙ୍କର ଜନ୍ମ ସେ ଦେଶ ମଧ୍ୟ ଧନ୍ୟ । ମଲ୍ଲିନାଥ ଭାରବି ମହାକାବ୍ୟର ଟୀକା କଲାବେଳେ ୧ମରେ କହିଥିଲେ—

 

ନାରିକେଳଫଳ ସମ୍ମିତଂ ବଚୋ

ଭାରବେଃ ସପଦି ତଦ୍ ବିଗୃହ୍ୟତେ ।

ସ୍ୱାଦୟନ୍ତୁ ରସଗର୍ଭ–ନିଭରଂ

ସାରମସ୍ୟ ରସିକା ଯଥେପ୍‌ସିତମ୍ ।

 

‘‘ଭାରବିଙ୍କର କବିତା ନଡ଼ିଆ ଫଳ ପରି ଉପରେ କଠିନ । ତାହାକୁ ବ୍ୟାଖ୍ୟା କରି ମୁଁ ଭାଙ୍ଗୁଅଛି । ନଡ଼ିଆ ଭାଙ୍ଗିଲେ ରସପରିପୂର୍ଣ୍ଣ ତାର ସାର ଯେପରି ଲୋକ ଖାଆନ୍ତି–ସେହିପରି ରସିକମାନେ ଯଥେଚ୍ଛାଭାବରେ ଭାରବି କାବ୍ୟର ରସ ଆସ୍ୱାଦନ କରନ୍ତୁ ।”

 

ଯଥାର୍ଥରେ ଯଦୁମଣି ଉତ୍କଳ ଘଣ୍ଟ ଥିଲେ । ତାଙ୍କର କାବ୍ୟ କବିତାମାନ ନାରିକେଳ ଫଳପରି ଉପରେ କଠିନ । ଦାସ ବ୍ରଦର୍ସ ଏବଂ ଚକ୍ରଧର ମହାପାତ୍ରେ ଏ ଗ୍ରନ୍ଥାବଳୀରେ ଉତ୍କଳ ଘଣ୍ଟଙ୍କର କାବ୍ୟ କବିତାମାନ ବ୍ୟାଖ୍ୟା କରି ସରଳ ତରଳ କରିଛନ୍ତି । ସହୃଦୟ ରସିକମାନେ ଯଥା−ଯଥ ଭାବରେ ତହିଁର ରସ ଆସ୍ୱାଦନ କରି ପାରିବେ ବୋଲି ମୋର ଏକମାତ୍ର ଆଶା ।

 

ଦାସ ବ୍ରଦର୍ସଙ୍କର ଅର୍ଥ ସାହାଯ୍ୟ ଏବଂ ପ୍ରରୋଚନାରେ ଚକ୍ରଧର ମହାପାତ୍ରେ ବହୁ ପରିଶ୍ରମ ଏବଂ କଷ୍ଟ ସହି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ରଙ୍କର ଜୀବନୀ ଏବଂ କାବ୍ୟ କବିତାମାନ ସଂଗ୍ରହ କରି ଓଡ଼ିଆ ସାହିତ୍ୟକୁ ଯେଉଁ ଅମୂଲ୍ୟଦାନ ପ୍ରଦାନ କରିଛନ୍ତି ତାହା ଅତୁଳନୀୟ । ସେଥିଲାଗି ସେ ସମସ୍ତଙ୍କର ଧନ୍ୟବାଦାର୍ହ । ସେଥିଲାଗି ମୁଁ ତାଙ୍କୁ ମୋର ଧନ୍ୟବାଦ ଜ୍ଞାପନ କରୁଛି-। ଦାସ ବ୍ରଦର୍ସ ମଧ୍ୟ ଚକ୍ରଧର ମହାପାତ୍ରଙ୍କୁ ଧନ ଦେଇ ଏହି କାର୍ଯ୍ୟରେ ତାଙ୍କୁ ନିଯୁକ୍ତ କରି ଏହି ଗୁରୁ କାର୍ଯ୍ୟ ସମାହିତ କରିଥିବାରୁ ସେ ମଧ୍ୟ ସମସ୍ତଙ୍କର ପ୍ରଶଂସା ଭାଜନ । ତେଣୁ ମୁଁ ଦାସ ବ୍ରଦର୍ସଙ୍କୁ ଅଶେଷ ଧନ୍ୟବାଦ ଦେଉଛି—ଏବଂ ଆଶାକରେ ସେ ଓଡ଼ିଆ ସାହିତ୍ୟର ଅମୂଲ୍ୟ ରତ୍ନଭଣ୍ଡାରରୁ ଏହିପରି ଲୁପ୍ତ ରତ୍ନମାନ ଉଦ୍ଧାର କରି ସାହିତ୍ୟର ଶ୍ରୀବୃଦ୍ଧି ସାଧନ କରିବେ ।

 

ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ

ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖଭାଗ୍ ଭବେତ୍ ।

 

ଇତି

ଶମ୍

କରୁଣାକର କର

 

JADUMANI MAHAPATRA

 

(From History of Oriya Literature by Dr. M. Mansinha)

 

Best known as a wit in Orissa, like Birbal in northern india, Jadumani Mahapatra is the most enter-taining literary legend in the land. In gatherings of rural folk in any part of Orissa, the witty sayings and practical jokes of Jadumani are frequently recalled for the innocent laughter and diversion they provide. His witticisms and jokes have been collected in Jadumani Rahasya, which is a perennial best-seller in rural areas.

 

But how does such a wit, readers may ask, come into the picture of Kavya-makers ? The fact is, though a low-born carpenter, Jadumani was a finished scholar in Oriya and Sanskrit, proving, by the way, the width and depth of social culture in Orissa at that time. He has left behind a Kavya with the title of Prabandha-purnachandra (Full moon of poetic essays), narrating the episode of Krishna’s marriage with Rukmini, with extra-ordinary skill in word-play, word-painting and metrical handling. He has indeed out-Bhanjaed Upendra Bhanja at his own game. Like Bhanja’s poems and songs the Prabandha-purnachandra of Jadumani is also a favourite source book of the Palawalas, the wandering exponents of ancient poetry in Orissa villages.

 

Because of his wit, scholarship and other excellent social qualities, Jadumani was a favourite courtier at many courts in the ex-states areas of Orissa.

 

ଉତ୍ତର ଭାରତରେ ବୀରବଳଙ୍କ ପରି ଓଡ଼ିଶାରେ, ଯଦୁମଣି ମହାପାତ୍ର ଅସାଧାରଣ ପ୍ରତ୍ୟୁତ୍ପନ୍ନମତିର ଓ ଆଶୁ କବିତ୍ୱ ପାଇଁ ସର୍ବାଧିକ ଚିତ୍ତବିନୋଦକ ସାହିତ୍ୟିକ କାହାଣୀରେ ପରିଣିତ ହୋଇଯାଇଛନ୍ତି । ସରଳ ହାସ୍ୟରସର ଉତ୍ସରୂପେ ଓଡ଼ିଶାର ପଲ୍ଲୀଜନତା ମଧ୍ୟରେ ଯଦୁମଣିଙ୍କ ତୁରନ୍ତ−ଜବାବ ଓ ହାସ୍ୟୋଦ୍ରେକ କ୍ରିୟା−କଳାପସବୁ ବରାବର କଥୋପକଥନର ଅଂଶ ହୋଇଥାଏ-। ଯଦୁମଣିଙ୍କର ଏହିସବୁ କୀର୍ତ୍ତି ବଜାରରେ ‘ଯଦୁମଣି−ରହସ୍ୟ’ ନାମରେ ସଂଗୃହୀତ ହୋଇ ବିକ୍ରି ହେଉଛି ଓ ଏହାର ବିକ୍ରିର ଶେଷ ନାହିଁ ।

 

କିନ୍ତୁ ପ୍ରଶ୍ନ ହୋଇପାରେ ଯେ, ଏହି ଥଟ୍ଟା−ନବଜୀ ଲୋକର କଥା ଓଡ଼ିଆ ସାହିତ୍ୟର କାବ୍ୟସ୍ରଷ୍ଚ୍ରାମାନଙ୍କ ସଙ୍ଗେ ବିଚାରିତ ହୋଇଛି କିପରି ? ଘଟଣା ଏହି ଯେ ଯଦୁମଣି ସାଧାରଣ ବଢ଼େଇ କୁଳରେ ଜନ୍ମ ଗ୍ରହଣକରି ମଧ୍ୟ ଓଡ଼ିଆ ଓ ସଂସ୍କୃତ ଉଭୟରେ ଅତି ବ୍ୟୁତ୍‌ପନ୍ନ ଲୋକଥିଲେ ଯାହା ଦୃଢ଼ଭାବରେ ପ୍ରମାଣ କରୁଛି, ସେକାଳରେ ଉତ୍‌କଳୀୟ ସମାଜରେ ସଂସ୍କୃତିର ବ୍ୟାପ୍ତି ଓ ଗଭୀରତା । କୃଷ୍ଣ ଓ ରୁକ୍ମିଣୀଙ୍କ ପରିଣୟକୁ ନେଇ ସେ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ନାମକ ଯେଉଁ କାବ୍ୟଗ୍ରନ୍ଥଟି ଛାଡ଼ିଯାଇଛନ୍ତି, ତାହା ତାଙ୍କର ଶବ୍ଦ−ଗଠନ, ଶବ୍ଦ−ଚିତ୍ରଣ ଓ ଛନ୍ଦ ପାଟବର ପରାକାଷ୍ଠା ପ୍ରଦର୍ଶନ କରେ । ବସ୍ତୁତଃ ସେ ଉପେନ୍ଦ୍ରଙ୍କ ଅନୁକରଣ କଲେ ବା କି ହେଲା ଯଦୁମଣି ଏହି କାବ୍ୟଘେନି ଗୁରୁ ଭଞ୍ଜଙ୍କୁ ଶାବ୍ଦିକ ଚାତୁର୍ଯ୍ୟରେ ବଳି ଯାଇଛନ୍ତି କହିବାକୁ ହେବ । ଭଞ୍ଜଙ୍କ କାବ୍ୟ ଓ ସଙ୍ଗୀତ ପରି ଯଦୁମଣିଙ୍କ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ମଧ୍ୟ ଓଡ଼ିଶାର ପାଲାବାଲାମାନଙ୍କର ପ୍ରିୟ ଗଣ୍ଠିଧନ । ନିଜର ପାଣ୍ଡିତ୍ୟ, କବିତ୍ୱ ଓ ପ୍ରତିତ୍ପନ୍ନମତିତ୍ୱ ଯୋଗୁଁ ଯଦୁମଣି ସମସାମୟିକ ବହୁ ସାମନ୍ତରାଜାମାନଙ୍କ ରାଜସଭାରେ ବହୁମାନ୍ୟତା ଲାଭ କରିଥିଲେ ।

 

Unknown

ଅବତରଣିକା

ସାଧାରଣତଃ କବି ଏବଂ ଲେଖକମାନଙ୍କ ଜୀବନାଲେଖ୍ୟ ସେହିମାନଙ୍କ ରଚନା ମଧ୍ୟରେ ଅଙ୍କିତ ହୋଇଥାଏ । କିନ୍ତୁ ଘଟଣାଚକ୍ରରେ ଅନେକ କବିଙ୍କର ଜୀବନଚରିତକୁ ସେ କାଳର ଚରିତ୍ରବନ୍ତ ବିଦ୍ୱାନ୍ କେତେଜଣ ଏପରି ଧର୍ମ ଯୁଧିଷ୍ଠିର ଭାବରେ ଚିତ୍ରଣ କରିଅଛନ୍ତି, ଯାହା ପାଠ କଲେ ଉକ୍ତ କବିମାନେ ଯେ କିପରି ଶୃଙ୍ଗାର ରସର କାମୋଦ୍ଦୀପକ କବିତାମାନ ରଚନା କଲେ ତା’ ଭାବି ହୁଏ ନାହିଁ । କାଳିଦାସଙ୍କୁ ଯେବେ ଆମେ ଶୁକଦେବ ବୋଲି ଚିତ୍ରଣ କରୁଁ, ତାହା ଅତୀବ ହାସ୍ୟାସ୍ପଦ ହୋଇପଡ଼ିବ । ତେଣୁ କାଳିଦାସ ବେଶ୍ୟାସକ୍ତ ଥିଲେ, ସେ ଲମ୍ପଟ ଥିଲେ, ସେ ରସିକାଗ୍ରଗଣ୍ୟ ଥିଲେ ବୋଲି ଚିତ୍ରଣ କରାଯାଇଛି ।

 

କବିବର ରାଧାନାଥ ରାୟ ଜଣେ ରସିକ ବ୍ୟକ୍ତି ଥିଲେ ବୋଲି ତାର କ୍ଷୀଣ ସୂଚନା ମଧ୍ୟ ଦିଆଯାଇ ନାହିଁ । ଅଥଚ ତାଙ୍କର କବିତାମାନଙ୍କରେ ଆଦି−ରସର ବ୍ୟଞ୍ଜନା ବିଶେଷ ଭାବରେ ପରିବେଷିତ ହୋଇଛି । ଭଞ୍ଜଙ୍କୁ ମଧ୍ୟ ଋଷିକଳ୍ପ ବୋଲି କେହି କେହି କହିଲେଣି ।

 

କବିସୂର୍ଯ୍ୟ ବଳଦେବ ରଥଙ୍କର ଜୀବନାଲେଖ୍ୟ ଯେଉଁ ବିଜ୍ଞ ପଣ୍ଡିତ ଲେଖିଲେ ସେ ତାଙ୍କ ନିଜର ଜୀବନାଲେଖ୍ୟକୁ ମିଳାଇ ଦେଖିଲେ ଯେ, କବିସୂର୍ଯ୍ୟ ନିଶ୍ଚୟ ମାଛିକି ମ କହୁ ନ ଥିବେ କି ପାଣିକୁ ହାତ ବଢ଼ାଉ ନ ଥିବେ । କିନ୍ତୁ ନିଜ ରଚନା ଏବଂ କବିସୂର୍ଯ୍ୟଙ୍କ ରଚନା କେତେ ପୃଥକ୍ ଧରଣର, ତାହା ସେ ବିଚାରିବାକୁ ଭୁଲିଗଲେ । କେହି କେହି କହନ୍ତି, କବିସୂର୍ଯ୍ୟଙ୍କର ଫୁଲ୍ଲ କୋମଳ କବିତାମାନଙ୍କ ସାଥିକୁ ଜୀବନାଲେଖ୍ୟ ଗୋଟିଏ ଅସଡ଼ ପଥର ପରି ଯୋଡ଼ାଯାଇଛି । ‘ମାର୍ଜ୍ଜିତ ରୁଚି’, ‘ସାହିତ୍ୟ ସେବା ବ୍ରତ’ ଓ ‘ଆରାଧ୍ୟ ଦେବତାର ଭକ୍ତି’ ଦୃଷ୍ଟିରୁ ସେ ଜଣେ ପ୍ରକୃଷ୍ଟ ପ୍ରଣୟବର୍ଣ୍ଣନକାରୀ ବୋଲି ଅଭିହିତ କରି ତାଙ୍କର ଚରିତ୍ରକୁ ଅତି କମନୀୟ ବୋଲି କହିବାକୁ ଯାଇ ଆମେ ତାଙ୍କୁ କ୍ଳୀବ କରୁ ନାହୁଁ କି ?

 

କର କ୍ଷମାରେ, ରତି ପ୍ରତିମା ତୁ କର କ୍ଷମାରେ

ନ ଥିଲା ମାଜଣା ବୋଲି ମୋତେ ଜଣା ।

 

ରେ କିଶୋରୀ, ରୁଷିବାର ସିନା ଜାଣୁ

ରସ ଜଳଧିରେ ଅବଗାହି ଧୀରେ ତହୁଁ ତ ସାର ନ ଛାଣୁ ।

 

ଏହିପରି ଗୀତମାନ କ’ଣ ବରାଦରେ ରଚିତ ହୋଇପାରେ ନା କେଉଁ ପ୍ରଭୁର ମନଃତୁଷ୍ଟି ଲାଗି ରଚିତ ହୋଇପାରେ ? ଏଥିରେ ଲେଖକର ଦୈହିକ ଅନୁଭୂତି ସବୁ ଯେ ନାହିଁ ତା କିଏ ବା କିପରି କହିବ ?

 

ତାଙ୍କର ସମସାମୟିକ କବି ଯଦୁମଣି ମହାପାତ୍ର ଥରେ ପରିହାସରେ ଅତି ଅସଭ୍ୟ ଭାବରେ କହିଥିଲେ ସେହି କବିସୂର୍ଯ୍ୟ ବଳଦେବ ରଥଙ୍କର ପ୍ରେମିକ ଜୀବନର ଦୁର୍ଦ୍ଦଶାର ସମ୍ବାଦ ଶୁଣି—

 

ଭଲ ଗ୍ରହଣା

ଖମଣା ଖୋଲରେ ପାଇଲେ ହଣା ।

 

ଏହି ଗ୍ରହଣାର ଗ୍ର କୁ ବଦଳାଇଲେ ଅତି ଅସଭ୍ୟ ଶୁଭିବ ଏବଂ ଅଚଳ ହେବା ଲକ୍ଷ୍ୟରେ ବହୁଦିନରୁ ଏହି ପ୍ରବାଦଟି ଏପରି କୁହା ଚାଲିଛି ।

 

ଯେଉଁସବୁ ଶବ୍ଦ ସମାଜରେ ଅସଭ୍ୟ ବୋଲି ବିବେଚିତ, ଅନେକ ପଣ୍ଡିତ ବ୍ୟକ୍ତି ତାଙ୍କ ଅଭିଧାନରେ ତାହା ଭୁଲରେ ସୁଦ୍ଧା ଦେଇ ନାହାନ୍ତି; ଯେପରି ସେ ଶବ୍ଦମାନ ଓଡ଼ିଆଭାଷାରେ ନାହିଁ-। କିନ୍ତୁ ପ୍ରହରାଜଙ୍କ ଭାଷା କୋଷରେ ତାର ଅଭାବ ନାହିଁ । ଯେବେ କବିସୂର୍ଯ୍ୟ ରଥେ ତୁଳସୀପତ୍ର ଥିଲେ, ତେବେ ଏ ଅସଭ୍ୟ ପ୍ରବଚନ ଆସିଲା କେଉଁଠୁ ?

 

ଏପରି କ୍ଷେତ୍ରରେ କବି ଏବଂ କବିତା ପ୍ରତି ଦୃଷ୍ଟି ନ ଦେଇ ପ୍ରାଚୀନ କବିମାନଙ୍କୁ ଘେନି ଯେଉଁସବୁ ଜୀବନ କଥା ଲେଖା ହୋଇଛି ତାହାର ପୁନଃ ଲେଖନ କରାଯିବା ଉଚିତ ।

 

ବର୍ତ୍ତମାନ ସମାଜରେ ଜୀବିତ ଲୋକଙ୍କୁ ଅଭଲ ବୋଲି କହିବା ଯେପରି, ମୃତ୍ୟୁ ପରେ ସେ ସମସ୍ତଙ୍କୁ ଭଲ ବୋଲି କହିବା ସେପରି ଅନୈସର୍ଗିକ ଏବଂ ହାସ୍ୟାସ୍ପଦ ।

 

ତେଣୁ ଜୀବନଚରିତ ମାତ୍ରକରେ, କାବ୍ୟକବିତା ମାତ୍ରକରେ ତାର ପ୍ରକୃତ ସତ୍ୟ ଉଦ୍‌ଘାଟନ କରାଯିବା ପ୍ରତି ସଜାଗ ରହିବା ସାହିତ୍ୟକର ସର୍ବାଗ୍ରେ ମୁଖ୍ୟ କର୍ତ୍ତବ୍ୟ ।

 

ଯଦୁମଣି ମହାପାତ୍ର ସାଧାରଣ ଜଣେ ବ୍ୟକ୍ତି ଥିଲେ ବୋଲି କହିବା ଅସୀମଚୀନ । କେବଳ ଅଭିଧାନ ମୁଖସ୍ଥ କରି ସେ କାବ୍ୟ କବିତା ଲେଖି ନାହାନ୍ତି । ନାନା ଶାସ୍ତ୍ରଜ୍ଞାନରେ ତାଙ୍କର ପାଣ୍ଡିତ୍ୟ ନିବଦ୍ଧ ଥିବାର ଜଣାଯାଏ । କିନ୍ତୁ ଏକଥା ନିଶ୍ଚିତ ଯେ ସେ ଜଣେ ହାସ୍ୟରସ–ରସିକ କବି ଥିଲେ ।

 

ଅତି ସୁଖର ବିଷୟ ଯେ କବି ଯଦୁମଣି ମହାପାତ୍ରଙ୍କର ଜୀବନ କଥାର ବହୁଅଂଶ ଜନ ସମାଜରେ ପ୍ରକାଶିତ ହୋଇଯାଇଛି । ସେ କ’ଣ ଥିଲେ, କ’ଣ ନ ଥିଲେ, ସେଥିରୁ ହାରାହାରି ସମ୍ଭାବ୍ୟ ଅସଂଭାବ୍ୟ ଚିତ୍ରଣମାନ ମଧ୍ୟ ପୂର୍ବରୁ ରହିଆସିଛି । ସମଗ୍ର ସମାଜରେ ଯାହା ଚଳି ଆସିଛି, ତାକୁ ଘୋଡ଼େଇଦେବା ବା ଲୁଚେଇଦେବାର ସୁବିଧା ନାହିଁ ।

 

ପ୍ରତ୍ୟେକ ଜୀବନ କଥା ସତ୍ୟମୂଳକ ହେବା ସମୀଚୀନ । ମହାତ୍ମା ଗାନ୍ଧୀ ତାଙ୍କର ଜୀବନ କଥାକୁ ‘ସତ୍ୟର ପରୀକ୍ଷା’ ନାମ ଦେଇ ତହିଁରେ ପ୍ରକୃତ ସତ୍ୟମାନ ଲିପିବଦ୍ଧ କରି ଯାଇଅଛନ୍ତି । ସେ କେବେ କାମାତୁର ଥାଇ ତାଙ୍କର ପିତାଙ୍କ ମୃତ୍ୟୁ ଜାଣିପାରି ନ ଥିଲେ, କେବେ ସେ ବେଶ୍ୟାଳୟକୁ ଯାଇଥିଲେ, କେବେ ସେ ଅସତ୍ ଚରିତ୍ରା ସ୍ତ୍ରୀ ପ୍ରତି ଖେଳୁ ଖେଳୁ ପ୍ରଲୁବ୍ଧ ଥିଲେ, ତାହା ଲେଖିବାରେ ଭୟ କରି ନାହାନ୍ତି । ଆମର ପଣ୍ଡିତ ଗୋଦାବରୀଶ ନିଜ ଜୀବନ କଥା ନିଜେ ଲେଖି ତାଙ୍କର ଚରିତ୍ର ସ୍ଖଳନକୁ କଦାପି ଘୋଡ଼ାଇ ଦେଇ ନାହାନ୍ତି

 

ଯେବେ କବିସୂର୍ଯ୍ୟ ରଥେ ଲାବଣ୍ୟବତୀ−ସମା ଅପରୂପ ରୂପସୀ ଆଠଗଡ଼ ଜେମାଙ୍କଠାରେ ଆସକ୍ତ ଥିଲେ ବା ତାଙ୍କୁ ସେଥିପାଇଁ କଠୋର ଦଣ୍ଡର ସମ୍ମୁଖୀନ ହେବାକୁ ହୋଇଥିଲା, ତାହା ଲୁଚାଇ ଦେବାର ହେତୁ କ’ଣ ? ସେ ସବୁ ଲୁଚାଇ ଦେଲେ କ’ଣ ତାହା କେବେ ଲୁଚିଯିବ ? ଦିନେ ତାହା ନିଶ୍ଚୟ ପ୍ରକାଶିତ ହେବ । ଚୋରକବି ଗୁର୍ଜର ରାଜଜେମାଙ୍କୁ ପାଠ ପଢ଼ାଉ ପଢ଼ାଉ କାମଶାସ୍ତ୍ରରେ ନିର୍ଜିତ କରି ନିଜ ଆଡ଼କୁ ଟାଣି ଆଣି ଧରାପଡ଼ନ୍ତେ, ଶୂଳିଯୋଗ୍ୟ ହୋଇ ଚୌର ପଞ୍ଚାଶିକା ଗାଇଥିଲେ—ମୃତ୍ୟୁ ପୂର୍ବରୁ । ତା’ ତ ଭାରତବର୍ଷର ମନସ୍ୱୀ ସମାଜ ଗୋପନ କରିନାହାନ୍ତି । କିନ୍ତୁ ବଳଦେବ ସେହିପରି ଦୋଷରେ କବିତା ଲେଖି ହଣା ହେବାକୁ ଦଣ୍ଡିତ ହୋଇ ପୁଣି ଛାଡ଼ପାଇ ପରେ କଠୋର ଦଣ୍ଡରେ ମୃତ୍ୟୁ ବରଣ କରିବା କଥାକୁ ଗୋପନ କରାଯାଉଛି କାହିଁକି ? ଏଥିରେ କ’ଣ ଓଡ଼ିଆ ଜାତିର ଗୌରବ ସୁରକ୍ଷିତ ହେବ ? ଜଣେ କବିର ଜୀବନ କଥା ଜଣେ ନିରୀହ ଅରସିକ ପରି ବର୍ଣ୍ଣନା କରାହେବାକୁ ଓଡ଼ିଆ ଜାତି କ’ଣ ମହତ୍ୱ ବୋଲି ମନେ କରେ ? ଏତଦ୍ଦ୍ୱାରା ପ୍ରତିଭା ଏବଂ ପ୍ରଣୟ ପରି ସୁକୁମାର କଳାକୁ ହତ୍ୟା କରାଯାଉ ନାହିଁ କି ? ଏସବୁ କୁହାଯିବାର ଉଦ୍ଦେଶ୍ୟ ହେଲା, ଯଦୁମଣିଙ୍କର ଜୀବନ ଚରିତ୍ରକୁ ଆମେ ସତ ସତ ଭାବରେ ଯେ ପ୍ରକାଶ କରିବାକୁ ଯାଇଛୁଁ, ଆମକୁ କେହି ଦୋଷ ନ ଦେଉ ।

 

ଯଦୁମଣି ମହାପାତ୍ର ରସିକାଗ୍ରହଣ୍ୟ ଥିଲେ । ଯୋଗକୁ ଅତି ସୁନ୍ଦରୀ ଚତୁରୀ ସ୍ତ୍ରୀଟିଏ ମଧ୍ୟ ପାଇଥିଲେ । ତାଙ୍କ ସ୍ତ୍ରୀ ତାଙ୍କୁ ଯେତେ ସନ୍ତୋଷ ଦେଲେ ମଧ୍ୟ ସେ ମନେ କରୁଥିଲେ ବାକି ବହୁତ ରହିଯାଉଛି । ବେଶ୍ୟାର ଉଲ୍ଲଙ୍ଗ ପ୍ରେମ ସେହି ରମଣୀଠୁ ପାଇବାକୁ ଲାଳାୟିତ ହୁଅନ୍ତେ, ତହିଁରେ ତାଙ୍କ ସ୍ତ୍ରୀ ଅସ୍ୱୀକୃତ ହୋଇଥିଲେ । ତେଣୁ ଯଦୁମଣି ସତୀ ସ୍ତ୍ରୀ ପ୍ରତି କ୍ରୁଦ୍ଧ ହୋଇ ଯୌବନରେ ଥରେ ବେଶ୍ୟାଳୟକୁ ଯାଇଥିଲେ । ବେଶ୍ୟା ସ୍ୱୀକୃତ ଥିଲା । କିନ୍ତୁ ଏହି ସାଂଘାତିକ ରସିକଠାରେ କାଳେ ହାରିଯିବ ଏହି ଭୟରେ ସେ କପଟ ରଚନା କରି ଅନ୍ୟ ନାଗର ସହିତ ଅଛି କହି କହି ରାତ୍ରି ପୁଆଇ ଦେଇଥିଲା । ତେଣୁ ସେ ବ୍ୟଥିତ ହୋଇ ଗୋପନରେ ଫେରିଆସି ନିଜର ରସିକା ଭାର୍ଯ୍ୟା ପାଦତଳେ ପଡ଼ି କ୍ଷମା ମାଗିଥିଲେ । ତାଙ୍କ ହାସ୍ୟରସରେ ଏ ସମ୍ପର୍କରେ ଯେଉଁ କବିତାଟି ଅଛି ତାହା ପଢ଼ିଲେ ତାଙ୍କ ମନୋଭାବ ଜଣାଯାଇ ପାରିବ ।

 

ଯଦୁମଣି ମହାପାତ୍ରଙ୍କୁ ଏବେ ମଧ୍ୟ ସମଗ୍ର ଉତ୍କଳରେ କେବଳ ଜଣେ ହାସ୍ୟରସିକ କବି ଭାବରେ ଗ୍ରହଣ କରାଯାଉଛି । ସେ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଏବଂ ରାଘବ ବିଳାସ ନାମକ ଦୁଇଟି କାବ୍ୟ ରଚନା କରିବାଦ୍ୱାରା ଯେ ଜଣେ ପ୍ରଖ୍ୟାତ ମହାକବି ଓ ପଣ୍ଡିତ, ଏ ଧାରଣା ସମାଜରେ ଗ୍ରହଣଯୋଗ୍ୟ ହୋଇପାରି ନାହିଁ । ସମସ୍ତେ ତାଙ୍କୁ ହାସ୍ୟରସର ଚମତ୍‌କାରିତାରେ ଜଣେ ଅଦ୍ୱିତୀୟ ଶିଳ୍ପୀ କହିବାରେ କୁଣ୍ଠିତ ନୁହନ୍ତି; କିନ୍ତୁ ତାଙ୍କର ଅସାଧାରଣ କବିତ୍ୱ ପ୍ରତି ସମ୍ମାନ ବୋଧ ଶିକ୍ଷିତ ସମାଜରେ ମଧ୍ୟ ଆଜିପର୍ଯ୍ୟନ୍ତ ଦେଖାଯାଇ ନାହିଁ । ସେହି ଭୟରେ ସେ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ ଲେଖିଛନ୍ତି—

 

ଶୂଦ୍ରମୁଖୁ ଏ ହୋଇଛି ବାହାର

ରୌଦ୍ରତା ବହି କେହି ନ ବିଚାର

ବିଧୁ ବିଧୁନ୍ଣଦ ଉଚ୍ଛିଷ୍ଟ ଜଣା

ଶିବେ ବାଜେ ଚନ୍ଦ୍ରଚୂଡ଼ ବାଜଣା ସେ

ପଦ୍ମା–ପତିଙ୍କର ପଦ ଯେ

ସମ୍ଭବ ସମ୍ପଦ ପଦାର୍ଥରେ ବ୍ୟର୍ଥ ଖଣ୍ଡିବାର ଅପବାଦ ଯେ ।

 

‘‘ଏହି ଗ୍ରନ୍ଥ (ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର) ଜଣେ ଶୂଦ୍ରବ୍ୟକ୍ତିର ମୁଖରୁ ପ୍ରକାଶିତ ହୋଇଛି ବୋଲି କେହି ତୀବ୍ର ଭାବ ଧରି ବିଚାର କରନାହିଁ । ଅର୍ଥାତ୍ ଏ ଗ୍ରନ୍ଥର କବି ଜଣେ ଶୁଦ୍ର ବଢ଼େଇ ଜାତିର ଥିବାରୁ ତାଙ୍କ ମୁଖନିଃସୃତ ବାଣୀ ଶୂଦ୍ର ଅଇଣ୍ଠା ମନେକରି କେହି ବ୍ରାହ୍ମଣାଦି ଉଚ୍ଚ ବର୍ଣ୍ଣର ବ୍ୟକ୍ତି କୋପ ବା ଘୃଣା ପ୍ରକାଶ କର ନାହିଁ ।

 

ପରମ ଅହ୍ଲାଦକ ଚନ୍ଦ୍ରମା ଚାଣ୍ଡାଳ ଚାହୁର ଉଚ୍ଛିଷ୍ଟ ବୋଲି ଜଣାଗଲେ ହେଁ ଯେପରି ତାହାକୁ ମଣ୍ଡି ହୋଇ ଅନାଦି ଦେବତା ପରମେଶ୍ୱର ଶିବ, ଚନ୍ଦ୍ରଚୁଡ଼, ଚନ୍ଦ୍ରଶେଖର ନାମରେ ବିଦିତ ହୋଇଅଛନ୍ତି, ସେହିପରି ପଦ୍ମାପତି ଯେ−ମହାନ ଦେବତା ବିଷ୍ଣୁସ୍ୱରୂପୀ କୃଷ୍ଣ ତାଙ୍କ ବିଷୟ ଏ ଗ୍ରନ୍ଥରେ ବର୍ଣ୍ଣିତ ହୋଇଥିବାରୁ ଏହା ସମସ୍ତଙ୍କର ଶିରୋଧାର୍ଯ୍ୟ ହୋଇପାରିବ ।” ଏହିଭଳି ପ୍ରସଙ୍ଗରେ ଅଭିମନ୍ୟୁ ମଧ୍ୟ ଦୃଢ଼ତାର ସହିତ କହି ଅଛନ୍ତି—

 

‘‘ଅମ୍ୱୁ ଯେ ହେଉ ସେ ହେଉ, ଶାଳଗ୍ରାମ ସ୍ନାନେ,

ଅଗ୍ରାହ୍ୟ କାହାର ପାଦୋଦକ ନାମ ଜ୍ଞାନେ ।”

 

ଏକାନ୍ତ ସୁଖର ବିଷୟ ଯେ ଡକ୍ଟର ହରେକୃଷ୍ଣ ମହତାବ ତାଙ୍କ ଇତିହାସରେ ପ୍ରାଚୀନ କବିମାନଙ୍କ ତାଲିକାରେ ଯଦୁମଣିଙ୍କ ନାମଟିକୁ ଉଚ୍ଚ ସ୍ଥାନ ଦେଇଅଛନ୍ତି । ଏତତ୍ ବ୍ୟତୀତ ‘‘ପ୍ରାଚୀନ ଉତ୍କଳ” ଲେଖକ ସ୍ୱର୍ଗତ ଜଗବନ୍ଧୁ ସିଂହ ଯଦୁମଣିଙ୍କର ବ୍ୟଙ୍ଗ ସାହିତ୍ୟର ମଧ୍ୟ ଯଥାର୍ଥ ଆଲୋଚନା କରିଅଛନ୍ତି । ଅଧ୍ୟାପକ ରାଜକିଶୋର ରାୟ ତାଙ୍କ ଲିଖିତ ‘ଓଡ଼ିଆ ସାହିତ୍ୟରେ ରଙ୍ଗରସ’ ଶୀର୍ଷକ ପ୍ରବନ୍ଧରେ ଯଦୁମଣିଙ୍କ ସମ୍ୱନ୍ଧରେ ‘ଯଦୁମଣି ରହସ୍ୟ’ମାନଙ୍କ ମଧ୍ୟରୁ କେତେକ ଗ୍ରହଣ କରି ତାଙ୍କୁ ହାସ୍ୟରସର ଅଦ୍ୱିତୀୟ ଶିଳ୍ପୀ ଭାବରେ ବର୍ଣ୍ଣନା କରିଅଛନ୍ତି । ସେ ଲେଖିଛନ୍ତି— ‘ପ୍ରତ୍ୟୁତ୍ପନ୍ନମତି ଯଦୁମଣିଙ୍କ କବିତାଗୁଚ୍ଛ ଓଡ଼ିଆ ସାହିତ୍ୟର ଶୋଭା ବର୍ଦ୍ଧନକାରୀ ସନ୍ଦେହ ନାହିଁ । କିନ୍ତୁ ସାହିତ୍ୟ ଓ ସାହିତ୍ୟତତ୍ତ୍ୱ ଲେଖିବାକୁ ଯାଇ ଯଦୁମଣିଙ୍କର କବିପ୍ରତିଭା ପ୍ରତି ଦୃଷ୍ଟି ଦେବାର ସୁଯୋଗ ସେ ମଧ୍ୟ ଲାଭ କରିପାରି ନାହାନ୍ତି । ପୃଥିବୀରେ ଗୋଟିଏ ମାତ୍ର କବିତା ଲେଖି କବି ଅମର ହୋଇଥିବାର ଦୃଷ୍ଟାନ୍ତ ବିରଳ ନୁହେ । ଅଥଚ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ପରି ରସପ୍ରଧାନ, ଅଳଙ୍କାର−ପ୍ରଧାନ, ଭାବ ପ୍ରଧାନ କବିତା ଯଦୁମଣି ଲେଖି ମଧ୍ୟ କାବ୍ୟଲେଖକ କବି ବୋଲି ପ୍ରସିଦ୍ଧି ପାଇପାରି ନାହାନ୍ତି, ଏହା ହିଁ ଦୁଖ-

 

‘‘କାବ୍ୟଞ୍ଚ ବିଲକ୍ଷଣ ରଚନୋପଲକ୍ଷିତୋ ବିବିଧଗୁଣମ୍ଫିତୋ ନାନାଳଙ୍କାରମଣ୍ଡିତୋ ରସଭାବାଦିପ୍ରଧାନୋ ବାକ୍ୟବିଶେଷଃ” ତାଙ୍କ କାବ୍ୟରେ ଏଥିରୁ କ’ଣ ବା ଊଣା ଅଛି ?

 

ଯଥା ସ୍ଥାନରେ ତାଙ୍କ କାବ୍ୟର ମହତ୍ତ୍ୱ ପ୍ରତିପାଦିତ ହେବ । ନିଷ୍ଠୁର ସତ୍ୟର ଉପାସକ, ଜାତୀୟତାର ପୂର୍ଣ୍ଣ ବିଗ୍ରହ, ମାନବ ଭାବରେ ନିଜକୁ ନିରନ୍ତର ପରିଚିତ କରିବାର ସୁଦୃଢ଼ ଯୂପସ୍ତମ୍ଭସ୍ୱରୂପୀ ଯେଉଁ ଯଦୁମଣି ଅନ୍ଧକାରାଚ୍ଛନ୍ନ ପୀଡ଼ିତ ମୂର୍ଚ୍ଛିତ ଦେଶରେ ପଞ୍ଚାଅଶୀ ବର୍ଷ କାଳ ଜୀବନରଥର ଜୟ−ଯାତ୍ରାରେ ସମର୍ଥ ହୋଇଥିଲେ, ତାଙ୍କର ସେ ନିର୍ଭୀକ, ରସବନ୍ତ ଜୀବନର ପୂଜା ଆମ୍ଭଙ୍କୁ ଯେ କେବେ କରିବାକୁ ହେବ ତା ଭାବି ହୁଏ ନାହିଁ । ଏହାଠାରୁ ପରିତାପର ବିଷୟ କ’ଣ ହୋଇପାରେ ?

 

ଯଦୁମଣି ସର୍ବଦା ନ୍ୟାୟ ଓ ନିରାଟ ସତ୍ୟର ଉପାସକ ଥିଲେ । ଶକ୍ତିଶାଳୀ ରାଜାଙ୍କର ପ୍ରିୟପାତ୍ର ହୋଇ ମଧ୍ୟ ତାଙ୍କ ନ୍ୟାୟରେ ପ୍ରତିକାରସୂଚକ ମନ୍ତବ୍ୟ ଦେବାକୁ କେବେହେଲେ ପଶ୍ଚାତ୍‌ତ୍ପଦ ହେଉ ନ ଥିଲେ । ନୂଆଗଡ଼ର ରାଜା ବିନାୟକ ସିଂହ ମାନଧାତା ତାଙ୍କୁ ଅତି ଆପଣାର କରିଥିଲେ, କିନ୍ତୁ ରାଜାଙ୍କର ଏକ ଅନ୍ୟାୟ ବ୍ୟବହାରରେ ସେ ଡୋଲି ଭିତରେ ରହି ନିଜକୁ ଲୁଚାଇ ରଖି ଯେପରି ଲୀଳା ଦେଖାଇ ରାଜାଙ୍କର ଗର୍ବଗଞ୍ଜନ କରିଥିଲେ, ସେପରି ଅସୀମ ସାହସିକତା ଅଳ୍ପ ଲୋକଙ୍କଠାରେ ଦେଖାଯାଏ । ରଣପୁର ରାଜାଙ୍କୁ କନ୍ଧି, ଅନ୍ଧ କହି ଗାଳିଦେବା, ଦଶପଲା ରାଜାଙ୍କୁ ପୂଜ୍ୟପୂଜାର ଅନୁପଯୁକ୍ତ ବୋଲି ସହସ୍ର ଜନତା ସମ୍ମୁଖରେ, ଏପରି କି ଦେବତା ସମ୍ମୁଖରେ ବ୍ୟକ୍ତ କରିବା, ବୌଦ୍ଧ ରାଜାଙ୍କୁ କୁତା ବୋଲି ନିର୍ଦ୍ଦେଶ କରିବା, ଢେଙ୍କାନାଳ ରାଜାଙ୍କୁ ଚଣ୍ଡାଳ କେତୁ ମୁଖ ବୋଲି ବର୍ଣ୍ଣନା କରିବା ଏମନ୍ତ କି ଦୁର୍ଦ୍ଧର୍ଷ ନୃପତି ଅନୁଗୁଳ ଜଗଦ୍ଦେବଙ୍କୁ ଚିତା କାଟିବା ପ୍ରଭୃତି କାର୍ଯ୍ୟରୁ ତାଙ୍କ ନିର୍ଭୀକତା ଓ ସ୍ପଷ୍ଟବାଦିତାର ବହୁ ନିଦର୍ଶନ ମିଳେ ।

 

୧୮୧୭ ପାଇକ ବିଦ୍ରୋହକୁ ଯଦୁମଣି ସ୍ୱାଗତ କରିଛନ୍ତି । ଦେଓ୍ୱାନ କୃଷ୍ଣଚନ୍ଦ୍ର ଏବଂ ବକ୍‌ସି ଜଗବନ୍ଧୁଙ୍କୁ ଅରଣ୍ୟ ପଥରେ ନିରନ୍ତର ଭେଟି ଜୀବନକୁ ଫାଶିଖୁଣ୍ଟରେ ରଖିଦେଇ, ପୁନଶ୍ଚ ନୟାଗଡ଼ ରାଜା ବ୍ରଜବଲ୍ଲଭ ଏବଂ ଲଡ୍ଡୁକେଶଙ୍କ ଅତ୍ୟାଚାରର ପ୍ରତିକାର ପାଇଁ ସେ ମେଳି ସୃଷ୍ଟି କରିଛନ୍ତି । ଜଣେ ବିଧବାର ଜମି କେହି ଧନୀବ୍ୟକ୍ତି ଅନ୍ୟାୟରେ ନେଇଗଲା, ଯଦୁମଣି ସେଥିପାଇଁ ରାଜକର୍ମ୍ମଚାରୀ ସହିତ ଲଢ଼ିଅଛନ୍ତି; ଅନାଥ ଶିଶୁ ତାର ସେବାପୂଜାରୁ ବଞ୍ଚିତ ହେବାରୁ ଯଦୁମଣି ତାର ସେବାପୂଜା ଫେରାଇ ଆଣିବାକୁ ନିଜ ସ୍ୱାର୍ଥ ଛାଡ଼ି ଅତ୍ୟାଚାର ମଧ୍ୟ ଭୋଗିଛନ୍ତି । ଏପରି କି ଯାହା ରୋଜଗାର କରିଛନ୍ତି ତାହା ଦୀନ ଦରିଦ୍ର, ବ୍ରାହ୍ମଣ, ବିଧବା, ଅନାଥ ଏବଂ ନିରକ୍ଷରମାନଙ୍କୁ ଦେବାରେ ସର୍ବସ୍ୱ ସାରିଦେଇ ଚିର ଦାରିଦ୍ର୍ୟ ବରଣ କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି । ତେଣୁ ସେ ମୃତ୍ୟୁପୁରକୁ ଯାତ୍ରା କଲାବେଳେ ନୂଆଗଡ଼ର ଗ୍ରାମେ ଗ୍ରାମେ ଘରେ ଘରେ ଆର୍ତ୍ତ କୋଳାହଳ ଧ୍ୱନି ଉଠିଛି । ନିରାଶ୍ରୟ ଲୋକ ମାତ୍ରେ ଭାବୁଥିଲା ଯେ ଯଦୁମଣି ମହାପାତ୍ର ବସିଛି, କିଏ ମୋର କ’ଣ କରିବ ? ଏକଥା ଏକାନ୍ତ ନିଶ୍ଚିତ ସତ୍ୟ ଯେ ମାନବିକତାର ଜ୍ୱଳନ୍ତ ନିଷ୍ଠା ତାଙ୍କ ପରି କେହି ସେକାଳରେ ଦେଖାଇ ନ ଥିଲେ ।

 

ଜୀବନର ଅର୍ଦ୍ଧାଂଶ ପର୍ଯ୍ୟନ୍ତ ସେ ଈଶ୍ୱରବିଶ୍ୱାସୀ ନ ଥିଲେ । ତେଣୁ ମୁର୍ତ୍ତିପୂଜା ବିରୁଦ୍ଧରେ ତାଙ୍କର ଉକ୍ତି ଥିଲା—

 

କେଉଁଠାରେ ଖଡ଼ୁ ଗଡ଼ୁ କେଉଁଠାରେ ମୁଦି

କେଉଁଠାରେ ବୋଲାଉଛ କରୁଣାବାରିଧି ।

 

ଏହା ବୋଲି ସେ ପୂର୍ଣ୍ଣ ନାସ୍ତିକ ଥିଲେ ତାହା କହିହେବ ନାହିଁ । ସେ ପଶୁଘାତର ଏକାନ୍ତ ବିରୋଧି ଥିଲେ । ତେଣୁ ସେ କହିଥିଲେ—

କର୍କଶ କରି କରେ କଟାରି ଧରି

କ୍ରୋଧେ ହଣାଇ ଗଳକନ୍ଧକୁ କରି

ଖାଇଣ ମହାମାୟୀ ସନ୍ତୋଷ ହୋଇ

ଜନ୍ମ ଜନ୍ମକେ ହଣା ହୋଇବୁ ତୁହି ।

 

ପରମାର୍ଥ ଧର୍ମ୍ମ ପ୍ରତି ସ୍ୱତଃ ଆକୃଷ୍ଟ ହୋଇ ସେ ରାମ ଓ କୃଷ୍ଣ ଉଭୟଙ୍କ ବିଷୟରେ ଦୁଇଟି ସରସ କାବ୍ୟ ଲେଖିଅଛନ୍ତି । ଅବଶ୍ୟ ସେ ଉକ୍ତ ଗ୍ରନ୍ଥ ବର୍ଣ୍ଣନାରେ ଧର୍ମ୍ମର କୌଣସି ବିଶେଷତ୍ୱ ବର୍ଣ୍ଣନା କରି ନାହାନ୍ତି । କବିତ୍ୱ ଓ ବର୍ଣ୍ଣନାସୌଷ୍ଠବ ହିଁ ତାଙ୍କର ଅଭିପ୍ରେତ ଥିଲା । ତାଙ୍କର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଗ୍ରନ୍ଥ ବର୍ଣ୍ଣନାରେ ସେ କୃଷ୍ଣଙ୍କୁ ଜଗନ୍ନାଥ ବୋଲି ସଂପୂର୍ଣ୍ଣ ବିଶ୍ୱାସ କରିଥିବାର ଦେଖାଯାଏ । ସେ ପ୍ରତି କଳା ବା ଛାନ୍ଦର ଶେଷରେ ଜଗନ୍ନାଥଙ୍କ ସମ୍ବନ୍ଧରେ ଏହିପରି ବର୍ଣ୍ଣନା କରିଥିବାର ଦେଖାଯାଏ । ଯଥା:—

 

ପ୍ରଥମ କଳା:— ଘୋଷ ଯାତ୍ରାରେ ତିନି ରଥର ଯେଉଁ ୪୨ ଚକ ତାହା ଗୁଣ୍ଡିଚା ବାହୁଡ଼ାରେ ମିଶି ୮୪ ଚକ ହେଉଥିବାରୁ ତାର ଧ୍ୱନିକୁ ତତ୍ତ୍ୱଜ୍ଞାନରେ ଚଉରାଶି ଚକ୍ରର ଉତ୍ସବ ବୋଲି ବର୍ଣ୍ଣନା କରିଛନ୍ତି ।

 

ଦ୍ୱିତୀୟ କଳା:— ସ୍ୱୟଂ ଜଗନ୍ନାଥ ରତ୍ନସିଂହାସନ ତ୍ୟାଗ କରି ନନ୍ଦିଘୋଷ ରଥରେ ଚଢ଼ି ରଥଚକ୍ର ଧ୍ୱନିରେ ଆର୍ତ୍ତୀର ପାପ ନିବାରଣ କରିଥାନ୍ତି ।

 

ତୃତୀୟ କଳା:— ପୁଣି ସେହି ରଥଯାତ୍ରାର ବର୍ଣ୍ଣନା କରି ସେ ମହାପ୍ରଭୁଙ୍କୁ ଦୟାର ଶଗଡ଼ ଅଟନ୍ତି ଏବଂ ତାଙ୍କ ଆଖି ଦୁଇଟି ଚକପ୍ରାୟ ଅଟେ ବୋଲି ଲେଖିଛନ୍ତି ।

 

ଚତୁର୍ଥ କଳା:— ମିଥୁନ ମାସରେ ଯେ ରଥରେ ଭ୍ରମଣ କରନ୍ତି, ଉକ୍ତ ଜଗନ୍ନାଥ ସମସ୍ତଙ୍କ ମୋକ୍ଷଦାତା ଅଟନ୍ତି ବୋଲି ଲେଖିଛନ୍ତି ।

 

ପଞ୍ଚମ କଳା:— ଯେ ଦେବତା ସ୍ନାନ ବେଦୀ, ଯଜ୍ଞ ବେଦୀ ଏବଂ ରତ୍ନସିଂହାସନରେ ବସି ଭୋଜନ କରୁଥିବାରୁ ସୁଦର୍ଶନ ଚକ୍ର ବାମହସ୍ତରେ ଥାଏ କିନ୍ତୁ ରଥଯାତ୍ରାରେ ସେ ପ୍ରଭୁ ପତିତମାନଙ୍କୁ ଉଦ୍ଧାର କରିବାକୁ ଯାଉଥିବାରୁ ଚକ୍ର ତାଙ୍କର ଦକ୍ଷିଣ ହସ୍ତରେ ଶୋଭାପାଏ ବୋଲି ବର୍ଣ୍ଣନା କରିଛନ୍ତି ।

 

ଷଷ୍ଠ କଳା:— ସ୍ନାନ ବେଦୀରେ ବିଜେ ହେବା ବିଷୟ ବର୍ଣ୍ଣନା ଦେଇଛନ୍ତି ।

ସପ୍ତମ କଳା:— ରଥଯାତ୍ରାର ଚତୁର୍ଦ୍ଧାମୂର୍ତ୍ତି ବର୍ଣ୍ଣନା ଦେଇଛନ୍ତି ।

ଅଷ୍ଟମ କଳା:— ଲକ୍ଷ୍ମୀ−ନାରାୟଣ ଭେଟର ବର୍ଣ୍ଣନା କରିଛନ୍ତି ।

 

ଯଦୁମଣି ରଥଯାତ୍ରାରେ ଠାକୁରଙ୍କର ଅଣସର କାର୍ଯ୍ୟ ସ୍ୱହସ୍ତରେ କରୁଥିଲେ, ବିଶେଷରେ ସେ ବଢ଼େଇ ଥିବାରୁ ରଥଯାତ୍ରା−ବର୍ଣ୍ଣନାର ମହାନୀୟତା ପ୍ରତି କଳାରେ ଦେଖାଇଅଛନ୍ତି ।

 

ଜଗନ୍ନାଥଙ୍କ ସଂପର୍କରେ ସେ ନାରଦଙ୍କ ଉକ୍ତିରେ କୃଷ୍ଣଙ୍କୁ ପ୍ରତ୍ୟକ୍ଷ ଜଗନ୍ନାଥ ବୋଲି ସ୍ୱୀକାର କରି ଲେଖିଅଛନ୍ତି—

 

ମଞ୍ଜୁଳ ନୀଳ ନିଚୋଳ ଚୋଳ ମେଳ କୁଚ ନୀଳାଦ୍ରି ଶଙ୍ଖ ଗୋଳ

ଲପନତ ଶତଦଳ କମଳ

ରତ୍ନ ସିଂହାସନ ଯତନ ଅଧର ମଧୁର ବିଶ୍ରାମସ୍ଥଳ, ହେ ମାଧବ

ବିକ୍ରମରେ ରାଜିଲେ ନଗଦରେ

ବିକ୍ରମରେ ରାଜିଲେ ନଗଦରେ

ଆଣିବ ତ ତାଙ୍କୁ ହୃଦୟ ବାହୁକୁ ମାନିବାକୁ ଆଶ୍ଳେଷରେ,

ହେ ମାଧବ । ୨୦ । (୪ର୍ଥ କଳା)

 

ଏ ପଦର ଅନ୍ୱୟ ହେଲା—

ହେ ମାଧବ ! (ସେହି ରୁକ୍ମିଣୀର) ମଞ୍ଜୁଳ ନୀଳ ନିଚୋଳ ଚୋଳ ମେଳ କୁଚ ନୀଳାଦ୍ରୀ (ପ୍ରାୟ ଅଟେ) । (ତାର କଣ୍ଠ) ଗୋଳ ଶଙ୍ଖ (ପ୍ରାୟ ଅଟେ) । (ତା) ଲପନ ତ ଶତଦଳ କମଳ (ପ୍ରାୟ ଅଟେ) । (ତାର) ଯତନ ଅଧର ମଧୁର ବିଶ୍ରାମସ୍ଥଳ (ହେତୁ) ରତ୍ନସିଂହାସନ (ସଦୃଶ ଅଟେ) । ହେ ମାଧବ ! ବିକ୍ରମରେ ନଗଦରେ ରାଜିଲେ (ତାଙ୍କ) ରାଜିଲେ ନଗଦରେ ବିକ୍ରମରେ (ତାଙ୍କ) ହୃଦୟ (ତୁମ୍ଭ) ଅର୍ଥ ହେଲା—

 

ହେ ମାଧବ ! ସେହି ରୂପସୀ ରୁକ୍ମିଣୀଙ୍କର ସୁନ୍ଦର ନୀଳ−ଶାଢ଼ୀ ସାଥିକୁ କାଞ୍ଚୁଲା ଯେଉଁଠି ଏକତ୍ର ହୋଇଛି ସେହି କୁଚଯୁଗ ତୁମ୍ଭର ଶୈଳ ପ୍ରାୟ ଅଟେ । ତାଙ୍କର ମୁଖ ତୁମ୍ଭର ଶତଦଳ କମଳାସନ ପରି ଅଟେ । ତାଙ୍କର ସୁନ୍ଦର ଅଧର ମିଷ୍ଟତାର ବିଶ୍ରାମସ୍ଥଳ ହେତୁ ତୁମ୍ଭର ରତ୍ନ ସିଂହାସନ ସଦୃଶ ଅଟେ ।

 

ହେ ମାଧବ ! ଜାଣିବ ଯେ ତୁମ୍ଭର ପ୍ରିୟ ବୈକୁଣ୍ଠ ଧାମ, ବିପରୀତ ଭାବରେ ତାଙ୍କଠାରେ ରହିଅଛି । କାରଣ ତୁମ୍ଭର ପ୍ରିୟପୁରୀ ଶଙ୍ଖ ଉପରେ ପର୍ବତ ରହି ବିରାଜିତ, କିନ୍ତୁ ସେହି ଶୋଭାବତୀ କଣ୍ଠରୂପକ ଶଙ୍ଖ କୁଚରୂପୀ ପର୍ବତ ଉପରେ ସ୍ଥାପିତ । ଏତିକି ମାତ୍ର ପ୍ରଭେଦ । ତୁମ୍ଭେ ତାଙ୍କର ସ୍ୱୀକୃତି ଲାଭକରି, ସାହାସର ସହିତ ନିକଟରେ ତାଙ୍କ ହୃଦୟକୁ ତୁମ୍ଭ ବାହୁଦ୍ୱୟର ଆଲିଙ୍ଗନରେ ଶୋଭିତ କରିବ ତ ?

 

* ଶବ୍ଦାର୍ଥ । ନିଚୋଳ—ଶାଢ଼ୀ । ଚୋଳ—କାଞ୍ଚୁଲା । ଲପନ—ମୁଖ । ଗୋଳ—ମଣ୍ଡଳାକାର କ୍ଷେତ୍ର, ବର୍ତ୍ତୁଳାକାର ପିଣ୍ଡ । ଯତନ—ସୁନ୍ଦର । ମଧୁ—ଅମୃତ, ମିଷ୍ଟ । ବି—ବିରୁଦ୍ଧ । ନଗ—ପର୍ବତ । ଦରେ—ଶଙ୍ଖରେ । ନଗଦରେ—ନିକଟରେ । ରାଜିଲେ—ରାଜିରେ, ସମ୍ମତିରେ । ମାନିବା—ଶୋଭନୀୟ ହେବା ।

 

ଏ ପଦକ ପାଠ କରିବା ପରେ ପାଠକମାନେ ଜାଣିପାରିବେ ଯେ କବି ଯଦୁମଣି, କୃଷ୍ଣଙ୍କୁ ଜଗନ୍ନାଥ ବୋଲି କିପରି ସଂପୂର୍ଣ୍ଣ ଧାରଣା କରିଅଛନ୍ତି ।

 

କେହି କେହି କହିଥାନ୍ତି ଯେ ଜଗନ୍ନାଥ ଅତି ଆଦିମ ମୂର୍ତ୍ତି । ଦୀର୍ଘ ଅତୀତରେ କେଉଁ ଆଦିମ ଯୁଗରେ ଆର୍ଯ୍ୟଜନଙ୍କର ବ୍ରହ୍ମ ଧାରଣା ଆସିବା ବେଳେ ସେ ନିର୍ମିତ ହୋଇଥିଲା ।

 

ଆପାଣିପାଦୋ ଜବନୋ ଗ୍ରହୀତା

ପଶ୍ୟତ୍ୟଚକ୍ଷୁଃ ସଶୃଶୋତ୍ୟ କର୍ଣ୍ଣଃ

ସ ବେତ୍ତି ବେଦ୍ୟଂ ନ ଚ ତସ୍ୟାସ୍ତି ବେତ୍ତା

ତମା ହୁରଗ୍ର୍ୟଂ ପୁରୁଷଂ ମହାନ୍ତଂ ।

 

‘ସେହି ପରମାତ୍ମା ହସ୍ତପଦଶୂନ୍ୟ ହୋଇ ମଧ୍ୟ ବେଦବାନ ଓ ଗ୍ରହୀତା ଅଟନ୍ତି । ସେ ଅଚକ୍ଷୁ ହୋଇ ମଧ୍ୟ ଦର୍ଶନ କରନ୍ତି । ଅକର୍ଣ୍ଣ ହୋଇ ମଧ୍ୟ ଶ୍ରବଣ କରନ୍ତି । ସେ ଜ୍ଞେୟ ବିଷୟ ଜାଣନ୍ତି, କିନ୍ତୁ ତାଙ୍କର ଜ୍ଞାତା କେହି ନାହିଁ । ବ୍ରହ୍ମବାଦିଗଣ ତାହାଙ୍କୁ ଆଦି ଓ ମହାନ ପୁରୁଷ ବୋଲି କୀର୍ତ୍ତନ କରିଥାନ୍ତି ।’ ଉପନିଷଦର ଏହି ଆଦି ପୁରୁଷଙ୍କ ବର୍ଣ୍ଣନା ଜଗନ୍ନାଥ ମୂର୍ତ୍ତିରେ ହିଁ ପ୍ରାୟ ପ୍ରକଟିତ ହୁଏ ।

 

ବାଲ୍ମୀକି ରାମାୟଣ ଉତ୍ତରାକାଣ୍ଡ ସ୍ୱର୍ଗାରୋହଣ ଅଧ୍ୟାୟରେ ଲିଖିତ ଅଛି, ରାମଚନ୍ଦ୍ର ବିଭୀଷଣଙ୍କୁ କହିଛନ୍ତି—

 

‘‘ଆରାଧୟ ଜଗନ୍ନାଥମିକ୍ଷାକୁ କୁଳଦୈବତଂ

ଆରାଧନୀୟ ମନିଶଂ ଦେବୈରପି ସବା ସବୈଃ ।”

 

ଜଗନ୍ନାଥଙ୍କୁ ଚିରନ୍ତନ ପରଂବ୍ରହ୍ମ ରୂପେ ଯଦୁମଣି ଆରାଧନା କରିଥିବା ତାଙ୍କ ଗ୍ରନ୍ଥମାନଙ୍କରେ ସୁସ୍ପଷ୍ଟ ହୋଇଛି । ତାଙ୍କ ସମ୍ବନ୍ଧରେ ଏପରି କେତେକ ଧାରଣା ଅଣାଯାଇପାରେ । କାଳକ୍ରମେ ତାଙ୍କ ସମ୍ବନ୍ଧରେ ଆଲୋଚନା ବିସ୍ତୃତରୁ ବିସ୍ତୃତ ନିଶ୍ଚିୟ ହେବ ।

 

ଯଦୁମଣିଙ୍କର କାବ୍ୟ କବିତାଗୁଡ଼ିକକୁ ମୁଖ୍ୟତଃ ଚାରି ଭାଗରେ ବିଭାଗ କରାଯାଇପାରେ-। ଯଥା—

 

(୧) ହାସ୍ୟ ରସାତ୍ମକ କବିତାବଳୀ ।

(୨) କାବ୍ୟ, ରାଘବ ବିଳାସ ।

(୩) କାବ୍ୟ, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ।

(୪) ଚଉପଦୀମାଳା ।

 

ହାସ୍ୟରସ—

ଯଦୁମଣି ଦୀର୍ଘ ପଞ୍ଚାଅଶି ବର୍ଷ ବଞ୍ଚିଥିଲେ ମଧ୍ୟ ତାଙ୍କର ପ୍ରତିଭାମୟ ଜୀବନର ପ୍ରତ୍ୟେକ ଘଟଣା ଲିପିବଦ୍ଧ ହୋଇପାରିନାହିଁ । ତାଙ୍କ ଜୀବନର ଯେଉଁ ଯେଉଁ ଘଟଣାବଳୀ ଜନସମାଜର ହୃଦୟ ସ୍ପର୍ଶ କରିଥିଲା ତାହା କାଳକ୍ରମେ ଗଳ୍ପ ଆକାରରେ ପ୍ରବାଦ ସୂତ୍ରରେ ଗ୍ରାମେ ଗ୍ରାମେ ଘରେ ଘରେ ପ୍ରଚଳିତ ହୋଇ ରହିଅଛି । ଯଦୁମଣିଙ୍କର ହାସ୍ୟରାସ ସମ୍ବଳିତ ‘ଯଦୁମଣି ରହସ୍ୟ’ କେବେ କେଉଁଠି ଓ କିଏ ପ୍ରକାଶ କଲା, ତାହାର ଠିକ୍ ବିବରଣୀ ମିଳେ ନାହିଁ । ଏଥିରେ ଥିବା ହାସ୍ୟରାସର ପ୍ରସଙ୍ଗ ଗୁଡ଼ିକ ଯଥାଯଥ ବୋଲି କହି ହେବ ନାହିଁ ।

 

ଏହି ଗ୍ରନ୍ଥାବଳୀର ସଂଗ୍ରାହକ ବହୁ ଯତ୍ନ କରି ନାନା ସ୍ଥାନରୁ ଶହେ ମାତ୍ର ହାସ୍ୟ ଗଳ୍ପ ସଂଗ୍ରହ କରିପାରିଛନ୍ତି । ଆଉ କେତେ ଯେ ଲୁପ୍ତ ହେଲା ବା କେଉଁଠି ଅଛି ତାହା ବର୍ତ୍ତମାନ କହି ହେବ ନାହିଁ ।

 

ଏହି ହାସ୍ୟ ଶତକରେ ଏପରି ଉପାଦେୟତା ପୁରି ରହିଛି ,ଯାହା ଯଥାସାଧ୍ୟ ସଂଶୋଧିତ ଓ ସଠିକ ଭାବରେ ସଂଗୃହୀତ କରାଯାଇଛି । ବହୁ ଅପ୍ରାପ୍ୟ ଗଳ୍ପ ମଧ୍ୟ ଏଥିରେ ସଂଯୋଜିତ ହୋଇ ଅଛି । ଏହି ଶତକ ସଂଗ୍ରହରେ ଡକ୍ଟର ମାୟାଧର ମାନସିଂହ, ପଣ୍ଡିତ ବାନାମ୍ବର ଆଚାର୍ଯ୍ୟ, ବାଣୀକଣ୍ଠ ନିମାଇଚରଣ ହରିଚନ୍ଦନ ଓ ଯଦୁମଣିଙ୍କ ଜନ୍ମସ୍ଥଳୀ ଇଟାମାଟିର ଶ୍ରୀ ବେଣୁଧର ପୃଷ୍ଟି ପ୍ରଭୃତି କେତୋଟି ସାହାଯ୍ୟ କରିଛନ୍ତି । ତଦ୍‌ବ୍ୟତୀତ ‘ଯଦୁମଣି ରହସ୍ୟ’ ‘ଯଦୁମଣି କଥା ରହସ୍ୟ’ ବହି ଦୁଇଖଣ୍ଡରୁ କେତେକ ପ୍ରାଥମିକ ଉପାଦାନ ଓ ସନ୍ଧାନ ନିଆଯାଇଛି । ବିଶେଷରେ ହାସ୍ୟ ଶତକରେ ଦିଆଯାଇଥିବା କେତେକ ପ୍ରବାଦର ସଂପୂର୍ଣ୍ଣାଂଶ ଏବଂ ଚଉପଦୀମାନେ (ପୂର୍ବ ଗଡ଼ଜାତ) ନରସିଂହପୁର (କଟକ)ର ଘଣ୍ଟାପଡ଼ା ନିବାସୀ ଏବଂ ତକ୍ରତ୍ୟ ସାଧୁଚରଣ ସଂସ୍କୃତ ଟୋଲର ଛାତ୍ର ଥିବାବେଳେ ଶ୍ରୀମାନ୍ ନବଘନ ପ୍ରଧାନ ବହୁ କଷ୍ଟ ସହ୍ୟ କରି ଜଣେ ପୁରାତନ ପାଲାକାରରଏ ଏକ ପୋଥିରୁ ସଂଗ୍ରହ କରି ଦେଇଛନ୍ତି

 

ଏ ଓଡ଼ିଆ ପାଲାକାରଙ୍କ ମୃତ୍ୟୁ ପାଖେଇ ଆସୁଥିଲେହେଁ ସେ ତାଙ୍କ ସଂଗୃହୀତ ଚଉପଦୀମାନଙ୍କର ପୋଥିଟିର ସଂଧାନ ମଧ୍ୟ କାହାକୁ ଦେଇନାହାନ୍ତି । ସେ ମୃତ୍ୟୁ ପୂର୍ବରୁ ତାହା ବରଂ ନଷ୍ଟ କରିଦେବେ, କାହାକୁ କେବେ ଦେବେ ନାହିଁ, ଏହାହିଁ ତାଙ୍କର ପ୍ରବଳ ବାସନା । ତାଙ୍କର ଯୁକ୍ତି ଯେ—ସେ ପାଲା ଶିକ୍ଷା କରିବା ବେଳେ ତାଙ୍କୁ ସେ କାଳର ଲୋକ କେହି ସାହାଯ୍ୟ କରିନାହିଁ, ବରଂ ଅପମାନିତ କରିଛନ୍ତି । ତେଣୁ ସେ ଏପରି ପ୍ରତିଜ୍ଞା କରିଛନ୍ତି । ଶ୍ରୀମାନ ନବଘନ ତାଙ୍କଠାରୁ ସେ ଲେଖା ମଧ୍ୟ ନ ପାଇ ଅନ୍ୟ ସୂତ୍ରରେ ଅର୍ଥାତ୍ ତାଙ୍କ ବଧୂଙ୍କଠାରୁ ପୋଥିଟି ଦେଖିବାକୁ ମାଗିଆଣି ଦୁଇଟି ରାତ୍ରରେ ସେମାନ ଲେଖି ପକାଇ ପୁଣି ପୋଥି ଫେରାଇ ଦେଇଛନ୍ତି । ଏହିତ ଏ ଦେଶର ଅବସ୍ଥା !

 

ଗୋଟିଏ ଦୁଇଟି ନୂତନ ଘଟଣାର ପଦ୍ୟାଂଶ କୁହାଯାଉଛି । ପାଠକ ପାଠିକା ଏହି ଚିତ୍ରଣରୁ ଯଦୁମଣିଙ୍କର କବିତ୍ୱ ଏବଂ ପ୍ରତ୍ୟୁତ୍‌ପନ୍ନମତିତ୍ୱ କିପରି ଅସାଧାରଣ ଥିଲା, ତାହା ହୃଦୟଙ୍ଗମ କରିପାରିବେ ।

 

ଢ଼େଙ୍କାନାଳର ରାଜା ଭାଗୀରଧି ମହେନ୍ଦ୍ର ବାହାଦୁର ଥରେ ଏକ ପଣ୍ଡିତ ସଭା ତାଙ୍କ ରାଜଧାନୀରେ କରାଇଥିଲେ । ସେଥିରେ ପଣ୍ଡିତମାନଙ୍କୁ ଯୋଗ ଦେବା ସକାଶେ ସେ ଛବିଶ ଗଡ଼ଜାତର ରାଜାମାନଙ୍କୁ ଚିଠି ଲେଖିଥିଲେ । ଫଳରେ ନୟାଗଡ଼ର ତତ୍‌କାଳୀନ ରାଜା ଚିଠିପାଇ ତାହା ଯଦୁମଣି ମହାପାତ୍ରଙ୍କ ନିକଟକୁ ପଠାଇଥିଲେ ।

 

ଯଥାସମୟରେ ଯଦୁମଣି ସଭାଦ୍ୱାରରେ ଉପସ୍ଥିତ ହେଲେ । ରାଜା ସଭାଗୃହର ଦ୍ୱାରରେ ସ୍ୱୟଂ ଉପସ୍ଥିତ ରହି ପରିଚୟ ଅନୁସାରେ ପଣ୍ଡିତମାନଙ୍କୁ ଯଥା ସମ୍ମାନ ଅର୍ପଣ କରି ସ୍ୱାଗତ କରୁଥାନ୍ତି । ଯଦୁମଣି ଜଣେ ଶୂଦ୍ର ବଢ଼େଇକୁଳ ସମ୍ଭୂତ ବୋଲି ରାଜା ଜାଣନ୍ତି ଏବଂ ନୂଆଗଡ଼ ରାଜଦରବାରରେ ସେ ଜଣେ କବି ଥିବାର ମଧ୍ୟ ଜାଣନ୍ତି ।

 

ଯଦୁମଣି କାନରେ କୁଣ୍ଡଳ ଧାରଣ କରି, ସଭା ବାଳରେ ଚୁଟି ପକେଇ, ରଣପୁରୀ ପାଟଯୋଡ଼ ପିନ୍ଧି ରାଜଦ୍ୱାରରେ ଉପସ୍ଥିତ ହେଲେ । ବଢ଼େଇକୁ ଏଠାରେ କେଉଁଠି ଆସନ ଦିଆଯିବ କେହି କେହି ବିଜ୍ଞ ପଣ୍ଡିତ ଚର୍ଚ୍ଚା କରିବାକୁ ଲାଗିଲେ । ରାଜା ମଧ୍ୟ ତା ଶୁଣୁଥାନ୍ତି ।

 

ଏ ଘଟଣାରେ ମହେନ୍ଦ୍ର ବାହାଦୁରଙ୍କର ପରବର୍ତ୍ତୀ ସ୍ତାବକମାନେ କହିଥାନ୍ତି ଯେ ହାସ୍ୟରସିକ ଯଦୁମଣିଙ୍କର ପ୍ରତ୍ୟୁତ୍‌ପନ୍ନମତିତ୍ୱ ପରୀକ୍ଷା ଲାଗି ରାଜା ତାଙ୍କୁ ଅପମାନ ସୂଚକ କଥା କହିଥିଲେ । ଏହା ସତ୍ୟ ହୋଇପାରେ । ତେବେ ଘଟଣା ଏଠାରେ ଏପରି ଘଟିଲା ଯେ ସଭାରେ ସମାସୀନ ଶତ ପଣ୍ଡିତଙ୍କ ସପକ୍ଷରେ ରାଜା ଭଗୀରଥି ମହେନ୍ଦ୍ର ବାହାଦୁର ଯଦୁମଣିଙ୍କୁ ଦେଖିବା ମାତ୍ରେ ପରିଚର୍ଯ୍ୟା ବା ସ୍ୱାଗତ କରିବା ଦୂରେ ଥାଉ ହଠାତ୍ କହି ଉଠିଲେ—

 

କ୍ୟେତୁ ଏଠାରେ ପାଂଳ ବଢ଼େଇ ? ତୋର ଏଠାରେ କ’ଣ ସ୍ଥାନ ଅଛି । କ୍ୟେତୁ ?

 

କିଏ ତୁ ଅର୍ଥରେ ସେ କ୍ୟେତୁ କହନ୍ତେ, ପଣ୍ଡିତମାନଙ୍କ ମଧ୍ୟରୁ କେହି କେହି ହସି ଉଠିଲେ-। ମାତ୍ର ଅବିଚଳିତ ଯଦୁମଣି ନିର୍ଭୀକ ଭାବରେ ‘କ୍ୟେତୁ’ ଶୁଣିବା ମାତ୍ରେ ସୁଲଳିତ କଣ୍ଠରେ ଗାଇ ଉଠିଲେ—

 

ମନାସି କାଳୀ ମନ୍ଦିର ଅହିତ

ଶୋଭାଗ୍ର ଅଗ୍ରଫଳ ସଙ୍ଗେ ମିତ

ଚତୁର ଭଜନରେ ବଳବନ୍ତ

ସମାପ୍ତ ଋକ୍ଷ କନ୍ୟାର ବରତ

ସେ ଦେବଙ୍କ ଅନୁଗ୍ରହେ

ଶ୍ରୀ ଦେଉ ଶ୍ରୀମୁଖେ କାନ୍ଧି ଦେଇଛନ୍ତି

ନବଗ୍ରହୁ ଏକ ଗ୍ରହେ ।

 

ଢେଙ୍କାନାଳ ରାଜାଙ୍କର ଇଷ୍ଟଦେବତା ବଳଦେବ ଜୀଉ ଅଟନ୍ତି । ସେ ପୂର୍ବରୁ ଏହା ତଦନ୍ତ କରି ଜାଣିଥିଲେ । ଏପରି କି ରାଜାଙ୍କର ବଂଶାବଳୀର ମଧ୍ୟ ପରିଚୟ ପାଇ ସାରିଥିଲେ । ତେଣୁ ଏ କବିତାରେ କହିଲେ—

 

ଯମୁନାରେ ଥିବା କାଳୀ ମନ୍ଦିର କି କାଳୀୟ ସର୍ପର ବାସସ୍ଥଳୀର ଯେ ଅହିତ କରି କାଳିନ୍ଦି ଭେଦନ ନାମରେ ବିଖ୍ୟାତ, ବା କାଳୀ ମନ୍ଦିର ଯମୁଦାର ବିରୁଦ୍ଧାଚରଣ କରି ଅର୍ଥାତ୍ ବନ୍ୟାରୋଧନ କରି କୂଳଭୂମି ଶ୍ୟାମଳ ଶସ୍ୟପୂର୍ଣ୍ଣ କରିଥିଲେ । ଶୋଭାଗ୍ର ଅଗ୍ରରେ ବା ଉଚ୍ଚତମ ଅଂଶରେ ଯେଉଁ ବୃକ୍ଷ ଶୋଭନୀୟ ତାର ଅଗ୍ରରେ ଯେଉଁ ଫଳ ଅର୍ଥାତ୍ ତାଳଫଳ ସଙ୍ଗେ ସେ ମିତ୍ର ଅର୍ଥାତ୍ ‘‘ତାଳାଙ୍କ” ବା ତାଳ ଚିହ୍ନଧାରୀ ଅଟନ୍ତି । ତଚୁର କି ଯେଉଁ ଚତୁର୍ଦ୍ଧାମୂର୍ତ୍ତିକୁ ଅର୍ଥାତ୍ ଜଗନ୍ନାଥ ଆଦି ଚାରିମୂର୍ତ୍ତିଙ୍କୁ ଭଜନ କରାଯାଏ, ତନ୍ମମଧ୍ୟରେ ଯେ ବଳବନ୍ତ ବା ବଳରାମ ଅଟନ୍ତି ପୁନଶ୍ଚ ସମାପ୍ତ ଋକ୍ଷ ବା ନକ୍ଷତ୍ରମାନଙ୍କ ମଧ୍ୟରେ ଶେଷ ନକ୍ଷତ୍ର ରେବତୀ ନାମକ କନ୍ୟାର ଯେ ବର ବା ସ୍ୱାମୀ ଅଟନ୍ତି ‘ତ’ କି ନିଶ୍ଚୟ ସେହି ଦେବତା ଯେ ବଳଦେବ ଜୀଉ ତାଙ୍କ ଅନୁଗ୍ରହରୁ ଏହି ଶ୍ରୀ ଦେଉ କି ଶ୍ରୀଯୁକ୍ତ ରାଜା ବାହାଦୁରଙ୍କ ଶ୍ରୀ ମୁଖରେ ନବଗ୍ରହରୁ ଗୋଟିଏ ଗ୍ରହ ଯାହାକି ସେ ‘‘କ୍ୟେତୁ କ୍ୟେତୁ” କହିଲେ ଅର୍ଥାତ ଚଣ୍ଡାଳ ବା ଦୂଷିତ ଗ୍ରହ କେତୁକୁ ତହିଁ ବାନ୍ଧି ଦେଇଛନ୍ତି ।

 

ଏହି ଜଟୀଳ ଅର୍ଥକୁ ଏକାନ୍ତ ସମଝିବା ଲାଗି ଏପରି ଭାବରେ ଲେଖାଗଲା । ନଚେତ୍ ସାଧାରଣ ଅର୍ଥରେ ହେଲା—

 

ଯେ ଯମୁନା ନଦୀର ଅହିତ ସାଧାନରେ କାଳୀନ୍ଦି−ଭେଦନ ନାମରେ ବିଖ୍ୟାତ, ଯେ ତାଳାଙ୍କ ନାମରେ ତାଳ ସହିତ ମିତ୍ର ଅଟନ୍ତି, ଯେ ଚତୁର୍ଦ୍ଧାମୂର୍ତ୍ତି ମଧ୍ୟରୁ ବଳବନ୍ତ ବଳଭଦ୍ର ଅଟନ୍ତି ପୁନଶ୍ଚ ଯେ ଶେଷ ନକ୍ଷତ୍ର ନାମ ବିଶିଷ୍ଟା ରେବତୀଙ୍କର ସ୍ୱାମୀ ଅଟନ୍ତି, ସେଇ ଇଷ୍ଟଦେବତା ବଳଦେବ ଜୀଉ ତାଙ୍କ ଭକ୍ତ ଏହି ରାଜାଙ୍କ ମୁହଁରେ ଚଣ୍ଡାଳ ଗ୍ରହ କେତୁକୁ ବାନ୍ଧି ଦେଇଛନ୍ତି । ସେଥିପାଇଁ ସେ କ୍ୟେତୁ କ୍ୟେତୁ ହୋଇ ମୋ ପ୍ରତି ଅଭଦ୍ରତା ଦେଖାଇଛନ୍ତି ।

 

ସମଗ୍ର ପଣ୍ଡିତ ସମାଜ ସ୍ତମ୍ଭୀଭୂତ ହୋଇ ତ୍ରସ୍ତ ହୋଇଗଲେ ଏବଂ ରାଜା ଭାଗୀରଥି ମହେନ୍ଦ୍ର ବାହାଦୁର ନିଜର ସମସ୍ତ ଅଭିଜାତ୍ୟ ଦୂରକୁ ଫିଙ୍ଗିଦେଇ କବିଙ୍କ ହାତଧରି କୁଣ୍ଢାଇ ପାଛୋଟି ନେଇ ନିଜର ଦକ୍ଷିଣରେ ନିଜର ଗୁରୁଦେବଙ୍କ ନିକଟରେ ବସାଇ ବହୁ ସମ୍ମାନ ଅର୍ପଣ କରିଥିଲେ ।

 

ଏଥିରୁ ଯଦୁମଣିଙ୍କର ପାଣ୍ଡିତ୍ୟତ ପରାକାଷ୍ଠା ସେତେବେଳେ ମହାନ୍ ସଂସ୍କୃତଜ୍ଞମାନେ ଯେପରି ଅନୁଭବ କରିଥିଲେ ଆଜି ମଧ୍ୟ ବିଜ୍ଞ ସମାଜ ଅନୁଭବ କରିବେ ।

 

ଯଦୁମଣି କେତୋଟି ନାରୀର ଅବଶ୍ୟ ସୌନ୍ଦର୍ଯ୍ୟ ବର୍ଣ୍ଣନାରେ ସିଦ୍ଧହସ୍ତତା ଦେଖାନ୍ତି ସତ କିନ୍ତୁ ଅଧିକାଂଶ କ୍ଷେତ୍ରରେ ନାରୀକୁ ମଧ୍ୟ ବିଦ୍ରୂତ କରନ୍ତି । ଥରେ ତାଙ୍କର ପ୍ରିୟରାଜା ବିନାୟକ ନିଜପତ୍ନୀଙ୍କ ସହିତ ସୁଖାସନରେ ବସିଥିବାବେଳେ ପଚାରିଲେ— ‘ଆଚ୍ଛା ଯଦୁମଣି, ତୁମ୍ଭେ ତ ସମସ୍ତଙ୍କୁ ଏପରି ବିଦ୍ରୂପ କରି କହି ଚାଲିଛ । କାହା ସମ୍ବନ୍ଧରେ ତୁମ୍ଭେ ପାତର ଅନ୍ତର କରୁନାହଁ ବୋଲି କହୁଚ । ଆଚ୍ଛା ତୁମ୍ଭ ସ୍ତ୍ରୀ କିପରି ଓ ନାମ କଣ ତାହା ଟିକିଏ କହନ୍ତ ନାହିଁ ? ଯଦୁମଣି ତୁରନ୍ତ ଗାଇଲେ—

 

ଖଚର ଗତି ସାର ତ୍ରିବର୍ଣ୍ଣରେ

ହେବ ବିଦିତ ତାର ସେ ନାମରେ

ଅଶୋକେ ବୈଦେହୀ ଧୃତି ସମରେ

ଉଦ୍‌ବେଗ ଥାଏ ମୋ ମନ କାମରେ

ବୋଲେ କିମତି ଖଞ୍ଜନାରେ

ଶ୍ରୀପତି କତିରେ ଯତି ନିକରଙ୍କୁ

ପଡ଼ିଲେ ତା କାନ୍ତି ଅନାରେ ।

 

ପଦଟିର ଅନ୍ୱୟ ହେଲା—

ତାର ସେ ନାମରେ ଗତିସାର ଖ−ଚର ତ୍ରୀବର୍ଣ୍ଣରେ ବିଦିତ ହେବ । ସେ ଖଞ୍ଜନାରେ ବୋଲେ କିମିତି ? ମୋ ମନ କାମରେ ଉଦ୍‌ବେଗ ଥାଏ (କିନ୍ତୁ ସେ) ଧତି ସମରେ ଅଶୋକେ ବୈଦେହୀ (ସମ ଅଟେ) ଏବଂ ଶ୍ରୀପତି କତିରେ ଯତି ନିକରଙ୍କୁ (ଥୋଇ ଦେଲେ) ତା କାନ୍ତି ପଡ଼ିଲେ ଅନାରେ । ଅର୍ଥାତ—ତା ନାଁ ଗତିରେ ସୁନ୍ଦର (ଗମନଂ କୁର୍ବତି ରାଜହଂସ ଖଂଜନ ଗଂଜନଂ) (ଖ−ଆକାଶ−ଚର) ଗୋଟିଏ ପକ୍ଷୀର ନାମ ତିନୋଟି ବର୍ଣ୍ଣରେ ପ୍ରସିଦ୍ଧ ଅଟେ । ଅର୍ଥାତ୍ ‘ଖଂଜନା’ । ଶୁଣ ସେ ଖଂଜନ, କହୁଛି କିପରି ଅଟେ ? ମୋର ମନ କାମ ଲାଳସାରେ ଯେତେ ଅଧୀର ଥାଏ, କିନ୍ତୁ ସେ ଅଶୋକ କାନନର ବନ୍ଦିନୀ ପ୍ରଜ୍ଞାବତୀ ସୀତାଙ୍କ ପରି ଏକାନ୍ତ ଧୈର୍ଯ୍ୟଶାଳୀ ଏବଂ ଆତ୍ମସଂଯମର ନିପୁଣା । ବିଶେଷରେ ବିଷ୍ଣୁଙ୍କ ସମ୍ମୁଖରେ ତାଙ୍କର ପରମ ଭକ୍ତ ଯତିମାନେ ଥାଇ ମଧ୍ୟ ଯେବେ ତା ସୌନ୍ଦର୍ଯ୍ୟ ସେମାନଙ୍କ ଆଖିରେ ପଡ଼ିଯିବ, ସେମାନେ ନିଶ୍ଚିୟ ତାକୁ ଅନାଇଁ ଦେବେ । କେବେ ସମ୍ଭାଳି ରହି ପାରିବେ ନାହିଁ ।

 

ଏ ସବୁର ଟୀକା ବାହାର କରିବାକୁ ବହୁଶ୍ରମ ସ୍ୱୀକାର କରିବାକୁ ହେଇଛି ।

 

ଏହି ହାସ୍ୟଶତକ ଯେତେବେଳେ ପ୍ରଚାରିତ ଥିଲା ତାହା ମଧ୍ୟ ଯୁକ୍ତିଯୁକ୍ତ ଏବଂ ପ୍ରମାଦବିହୀନ ନଥାଇ ଚଳି ଆସୁଥିଲା । ଅନେକର ଅର୍ଥ ମଧ୍ୟ ଜଣା ନଥାଇ ପ୍ରବାଦମୂଳକ ଭାବରେ ଚଳିଆସୁଥିଲା ।

 

ଯେପରି ସେ ଆମ୍ଭୁଲ ଦିଖଣ୍ଡି ଜଣକୁ ମାଗିଥିଲେ ଏହାଗାଇ—

 

ଅଚ୍ୟୁତ ଖଣ୍ଡା ଚ୍ୟୁତ ହୋଇଥିବ

ଆନନ୍ଦମୂଳକ ଦ୍ୱିଖଣ୍ଡ ହେବ ।

 

କିନ୍ତୁ ଏହାର ଅର୍ଥ ଜାଣିବାରେ କେହି ଚେଷ୍ଟିତ ନଥିଲେ । ଅଚ୍ୟୁତ କି ବିଷ୍ଣୁଙ୍କର ଖଣ୍ଡାର ନାମ ‘‘ନନ୍ଦକ” ତାହା ଚ୍ୟୁତ ହୋଇଥିବ ଅର୍ଥାତ୍ ନଥିବ ଅର୍ଥାତ୍ ଆନନ୍ଦ ମୂଳକ ଶବ୍ଦରୁ ‘ନନ୍ଦନ’ କଟିଗଲେ ଅମୃଳ ରହିଛି । ଅମ୍ଳରୁ ଆମ୍ବୁଲ ହୋଇଛି । ତେଣୁ ସେ ଆମୂଳ ବା ଆମ୍ବୁଲ ଦୁଇଖଣ୍ଡ ମାଗିଛନ୍ତି ।

 

ବହୁ ଅସଂଚତ ପଦମଧ୍ୟ ବହୁ କଷ୍ଟରେ ବହୁବ୍ୟକ୍ତିଙ୍କ ସଂପର୍କରେ ଆସିବାରୁ ସଂଶୋଧିତ କରାଯାଇଛି ।

 

ଏହି ହାସ୍ୟଶତକରେ କେତେକ ପଦ୍ୟାଂଶ ଅଶ୍ଳିଳ ବିଭତ୍ସ ଭାବରେ ରହିଛି, ଯାହା ଉଠାଇ ଦିଆଯିବାକୁ ମୋତେ କେହି କେହି ବାଧ୍ୟ କରିଛନ୍ତି । କିନ୍ତୁ ପୁରୀ କୋଣାର୍କ ଆଦି ମନ୍ଦିର ଗାତ୍ରର ଉଲ୍ଲଙ୍ଗ ଯୌନଚିତ୍ର ଧର୍ମ୍ମ ମନ୍ଦିରରେ ସ୍ଥାନ ପାଇବା ଘେନି ଯେପରି ନାନାମତ ପ୍ରକାଶିତ ହେଉଛି, ଏ କ୍ଷେତ୍ରରେ ସେପରି ନାନା ମୁନି ନାନା ମତ ଦେବେ । ମହାଭାରତରେ ବ୍ୟାସ ରୂପୋତ୍ତମା ବିଶ୍ୱସୁନ୍ଦରୀ କୃଷ୍ଣାଙ୍କୁ ବିବସନ କରାଇ ତାଙ୍କ ସମକ୍ଷରେ ମହାନ୍ ରାଜଦରବାର ଯେଉଁଠି ବୟସ୍କ ଗୁରୁଜନ ପିତୃପିତାମହା, ଋଷି, ସନ୍ଥ ପଣ୍ଡିତମାନେ ଆସନରେ ଅଛନ୍ତି, ସେଇଠି ଦୁର୍ଯ୍ୟୋଧନର ଉଲ୍ଲଙ୍ଗ ଊରୁ ବର୍ଣ୍ଣନା ସହିତ ଦେଖାଇବାରେ କୃପଣ ହୋଇନାହାନ୍ତି । ଦୁର୍ଯ୍ୟୋଧନ କୃଷ୍ଣଙ୍କୁ ହାତଠାରି ତାହା ଦେଖାଇଛି ଏବଂ ଉକ୍ତ ଊରୁ ଭଗ୍ନ କରିବାକୁ ଭୀମ ମଧ୍ୟ ପ୍ରତିଜ୍ଞା କରଛନ୍ତି । ବହୁ ଉଦାହରଣ ନିଷ୍ପ୍ରୟୋଜନ । ତେଣୁ ଯଦୁମଣି ଯେଉଁ ସମୟରେ ସେ ସବୁ ପ୍ରୟୋଗ କରିଥିଲେ, ଆମକୁ ସେହି ସମୟକୁ ଯିବାକୁ ହେବ । ନଚେତ୍ ପୁରୀରେ ଥରେ ଜାତୀୟ କଂଗ୍ରେସ ସଭା ହେବ ବୋଲି ଯୌନକ୍ରିୟାର ଚିତ୍ରଣଗୁଡ଼ିକ ମନ୍ଦିର ଗାତ୍ରରେ କନାଗୁଡ଼ାଇ ଲୁଚାଇଦେବା ଆସିଥିବା ପ୍ରସ୍ତାବ ପରେ ଯେପରି ହାସ୍ୟସ୍ପଦ ହୋଇଥିଲା ଏହା ନିଶ୍ଚୟ କେବେ କିଏ ସମାଲୋଚନା କରିବେ । ସଭ୍ୟତା ଅସଭ୍ୟତା ଘେନି ଯେ ଦ୍ୱନ୍ଦ୍ୱ ଚାଲିଛି, ତାହା ସାମୟିକ ମାତ୍ର । ଭଞ୍ଜ କବିତାରେ ନବୀନ ବ୍ରାହ୍ମ ବିଶ୍ୱନାଥ କରଙ୍କ ନାସାକୁଞ୍ଚନ ଏବେ କଳିଙ୍ଗଭାରତୀ ଯୋଗୁଁ କୁଆଡ଼େ ଉଭେଇ ଗଲାତ ?

 

ଏହି ହାସ୍ୟଶତକ ପାଠକଲେ କବିଙ୍କର ଜୀବନକଥା ଆଂଶିକ ଜଣାଯିବ । ହେଲେହେଁ ଏହା ସଂପୂର୍ଣ୍ଣ ଜୀବନାଲେଖା ନୁହେଁ । ତେଣୁ ତାଙ୍କର ସ୍ୱତନ୍ତ୍ର ଜୀବନ−ଚରିତ ଲେଖା ଯାଇଛି । ଅନେକ କ୍ଷେତ୍ରରେ ଏକା କଥା ଦୁଇଥର ପାଠକମାନଙ୍କୁ ପଢ଼ିବାକୁ ହେବ । ତାହା ଅନ୍ୟଥା କରିବାର ଉପାୟ ନାହିଁ । କାରଣ ଜୀବନଚରିତ ହିଁ ହାସ୍ୟଶତକର ରୂପାନ୍ତର ।

 

ନିଜର ଦାରିଦ୍ର୍ୟକୁ କବି କେବେ ଗୁପ୍ତକରି ନାହାନ୍ତି । କାରଣ ଠାଏ ସେ କହିଛନ୍ତି—

 

ମଣିମା ମୋହର କରମଗାରେ

ସ୍ନେହ ନଛାଡ଼ିଲା କର ମଗାରେ ।

 

ହେ ରାଜା ! ମୋର ଭାଗ୍ୟ ଲେଖାରେ ମୋର ହସ୍ତ ମାଗିବାରେ ସ୍ନେହ ତ୍ୟାଗ କରିପାରୁ ନାହିଁ । ଅଥଚ ପାଣ୍ଡିତ୍ୟ ଘେନି ଦିନେ ସେ ଗର୍ବିତ ହୋଇ କହିଛନ୍ତି—

 

ହୟଗ୍ରୀବ ମହାପ୍ରଭୁ ପ୍ରତାପେ

ଥୋଡ଼ା ନୁହେଁ ଲୋଡ଼ା କରନ୍ତି ନୃପେ

ଯୋଡ଼ା ହୋଇ ମୋ ପ୍ରୋଢ଼ା କବିତାକୁ

ବଳି ବଳି ରସ ନଦୀ କର୍ଣ୍ଣକୁ

ଭଲେ ଭଲ ଖଣ୍ଟେ ଖଣ୍ଟ ଯେ

ନବ ଦ ର୍ବାଦଳ ଶ୍ୟାମଳ କୃପାରୁ

ମୋ ନାମ ଉତ୍କଳ ଘଣ୍ଟ ଯେ ।

 

ଘଣ୍ଟ ଧ୍ୱନିରେ ଦୁନିଆ ଚମକିତ ହୁଏ । ମୁଁ ସେପରି ଉତ୍‌କଳର ଘଣ୍ଟ ପରି ଅଟେ । ନବଦୂର୍ବାଦଳ ଶ୍ୟାମଳ ବର୍ଣ୍ଣ ବିଶିଷ୍ଟ ହୟଗ୍ରୀବ (ବିଷ୍ଣୁ) ମହାପ୍ରଭୁଙ୍କ ପ୍ରତାପରୁ ମୋର ଯୋଡ଼ିହେବା ବଳିଷ୍ଠ କବିତାମାନ ସାଧାରଣ ଲୋକ ନୁହନ୍ତି ରାଜାମାନେ ଅଧିକ ଆଦର ଦେଇଥାନ୍ତି । କାରଣ ମୋ କବିତାମାନ କାନକୁ ବଳି ବଳି ରସଦାନ କରିଥାଏ । କିନ୍ତୁ ଏତିକି କଥା ଯେ ମୁଁ ଭଲଠାରେ ଭଲ ଏବଂ ଖଣ୍ଟ ପାଖରେ ଖଣ୍ଟ ଅଟେ ।

 

ଥରେ ଓଡ଼ିଶାର ଗଜପତି ମୁକୁନ୍ଦଦେବଙ୍କୁ ସେ ଅରୁଣ ଖମ୍ବଠାରେ ସହସ୍ର ଜନତା ମଧ୍ୟରେ ଭେଟନ୍ତେ (୧୮୧୭ ପାଇକ ବିଦ୍ରୋହର ଦୁଇ ବର୍ଷ ଆଗରୁ) ମହାରାଜା ପଚାରିଥିଲେ ‘‘ମହାପାତ୍ରେ କ’ଣ ଇଚ୍ଛା ? ” ଯଦୁମଣିଙ୍କୁ ପୂର୍ବରୁ ସେ ଥରେ ଚିହ୍ନିଥିଲେ ।

 

ଯଦୁମଣି ସହସ୍ର ଜନତାଙ୍କ ଆଗରେ କହିଲେ—

 

ଧନୁମାସ ହେଲା ହନୁ ନ ଚଳିଲା କହିବାକୁ ବଡ଼ଲାଜ

ମୁଁ ଆଁ କରିଅଛି ମୁଆଁ ଖାଇବାକୁ

ଦେବ ହେଉ ମହାରାଜ ।

 

ସାଧାରଣ ଅର୍ଥ ସମନ୍ତେ ଜାଣିଲେ ଯଦୁମଣି ଧନୁମୁଆଁ ଦିଟା ଖାଇବାକୁ ମାଗିଲେ । କିନ୍ତୁ ସେ ପ୍ରକୃତରେ କହିଲେ—

 

ହେ ମହାରାଜ ! ତୁମର ଧନୁ ମାଷ ହେଲା କି ମଷାଏ ଓଜନର ଦୁର୍ବଳ ହେଲା । ହନୁ କି ଅସ୍ତ୍ର ନ ଚଳିଲା । ଏ କଥା କହିବାକୁ ବଡ଼ ଲଜ୍ଜା ଲାଗୁଛି । ମୂଁ−କି ମୁତଫର୍କା (ବାଜେ କିଏ ନାଁ କିଏ-?) ତା ଅଧିକାର ଆଁ−କି ବିସ୍ତୃତ କରି ଚାଲିଛି । ତାକୁ ମୁଆ−ମୁଆଫି–ମାଫି ଖାଇବାକୁ ‘ଦେବା’ କି ବନ୍ଦ କରିବା ହେଉ ।

 

ବୀରଭୂମି ଉତ୍କଳର ଯୁଦ୍ଧାସ୍ତ୍ର ଏକାବେଳେ ଅଚଳ ହୋଇଗଲା । ଇଂରେଜ ନାମରେ କିଏ ନାଁ କିଏ ଆସି ରାଜ୍ୟ ବିସ୍ତାର କରୁଛି । ମାଫିରେ ମିଛଟାରେ ରାଷ୍ଟ୍ର ଦଖଲ କରି ନେଉଛି । ଆପଣ ତାର ଏ ପ୍ରଭାବ ବନ୍ଦ କରନ୍ତୁ । ଏ ଅର୍ଥଟି ନୟାଗଡ଼ ବାଉଁଶିଆପଡ଼ାର ଜଣେ ବାଣକାର ମାର୍କଣ୍ଡ ରାୟଗୁରୁ ଥରେ କହିଥିଲେ । ସେ ୯୭ ବର୍ଷରେ ଏବେ ତିନି ବର୍ଷ ତଳେ ମୃତ୍ୟୁ ଲଭିଛନ୍ତି । ଯଦୁମଣିଙ୍କ ମୃତ୍ୟୁ ସମୟରେ ତାଙ୍କୁ ବୟସ ଥିବା ୫।୬ ବର୍ଷ ମଧ୍ୟରେ । ସେ ତାଙ୍କ ପିତାଙ୍କଠାରୁ ଯଦୁମଣି ମହାପାତ୍ରଙ୍କର ବହୁକଥା ଶୁଣିଥିଲେ । ସେ କହନ୍ତି ନୂଆଗଡ଼ ରାଜ୍ୟରେ ଯଦୁମଣି ମରିବା ପରେ ପଚାଶ ବର୍ଷ ଧରି ଲୋକେ ତାଙ୍କୁ ସ୍ମରଣ କରି ଚାଲିଥିଲେ । ରାୟଗୁରୁ ନିଜେ ମଧ୍ୟ ଜଣେ କବି ଥିଲେ । ସେ ଆରବି, ଉର୍ଦ୍ଦୁ ଭାଷା ମିଶାଇ କବିତା ଗାଉଥିଲେ । ସେ କହୁଥିଲେ ଆରବି ଲବ୍‌ଜକୁ ସେକାଳେ ରାଜଦରବାରେ ଅଧିକ ମର୍ଯ୍ୟାଦା ଦିଆଯାଉଥିଲା । ଏ କବିତାରେ ମୁଁ ମୁତଫର୍କା, ମୁଆଫି ଘେନି ତେଣୁ ତାଙ୍କର ସୁନ୍ଦର ଧାରଣା ରହିଥିଲା । ବିଶେଷରେ ଅନେକ ସମୟରେ ଯେତେବେଳେ ମୁଣ୍ଡକାଟ ଶାସ୍ତି ଦଣ୍ଡକେ ଥୁଆ, ସେତେବେଳେ ଯଦୁମଣିଙ୍କର ପ୍ରତ୍ୟୁତ୍ପନ୍ନମତିତ୍ୱ ସହିତ ସାହସିକତା ଦେଖିଲେ ସ୍ତମ୍ଭିତ ହେବାକୁ ହୁଏ । ବିନାୟକ ସିଂହ ମାନଧାତା କହିଲେ—ଯଦୁମଣି ଆସ ତୋଟାକୁ ଯିବା ଅର୍ଥାତ୍ ଶ୍ଳେଷରେ ତୋ ସ୍ତ୍ରୀ ପାଖକୁ ଯିବା । ଯଦୁମଣି କହିଲେ ଆଜ୍ଞା ! ମୁଁ ତୋ ରାଣୀ ସାରି ଆସେ । ଅର୍ଥାତ୍ ଶ୍ଳେଷରେ ତୋ ରାଣୀ ପାଖରୁ ସାରି କରି ଆସେ । ସେତିକି ନୁହେଁ ରାଜା କହିଲେ—ତୁ ଯଦୁମଣି କୁକୁର । ଏହା ତାଙ୍କୁ ହରାଇବା ଲକ୍ଷରେ ରାଜା ନିଜ କୁଟୁମ୍ବର ହାସ୍ୟରୋଳ ମଧ୍ୟରେ କହନ୍ତେ, ଯଦୁମଣି ତୁରନ୍ତ କହିଲେ—ଛାମୁଁ ତୁଳସୀଗଛ । କୁକୁର ତୁଳସୀଗଛରେ ନିଶ୍ଚୟ ମୂତିଥାଏ । ରାଜା ଲଜ୍ଜିତ ହେଲେ ଏବଂ ରାଣୀ ଓ ଘରଟିଏ ମଧ୍ୟ ଜବାବରେ ଚମକି ପଡ଼ିଲେ । ପୁଣି ରାଜା କହିଲେ ‘‘ଯଦୁମଣି, ସ୍ୱପ୍ନରେ ଦେଖିଲି ତୁମ ଦେହଯାକ ବିଷ୍ଠା ବୋଳା ହୋଇଛି । ତାହା ଶୁଣି ପୁଣି ନାରୀଦଳ ହସିଉଠିଲେ । ଯଦୁମଣି ହସ ବନ୍ଦ କରିଦେଲେ ପଦେ କଥାରେ । ‘‘ଆଜ୍ଞା ! ମୁଁ ମଧ୍ୟ ସ୍ୱପ୍ନରେ ଦେଖିଲି ଛାମୁଁଙ୍କ ଦେହରେ ମହାପ୍ରସାଦ ବୋଳା ହୋଇଛି । ମୁଁ ଛାମୁଁଙ୍କ ଶ୍ରୀଅଙ୍ଗ ଚାଟୁଛି, ଛାମୁଁ ମୋ ଦେହ ଚାଟୁଛନ୍ତି । ଏପରି ଭାବରେ ଭାଷାରେ ମର୍ଯ୍ୟାଦା ଦେଇ ମଧ୍ୟ ଲାଞ୍ଚିତ କରିବାର ଉତ୍ତର କିଏ ଦେଇଛି, ତାହା ସାଧାରଣତଃ ଶୁଣା ନାହିଁକି ଜଣା ନାହିଁ ।

 

ପାଠକମାନେ ଏହି ଗ୍ରନ୍ଥାବଳୀରେ ଦିଆଯାଇଥିବା ହାସ୍ୟଶତକ ଅଧ୍ୟୟନ କଲେ ସେ ସବୁରେ କବି ଯଦମଣିଙ୍କର ଅପୂର୍ବ ବୁଦ୍ଧିର ପରାକାଷ୍ଠା ଏବଂ ଲୀଳା ଦେଖି ନିଶ୍ଚୟ କହିବେ — ଏପରି କବିତା ବାସ୍ତବିକ କ୍ୱଚିତ୍ ଦେଖାଯାଇଥାଏ ।

 

ଏହି ରଙ୍ଗରହସ୍ୟ ସମ୍ବନ୍ଧରେ ସ୍ୱନାମଧନ୍ୟ ଲେଖକ ଏବଂ ଅଧ୍ୟାପକ ଶ୍ରୀଯୁକ୍ତ ରାଜକିଶୋର ରାୟ ଏକ ନିବନ୍ଧରେ ଯାହା ଲେଖିଅଛନ୍ତି ତାହା ଅତ୍ୟନ୍ତ ଆନନ୍ଦର ସହିତ ଏଠାରେ ଉଦ୍ଧାର କରାଯାଉଛି । କାରଣ ବର୍ତ୍ତମାନ ଯୁଗର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ମଧ୍ୟରେ ଯଦୁମଣିଙ୍କର ପ୍ରତିଭା ପ୍ରତି କିପରି ସମ୍ମାନ ରହିଛି ତାହା ସେଥିରୁ ଅବଧାରଣା କରାଯାଇପାରିବ । ସେ ଲେଖିଛନ୍ତି-

 

‘‘ଯଦୁମଣି ବୁଦ୍ଧିର ଚମତ୍‌କାରିତା ସହିତ ହାସ୍ୟରସ ପରିବେଷଣ କରିବାରେ ଏକ ଅଦ୍ୱିତୀୟ ଶିଳ୍ପୀ । ଯଦୁମଣିଙ୍କର ବ୍ୟଙ୍ଗ ରହସ୍ୟ ଓଡ଼ିଶାର ପୁରପଲ୍ଲୀରେ ପରିଚିତ ଓ ସମାଦୃତ । ‘‘ଯଦୁମଣି ରହସ୍ୟ” ଓଡ଼ିଶାର ଏକ ପ୍ରବାଦ ସୂତ୍ରରେ ଅତ ରୋମାଞ୍ଚକର ସାହିତ୍ୟ ରୂପେ ଗଣ୍ୟ ହୋଇଆସିଛି ।

 

‘‘କବିଙ୍କୁ ଆଘାତ କରି କେହି କେବେ ଉଦ୍ଧାର ପାଉ ନ ଥିଲା । ବାକ୍ୟବାଣରେ ଏବଂ ତାହା କବିତାରେ ଏପରି ଯୋଜିତ ହେଉଥିଲା ଯେ, ବିଚକ୍ଷଣ ବୁଦ୍ଧିମାନ୍ ଲୋକ ମଧ୍ୟ ତାଙ୍କର ଚାବୁକ ଆଘାତରେ ମ୍ରିୟମାଣ ହୋଇ ଯାଉଥିଲା । କବି ରାଜଦରବାରରେ ଆତିଥ୍ୟ ଗ୍ରହଣ କରୁଥିଲେ, ଓଡ଼ିଶାର ରାଜ−ରାଜୁଡ଼ା ତାଙ୍କୁ ସମ୍ମାନ ଦେଉଥିଲେ; କିନ୍ତୁ କେଉଁଠି ତ୍ରୁଟି ରହି ଯାଉଥିଲେ ଯଦୁମଣି ହାସ୍ୟମୟ କବିତା ରଚନା କରି ତାହା ଶୋଧନ କରି ଦେଉଥିଲେ ।

 

‘‘ଯଦୁମଣି ଥରେ ଦଶପଲ୍ଲା ଯାଇଥିଲେ । ସେଠାରେ ରାଜା ଯଦୁମଣିଙ୍କୁ ଅନାଦର କରିବାରେ ସେ ବଡ଼ ବ୍ୟଥିତ ହୋଇଥିଲେ । ସେହି ସମୟରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହୋଇ ସିଂହାସନରେ ବିଜେ ହେଲାରୁ ରାଜା ଜଗନ୍ନାଥ ଦର୍ଶନକୁ ଗଲେ । ଯଦୁମଣି ରାଜଗହଣରେ ଯାଇ ଜଗନ୍ନାଥଙ୍କୁ ନିମ୍ନପ୍ରକାରେ ସ୍ତବ କରିଥିଲେ—

 

‘‘କୁଞ୍ଜବନେ ଜଗନ୍ନାଥ ନ ହେବ ଗୋସାଇଁ,

ରଥ ବୋଲି ଭଣ୍ଡିନେବେ ଶଗଡ଼େ ବସାଇ

ଭୋଗ ବୋଲି ଖଞ୍ଜିଦେବେ କଡ଼ିକିଆ ମୁଆଁ,

ଧୂପ ବୋଲି ମାଡ଼ିଦେବେ ନିଆଁଖୁଣ୍ଟା ଧୂଆଁ ।

 

ରାଜା ଯଦୁମଣିଙ୍କର ଏ କବିତ୍ୱରେ ମୁଗ୍‌ଧ ହୋଇ ତାଙ୍କ ନାମରେ କେତେଗୋଟି ଚଉପଦୀ ରଚନା କରିବାକୁ ତାହାଙ୍କୁ ଅନୁରୋଧ କରିଥିଲେ । ପ୍ରତିଶୋଧ ନେବା ପାଇଁ ଯଦୁମଣି ସ୍ଵୀକାରୋକ୍ତି ପ୍ରକାଶ କରି ନିଜ ଘରେ ଶାଳୁଆ ପତ୍ର ଠୋଲା ତିଆରି କରି ବୋଝେ ରାଜାଙ୍କ ପାଖକୁ ପଠାଇଦେଲେ ।

 

‘‘ଥରେ ଯଦୁମଣି ଗୋଟିଏ ଛୋଟ ବିଷ୍ଣୁ ପ୍ରତିମାରେ ଅନେକ ପାଟକନା ଗୁଡ଼ାଇ ସ୍ଥୂଳାକୃତି କରି ରଣପୁର ରାଜାଙ୍କୁ ଭେଟିଲେ ରାଜା ସ୍ଵହସ୍ତରେ ଦୁଇ ଚାରି ଖଣ୍ଡ କନା ଫିଟାଇଲେ, ମାତ୍ର ଯଦୁମଣିଙ୍କର ଠକ ସ୍ଵଭାବ ଜାଣିଥିବାରୁ ମନରେ ସେ କଅଣ ଭାବି ତାହା ତଳେ ପକାଇଦେବାରୁ ଯଦୁମଣି ଏହି କବିତାଟି ପାଠ କରିଥିଲେ —

 

‘‘ଅନ୍ଧ ଦେଶକୁ ଗଲି ଦର୍ପଣ ବିକି,

କନ୍ଧ ହାତରେ ଦେଲି ଗୋଦାନ ଟେକି

ଜଡ଼ା ମଧୁରେ ଖଡ଼ା କଲି ରନ୍ଧନ,

କାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ

ହେ ରାଜା କି କଲ

ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲ ।

 

‘‘ଏକ ସମୟରେ ଖଣ୍ଡପଡ଼ା ରାଜା ପାହାଡ଼ ଉପରେ ହାତୀରେ ଯାଉଥିଲେ ସେହି ସମୟରେ ନୟାଗଡ଼ ରାଜା ସେହି ପାହାଡ଼ର ପାଦଦେଶରେ ସୁଆରିରେ ଯାଉଥିବାର ଦେଖି ଖଣ୍ଡପଡ଼ା ରାଜା ଓ ତାହାଙ୍କର ଅନୁଚରବର୍ଗ ହସିଲେ । ତହୁ ଯଦୁମଣି ନୟାଗଡ଼ ରାଜାଙ୍କ ପକ୍ଷ ଅବଲମ୍ବନ କରି ନିମ୍ନୋକ୍ତ କବିତାଟି ଗାଇଥିଲେ —

 

‘‘ନିକିତି ତଉଲ ସାନ ବଡ଼କୁ,

ଭାରୀ ଯେହୁ ସେହୁ ଯାଏ ତଳକୁ ।

 

‘‘ଏପରି ଅପୂର୍ବ ବୁଦ୍ଧିର ଲୀଳା କବିତାକାରରେ କ୍ଵଚିତ୍ ପରିଦୃଷ୍ଟ ହୁଏ । ଯଦୁମଣିଙ୍କ ପ୍ରତିଭା ଅସାମାନ୍ୟ । ପ୍ରତିକୂଳ ଘଟଣାର ପଟ୍ଟଭୂମିକା ଉପରେ ତାଙ୍କର କବିତ୍ୱଶକ୍ତି ସ୍ଫୁରିତ ହୁଏ । ତେଣୁ ଯଦୁମଣିଙ୍କର ପ୍ରତି ପଦ୍ୟ ସହିତ ଗୋଟିଏ ଗଳ୍ପ ବା ଅବସ୍ଥା ବର୍ଣ୍ଣିତ ରହିଛି ।

 

‘‘କବି ଚକ୍ରପାଣି ପଟ୍ଟନାୟକ ଯଦୁମଣିଙ୍କୁ ବହୁବାର ପରୀକ୍ଷା କରିଛନ୍ତି । ଥରେ ସେ ପଚାରିଲେ—’‘କଣ ଗଣିକା” ଏହି ପଦ ବାମରୁ ଦକ୍ଷିଣକୁ ଏବଂ ଦକ୍ଷିଣରୁ ବାମକୁ ପଢ଼ିଲେ ଯେପରି ଏକ ପଦ ବୋଲି ବୋଧ ହେଉଛି ଏହାର ଦକ୍ଷିଣ ଓ ବାମ ପାଶ୍ୱର୍ରେ ସମାନ ସଂଖ୍ୟକ ବର୍ଣ୍ଣବିନ୍ୟାସକ ସେହିପରି ଗୋଟାଏ ବାକ୍ୟ ରଚନା କର । ତହୁଁ ଯଦୁମଣି କହିଲେ—

 

‘‘କଡ଼ାକୁ କାଣି ଗଣିକାକୁ ଡାକ ।”

‘‘ଦିନେ ଯଦୁମଣିଙ୍କୁ ତାଙ୍କର ସଙ୍ଗୀତ ନିମନ୍ତ୍ରଣ କରିଥିଲେ । ହରଡ଼ ଡାଲି ସିଝି ନ ଥିଲା; କେରାଣ୍ଡି ମାଛ ତିଅଣରେ ପାଣି ବେଶୀ ରହିଥିଲା । ଯଦୁମଣି ଗୀତରେ କହିଲେ—

 

‘‘ଦନ୍ତେ ବାଜନ୍ତେ ରୁଡ଼ୁମୁଡ଼ୁ ବାଜିଲା,

ଘୁଡ଼ୁ ଘୁଡ଼ୁ ବେଳରୁ ଓହ୍ଲାଇଥିଲା

ଦରାଣ୍ଡି ଆଣିଥିଲା କେରାଣ୍ଡି ମାଛ

କେ ରାଣ୍ଡି ରାନ୍ଧିଅଛି ଦିଶଇ ସ୍ୱଚ୍ଛ ।

 

‘‘ଏହିପରି ଅସଂଖ୍ୟ ଘଟଣା ଅବଲମ୍ବନରେ ଯଦୁମଣି ଓଡ଼ିଶାର ସାହିତ୍ୟକ୍ଷେତ୍ରରେ ହାସ୍ୟର ସ୍ରୋତ ବୁହାଇ ଯାଇଛନ୍ତି । ପ୍ରତ୍ୟୁତ୍‌ପନ୍ନମତି ଯଦୁମଣିଙ୍କ କବିତାଗୁଚ୍ଛ ଓଡ଼ିଆ ସାହିତ୍ୟର ଶୋଭାବର୍ଦ୍ଧନକାରୀ, ସନ୍ଦେହ ନାହିଁ ।” (ସାହିତ୍ୟ ଓ ସାହିତ୍ୟତ୍ୱ)

 

ରାଘବ ବିଳାସ

ରାଘବ ବିଳାସ ଘଟଣାଚକ୍ରରେ ସେ ଲେଖିଥିଲେ । ବ୍ରାହ୍ମଣମାନଙ୍କୁ ଅପମାନ ଦେବା ପରେ ତାଙ୍କର ଏକମାତ୍ର ପୁତ୍ର ଅଗ୍ନିଦଗ୍‌ଧ ହୋଇ ନଷ୍ଟହେବା ଘଟଣା ଏକାନ୍ତ ପ୍ରତ୍ୟକ୍ଷବାଦୀ ନିଷ୍ଠୁର ଯଦୁମଣିଙ୍କ ଚିତ୍ତରେ ଭୀତି ସଂଚାରିତ କରିଥିଲା । ରାଜା ବିନାୟକ ତାଙ୍କ ମାତୃଦେବୀଙ୍କର ମୃତ୍ୟୁପୂର୍ବର ବାସନା କଷିଆମ୍ବ ଯୋଗାଡ଼ କରିଦେଇ ନ ପାରିବାରୁ ଅନ୍ତ୍ୟେଷ୍ଟି ସମୟରେ ବ୍ରାହ୍ମଣ ପଣ୍ଡିତମାନଙ୍କୁ ବ୍ୟବସ୍ଥା ମାଗନ୍ତେ ପଣ୍ଡିତ ମାନେ ଏକଶତ ଆଠଟି ସୁନାର ଆମ୍ବ ମାତୃପତ୍ରରେ ଦାନକଲେ ତାଙ୍କର ଶେଷ ବାସନା ଚରିତାର୍ଥ ହେବ ବୋଲି ବ୍ୟବସ୍ଥା ଦେଇଥିଲେ । ଯଦୁମଣି ଏହା ଭଣ୍ଡାମି ବୋଲି ଅଭିହିତ କରି ବ୍ରାହ୍ମଣମାନଙ୍କର ପ୍ରତିଶୋଧ ଇଚ୍ଛା କରୁଥିଲେ । କାରଣ ସେ ପରକାଳ ବିଶ୍ୱାସ କରୁ ନ ଥିଲେ । ବ୍ରାହ୍ମଣମାନେ ସୁନାର ଆମ୍ବ ଠକିନେଲେ ବୋଲି ସେ ଧାରଣା କଲେ । ଯଦୁମଣିଙ୍କ ସେ ନାସ୍ତିକ ଧାରଣା ଆଜି ବଦ୍ଧମୂଳ ହେଲାଣି । ଏମନ୍ତ କି ପିତା, ପିତାମହୀ, ମାତା, ମାତାମହୀଙ୍କର ବାସନା ଚରିତାର୍ଥ ପାଇଁ ଧନ ଦାନ ଦୂରେ ଥାଉ ଜୀବଦ୍ଦଶାରେ ମଧ୍ୟ ତାଙ୍କୁ ଅନ୍ନବ୍ୟଞ୍ଜନ ଟିକିଏ ଦେବାକୁ ସନ୍ତାନ ଅନିଚ୍ଛୁକ ହେଲେଣି । କିମାଶ୍ଚର୍ଯ୍ୟମତଃ ପରଂ ।

 

ଯଦୁମଣିଙ୍କର ମାତୃଶ୍ରାଦ୍ଧ ଆସିଗଲା । ସେ ବିଶେଷ ଆୟୋଜନ କରି ପୂର୍ବୋକ୍ତ ୧୦୮ ବ୍ରାହ୍ମଣଙ୍କୁ ଆମନ୍ତ୍ରଣ କରି ସୁଖାଦ୍ୟ ଚର୍ବ୍ୟ, ଚୋଷ୍ୟ, ଲେହ୍ୟ, ପେୟ ଦେଇ ସନ୍ତୋଷ କରିସାରି ହାତଯୋଡ଼ି କହିଲେ,— ‘‘ମାଆଙ୍କର ଶିରବ୍ୟଥା ଥିଲା । ମୃତ୍ୟୁ ପୂର୍ବରୁ ଚଡ଼ୁ ଘେନିବାକୁ ବାରମ୍ବାର କହିଥିଲେ । ଚଡ଼ୁକାଠି ଅଭାବରୁ ତାହା ଦେଇ ନପାରି ଭାବୁଛି ଜନନୀଙ୍କର ପରକାଳରେ ମୃତ୍ୟୁପୂର୍ବରୁ ବାସନା ଅତୃପ୍ତ ରହିବାରୁ ଅଶାନ୍ତିରେ ଅଛନ୍ତି । ଅନୁଗ୍ରହ ହେଲେ ସ୍ୱର୍ଣ୍ଣ ଆମ୍ବଦ୍ୱାରା ରାଜମାତାଙ୍କର ବାସନା ଚରିତାର୍ଥ ହେଲା ପରି ସ୍ୱର୍ଣ୍ଣଚୂଡ଼ କାଠିରେ ଆପଣମାନଙ୍କୁ ସାମାନ୍ୟ ଚଡ଼ୁସେକ ଦେଇ ମୁଁ ମୋ ମାତୃଦେବୀଙ୍କର ପାରଲୌକିକ ସନ୍ତୋଷ ଆଣିପାରିବି ।”

 

ସମସ୍ତ ପଣ୍ଡିତ ନୀରବ ରହନ୍ତେ, ଧୂର୍ତ୍ତ ଭାବରେ ଯଦୁମଣି ମୌନଂ ସମ୍ମତି ଲକ୍ଷଣଂ ମନେକରି ଉତ୍ତପ୍ତ ଚଡ଼ୁରେ ସେହି ସଦାଚାରସଂପନ୍ନ ବୃଦ୍ଧ ବ୍ରାହ୍ମଣ ପଣ୍ଡିତ ଗଣଙ୍କୁ ଦାଗ ଦେଇଗଲେ-। ବିଧାତାର କି ବିଚିତ୍ର ଲୀଳା ! ପଣ୍ଡିତଗଣ ତା ନୀରବରେ ସହ୍ୟକରି ଚଡ଼ୁ ସହିତ ଦକ୍ଷିଣା ନେଇ ବିଦାୟ ନେଲେ । କିନ୍ତୁ ଗୋଟିଏ ପକ୍ଷ ନଯାଉଣୁ ଦେଖାଗଲା ଯେ ଶିଶୁମାନଙ୍କର ଏକ କୌତୁକପୂର୍ଣ୍ଣ ଅଗ୍ନିଲୀଳାରେ ଯଦୁମଣିଙ୍କର ଏକମାତ୍ର ଶିଶୁ ଜୀବନ୍ତ ଦଗ୍‌ଧ ହୋଇ ଗୋଟିଏ ମାତ୍ର ଦିନରେ ନଷ୍ଟ ହୋଇଗଲା । ଏତେଦିନେ ଭୟ ପଶିଲା ଭୟଶୂନ୍ୟ ହୃଦୟରେ ।

 

ଏ ଯୁଗର ତେଜସ୍ୱୀ ବୈଜ୍ଞାନିକ ପ୍ରତ୍ୟକ୍ଷବାଦୀମାନେ ଅତି ଚତୁର, ଅତି ପ୍ରତ୍ୟକ୍ଷବାଦୀ ଯଦୁମଣିଙ୍କୁ ଏହାପରେ ସେ ନିଜର ବିଶ୍ୱାସ ପରିବର୍ତ୍ତିତ କରିଥିବାରୁ କ୍ଷୀଣ ବୁଦ୍ଧି ବା ଅଳ୍ପଶିକ୍ଷିତ ବୋଲି କହିପାରନ୍ତି । କିନ୍ତୁ ବୟସ ଅତିକ୍ରମ ହୋଇଯିବା ପରେ ବା ଅତି ଦୁଃଖ ଘୋଟିଆସିଲେ ଅତି ନିଷ୍ଠୁର ନାସ୍ତିକ ତୁଣ୍ଡରେ ମଧ୍ୟ ଈଶ୍ୱର ଭଗବାନ ନାମ ଶୁଣାଯାଇଥାଏ ।

 

ଯଦୁମଣି ନିଜର ଦୋଷ ସ୍ୱୀକାର କଲେ । ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ଗାଇଲେ କରୁଣ କଣ୍ଠରେ—

 

ଦେଲ ଯାହା ନେଲ ତାହା, ଏଥିକୁ କିପାଇଁ

ମହା ଦାତାପଣେ ପତାକା ବାନ୍ଧିଛ ?

ନୀଳାଚଳ କଳାକାର, ସତ କି ଏ ମିଛ ?

ପାତଳୀ ମୁକୁଟ ଶ୍ରେଣୀଶିରୋମଣୀ ଯଦୁମଣି

ମନ ତିଳେ ନେଇ ନ ପାରିବ

ଏବେ ଉଦ୍ଧାରଣେ ଯେବେକୃପା ବସିଅଛି ଲବେ

ତେବେ ସିନା ଦାତା ବୋଲାଇବ ।

 

ତାପରେ ଘରକୁ ଫେରିଲେ । ରାଜାରାଣୀ କହିଲେ, ଏ ପାପରୁ ମୁକ୍ତି ପାଇଁ ରାମ ନାମ ନିଅନ୍ତୁ । ମନ ମାନିଗଲା । ପ୍ରତ୍ୟକ୍ଷବାଦ ଅଦୃଷ୍ଟବାଦରେ ରୂପାନ୍ତରିତ ହେଲା । କବିତା ବାହାରିଲା-

 

ପ୍ରଥମୁଁ ବନ୍ଦଇ ଭୂଦେବ ଅଂଘ୍ରି ଅଘାରି ବକ୍ଷେ

ଓପତ ସାଗର ଶୋଷକ ବଂଶ ଧ୍ୱଂସି ଅଲକ୍ଷେ ।

 

କାବ୍ୟାରମ୍ଭରେ ପ୍ରଥମୁଁ ସପ୍ତସାଗର ଶୋଷକ ଅଗସ୍ତିଙ୍କ ଅନ୍ୱୟ, ଅଲକ୍ଷରେ ଯଦୁବଂଶଧ୍ୱଂସକ ଭୂଦେବବ୍ରାହ୍ମଣ ପାଦ ଯାହା ବିଷ୍ଣୁଙ୍କ ବକ୍ଷରେ ଶୋଭାପାଏ, ତାହା ମୁଁ ବନ୍ଦନା କରେ ବୋଲି ସେ ଲେଖିଲେ ।

 

ବିଶେଷରେ ୧୮୧୭ ବିଦ୍ରୋହକୁ ଲକ୍ଷ୍ୟକରି ସେ ସେଥିରେ ଲେଖିଲେ—

 

ଗରିଷ୍ଠ ଦଶା ଏ ରାଷ୍ଟ୍ର ର କଷ୍ଟ ଫେଡ଼ ଦୁସ୍ତର,

ଚକ୍ରପେଷି ଶକ୍ରବାହନ ଭ୍ରାତ ଅରି ସଂହାର ।

 

କବି ଯଦୁମଣି କବିତ୍ୱରେ ଯେତିକି କୁହାଯାଇପାରେ ସେତିକି ମାତ୍ର କହିଲେ । ସେ ରାଷ୍ଟ୍ରର ଏପରି ଗରିଷ୍ଠ ଦଶାକୁ ନିବାରଣ କରିବା ଲାଗି ବିଷ୍ଣୁଚକ୍ରକୁ ଆଶ୍ରୟ କରିଦେଶବାସୀ ଗଜଙ୍କ ଉଦ୍ଧାର ଲାଗି ଗ୍ରହସ୍ୱରୂପୀ ବିଦେଶୀଙ୍କୁ ହତ କରିବାକୁ ନିବେଦନ କରିଥିଲେ, କିନ୍ତୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର କେହି ବୁଝିଲେ ନାହିଁ । କାରଣ ତାହା ଦୁର୍ବଳ କବିର ଗୁହାରି ମାତ୍ର ଥିଲା ।

 

ଦେବ ଆରାଧରେ ସ୍ୱଦେଶ ଉଦ୍ଧାର

ହେବନି ହେବନି ଖୋଲ ତରବାର । (ଜଣେ କବିଙ୍କ ଉକ୍ତି)

 

ଏହି ନୀତିରୁ ତରବାରୀ ଖେଳ ଚାଲିଲା । ବୀରଭୋଗ୍ୟା ବସୁନ୍ଧରା ନ ହୋଇ ବଞ୍ଚକ, ଶଠ, ଚକ୍ରାନ୍ତକାରୀର ଭୋଗ୍ୟା ହେଲା ଅବିଜିତ, ସାହସିକ ଏ ଦେଶ ।

 

ରାଘବ ବିଳାସର ପାଣ୍ଡୁଲିପି:—

ଶୁଣାଯାଏ ଯଦୁମଣି ଏହି ରାଘବ ବିଳାସ ୫୨ ଛାନ୍ଦରେ ସମ୍ପୂର୍ଣ୍ଣ କରିଥିଲେ । କିନ୍ତୁ ତାହାର ପାଣ୍ଡୁଲିପି ଏକ ପୋଥିରେ କବି ସ୍ୱହସ୍ତରେ ଲେଖି ରାଜା ବିନାୟକଙ୍କର ପାଟରାଣୀଙ୍କୁ ଅର୍ପଣ କରିଥିଲେ । ରାଣୀ ତାହା ନିଜର ପୂଜା ଗୃହରେ ରଖିଥିଲେ । ଉକ୍ତ ଗ୍ରନ୍ଥ ୪।୫ ବର୍ଷ ଲୀଳା ଆକାରରେ ରାଜବାଟୀରେ ଗଠିତ ହୋଇଥିଲା । ସହସ୍ର ଜନତା ତାହା ପ୍ରତ୍ୟହ ଚୈତ୍ର ମାସର ରାମନବମୀଠାରୁ ଆରମ୍ଭ କରି ୨୧ ଦିନମଧ୍ୟରେ ଶୁଣୁଥିଲେ । ଉକ୍ତ ଗ୍ରନ୍ଥର କେତେ ଛାନ୍ଦ କେହି କେହି ଆବୃତ୍ତିରୁ ସ୍ମରଣ ରଖି ଲେଖି ନେଉଥିଲେ । ଉକ୍ତ ଗ୍ରନ୍ଥର କେତେ ଛାନ୍ଦ କେହି କେହି ଆବୃତ୍ତିରୁ ସ୍ମରଣ ରଖି ଲେଖି ନେଉଥିଲେ । ପାଲାକାର କେହି କେହି ମଧ୍ୟ ଛାନ୍ଦେ ଛାନ୍ଦେ ନେଇଥିଲେ— ଯାହା ଯାହାକୁ ଭଲ ଲାଗିଲା ।

 

ହଠାତ୍ ରାଣୀଙ୍କ ମୃତ୍ୟୁର ପୂର୍ବ ବର୍ଷ ଗ୍ରନ୍ଥ ଥିବା ଘର ଦଗ୍‌ଧ ହୋଇଯିବାରୁ ଏକାବେଳେ ତାହା ନଷ୍ଟ ହୋଇଗଲା । ଏ ଗ୍ରନ୍ଥ ଲେଖିବା ଯୋଗୁଁ କବିଙ୍କ ପ୍ରତି ବ୍ରାହ୍ମଣମାନେ ଆଶୁତୋଷ ହେତୁ ସଦୟ ହୋଇଥିବାର କିମ୍ବଦନ୍ତୀ ଅଛି । ଶୁଣାଯାଏ ଉକ୍ତ ବୃଦ୍ଧ ପଣ୍ଡିତମାନେ ପୁନର୍ବାର ଆମନ୍ତ୍ରିତ ହୋଇ ତାଙ୍କର ବଂଶରକ୍ଷା ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ । ଫଳରେ ତାଙ୍କର ଏକମାତ୍ର କନ୍ୟାଠାରୁ ପୁତ୍ରଟିଏ ଜନ୍ମିଥିଲା । ସେ ଉକ୍ତ କନ୍ୟାକୁ ନିଜ ଘରେ ରଖିଥିଲେ । ତେଣୁ ଦୌହିତ୍ରକୁ ନିଜର ପୁତ୍ର କରିଥିଲେ । ସେହି ବଂଶ ହିଁ ଅଦ୍ୟାପି ରହିଛି ।

 

ରାଘବ ବିଳାସ ଆଦୌ ମିଳିବାର କଥା ନୁହେଁ । କିନ୍ତୁ ତାଙ୍କର ବଂଶଧର ଦାଶରଥି ମହାପାତ୍ର ବହୁ ଚେଷ୍ଟାରେ କେତେ ଛନ୍ଦ ସଂଗ୍ରହ କରିଥିଲେ । ମୁଁ ଗୋଟିଏ କୃଷକଙ୍କ ସଂପର୍କରୁ ଜଣେ ବ୍ରାହ୍ମଣଙ୍କଠାରୁ ମୂଳ କେତେ ଛାନ୍ଦ ପାଇଲି, ପାଲାକାରମାନଙ୍କଠାରୁ କିଛି କିଛି ମଧ୍ୟ ମିଳିଗଲା-। ଏସବୁ ମିଶି ୨୪ ଛାନ୍ଦ ଏକତ୍ର ହୋଇଅଛି । ଏ ମଧ୍ୟରୁ ପ୍ରଥମରୁ କେତେ ଛାନ୍ଦ ସଂଯୋଗ ରଖିଥିବାର ଦେଖାଯାଏ । କିନ୍ତୁ ଶେଷାଂଶକୁ ବିଷୟର ଠିକଣା ନାହିଁ । ତେବେ ଏହାଠାରୁ ଅଧିକ ଆଉ ମିଳିବାର ସୁଯୋଗ ନ ଥିବାରୁ ଅସଂପୂର୍ଣ୍ଣ ଭାବରେ କାବ୍ୟଟିକୁ ଦିଆଗଲା । ପାଲାକାରମାନେ ରାଘବ ବିଳାସ ନାମରେ ଯେଉଁ ଛାନ୍ଦମାନ ଗାନ କରନ୍ତି ତାହା ସରସ ଅଟେ । କିନ୍ତୁ ପ୍ରଥମ ଛାନ୍ଦମାନ ସେତେ ଅଧିକ ଭାବପ୍ରଧାନ ହୋଇ ନାହିଁ । ତେଣୁ ତାହା ପୂର୍ବବର୍ତ୍ତୀ ରଚନାର ଗତାନୁଗତିକ ବୋଲି ଅନେକେ ମତଦିଅନ୍ତି ।

 

ରାଘବ ବିଳାସର ବିଷୟବସ୍ତୁ : —

ଏହି ଗ୍ରନ୍ଥ ସେ ତାଙ୍କର ଅତି ପ୍ରିୟତମ ରାଜା ବିନାୟକଙ୍କ ନାମ ପ୍ରଚାର କରିବା ଲକ୍ଷ୍ୟରେ ଲେଖିଥିବାର ପ୍ରଥମ ଛାନ୍ଦରେ ଜଣାଯାଏ—

ସୀତା ରାମ ଅଂଘ୍ରି, ଅବ୍ଳକୁ ହୃଦୟରେ ଧ୍ୟାୟିଣ

ରାଘବ ବିଳାସ ପ୍ରବନ୍ଧ ରଚନାକୁ କରିଣ

ନବୀନ ଦୁର୍ଗେଶ ପ୍ରତାପୀ ବିରାଧି ବୀରବର

ବିନାୟକ ସିଂହ ଶ୍ରୀ ମାନଧାତା ଗ୍ରନ୍ଥେ ପ୍ରଚାର ।

 

ଶ୍ରୀ ବିନାୟକ ସିଂହ ମାନଧାତାଙ୍କ ନାମକୁ ଏ ଗ୍ରନ୍ଥ ଜରିଆରେ ପ୍ରଚାର କରୁଛି ବୋଲି ସେ ଯେ ଲେଖିଛନ୍ତି, ଏହାଦ୍ୱାରା ତାଙ୍କର ପ୍ରିୟତମ ରାଜପୁରୁଷଙ୍କ ନାମ ଧନ୍ୟ ହୋଇଅଛି । ମିଳିଥିବା ଛାନ୍ଦମାନଙ୍କର ବିବରଣୀ—

 

ପ୍ରଥମ ଛାନ୍ଦ— ୧୨ଟି ପଦରେ ରାମକେରି ରାଗରେ ସମ୍ପୂର୍ଣ୍ଣ । ଏଥିରେ ରାମଚନ୍ଦ୍ରଙ୍କୁ ତାଙ୍କ ଜୀବନର ଆଖ୍ୟାୟିକାଦ୍ୱାରା ସାଧାରଣଭାବେ ବନ୍ଦନା କରାଯାଇଛି ।

 

ଦ୍ୱିତୀୟ ଛାନ୍ଦ— ଶଙ୍କରାଭରଣ ବୃତ୍ତରେ ୧୬ ପଦରେ ଏହା ସମ୍ପୂର୍ଣ୍ଣ । ଏହି ଛାନ୍ଦର ବିଷୟର ବର୍ଣ୍ଣନା ହେଲା ଯେ ରାବଣର ଜନ୍ମ, ବିବାହ, ତାର ବରପ୍ରାପ୍ତ ଏବଂ ଦିଗବିଜୟରେ ଦେବତାମାନଙ୍କର ଅଶାନ୍ତି ଇତ୍ୟାଦି ।

 

କବିତାରେ ଶବ୍ଦପାଣ୍ଡିତ୍ୟ ଏବଂ ଯତି ଯମକ, ସ୍ୱରଧରି ଗାଇବା ଲାଗି ମନୋହର ଭାବରେ ସଂଗୀତରୀତି ରଖାଯାଇଛି ମାତ୍ର ।

 

ବିଶ୍ରବାକ ବଂଶ ବାହା ଆମ୍ଭରେ କଣ୍ଟକ

ଅରି କର ! ଅରିଙ୍କର ଶ୍ରୀଘ୍ର ବିନାଶକ,

ଭଣୁ ଭଣିଲେ କୌସ୍ତ୍ୱଭୂ

ମିତ୍ର ବଂଶେ ନୃପକୁଳେ ଯାଇ ଜାତ ହେବୁ ।

 

ବିଶ୍ରବାଙ୍କ ବଂଶଧର ବିଂଶବାହୁ ରାବଣ ଆମର ଶତ୍ରୁ ହୋଇଅଛି । ହେ ଚକ୍ରଧାରୀ ! ଉକ୍ତ ବୈରୀକୁ ତୁମ୍ଭେ ଶୀଘ୍ର ବିନାଶ କର । ଏ କଥା କହନ୍ତେ କୌସ୍ତୁଭ−ଧାରୀ ନାରାୟଣ କହିଲେ, ସୂର୍ୟ୍ୟବଂଶୀୟ ନୃପକୁଳରେ ଆମ୍ଭେ ଯାଇ ଜନ୍ମ ହେବୁ ।

 

ଏହି ଛାନ୍ଦରେ ସେ ଛାନ୍ଦଲେଖା ଅବିଘ୍ନରେ ପୂର୍ଣ୍ଣ ହେଲା ବୋଲି ଲେଖିଥିବାରୁ ମନେ ହୁଏ ଗ୍ରନ୍ଥରେ ବିଘ୍ନର ଆଶଙ୍କା ସେ ପୋଷଣ କରିଥିଲେ । ତେଣୁ ତାହା ହିଁ ପରବର୍ତ୍ତୀ ସମୟରେ ସମ୍ଭବିଥିଲା ।

 

ତୃତୀୟ ଛାନ୍ଦ—କଳସା ବୃତ୍ତରେ ୩୭ ପଦରେ ଏ ଛାନ୍ଦଟି ସଂପୂର୍ଣ୍ଣ ।

 

କଥାବସ୍ତୁ—ଲୋମପାଦ ରାଜାଙ୍କ ରାଜ୍ୟର ଦ୍ୱାଦଶ ବର୍ଷ ଅନାବୃଷ୍ଟି ଏବଂ ଜରତା ବେଶ୍ୟାଦ୍ୱାରା ଋଷ୍ୟଶୃଙ୍ଗଙ୍କ ଆଗମନ ବିଷୟ ଏଥିରେ ବର୍ଣ୍ଣିତ ରହିଛି । ଏଥିରେ କବିଙ୍କର ସ୍ୱଭାବଘେନି ବର୍ଣ୍ଣନା ବିଶେଷତ୍ୱ କିଛି ନାହିଁ । ଚିରାଚରିତ ସମସ୍ୟା ହିଁ ଚିତ୍ରିତ ହୋଇଛି ମାତ୍ର ।

 

ଅଳଙ୍କାର—ସଂପୂର୍ଣ୍ଣ ଛାନ୍ଦଟିକୁ କବି ଆଦ୍ୟ ଯମକରେ ରଚନା କରିଅଛନ୍ତି ।

 

ଯେପରି—

ଜୀବନହୀନ ଦ୍ୱାଦଶ ସମ୍ୱତ୍ସର ହେଲା

ଜୀବନ ଯିବ ଏଣିକି କି କରିବ ଭଲା ।

ଦ୍ୱିଜକୁଳରେ ପୁଚ୍ଛନ୍ତି କରକ ସଂଯୁକ୍ତେ

ଦ୍ୱିଜୋକ୍ତି ବିଭାଣ୍ଡକକୁ ଅଣାଅ ତୁରିତେ ।

ବନଜ ପିତାଜ୍ଞା ପାଳି ତପେଛନ୍ତି ରହି

ବନଜ ପ୍ରଦତ୍ତ ହେବ ତାଙ୍କ ଆଜ୍ଞା ପାଇ ।

ଶଚିବର ପ୍ରାୟ ରାଜା ମନକୁ ଅଇଲା

ସଚୀବରେ ଆଜ୍ଞାଦତ୍ତ ଏହା କର ଭଲା ।

 

 

*ଶବ୍ଦାର୍ଥ । ବିଶ୍ରବାଜ—ବିଶ୍ରବାତନୟ । ଅରି—ଚକ୍ର । ଅରି—ବୈରୀ, ଶୀଘ୍ର ବିନାଶକ (ହୁଅ) । କୌସ୍ତ୍ୱଭୂ—କୌସ୍ତୁଭଧାରଣକାରୀ । ମିତ୍ର—ସୂର୍ଯ୍ୟ ।

 

ଶବ୍ଦାର୍ଥ । ଜୀବନ—ଜଳ । ଜୀବନ—ପ୍ରାଣ । କରକ ସଂପୁକ୍ତେ—କରଯୋଡ଼ି । ବିଭାଣ୍ଡଜ—ଋଷ୍ୟଶୃଙ୍ଗ । ବନଜ—ଅରଣ୍ୟ । ବନନ—ଜଳ । ଶଚିବର—ଇନ୍ଦ୍ର । ସଚୀବବ— ମନ୍ତ୍ରୀର ।

 

ଶବ୍ଦ ପାଣ୍ଡିତ୍ୟ— ଉକ୍ତ ଯମକରେ ଅନ୍ୟ ପ୍ରକାର ମଧ୍ୟ କେତେ ପଦ ଦେଖାଯାଏ । ସେପରି—

 

ପାଦପରେ ପାଦପରେ ଦେଇ ଅପସର

ବାରାଙ୍ଗନା ବାରାଙ୍ଗନା ମିଳିଲେ ପାଖର ।

 

ଚତୁର୍ଥ ଛାନ୍ଦ—ରସକୁଲ୍ୟା ରାଗରେ ଛାନ୍ଦଟି ୧୯ପଦରେ ଲେଖା ଯାଇଅଛି ।

କଥାବସ୍ତୁ—ବିଭାଣ୍ଡକ ଋଷ୍ୟଶୃଙ୍ଗଙ୍କ ଅଙ୍ଗସ୍ପର୍ଶରେ ତପସ୍ୱୀଜନ ଅନୁଚିତ ବସ୍ତୁ ଲକ୍ଷ୍ୟ କରି ପୁତ୍ରକୁ ସେ ପ୍ରସଙ୍ଗରୁ ରହିତ ହେବା ବିଷୟରେ ଉପଦେଶ ଦେଇ ପ୍ରାତଃକାଳରେ ବନଗମନ କରନ୍ତେ, ଜରତା ୠଷ୍ୟଶୃଙ୍ଗଙ୍କୁ ନୌକାରେ ନେଇ ଚାଲିଆସିଛି ଏବଂ ଲୋମପାଦ ରାଜ୍ୟରେ ବର୍ଷା ହେବା ପରେ ଶାନ୍ତାର ବିବାହ ଏବଂ ଦଶରଥଙ୍କର ଆମନ୍ତ୍ରଣ ଏଥିରେ ସୂଚିତ କରାଯାଇଛି ।

 

ରଚନାରେ ପ୍ରଥମ ଦୁଇ ପଦ ପ୍ରାନ୍ତଯମକ ଓ ଅନ୍ୟାନ୍ୟ ୧୭ ପଦ ଆଦ୍ୟ ଯମକରେ ରଚନା କରାଯାଇଛି ।

 

ବିଭାକର ଅସ୍ତାଚଳ ଭଜୁତ

ବିଭାବରୀ ପବେଶନ୍ତେ ତୁରିତ

ବିଭାଣ୍ଡକ ତପସ୍ଥାନୁ ଆଗତ

ବିଭାବ ମଣି ପୁତ୍ରାଙ୍ଗ ସ୍ପର୍ଶେତ

ବିଭାତ କେମନ୍ତ

ବିରାଗ କଲେ କୋଳରେ ଘେନିତ ।

 

ପଞ୍ଚମ ଛାନ୍ଦ—ରାଗ କାମୋଦି ( ମତାନ୍ତରରେ ଚକ୍ରକେଳି ) । ୨୭ ପଦରେ ସମ୍ପୂର୍ଣ୍ଣ ।

 

କଥାବସ୍ତୁ— ଦଶରଥ ଋଷ୍ୟଶୃଙ୍ଗଙ୍କଦ୍ୱାରା ଯଜ୍ଞ କରି ରାମ ଆଦି ପୁତ୍ରମାନଙ୍କୁ ଲାଭ କରିବା ବର୍ଣ୍ଣିତ ହୋଇଛି । ରଚନାରେ ଶବ୍ଦପାଣ୍ଡିତ୍ୟ ରହିଛି । ଭଞ୍ଜଙ୍କ ଲାବଣ୍ୟବତୀ କାବ୍ୟର ପଦ ଅନୁସରଣ କରି ଗାଇଛନ୍ତି— ‘‘ଭ୍ରମେ ଭ୍ରମର ଭ୍ରମୁଛନ୍ତି ଉଲ୍ଲାସେ” ଏବଂ କାଳିଦାସଙ୍କ ‘‘ଦିନେ ଦିନେ ସା ପରିବର୍ଦ୍ଧମାନା”ଅନୁସରଣ କରି ‘‘ଦିନକୁ ଦିନ ସହ ନବ ବର୍ଦ୍ଧନ” ଅବା ରଚିତ ହୋଇଛି ବୋଲି ମନେ ହୁଏ ।

 

ଷଷ୍ଠ ଛାନ୍ଦ—ରାଗ ଆହାରୀ । ୨୩ ପଦରେ ସଂପୂର୍ଣ୍ଣ ।

 

କଥାବସ୍ତୁ—ସୀତାଙ୍କର ଜନ୍ମ ଏବଂ ସ୍ୱୟଂମ୍ବର ପ୍ରତିଜ୍ଞା ଏବଂ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କର ବିଶ୍ୱାମିତ୍ରଙ୍କ ସହିତ ଯଜ୍ଞରକ୍ଷା ପାଇଁ ଗୃହତ୍ୟାଗ ଏଥିରେ ବର୍ଣ୍ଣିତ ହୋଇଛି । କବି ମହାସତୀ ଜନକନନ୍ଦିନୀଙ୍କର ଜନ୍ମ ଓ ଯୌବନ ବିବରଣୀ ପ୍ରଥମରୁ ପାଞ୍ଚଟି ପଦରେ ଅତି ବିଚକ୍ଷଣ ଭାବରେ ବର୍ଣ୍ଣନା କରିଅଛନ୍ତି । ବର୍ଣ୍ଣନାମାଧୁରୀ ପ୍ରତି ଆକୃଷ୍ଟ କରିବାକୁ ଉକ୍ତ ପାଞ୍ଚପଦ ଏଥିରେ ଉଦ୍ଧାର କରିବା ସଙ୍ଗତ ହେଉଛି—

 

‘‘ଶୁଣ ସୁବିଦୁଷ ସକଳ କଳ୍‌ବିଷ ଅଙ୍ଗରୁ ହୋଇବ ଦହନ

ଜନକ ମୁନୀଶ କାଶ୍ୟପୀକି ଚାଷ କରନ୍ତେ କର୍କଶ ବହନ

ସକାଳେ, ସଭିଶାପେ ଖରେ ଅପୁରା

ଖରେ ଯାଉଁ ଯତି ଦେଖି ବିଚାରନ୍ତି ଦୁହିତା ହୋନ୍ତାଏ ମୋ ପରା । ୧ ।

 

ନଗରୀନର୍ତ୍ତକୀ ବ୍ରହ୍ମଣ୍ୟ ଭକ୍ତିକି ଜାଣି ପ୍ରକାଶର ରଭସେ

ଧରଣୀ ସମ୍ଭୂତା ହେବ ତୁମ୍ଭ ସୁତା ପୂର୍ବୁ ନାଁ ପାର୍ଥବୀ ପ୍ରକାଶେ

ଗତାନ୍ତେ । ବେଧା ବିଧାନରେ ଉତ୍ପତ୍ତି

ସୁଫେଡ଼ା ଫଳାଗ୍ରେ ଦେଖି ଯତି ବ୍ୟଗ୍ରେ ବିଘ୍ନେ ଦୃଷ୍ଟିପାତ ଝଟତି । ୨ ।

 

କାନ୍ତିକି ଲକ୍ଷିତ ଲକ୍ଷଣେ ସଂଯୁକ୍ତ ଲକ୍ଷଣେ ସୁକ୍ଷେଣ ସୁଗତି

ଦୀନଜନ ନିଧି ପାଇଲା ଅବଧି ସୁଧାପତି ସିଦ୍ଧି ପ୍ରାପତି

ତତ୍‌କାଳେ, ପବିତ୍ରାଙ୍ଗି ଘେନି ସଦନେ

ସୀମନ୍ତିନୀ-ସୀମନ୍ତିନୀ ଭୂଷା ମମ୍ମେ ‘ହୃଦୟାନନ୍ଦ ସେ ତେସନେ । ୩ ।

 

ବନଜସମ୍ଭୂତା ପରାୟେ ବର୍ଦ୍ଧିତା ପଦ ନିଉଛାଇ ହୋଇକି

ନୟନ ଚକୋରୀ ସୁଧା ପାନକରି ବେରବେ ସର୍ବେ ଅଲକ୍ଷକି

ବାତରେ, ଲତାଗ୍ର ଚଳଚଳ ମତ

ସୁମନା ଅଙ୍ଗରେ ସୁଶୋଭା ରଙ୍ଗରେ ବେଳକୁ ବେଳ ସେ ବିଦୀପ୍ତ । ୪ ।

 

ଧାତ୍ରୀ ଶିରୀ ଧାତ୍ରୀ କୋଳେ ସୁଶୋଭନ୍ତି ଯତି ଯତି ନାରୀ ଆନନ୍ଦ

କୂଳ ପବିତ୍ରାଣୀ ସମ୍ଭୂତା ଏ ପୁଣି ସୁମନା ଦର୍ଶନେ ପ୍ରମୋଦ

ଅଦେହ, ଅଦେହ ନଗ୍ରେ ଯାଙ୍କ ବାସ

ବାସରେ ବାସରେ ମଣ୍ଡିତ ହେବାରେ ସୁବାସ ବାସରେ ପ୍ରକାଶ । ୫ ।

 

 

ଶଦ୍ଦାର୍ଥ । କକଶ କାଶ୍ୟପୀ — ଟାଣଭୂମି । ସଭ — ଇନ୍ଦ୍ର । ‘ଖ’ ରେ — ଶୀଘ୍ର, ଆକାଶରେ । ଯତି — ଜନକ ରାଜର୍ଷି । ନଗରୀନର୍ତ୍ତକୀ — ଅପ୍‌ସରା । ବ୍ରାହ୍ମଣ୍ୟ — ଋଷିଙ୍କ । ଭକ୍ତି — ସ୍ନେହ, ସମାଦର । ରଭସେ — ହର୍ଷରେ । ଚତାନ୍ତେ — ଯିବାପରେ । ବେଧା — ବେଦବିହିତ । ସୁଫେଡ଼ା−କାଠପେଡ଼ି । ଫଳାଗ୍ରେ — ଲଙ୍ଗଳିଲୁହା ମୁନରେ । ବିଘ୍ନେ — ଭାଙ୍ଗି, ଫିଟାଇ । ସୀମନ୍ତିନୀ — ସୀମନ୍ତିନୀ ଭୂଷା — ନାରୀ ଶିରୋମଣି । ବନଜସମ୍ଭୂତା — ଲକ୍ଷ୍ମୀ । ନିଉଛାଇ — ବନ୍ଦାଇ । ବେରବେ — ଅଙ୍କରେ । ଧାତ୍ରୀ ଶିରୀଧାତ୍ରୀ — ଧାଈମାନଙ୍କରେ ଅତି ସୁନ୍ଦରୀ ଧାଈ । ଯତି—ଋଷି, ଜନକ । ଯତିନାରୀ — ଋଷିପତ୍ନୀ, ଜନକରାଣୀ ସୁମନା — ଦେବତାମାନେ । ଅଦେହ — ବିଦେହ ସ୍ୱର୍ଗ । ଅଦେହ ନଗ୍ର — ବିଦେହ ନଗରୀ, ସ୍ୱର୍ଗପୁରୀ, ପାରିଜାତକ ।

 

ସପ୍ତମ ଛାନ୍ଦ—ରାଗ ରସକୂଲ୍ୟା, ୨୪ ପଦରେ ସମ୍ପୂର୍ଣ୍ଣ ।

 

କଥାବସ୍ତୁ—ଏହି ଛାନ୍ଦରେ ବିଶ୍ୱାମିତ୍ରଙ୍କ ସହିତ ରାମଚନ୍ଦ୍ର ଅରଣ୍ୟକୁ ଆସି ତାଡ଼କୀ ବଧକରି ଅହଲ୍ୟାକୁ ମୁକ୍ତିଦାନ କରିଅଛନ୍ତି ।

 

ଅହଲ୍ୟାସ୍ତବକୁ ଧନୁବନ୍ଧରେ ରଚନା କରି କବି ଆଳଙ୍କାରିକ ବିଶେଷତ୍ୱ ଦେଇଅଛନ୍ତି ।

 

ସାଦରେ ବାରେ ହରିହର ଦର

ମୋହ ମୋହନ ମୋର ଦୂରକର

କଷ୍ଟ ନଷ୍ଟକ ଲୋକର ଭରସା

ଏଣୁ ଆଶା କରିଛି ସାରଦଶା ହେ

ଏ ଧନୁ ବନ୍ଧ ଛାୟାରେ ଯେ

ଅହଲ୍ୟା ରହିଣ ଶ୍ରୀରାମଚରଣ ସ୍ତବ କରନ୍ତି ଆଦରେ ସେ ।

 

ଧନୁ ଆକୃତିବିଶିଷ୍ଟ କ୍ଷେତ୍ର ଅଙ୍କନ କରି ଭିନ୍ନ ସ୍ଥାନରେ କୌଶଳପୂର୍ବକ ଗୀତ ଓ ବାକ୍ୟ ବିନ୍ୟାସ କଲେ ଚିତ୍ରକାବ୍ୟର ରୀତି ଅନୁସାରେ ଏହି ବନ୍ଧ ପରିଦୃଷ୍ଟ ହେବ ।

 

ଅଷ୍ଟମ ଛାନ୍ଦ—ରାଗ ଧନାଶ୍ରୀ । ୨୫ ପଦରେ ସମ୍ପୂର୍ଣ୍ଣ । ନୃତ୍ୟ ଓ ଲୀଳା ଗାନରେ ଏହି ବୃତ୍ତଟି ପାଳି ଧରି ଗାଇବାରେ ଏକାନ୍ତ ସୁଶ୍ରାବ୍ୟ ହୋଇଥାଏ । ଏଥିରେ ଭଞ୍ଜଙ୍କ ବର୍ଣ୍ଣିତ ବିଷୟ ହିଁ ଟିକିଏ ସ୍ୱତନ୍ତ୍ର ଭାବରେ ଚିତ୍ରିତ କରାଯାଇଛି ମାତ୍ର । ରାମଚନ୍ଦ୍ର ଗଙ୍ଗା ପାରି ହୋଇ ମିଥିଳା କଟକରେ ପହଞ୍ଚି ଜନକଙ୍କଦ୍ୱାରା ସମାଦୃତ ହେଲେ । କୈବର୍ତ୍ତ ଭାଗ୍ୟବଳରେ ତାରକ ବ୍ରହ୍ମ ଲାଭ କରିଛି ବୋଲି ସେ ଲେଖିଛନ୍ତି । ନଚେତ୍ ନୂତନତ୍ୱ କିଛି ନାହିଁ ।

 

ନବମ ଛାନ୍ଦ—କୁମ୍ଭ କାମୋଦି ବୃତ୍ତ । ୩୧ ପଦରେ ସମ୍ପୂର୍ଣ୍ଣ ।

 

କଥାବସ୍ଣ— ଏଥିରେ ସୀତାଙ୍କର ବେଶ ବର୍ଣ୍ଣିତ ହୋଇଛି ।

 

ସୀମନ୍ତିନୀ—ସୀମନ୍ତିନୀ ସୀମାନ୍ତରେ ସୀମନ୍ତ ଦେଖାନ୍ତେ ଜାହ୍ନବୀ ଅର୍କକା ଏକ ସ୍ଥାନେ ଦୁଜା ଗୋଚର ତେମନ୍ତେ ।

 

(ନାରୀଶ୍ରେଷ୍ଠା ସୀତାଙ୍କ କେଶରେ ସୁନ୍ଥା ଯାହା ଦେଖାଗଲା, ତାହା ଦେଖିଲେ ଜଣାଗଲା ଯେ ଗଙ୍ଗା ଯମୁନା ଦୁହେଁ ଏକ ସ୍ଥାନରେ ତେମନ୍ତ ଦେଖାଗଲା ।)

 

ଅନନ୍ତର ହରଧନୁକୂ ମଲ୍ଲମାନେ ସଭାରେ ସ୍ଥାପନ କରିଅଛନ୍ତି । ତାହାର ଏକ ମଞ୍ଜୁଳ ବର୍ଣ୍ଣନା କରାଯାଇଛି ।

 

ଦଶମ ଛାନ୍ଦ—ପଞ୍ଚମ ବରାଡି ବୃତ୍ତ । ଏହା ୩୩ ପଦରେ ସଂପୂର୍ଣ୍ଣ । ଭଞ୍ଜଙ୍କ ‘‘ବିଚାରଇ ମାଳ ଯମକରେ କବି ମନେ” ବୃତ୍ତରେ ରଚିତ ।

 

କଥାବସ୍ତୁ—ରାମଚନ୍ଦ୍ର ହରଧନୁ ଭଗ୍ନ କରିଅଛନ୍ତି । ଏ ଛାନ୍ଦରେ ଶବ୍ଦ-ପାଣ୍ଡିତ୍ୟ ଯଥାସମ୍ଭବ ଦେଖାଯାଇଛି ।

 

ଏକାଦଶ ଛାନ୍ଦ—ରାଗ ପଞ୍ଚମ ବରାଡ଼ି ବୃତ୍ତ ( ବିପ୍ରସିଂହାବାଣୀ) । ୧୮ ପଦରେ ସଂପୂର୍ଣ୍ଣ-

 

କଥାବସ୍ତୁ—ଜନକ ନିଜ କନ୍ୟାର ବିବାହ ଲାଗି ଦଶରଥଙ୍କ ନିକଟକୁ ଦୂତ ପ୍ରେରଣ କରିଅଛନ୍ତି ଏବଂ ସେ ପୁତ୍ରମାନଙ୍କର ଧାତ୍ରୀ ଏବଂ ମାତାମାନଙ୍କ ସହିତ ଅନ୍ୟ ଦୁଇ ପୁତ୍ରଙ୍କୁ ସଙ୍ଗରେ ଧରି ସବିଧିରେ ଜନକାଳୟକୁ ବିଜେ କରିଛନ୍ତି ।

 

ରଚନାର ବୈଶିଷ୍ଟ୍ୟ ଏବଂ ପଦ ପ୍ରୟୋଗରେ ସ୍ୱାଧିକାର ଏଇ ଛାନ୍ଦରେ ବିଶେଷ ଲକ୍ଷ୍ୟ କରାଯାଏ ।

 

ଦ୍ୱାଦଶ ଛାନ୍ଦ — ମାଳବ ବୃତ୍ତ । ୧୬ ପଦରେ ସଂପୂର୍ଣ୍ଣ ।

 

କଥାବସ୍ତୁ — ଦଶରଥ କିଛିବାଟ ପଦଯାତ୍ରାରେ ମିଥିଳା ସୀମାଯାଏଁ ଯାଇଛନ୍ତି । ରାମ ଲକ୍ଷ୍ମଣଙ୍କ ସହିତ ପିତାମାତା ଓ ଅନ୍ୟ ଭାଇ ଦୁହେଁ ମିଳିତ ହୋଇଛନ୍ତି ।

 

ତ୍ରୟୋଦଶ ଛାନ୍ଦ—ରାଗ କାଳୀ । ୫୦ ପଦରେ ସଂପୂର୍ଣ୍ଣ ।

 

କଥାବସ୍ତୁ — ଦଶରଥ ସ୍ୱତନ୍ତ୍ର ସ୍ଥାନରେ ରହିଲେ ଏବଂ ଜନକ ତାଙ୍କୁ ଦେଖାକଲେ । ବିବାହବିଧ ଘେନି ମଣ୍ଡପାଦି ନିର୍ମ୍ମାଣ ଓ ଜନଗହଳ ଘେନି ଉତ୍ସବାଦି ବର୍ଣ୍ଣିତ ହୋଇଅଛି । ଏଥିରେ ଆଦ୍ୟଯମକ ଓ ଯୋଡ଼ିଯମକ ଅଳଙ୍କାର ଦେଖାଯାଏ ।

 

ଚତୁର୍ଦ୍ଦଶ ଛାନ୍ଦ — ରାଗ ମଙ୍ଗଳଗୁର୍ଜ୍ଜରୀ । ୫୦ ପଦରେ ସଂପୂର୍ଣ୍ଣ । ଏହି ଛାନ୍ଦରେ ବିବାହବିଧି ବର୍ଣ୍ଣିତ ହୋଇଛି ।

 

ପଞ୍ଚଦଶ ଛାନ୍ଦ — ରାଗ ଲଳିତ କାମୋଦି । ଏହି ଛାନ୍ଦ ୩୪ ପଦରେ ସଂପୂର୍ଣ୍ଣ ।

 

କଥାବସ୍ତୁ — ସ୍ୱତନ୍ତ୍ର ଶିବିରରେ ସୀତାଙ୍କର ମଧୁଶଯ୍ୟା ଏହି ଛାନ୍ଦରେ ବର୍ଣ୍ଣିତ ହୋଇଛି । ସୀତାଙ୍କର ବେଶ କବି ପୂର୍ବ ରାତିରେ ବର୍ଣ୍ଣନା କରିଅଛନ୍ତି । ଏଥିରେ ରାମଙ୍କ ରଚନାରେ ସୀତାଙ୍କ ପ୍ରତି ଏକ ଅନ୍ତର୍ଲିପି ଦିଆଯାଇଛି ଏବଂ ସୀତାଙ୍କ ରଚନାରେ ଏକ ଆଦ୍ୟପ୍ରାନ୍ତ ଲୋପ ମଧ୍ୟାକ୍ଷର ଲିପି ରହିଛି । ଏସବୁ ରଚନାରେ ଭାଷାର ସୌନ୍ଦର୍ଯ୍ୟ, ଚାତୁର୍ଯ୍ୟ, ବିଚିତ୍ରତା ଯଥାସମ୍ଭବ ରଖାଯାଇଛି-। ପୂର୍ବୋକ୍ତ ବିଭିନ୍ନ ଛାନ୍ଦରେ ମାଳଯମକ, ମହାଯମକ, ସର୍ବଯମକ, ମଧ୍ୟଯମକ ଆଦି ମଧ୍ୟ ରହିଛି ।

ଅନ୍ତର୍ଲିପି – ରଙ୍କ ହୋଇ

ଅଙ୍କରେ ମଣ୍ଡନ କରୁ ନେଇ

ପଙ୍କରୁହନେତ୍ରୀ ତ୍ରପା ବହି ଗୋ । ୧୭ ।

ରଙ୍କ ହୋଇ ସୀତାଙ୍କୁ ରାମ କୋଳରେ ବସାଇବାରୁ ସେ ଲଜ୍ଜିତ ହେଲେ ।

ତେଣୁ ରାମ କହିଲେ –

ଅଶ୍ୱର କି ନାମ ଅଛି ସହି      ବାଜି

ନୂତନା ବୟସୀ କି ବୋଲାଇ ? ନବ

ସିଂହ କାହିଁ ବାସ ବୁଝ ନାରୀଈଶ            ବନ

ଟେକ ଚନ୍ଦ୍ରାନନ ତୋଷ ବହି ଗୋ ଯତିନାମ            ସିଦ୍ଧ

ପିକ ଧ୍ୱନି କି କି ବୋଲି ଜନ                  ସ୍ୱନ

ଜାଗ୍ରତ ଲୋକେ ଶୁଣି କା ଗାନ ଗୋ ।୧୮।       କୁଆ

ରବିତାପ ନାମ ହୁଏ କିସ                  ତେଜ

କୃଷକାନନ୍ଦ ପାଇକା ରସ                  ଘନ

ମନ୍ଦେ କେ ପାଳିତ ଛନ୍ଦ ନ ଘେନତ            ପିକ

ହୃଦାନନ୍ଦେ ଘନ ହୋଇ ତୋଷ ଗୋ କାମଧର      ଶର

କି ନାମ ବୋଲାନ୍ତି ନାରୀବର                  ରାମା

ତପୀ କି କରନ୍ତି ହୋଇ ସ୍ଥିର ଗୋ ।୧୯।            ଧ୍ୟାନ

ଏଥିରୁ ବାହାରିଲା ‘ଜୀବନ ଧନ, ଆଜ ନ କର ମାନ’ ଏହା ରାମ କହି ପ୍ରଦୀପ ଛୁଇଁ ନିୟମ କଲେ — ‘‘ମୋହର କାହାଠାରେ ଦୋଷ ନୋହି” ଅର୍ଥାତ୍ ମୁଁ କାହାଦ୍ୱାରା ଦୂଷିତ କେବେ ହେବିନି ।

 

ତହୁଁ ମୈଥିଳୀ ତା ପଢ଼ି ବୁଝି ତ୍ରିବର୍ଣ୍ଣରେ ମଧ୍ୟ−ଅକ୍ଷର ଲିପିରେ ଲେଖି ଜଣାଇଲେ । କିଶୋରୀ ଅବସ୍ଥାରୁ ଏପରି ଠାରରେ ନିଜର ସଖୀମାନଙ୍କ ମଧ୍ୟରେ ପ୍ରକାଶ କରିବା ବିଧି ସେକାଳୁ ଏକାଳ ଯାଏ ରହିଆସିଛି । ତଦ୍ଦ୍ୱାରା ଯେପରି ସଂଯମ ଓ ମାଧୁର୍ଯ୍ୟ ଜୀବନ ଘେନି ଦେଖାଯାଏ, ଫରଫର କଥାଭାଷାରେ ତାହା ହୁଏ ନାହିଁ । ଚିରନ୍ତନ ସୌହାର୍ଦ୍ଦ୍ୟର ଏହା ଏକ କୌଶଳ ଅଟେ ।

 

ଗ୍ରାମ୍ୟ ଗୀତିରେ ଅଛି —’‘କଥା ନ କହିବୁ ଜେମା ମୁହଁକୁ ଚାହିଁ” । ସର୍ବଦା ବଲବଲ ଚାହିଁ କଥାଭାଷା କରିବାଦ୍ୱାରା କେବଳ ସୁନ୍ଦରୀ ନାରୀ ନୁହେଁ, ଯେ—କେହି ଅଶ୍ରଦ୍ଧାର ପାତ୍ର ହେବା ସ୍ୱାଭାବିକ । ତେଣୁ ଯଥାସମ୍ଭବ ସଂଯମ ମଧ୍ୟରେ ଚଳିବାକୁ ସବୁ କାଳ, ଧର୍ମ୍ମରେ ନିର୍ଦ୍ଦେଶ ରହିଛି ।

 

ବାର୍ତ୍ତା ଶ୍ରବଣାନ୍ତେ କି ବୋଲାନ୍ତି            ଉତ୍ତର

ଅନିଳର ନାମ କି ପ୍ରବର୍ତ୍ତୀ            ପବନ

ହୁରିଖେଳ ନାମ କିସ ବୋଲି ଜନ

ବର୍ଣ୍ଣନ୍ୟାସେ ଦେଇଥିବ ମତି ହେ            ଅବିର

ଜୀବ ହତେ                  ବିନାଶ

ଅଦି ପକ୍ୱଶାଳୀ କେହୁ ମର୍ତ୍ତେ            ବିଆଳି

ମୃଗେନ୍ଦ୍ରକୁ ଜନେ କି ଭାଷନ୍ତେ ହେ ।୨୨।       ବନେଶ

ଅମାନିତା ନରେ କିସ ଭାଷ ?            ଘେନାଇ

ବଦାନ୍ୟରେ କେଉଁ କଥା ଘୋଷ ?      ଅହିଂସା

ସୁବାସରେ କିସ ହୁଅଇ ପ୍ରକାଶ            ଆମୋଦ

ବିରସ ନ ହୋଇ ଏଥି ରସ ହେ

ବୀଣାଧାରୀ                  ନାରଦ

ଅଦଭୁତର ନାମ କି ପ୍ରଚାରି            ବିଚିତ୍ର

ବିପଦାର୍ଥେ କେଉଁ ନାମ ସ୍ମରି ହେ ।୨୩।       କାତର

 

‘‘ତବ ବିନା ଆନେ ନାହିଁ ମୋର ଚିତ୍ତ” ସୀତାଙ୍କ ରଚନାରୁ ଜଣାଯାନ୍ତେ ରାମଚନ୍ଦ୍ର ଆନନ୍ଦିତ ହେଲେ ଏବଂ ତତ୍ପରେ ଉଭୟେ ପ୍ରେମାସକ୍ତ ହେବାର ବର୍ଣ୍ଣନା ଦିଆଯାଇଛି ।

 

ଷୋଡ଼ଶ ଛାନ୍ଦ — ଚିନ୍ତା ଭୈରବ ରାଗ । ୫୭ ପଦରେ ସଂପୂର୍ଣ୍ଣ ।

 

କଥାବସ୍ତୁ — ଦଶରଥ ନିଜର ଚାରିପୁତ୍ର ଏବଂ ବଧୂମାନଙ୍କ ସହିତ ନିଜ ଗୃହକୁ ଫେରିଲେ । ପଥରେ ରାମଚନ୍ଦ୍ର ପର୍ଶୁରାମଙ୍କର ଦର୍ପ ଦଳନ କରି ଅଯୋଧ୍ୟାରେ ପ୍ରବିଷ୍ଟ ହେଲେ ।

 

ଏହି ଷୋଳଛାନ୍ଦ ଖଣ୍ଡପଡ଼ାସ୍ଥ କୁମ୍ଭାରପଡ଼ାର ଜଣେ ବ୍ରାହ୍ମଣଙ୍କଠାରେ ରହିଥିଲା । ସେ ତାହା ବରପଲ୍ଲିର ଚିତ୍ରକାର ଜଣକୁ ବିକ୍ରୟ କରିଥିଲେ । ଏମନ୍ତ କି ପାଞ୍ଚଗଡ଼ର ଜଣେ ଓଡ଼ଚଷା ବୁଢ଼ା ତାହାର ଉତ୍ତରାକାରୀ ରହିଥିଲା । ସେ ତାହା କିପରି ପାଇଥିଲା, ତାର ଇତିହାସ ନାହିଁ । କିନ୍ତୁ ତାର ପୁଅର ପୋଥି ଖଟୁଳିରୁ ଦୁଇଟି ଖେଜା ଆକାରରେ ତାହା ମିଳିଥିଲା । ଯୋଗକୁ ଜଣେ ବ୍ରାହ୍ମଣ ତାହା କାଗଜରେ ଅଶୁଦ୍ଧ ଶୁଦ୍ଧ କରି ଉତୁରାଇଥିଲେ । କି ଦୁର୍ଯୋଗ, ମୂଳ ପୋଥି ଘର ପୋଡ଼ିରେ ମଧ୍ୟ ଦଗ୍‌ଧ ହୋଇଗଲା ।

 

କିନ୍ତୁ ହଠାତ୍ ଦେଖିଲି ରଣପୁରର ଜଣେ ପଣ୍ଡିତ ଗୋଟିଏ ବହି ଉକ୍ତ ଷୋଳ ଛାନ୍ଦରେ ପ୍ରକାଶ କରିଅଛନ୍ତି । ସାମାନ୍ୟ ସାମାନ୍ୟ ପ୍ରଭେଦ ଏ ସଂଗ୍ରହ ସହିତ ତାହାର ଦେଖାଯାଏ । ନରସିଂହପୁର ଘଣ୍ଟପଡ଼ାର ଏକ ପୁରାତନ ବୃଦ୍ଧ ପାଲାକାର କିନ୍ତୁ ଉକ୍ତ ଷୋଡ଼ଶ ଛାନ୍ଦ ମଧ୍ୟରୁ ଷଷ୍ଠ ଓ ସପ୍ତମ ଛାନ୍ଦର ପ୍ରାୟ ସମସ୍ତ ପଦ ମୁଖସ୍ଥ କରି ଗାଇପାରୁଥିବାର ଶୁଣି ତାହା ଜଣକଦ୍ୱାରା ମିଳାଇ ଦେଖିଲି କିଛି ଭେଦ ନାହିଁ । ଭିକାରୀ ନାମକ ନୂଆଗଡ଼ ଗଡ଼ର ଜଣେ ବ୍ୟକ୍ତି ମଧ୍ୟ କେତୋଟି ଛାନ୍ଦ ଛପାଇ ଅଶୁଦ୍ଧ ଭାବରେ ପ୍ରଚାର କରିବାର ଦେଖିଲି । ଏମନ୍ତ କି ଆଉ କେତୋଟି ଅଶୁଦ୍ଧ ଛାନ୍ଦ ଛପା ବହି ଥିବାର ମଧ୍ୟ ମୋ ଦୃଷ୍ଟିକୁ ଆସିଛି ।

 

ସଂପୂର୍ଣ୍ଣ ୫୨ ଛାନ୍ଦ କୌଣସିମତେ ସଂଗ୍ରହ କରି ହେଲା ନାହିଁ । ତେବେ ଏହା ପରେ ଯେଉଁ ଛାନ୍ଦଗୁଡ଼ିକ ମିଳିଅଛି ତନ୍ମଧ୍ୟରେ —

 

୧—ସୀତାଙ୍କୁ ହରାଇବା ପରେ ରାମଚନ୍ଦ୍ରଙ୍କ ଶୋକ ଏବଂ ବାଳୀବଧ । ଏହାର ରାଗ କାମୋଦି । ଏହା ୨୦ ପଦରେ ସଂପୂର୍ଣ୍ଣ । ଏହାର ମୂଳପଦ ‘ସଲକ୍ଷଣ ଲକ୍ଷଣ’ ।

୨—ସୁଗ୍ରୀବ ରାଜା ହୋଇ ମିତ୍ର ରାମଙ୍କୁ ଭୁଲିଯିବାରୁ ଲକ୍ଷ୍ମଣଙ୍କର କିସ୍କିନ୍ଧ୍ୟା ରାଜପୁରୀ ଗମନ । ଏହାର ରାଗ ଚୋଖୀ । ଏହା ୧୬ ପଦରେ ସଂପୂର୍ଣ୍ଣ । ଏହାର ମୂଳ ପଦ—‘ବନଜଜିତ ବରନ’ ।

୩—ଦୂତମାନଙ୍କ ସହିତ ହନୁମାନର ଲଙ୍କା ଯାତ୍ରା ବିବରଣ । ଏହାର ରାଗ ‘ରଣବିଜେ’ ହରି ଚଉତିଶା । ଏହା ୨୬ ପଦ ମାତ୍ର । ଏହାର ମୂଳ ପଦ ‘ମିତ୍ରକୁ ଏକାନ୍ତେ’ ।

୪—ସୀତା ଭେଟ । ରାଗ ରଣବିଜେ ଚଉତିଶା । ପଦ ୧୭, ଅସଂପୂର୍ଣ୍ଣ ଛାନ୍ଦ ।

୫—ହନୁମାନର ରାବଣକୁ କଟୂକ୍ତି । ରାଗ କାମୋଦି । ୧୦ ପଦରେ ଏ ଛାନ୍ଦ ସଂପୂର୍ଣ୍ଣ ହୋଇଅଛି । ଏହାର ମୂଳ ପଦ ‘ଦ୍ୟୁମଣିଙ୍କ ସମ୍ଭୂତ’ ।

୬—ହନୁମାନଙ୍କର ଲଙ୍କା ଦଗ୍‌ଧ । ରାଗ କୁମ୍ଭ କାମୋଦି । ଏହା ୩୫ ପଦରେ ସଂପୂର୍ଣ୍ଣ । ଏହାର ମୂଳ ପଦ ‘ବୁଧ ଶୁଦ୍ଧ ବୋଧ ଚରିତ ପ୍ରସିଦ୍ଧ’ ଅଟେ ।

୭—ରାମଙ୍କ ସୈନ୍ୟ ସିନ୍ଧୁ କୂଳରେ ପ୍ରବେଶ । ରାଗ ବଙ୍ଗଳାଶ୍ରୀ । ଏହା ୧୭ ପଦରେ ସଂପୂର୍ଣ୍ଣ । ମୂଳ ପଦ ‘ଦ୍ୱିଜବର ବରଚିତ୍ତ ସ୍ୱଭାବର’ ।

୮—ବିଭୀଷଣ ଶରଣ ବିବରଣ । ଏହା ୩୨ ପଦରେ ସଂପୂର୍ଣ୍ଣ । ରାଗ ବସନ୍ତ ଆହାରି । ମୂଳ ପଦ ‘ପୂର୍ବ ଦେବତା ଶର୍ବରୀ ଭର୍ତ୍ତା ଆଗେ ଦୂତ ବାର୍ତ୍ତା କଲା ପ୍ରକାଶ’ ।

୯—ଲଙ୍କାରେ ପ୍ରାଥମିକ ଯୁଦ୍ଧ ବିବରଣ । ରାଗ ଚୋଖୀ । ୧୦ଟି ପଦରେ ସଂପୂର୍ଣ୍ଣ । ଏହାର ମୂଳ ପଦ ‘କପିବଳଙ୍କ ପ୍ରବଳ ଚହଳ ଶୁଣି ଚପଳ’ ।

 

ରାମଚନ୍ଦ୍ରଙ୍କର ଯୌବରାଜ୍ୟ ଏବଂ ବନବାସ ବିବରଣକୁ ଯେବେ ୧୮ ଟି ଛାନ୍ଦ ବୋଲି ଧରାଯାଏ, ଯହିଁରେ ସୀତା ଠାବ ଯାଏ ଥିବାର ଅନୁମାନ କରାଯାଇପାରେ, ତେବେ ଲଙ୍କାର ଯୁଦ୍ଧ ଏବଂ ରାବଣବଧ ସାରି ରାମ ଅଯୋଧ୍ୟା ପ୍ରବେଶ କରି ରାଜ୍ୟ ଲାଭ ଯାଏ ୧୮ ଛାନ୍ଦ ହେଲେ, ଗ୍ରନ୍ଥଟି ୫୨ ଛାନ୍ଦରେ ଶେଷ ହେବା ସମ୍ଭବ କରାଯାଏ । କିନ୍ତୁ ଦୁଃଖର ବିଷୟ ସେସବୁ ହଠାତ୍ ମିଳିପାରିଲା ନାହିଁ । ଅଥବା ମିଳିବା ମଧ୍ୟ ଅସମ୍ଭବ ହୋଇପାରେ । ଏହି ୮ଟି ଛାନ୍ଦ ମଧ୍ୟରୁ ପାଲାକାରମାନେ କେତୋଟିର ବହୁପଦ ନିରନ୍ତର ଗାଉଥିବାର ଶୁଣାଯାଏ । ତେଣୁ ‘‘ପୂର୍ବ ଦେବତା ଶର୍ବରୀଭର୍ତ୍ତା ଆଗେ ଦୁତ ବାର୍ତ୍ତା କଲା ପ୍ରକାଶ” ବା ‘ସଲକ୍ଷଣ ଲକ୍ଷଣ’ ଏ ପଦଗୁଡିକ ଏତେ ଲୋକପ୍ରିୟ ଏବଂ ପ୍ରଚାରିତ ଯେ ସାଧାରଣତଃ ସହସ୍ର ଜନ ତୁଣ୍ଡରୁ ସେସବୁ ଶୁଣା ଯାଇଥାଏ । ବାସ୍ତବିକ କବି ଯଦୁମଣିଙ୍କ ରାଘବ ବିଳାସର ବହୁ ଅଂଶ ନ ମିଳୁଥିଲେହେଁ ଏହି ଗୋଟେ ଦୁଇଟି ଛାନ୍ଦରେ ଯେ ସେ ଅମର ହୋଇ ରହିଛନ୍ତି, ଏଥିରେ ସନ୍ଦେହ ନାହିଁ ।

 

ଏହି ଗ୍ରନ୍ଥର ପ୍ରଥମାଂଶ ପ୍ରତି ଜନସମାଜର ଯେତେ ଆଗ୍ରହ ଥିବାର ଦେଖା ନ ଯାଏ ଶେଷାଂଶ ପ୍ରତି ତାର ଦଶଗୁଣ ଅଧିକ ଆଗ୍ରହ ଥିବାର ଆମେ ଜାଣିଥାଉଁ । ତେଣୁ ମନେ ହୁଏ କବିତ୍ୱର ଶେଷାଂଶ ଅତି ମୂଲ୍ୟବାନ ଏବଂ ଲୋକପ୍ରିୟ ଥିଲା ।

 

କବିଙ୍କର ଏ ଗ୍ରନ୍ଥଟିର ସମସ୍ତ ଅଂଶ ନ ମିଳିପାରିଲା ବୋଲି ଯେ ତାଙ୍କ ଜ୍ଞାନଗରିମାର ପରିଚୟ ଯେତିକି ମିଳିଛି ତହିଁରୁ ତାହା ବୋଧଗମ୍ୟ ହେଉନି, ସେପରି କେବେ ନୁହେଁ । କାରଣ ‘ପୂର୍ବ ଦେବତା’ ଆଦ୍ୟରେ ଲେଖାଥିବା ଛାନ୍ଦ ଗୋଟିକ ଥିଲେ ମଧ୍ୟ ଆମେ ତାଙ୍କର ଶାଶ୍ୱତ ପ୍ରତିଭା ସେଇଥିରୁ ପାଇଥାନ୍ତୁ ।

 

ଯେବେ ନ ମିଳୁଥିବା ଛାନ୍ଦଗୁଡିକ କେଉଁଠି କାହାଠି ଥାଏ, ଆଉ ଗୋପନ ନ କରି ପ୍ରକାଶ କରିଦେବା ବିଜ୍ଞତାର କାର୍ଯ୍ୟ ହେବ । କିନ୍ତୁ ଏକଥା ଶୁଣିବ କିଏ ? ଯେଉଁମାନଙ୍କଠାରେ ଏସବୁ ଥିବ ସେ ଘରପୋଡ଼ିରେ ନଷ୍ଟ କରି ଦେବେ ପଛକେ ଛୁଆଁଇ ଦେବେ ନାହିଁ । ଜଣେ ଭଦ୍ରବ୍ୟକ୍ତି ସ୍କୁଲ ମାଷ୍ଟର ନୟାଗଡ଼ର ଇତିହାସ ପାଖରେ ରଖିଅଛନ୍ତି । ମତେ ସାକ୍ଷାତରେ କହିଲେ — ‘‘ଯାହା ଆପଣ ପଚାରିବେ ମୁଁ ତାହା ଲେଖି ପଠାଇଦେବି” । ୧୦।୧୨ ଥର ଚେଷ୍ଟା କଲି — ନାନା ସୁତ୍ରରେ । ତା ସେ କେବେ ଦେଲେ ନାହିଁ । ଯେପରି ନୂଆଗଡ଼ ରାଜବଂଶର ଇତିହାସ ଘେନି ସେ କ’ଣ ଗୋଟାଏ କରି ପକାଇବେ । ଏଇ ତ ଆମ ଶିକ୍ଷିତଙ୍କ ମତିଗତି ।

 

ପଲ୍ଲୀ ଗାଆଁର ପାଲାକାର, ଛାନ୍ଦ ଗାୟକ, ଠୁଣୁଠୁଣୁକିଆ ପଣ୍ଡିତ ତାଙ୍କ ପାଣ୍ଠି କେବେ କାହାକୁ ଦେଖାଇଦେବେ ? ଏ ଦେଶର ଏପରି ବହୁ ଦୁର୍ମୂଲ୍ୟ ଗ୍ରନ୍ଥ ନଷ୍ଟ ହେଲାଣି । ଏପରି କି ଏବେ ମଧ୍ୟ ହେଉଛି । ସେମାନେ ଛୁଆଇଁଦେବା ଦୂରେ ଥାଉ ଦେଖାଇ ଦେବେନି । ଏପରି ପୋଥି ଲୁଚେଇ ରଖିଥିବା ବ୍ରାହ୍ମଣମାନଙ୍କୁ ଏ ଦିଗରେ ଅନେକେ ଗାଳି ଦେଇଥାନ୍ତି । ଏବେ ପଣ୍ଡିତ ବିନାୟକ ମିଶ୍ରଙ୍କ ସହିତ ଦିନେ ସାକ୍ଷାତ ହେଲା । ଶୁଣିଲି ପଣ୍ଡିତ ମହାଶୟ ରାଘବ ବିଳାସରୁ ୩୭ ଛାନ୍ଦ ପାଇଛନ୍ତି ଏବଂ ତାହା ପ୍ରକାଶିତ କରିବା ଇଛାରେ ଅଛନ୍ତି । ଏହା ଏକ ସୁସମ୍ବାଦ । ମୁଁ ଦେଖିଲି ଗାଁ ଗହଳର କି ବ୍ରାହ୍ମଣ, କି ପାଏକ, କି ଚଷା, କି କରଣ, କି ଗୋପାଳ ସମସ୍ତେ ଲୋପ କରିଦେବେ ପଛେ, ତାଙ୍କ ନିକଟରେ ଥିବା ପୋଥି, ଖେଜା କାହାକୁ ଦେଖାଇ ଦେବେ ନାହିଁ । ଅଶିକ୍ଷା, କୁସଂସ୍କାର ସମୁଦାୟ ଦେଶର ପ୍ରତି ସ୍ତର ମାଡ଼ିବସିଛି । କେତେକ ଅତି ଶିକ୍ଷିତ ଯେ ଏଥିରୁ ସ୍ୱତନ୍ତ୍ର, ତା ମଧ୍ୟ ବିଶ୍ୱାସ କରି ହୁଏନି । ସମ୍ବଲପୁରର ଏକ ପ୍ରାଚୀନ ଇତିହାସ ଜଣେ ଅତି ଉଚ୍ଚଶିକ୍ଷିତ ବ୍ୟକ୍ତି ନିଜେ ଲେଖିବେ ବୋଲି କାହାକୁ ଦେଖାଇ ଦେଲେନି କି ନିଜେ ଲେଖିଲେ ନାହିଁ-। ସେ ମଲେ, ତାଙ୍କ ସାଥିରେ ସେ ଇତିହାସ ମଧ୍ୟ ଲୁଚିଗଲା । ବହୁକଷ୍ଟରେ ରାତି ରାତି ମୁଁ କପି କରି ଆଣିଲି ।

 

ମୁଁ ନିଜେ ଦେଖିଛି ଖଣ୍ଡପଡ଼ାର ଜଣେ ପଣ୍ଡିତ ବାଣୀଭୂଷଣ ଯେ କି ସକାଳୁ ନିତ୍ୟକର୍ମ ସାରିଦେଇ ବିନା ଶୁଳ୍‌କରେ ବିଦ୍ୟା ଦାନ ଦେବାକୁ ଦୁଆର ଦୁଆର ତାଙ୍କ ଜୀବ ଥିବାଯାଏ ବୁଲନ୍ତି, ତାଙ୍କର ଏ ଅନୁକମ୍ପାକୁ ଲୋକେ ମୂର୍ଖତା ଦୋଷରୁ ପରିହାସ କରି ଆଜି ଏପରି ହୋଇ ପଡ଼ିଛନ୍ତି ଯେ, ଯେଉଁଠି ସଂସ୍କୃତ ବିଦ୍ୟାର କେନ୍ଦ୍ର ଥିଲା, ପାଞ୍ଚ ପଚିଶ ମହାନ ପଣ୍ଡିତଙ୍କୁ ଘେରି କରଣ, ମାଳୀ, ଚଷା ମଧ୍ୟ ବ୍ରାହ୍ମଣଙ୍କ ସହିତ ନ୍ୟାୟ, ତର୍କ, ଜ୍ୟୋତିଃଶାସ୍ତ୍ର ଚର୍ଚ୍ଚା କରୁଥିଲେ, ଆଜି ଖୋଜିଲେ ସେଠାରେ ଜଣେ ମଧ୍ୟ ମିଳିବେ ନାହିଁ । ଯେ ଜଣେ ଅଧେ ଅଛନ୍ତି ସେ ମଧ୍ୟ ଅବହେଳିତ ।

 

ସେ କାଳ ପଣ୍ଡିତ ଥିଲେ କ’ଣ ? ପୁଣି ଏବର ଐତିହାସିକ, ସାହିତ୍ୟକ, ପ୍ରତ୍ନତତ୍ତ୍ୱଜ୍ଞ, ଆଦି ପଣ୍ଡିତଙ୍କୁ ସଂଶୟ ମୋଚନ ଲାଗି ପାଞ୍ଚଖଣ୍ଡ ଚିଠି ଲେଖିଲେ, ନୂଆ ପାଞ୍ଚପଇସା ଖର୍ଚ୍ଚ କରିବାକୁ ସେ ଅପମାନ ମଣୁଛନ୍ତି । ଶାସ୍ତ୍ର, ଜ୍ଞାନ, ନୀତି, ଧର୍ମ ଏସବୁ ସହଜଲଭ୍ୟ ନ ହେଲେ ଆପେ ଆପେ ଲୁପ୍ତ ହୋଇଯାଏ । ଏଠାରେ ତାହା ହିଁ ହେଉଛି ।

 

ଯଦୁମଣିଙ୍କର ଚଉପଦୀ କେତେ ଥିଲା କହିହେବ ନାହିଁ । ଅଥଚ ମୁଁ ବହୁ କଷ୍ଟରେ ସେଥିରୁ ମୋଟେ ୩୦ ଗୋଟି ସଂଗ୍ରହ କରିପାରିଲି । ଓହୋ ! ସେ ସଂଗ୍ରହରେ ମୁଁ ଏପରି ଭାବରେ ଏକ ହୃଦୟହୀନ ଲୋକର ଦ୍ୱାରସ୍ଥ ଦଶ ପଚିଶ ଥର ହୋଇ ନିରସ୍ତ ହେଲି । ସେ ମୋଠୁ ମୁଁ ତାଙ୍କ ରାଜ୍ୟର ଦେବୋତ୍ତର ମାନେଜର ହେତୁ ଏକ ଉପକାର ଯାଚଞ୍ଜା କଲେ । ତାହା ମଧ୍ୟ ମୁଁ କରିଦେଲି-। ଦେଖିଲି ସେ ପୁଣି ମତେ ଠକିଲେ । ଇଚ୍ଛା କରିଥିଲେ ମୁଁ ତାଙ୍କୁ ଯେଉଁ ସୁବିଧା କରି ଦେଇଥିଲି, ତାହା ଖାରଜ କରିଦେଇ ପାରିଥାନ୍ତି । କିନ୍ତୁ ସେପରି ଅନୈତିକତା ମତେ କରି ଆସେନି-। ଲଜ୍ଜାରେ ମୁଣ୍ଡ ତଳକୁ ହେଲା । ପାଠକ ତାଙ୍କର ନାମଟି ଜାଣିବାକୁ ଇଚ୍ଛା କରି ପାରନ୍ତି । ସେ ନରସିଂହପୁର କୋକଳବା ଗ୍ରାମର ପ୍ରଖ୍ୟାତ ଗାୟକ ଜଣେ ଶାସନୀ । ସେ ତ ଦେଲେ ନାହିଁ, ଭାବିଲି ତେବେ ଏ ସଂଗ୍ରହରେ କ’ଣ ଚଉପଦୀ ବା ଖଣ୍ଡଗୀତି ଏକାବେଳେ ଅଭାବ ରହିଯିବ ? ଏପରି ଦୁଶ୍ଚିନ୍ତାରେ ଅଛି, ଗୋଟିଏ ତରୁଣ କୃଷକ ସନ୍ତାନ ମୋର ଏ ବୈକଲ୍ୟ ଅନୁଭବ କରି ଜଣେ ପ୍ରବୀଣ ପାଲାକାରଙ୍କଠାରୁ ସେ ଏପରି ନିଗୂଢ଼ ଚେଷ୍ଟାକଲା, ଯାହା ଫଳରେ ମୁଁ ଆଶାନୁରୂପ ଚଉପଦୀ ତାହାଠୁ ପାଇଗଲି । ଏଥିରେ ଜଣେ ମୂର୍ଖ ନାରୀ ପୋଥିଟିକୁ ସେ ତରୁଣକୁ ଗୋପନରେ ଦିଅନ୍ତି, ପୁଣି ତାହା ସୁବିଧା ଦେଖି ଫେରସ୍ତ ନିଅନ୍ତି। ଏପରି ତିନି ଦିନରେ ସେ ଶ୍ରଦ୍ଧାସ୍ପଦ ଯୁବାଟି କାଗଜରେ ଲେଖି ମତେ ଯେପରି ଏହା ଯୋଗାଇଛନ୍ତି, ତାହା ଭୁଲିବାର ନୁହେଁ । ବହିରେ ଚୌପଦୀ ଅଂଶ ଛପା ସରିବା ପରେ ଆଉ ୨୦ ଟି ଯାଏ ଗୋଟିଏ ସ୍ଥାନରେ ଥିବାର ମୁଁ ସନ୍ଧାନ ପାଇଲି । ସେ ସବୁ ଏହି ସଂସ୍କରଣରେ ଦିଆଯାଇ ପାରିଲା ନାହିଁ । ଦ୍ୱିତୀୟ ମୁଦ୍ରଣରେ ଯୋଗ କରାଯିବ ।

 

ଏଇ ହେଲା ସତ୍ୟ ସଂଗ୍ରହର ଇତିହାସ । ପ୍ରକୃତ ରଚନା ପ୍ରକାଶ କରିବା ଲାଗି ଚେଷ୍ଟା ନ କରି କେବଳ ଭୂମିକା ଲେଖି ଅଥବା ନିଜର ଶୁଷ୍କ ପ୍ରାଧାନ୍ୟଦ୍ୱାରା ଯାହା ଆମେ କରିଯିବା ତା ଦିନେ ନିଶ୍ଟୟ ଆମ ଯୋଗ୍ୟ ସନ୍ତାନଙ୍କଦ୍ୱାରା ଫିଙ୍ଗା ହେବ, ଏହା ମୋର ବିଶ୍ୱାସ । ଏପରି ଯେତେ ଠକେଇତି କାମ ହୋଇଛି, ସେସବୁ ମାଟିରେ ମିଶିଯାଇଛି । କିନ୍ତୁ ଯାହା ମଣି ପରି ସମୂଜ୍ଜ୍ୱଳ ତାହା ଯେତେ ଲୁଚିଥିଲେହେଁ ଦିନେ ନିଜ ଜ୍ୟୋତିରେ ପ୍ରକାଶିତ ହୋଇଯିବ । ଅଢ଼େଇ ହଜାର ବର୍ଷ ତଳର ବୁଦ୍ଧ ପୁଣି ଚେଇଁ ଉଠିଛନ୍ତି । ବିଶ୍ୱଜଗତ ଅଶୋକଙ୍କ ଅନୁଶାସନ ପଢ଼ି ବିସ୍ମିତ ହେଉଛି — ଓହୋ ! କି ମନସ୍ୱିତା ସେହି ମହାନ ବ୍ୟକ୍ତିଙ୍କଠାରେ ରହିଥିଲା । ଯେ ଏତେବଡ଼ ସଂଭ୍ରାନ୍ତ ଆସନରେ ବସି ଲେଖିଛନ୍ତି — ଲିପିକାର ପ୍ରମାଦରୁ ବା ରଚନା ଦୋଷରୁ ଏବଂ ଶୁଣିବା ବୁଝିବା ଗଲତିରୁ ମୋର ଏ ଅନୁଶାସନରେ ପ୍ରମାଦ ରହିପାରେ କିନ୍ତୁ ମୋର ନୁହେଁ । ବାସ୍ତବିକ ତାଙ୍କର କି ହୃଦୟବତ୍ତା, କି ଦୁରଦର୍ଶିତା ନ ଥିଲା ।

 

ସେ ଯାହାହେଉ — ରାଘବ ବିଳାସର ଯେଉଁ ୨୪ଟି ଛାନ୍ଦ ସଂଗୃହୀତ ହୋଇଛି ତାହା ଏପରି ଅସଂବଦ୍ଧ ଥିଲା ଯେ ତାହାକୁ ଶୃଙ୍ଖଳାକୁ ଆଣିବାକୁ ବହୁତ କଷ୍ଟ ସ୍ୱୀକାର କରିବାକୁ ହୋଇଛି-। ପୁନଶ୍ଚ ପାଠାନ୍ତର ଏତେ ଅଧିକ ଯେ କେଉଁଟି ଠିକ ଧରିବା ସହଜ ହୁଏ ନାହିଁ । ଧରାଯାଉ ଗୋଟିଏ ଗୋଟିଏ ପଦକୁ ପାଞ୍ଚ ପ୍ରକାର କରି ବିଭିନ୍ନ ସଂଗ୍ରହସ୍ଥଳୀରୁ ମିଳିଛି । ଗୋଟିଏ ସରଳ ପଦକୁ ନଜିରରୂପେ ଦେଲେ ତାହା ସହଜରେ ଜଣାଯିବ ।

 

‘ନାରୀ ବିହୀନେ ବାରିଧି ଝାସେ ତନୁ ନାଶିବ ବୋଲି ଆସିଥିବ’ । ଏହାକୁ ବିଭିନ୍ନ ପାଲାକାର ତଳ ଲେଖାନୁସାରେ କିପରି ପଢ଼ନ୍ତି ଦେଖାଯାଉ—

 

ନାରୀ ବିହୀନେ ବାରିଧିନାଶେ ତନୁ ଝାସିବା ଇଚ୍ଛି ଆସିଥିବ,

ନାରୀ ବିହୀନେ ବାରିଧିନୀରେ ତନୁ ଝାସିବ ବୋଲି ଆସିଥିବ ।

 

ନାରୀ ବିହୀନେ ବାରିଧି ନାଶେ ତନୁ ଝାସିବା ଆଶେ ଆସିଥିବ,

ନାରୀ ବିହୀନେ ବାରିଧୀନୀରେ ତନୁ ନାଶିବା ଆଶେ ଆସିଥିବ ।

 

ଏଥିରୁ କେଉଁଟି ଯେ କବି ଲେଖିଥିଲେ ସ୍ଥିର କରିବା ମୁସ୍କିଲ୍ ।

ନାଶେ, ଝାସେ, ନୀରେ, ପୁନଶ୍ଚ ଝାସିବା ଇଚ୍ଛି, ନାଶିବ ବୋଲି, ଝାସିବ ବୋଲି, ଝାସିବା ଆଶେ, ନାଶିବା ଆଶେ ଇତ୍ୟାଦି ପ୍ରୟୋଗ ମଧ୍ୟରୁ — ‘ନାରୀ ବିହୀନେ ବାରିଧି ଝାସେ ତନୁ ନାଶିବ ବୋଲି ଆସିଥିବ’ ପ୍ରୟୋଗ ଯୁକ୍ତିଯୁକ୍ତ ବୋଲି ମନେ ହେଉଛି । ପଣ୍ଡିତ ବିନାୟକ ମିଶ୍ର ତାଙ୍କର ଏକ ପ୍ରବନ୍ଧରେ ଏହାହିଁ ଲିପିବଦ୍ଧ କରିଛନ୍ତି । ତା’ଛଡ଼ା ଏପରି ଲିପି ମଧ୍ୟ ଏକ ତାଳପତ୍ର ଖେଜାରୁ ମିଳିଅଛି ।

 

ଏହାଛଡ଼ା ତାଙ୍କ ବିଭିନ୍ନ ରଚନାରେ ପ୍ରମାଦ ଶତ ଶତ ଯେପରି ଥିଲା ତାହା ମଧ୍ୟରୁ ଗୋଟିଏ ମାତ୍ର ଉଦାହରଣ ଦେଲେ ଜଣାଯିବ ଯେ, ପ୍ରକୃତ ରଚନା କିପରି ଭାବରେ ଭ୍ରଷ୍ଟ ହୋଇ ଯାଇଥିଲା । ଗୋଟିଏ ଛପା ବହିରେ ଏ ଚଉପଦୀଟି ଥିଲା—

 

 

ଓଜଶୀଳ ଭୁଜ ଗଜ ଜୀବନ ହରଣେ ଗଜ

ଅର୍ପଣ କଲ କୃପଣ ନୋହି

ଜଳ ଗ୍ରହଣେ କୁମ୍ଭୀର ମଳଗ୍ରହଣେ କୁମ୍ଭୀର

ରକ୍ଷା କଲ ସିନା କକ୍ଷା ବହି ହେ ମହାପ୍ରଭୁ !

 

କିନ୍ତୁ ଏହାର ଅର୍ଥ କିପରି ଲୋକେ ସମଝିଲେ ମୁଁ ଜାଣେନି । ମୁଁ ଶତ-ଚେଷ୍ଟାରେ ବ୍ୟର୍ଥ ହୋଇଥିଲି । ହଠାତ୍ ପୋଥିରୁ ପଦ୍ୟଟି ପାଇଯିବାରୁ ସମଝିଲି ।

 

ଓଜଶୀଳ ଭୋଜଗଜ ଜୀବନ ହରଣେ ତେଜ

ଅର୍ପଣ କଲ କୃପଣ ନୋହି

ଗଭୀର ଜଳେ କୁମ୍ଭୀର ଗଳ ଗ୍ରହଣେ କୁମ୍ଭୀର

ଜୀବ ରକ୍ଷାକଲ କକ୍ଷା ବହି ହେ ।

 

ବିଶେଷରେ ଯଦୁମଣି ତାଙ୍କର କବିତାମାନ ଲେଖନ ତାଳପତ୍ରରେ ଲେଖିଥିଲେ । ସେ ଏକା କାହିଁକି ତାଙ୍କର ସମସାମୟିକ ଏମନ୍ତ କି ତାଙ୍କ ପୂର୍ବଜ ଭଞ୍ଜ, ଦୀନକୃଷ୍ଣ, ସାମନ୍ତସିଂହାର ଆଦି ସମସ୍ତଙ୍କର ତାଳପତ୍ର ଓ ଲେଖନ ହିଁ ଲେଖିବାର ଏକମାତ୍ର ଆଧାର ରହିଥିଲା । ଏବ କଥା—୧୯୧୯ ଯାଏଁ ତାଳପତ୍ର ଓ ଲେଖନ ପାଠ ଲେଖି ଶିଖିବାକୁ ଗଡ଼ଜାତ ଅଞ୍ଚଳ ସ୍କୁଲରେ ମଧ୍ୟ ଚଳୁଥିଲା । ସେ ଅଭ୍ୟାସ ଶିଶୁମାନଙ୍କରଠାରେ ହସ୍ତକର୍ମ୍ମ ଭାବରେ ରଖାଯାଇଥିଲା । ଇଂରେଜ ଆସିବା ପୂର୍ବରୁ କାଗଜର ପ୍ରଚଳନ ହୋଇଥିଲେହେଁ, ତାହା ରାଜକୀୟ ଭାବରେ ସ୍ୱଳ୍ପ ମାତ୍ର ଥିଲା । ଯେଉଁ ଗଜପତି ହରେକୃଷ୍ଣ ଦେବ ହରେକୃଷ୍ଣପୁର ଶାସନ ବସାଇଥିଲେ (୧୭୨୫), ତାଙ୍କ ପୁତ୍ର ଗୋପୀନାଥ ଦେବ କାଗଜରେ ଯେଉଁ ସନନ୍ଦ ଲେଖିଥିଲେ ତାହା ମଧ୍ୟ ମୋଠାରେ ରହିଛି । ବୋଧ ହୁଏ ତା ପୂର୍ବରୁ ଓଡ଼ିଶାରେ ମଧ୍ୟ କାଗଜର ପ୍ରଚଳନ ରହିଥିଲା । କିନ୍ତୁ ସର୍ବତ୍ର ଲେଖନ ତାଳପତ୍ର ଥିଲା ପତ୍ର ଏବଂ ମସୀ । ବନ୍ଦୋବସ୍ତର ଭଉଁରିଅମାନ ୧୮୯୬ ବନ୍ଦୋବସ୍ତରେ ତାଳପତ୍ରରେ ଲେଖାଥିବାର ପ୍ରମାଣ ଏବେ ମଧ୍ୟ ଅଛି । ତେଣୁ କାଗଜ ସର୍ବବ୍ୟାପକ ହୋଇ ପାରି ନ ଥିଲା ।

 

ଯଦୁମଣି ମହାପାତ୍ର ୧୮୬୬ ମସିହାରେ ସ୍ୱର୍ଗାରୋହଣ କରିଥିଲେ । ସେ ବଞ୍ଚିଥିବା ଯାଏ କାଗଜ କଲମ ପ୍ରତି ଆଦର କରି ନଥିଲେ । କାରଣ ତାଙ୍କର ପରବର୍ତ୍ତୀ ରମନା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ତାଳପତ୍ର ପୋଥିରେ ଲେଖାହୋଇ ରହିଛି । ସେ ମଧ୍ୟ ସୁନ୍ଦର ଭାବେ ତାଳପତ୍ରରେ ଲେଖିପାରୁଥିଲେ । ଏହି ତାଳପତ୍ର ଲେଖିବା ବିଧି ମଧ୍ୟ ପ୍ରତି ଓଡ଼ିଆ ଘରେ ଦଶହରା ଦିନ ୧୦ ବର୍ଷ ତଳେ ହେଉଥିଲା । ଏବେ ଅନେକ ଅଛି ।

 

ଏବେ ସ୍ୱାଧୀନତା ପାଇବା ପରେ ତାଳପତ୍ର ଯାତକ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର, ଅଙ୍କ, ଶ୍ରୀ ଶୁଭମସ୍ତୁ, ନିମନ୍ତ୍ରଣ ପତ୍ରିକା, ଚିଟୋଉ, ଘଣ୍ଟାକର୍ଣ୍ଣ ରକ୍ଷାମନ୍ତ୍ର ଆଦିକୁ ଅସଭ୍ୟତାର ଦୃଷ୍ଟାନ୍ତ ବୋଲି ଲୋପ କରି ଦିଆଗଲାଣି । ସଭ୍ୟତା ତା ବଦଳରେ କ’ଣ ଆସିଲା ଜାଣି ହେଉନି । ଏଥିରୁ କେହି ତାର୍କିକ ନ ବୁଝନ୍ତୁ ଯେ ଲେଖକ ଏ ସ୍ଫୁଟ୍‌ନିକ୍ ବା ମନୁଷ୍ୟର ଶୂନ୍ୟମଣ୍ଡଳ ପରିକ୍ରମା ଯୁଗରେ ତାଳପତ୍ର କୁଡ଼ିଆକୁ ଫେରିଯିବାକୁ ସଭ୍ୟତା ମନେ କରୁଛନ୍ତି । ଉଦ୍ଦେଶ୍ୟ ଆମର ସମୂଜ୍ଜ୍ୱଳଅତୀତର ସେହି ସେହି ସୁନ୍ଦର କୃଷ୍ଟି ଓ ସଂସ୍କୃତିମାନ ଏପରି ଅବହେଳାରେ ଫିଙ୍ଗିଦେବା କାହିଁକି ?

 

ସେ ଯାହାହେଉ ଯଦୁମଣି ମହାପାତ୍ର ତାଳପତ୍ରରେ ତାଙ୍କ ଗ୍ରନ୍ଥ ଲେଖିଥିଲେ । ତାହା କିଏ କିମିତି ଶ୍ରଦ୍ଧାରେ ଛାନ୍ଦେ ଅଧେ ଲେଖି ନେଇଥିଲେ—ତାଳପତ୍ରରେ । ରାଜବାଟୀ ପୋଡ଼ିରେ ତାଳପତ୍ର ପୋଥି ପୋଡ଼ିଗଲା । ମହାପାତ୍ରଙ୍କ କୃତି ମଧ୍ୟ ଅଧା ତିନିପାଆ ପୋଡ଼ିଗଲା ।

 

ବଡ଼ ସୁଖର ବିଷୟ ଯେ—ପ୍ରଖ୍ୟାତ ଐତିହାସିକ ପଣ୍ଡିତ ବିନାୟକ ମିଶ୍ର ରାଘବ ବିଳାସ ସମ୍ବନ୍ଧରେ ତାଙ୍କର ମତାମତ ଦେବାକୁ ଯାଇ ଠାଏ ଲେଖିଛନ୍ତି—

‘‘ଶ୍ଲେଷାଳଙ୍କାରର ଆଡ଼ମ୍ବର ନ ରଖି ଦୈନନ୍ଦିନ ଭାଷା ବ୍ୟବହାର କଲେ ମଧ୍ୟ ପରିହାସ ପ୍ରଭୃତି କଥାରେ ଚାତୁରୀ, ରଚନାରେ କି ପ୍ରକାର ଫୁଟିପାରେ, ତାହା ମଧ୍ୟ ଯଦୁମଣି ଦେଖାଇଛନ୍ତି । ଯେତେବେଳେ ରାବଣ ପାରିଷଦଗହଣରେ ବସିଥିଲା ସେତେବେଳେ ରାମ ସାଗରକୂଳରେ ପହଞ୍ଚିବାର ସମ୍ବାଦ ଦୂତ ଦେଲା । ତାହା ଶୁଣି ରାବଣ ଯାହା କହିଲା ତହିଁର ପ୍ରତ୍ୟୁକ୍ତି ବିଭୀଷଣ ମୁଖରୁ ‘‘ରାଘବ ବିଳାସ” ରେ ଯଦୁମଣି ଶୁଣାଇଅଛନ୍ତି—

ପୂର୍ବ ଦେବତା ଶର୍ବରୀ ଭର୍ତ୍ତା ଆଗେ

ଦୂତ ବାତ୍ତା କଲା ପ୍ରବେଶ

ଅଶୋକ ବନେ ସଶୋକେ ଥିବା ବଧୂ−

ବନ୍ଧୁ ସିନ୍ଧୁ କୂଳେ ପ୍ରବେଶ ।

ହାସ୍ୟ ରସରେ —

ଭାସି ବୋଲଇ ଦଶଗ୍ରୀବ

ନାରୀ ବିହୀନେ ବାରିଧି−ଝାସେ ତନୁ ନାଶିବ ବୋଲି ଆସିଥିବ ।

ବଦତି ଅନୁଜ ପବନ ତନୁଜ ଆଗମନୁ ଯାଇଛି ଦେଖା

ଟେକିଲା ଗାତ୍ର ସେ ଗୋତ୍ରାନ୍ତକ ଜିତ କୋପେ ପ୍ରଜ୍ୱଳି ଅଗ୍ନିଶିଖା ।

କମ୍ପି ଲଙ୍କେଶ

ତହି ଅନାଇଲା ନିନ୍ଦନେ

ପ୍ରଶସ୍ତ ମସ୍ତକେ ହସ୍ତେ ନ୍ୟସ୍ତ କରି ବିହିଲା ଏ ଭାଷା ଚନ୍ଦନେ ।

ଅଶୋକ ବନରେ ଶୋକରେ ଥିବା ବଧୂର ସ୍ୱାମୀ ସିନ୍ଧୁକୂଳରେ ପହଞ୍ଚିବାର ବାର୍ତ୍ତା ଦୁତ ପହଞ୍ଚାଇବାରୁ ଅସୁର କୁଳଚନ୍ଦ୍ର (ପୂର୍ବଦେବତା—ଶର୍ବରୀଭର୍ତ୍ତା) ରାବଣ କହିଲା, ‘ପତ୍ନୀ ବିଚ୍ଛେଦଜନିତ ଶୋକ ହେତୁରୁ ସମୁଦ୍ର ଗର୍ଭରେ ଝାସ ଦେବାକୁ ଆସିଥିବ ।’ ବିଭୀଷଣ (ରାବଣଅନୁଜ) କହିଲା ‘‘ହନୁମାନ ଆସିବା ଦିନରୁ ତାହା ଜଣା ପଡ଼ିଲାଣି ।”

ଯେ କାପୁରୁଷ, ସେ ଲାଞ୍ଛନା ସହି ନ ପାରି ଆତ୍ମହତ୍ୟା କରେ । ବୀର ପୁରୁଷ ଲାଞ୍ଛନାର ପ୍ରତିଶୋଧ ନେବାପାଇଁ ଅକ୍ଲାନ୍ତ ଭାବରେ କର୍ମ କରେ । ଛାର ମାଙ୍କଡ଼ଟାଏ ଯାହାର ଦୂତ ହୋଇ ଲଙ୍କା ଛାରଖାର କରିଦେଲା, ତାହାକୁ କାପୁରୁଷ ମଣି ସେ ସମୁଦ୍ରରେ ଝାସ ଦେବା ପାଇଁ ଆସିଥିବ ବୋଲି ଅନୁମାନ କରିବା ଅବିବେକିତାର ପରିଚୟ—ଏହା ବିଭୀଷଣ ରାବଣକୁ ଚେତାଇ ଦେଲା । ଏଥିରେ ରାବଣର କ୍ରୋଧ ଜାତ ହେଲା ।

 

ଭାଷା ଚାତୁରୀ କବି ପ୍ରତିଭାର ବଡ଼ ଲକ୍ଷଣ । ଏହାର ବିକାଶ ପାଇଁ ଆଳଙ୍କାରିକମାନେ ଏହାର ଶ୍ରେଣୀ ବିଭାଗ କରନ୍ତି । ଭାଷା ଚାତୁରୀକୁ କେହି ସୀମାବଦ୍ଧ କରି ନ ପାରେ । ବିଭୀଷଣ ଶରଣ ପଶିବା ଉତ୍ତାରୁ ରାବଣକୁ ମାରି ବିଭୀଷଣକୁ ଲଙ୍କାର ରାଜତ୍ୱ ଦେବେ ବୋଲି ରାମ ଶପଥ କରିବାରୁ ସୁଗ୍ରୀବ ଓ ରାମଙ୍କ ମଧ୍ୟରେ ଘଟିଥିବା ପ୍ରଶ୍ନୋତ୍ତର ଯଦୁମଣି ‘ରାଘବ ବିଳାସ’ରେ କିପରି ବର୍ଣ୍ଣନା କରି ଅଛନ୍ତି, ତାହାହିଁ ଭାଷା ଚାତୁରୀର ଅନ୍ୟ ଏକ ଉଦାହରଣ ।

 

କହେ ମିତ୍ର ପୁତ୍ର            ହୋଇଲା ବିଚିତ୍ର

ଚିତ୍ରଭାନୁ କୁଳାମ୍ବ ଜକୁ

ସମର୍ପି ଜନକ−ତନୁଜା କନକ−

ମହୀନ୍ଦ୍ର ଚରଣାମ୍ବ ଜକୁ

କଲେ ଆଶ୍ରିତ

କି ହେବ ଶ୍ରବଣେ ରାଘବ,

ଭଣିଲେ ଜାଣିବା            ବିହି ବିହି ନାହିଁ

ରାଜ୍ୟ ଭ୍ରଷ୍ଟ କଷ୍ଟ ଲାଘବ ।

 

ସୁଗ୍ରୀବ (ମିତ୍ରପୁତ୍ର— ସୂର୍ଯ୍ୟପୁତ୍ର) କହିଲେ— ‘‘ସୂର୍ଯ୍ୟବଂଶର ପଦ୍ମସ୍ୱରୁପ (ଚିତ୍ର ଭାନୁକୁଳ ମ୍ବୁଜ) ଆପଣଙ୍କ ପକ୍ଷରେ ଏ ଶପଥ ବଡ଼ ବିଚିତ୍ର ଅଟେ । କାରଣ ଆପଣ ଭାବି ଚିନ୍ତି ଏ ଶପଥ କରିନାହାନ୍ତି । ସ୍ୱର୍ଣ୍ଣଭୂମିର ରାଜା (ଜନକ ମହୀନ୍ଦ୍ର) ରାବଣ ସୀତଙ୍କୁ ଫେରାଇ ଆପଣଙ୍କ ପାଦପଦ୍ମରେ ଶରଣ ପଶିଲେ ଆପଣ ବିଭୀଷଣକୁ ରାଜତ୍ୱ ଦେଇ ନ ପାରି ସୂର୍ଯ୍ୟବଂଶରେ ଜାତ ହୋଇ ଶପଥ−ଭଙ୍ଗର କଳଙ୍କ ଅର୍ଜିବେ ।”ରାମ କହିଲେ, ‘‘ସେତେବେଳେ ମୁଁ ବୁଝିବି ଯେ, ବିଧାତା ମୋ ଭାଗ୍ୟରେ ରାଜ୍ୟଭ୍ରଷ୍ଟ−କଷ୍ଟ ଊଣା ହେବା ପାଇଁ ଲେଖିନାହିଁ । ଅର୍ଥାତ୍ ଅଯୋଧ୍ୟାର ରାଜତ୍ୱ ଦେଇ ମୁଁ ଆଜୀବନ ବନବାସୀ ହେବି ।”

 

ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର

ଏହା ତାଙ୍କର ଦ୍ୱିତୀୟ କାବ୍ୟଗ୍ରନ୍ଥ । ସେ ଗୌଡ଼ୀୟ ଧର୍ମ୍ମଦୀକ୍ଷା ଗ୍ରହଣ କରି ନିଷ୍ପାପ ହେବା ମାନସରେ କୃଷ୍ଣ ଚରିତ ଆରମ୍ଭ କରି ଷୋଡ଼ଶ କଳାରେ ଋକ୍ମିଣୀଙ୍କ ଚରିତକୁ ଲେଖିବାକୁ ଭାବନା କରି ଗ୍ରନ୍ଥର ନାମ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଦେଇଥିଲେ । ଯେଉଁ ପ୍ରବନ୍ଧ କି କବିତା ପୂର୍ଣ୍ଣଚନ୍ଦ୍ର ପରି ମାଧୁର୍ଯ୍ୟସମ୍ପନ୍ନ ଏବଂ ମନୋହାରୀ, ତାହା ଷୋଳ କଳାରେ ସଂପୂର୍ଣ୍ଣ ହେବ । କିନ୍ତୁ ଆଠ କଳାରେ ରୁକ୍ମଣୀଙ୍କୁ ବିବାହ କରାଇ ସାରି ତେଣିକି କଣ କରିବେ ହୁଏତ ସ୍ଥିର କରି ନ ପାରି ବା ଦାରିଦ୍ର୍ୟର କଷାଘାତରେ କଳ୍ପନା ମଧ୍ୟ ଭୁଲି ଯାଇଛନ୍ତି । ଅନ୍ୟ ଆଠ କଳାରେ ଜରାସନ୍ଧ ବଧଯାଏ ଅଥବା ରୁକ୍ମଣୀଙ୍କ ବିହାର କ୍ରୀଡ଼ା ଆଦି ରସିକ କବି ବର୍ଣ୍ଣନା କରି ସନ୍ତାନସନ୍ତତି ଜନ୍ମ ବିବରଣ ଦେଇଥାନ୍ତେ-। କିନ୍ତୁ ଜଣାଯାଏ ତାହା ସେ ଆଦୌ ଏହି ଆଠ ଛାନ୍ଦ ପରେ ଲେଖି ନାହାନ୍ତି । କାରଣ ତାଙ୍କ ଘରେ ଥିବା ତାଙ୍କ ଲିଖିତ ପୋଥି ଖଣ୍ଡି ଆଠଟି କଳାରେ ସଂପୂର୍ଣ୍ଣ ଅଟେ ।

 

ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଖଣ୍ଡିକ ସେ ଲେଖିଥିଲେ, ସାହିତ୍ୟକ ଏବଂ କବି ହିସାବରେ ଅତି ଶ୍ରେଷ୍ଠତମ ଆସନ ଯେ ଉତ୍କଳ ସାହିତ୍ୟ କାହିଁକି ବିଶ୍ୱ ସାହିତ୍ୟରେ ଲାଭ କରିଥାନ୍ତେ, ଏହା ନିଃସନ୍ଦେହ । ତାଙ୍କର ରଚନାର ବିଷୟବସ୍ତୁ ପୁରାତନ ଚର୍ବିତ ଚର୍ବିଣ । ତେଣୁ କେହି କହିପାରେ କି ନୂତନତା ସେଥିରେ ଅଛି ? କିନ୍ତୁ ତାଙ୍କର ଏହି ଆଠଟି କଳା ବା ଛାନ୍ଦ ରଚନାର ପ୍ରତିପଦ ଦୁନିଆର ସମସ୍ତ ରଚନାରୁ ସ୍ୱତନ୍ତ୍ରତା ଦାବି କରେ । ତାଙ୍କର ଲେଖନୀ ଭଙ୍ଗି ଏତେ ସ୍ୱତନ୍ତ୍ର ଯେ ତାହା କେଉଁ ସଂସ୍କୃତ ସାହିତ୍ୟ ସହିତ ମଧ୍ୟ ସାମ୍ୟ ରଖି ନ ଥାଏ, ଅବଶ୍ୟ ତାଙ୍କ ରଚନାରେ ଅତ୍ୟଧିକ ଅଦ୍‌ଭୁତ ରସର ଅଳଙ୍କାର ଦେଖାଯାଏ, ମାଘ କାବ୍ୟ ଅଧ୍ୟୟନ କରି ସେ ଅତ୍ୟଦ୍‌ଭୁତ ରସ ପ୍ରତି ଅଧିକ ଢଳି ପଡ଼ିଥିଲେ ବୋଲି ଜଣାଯାଏ । ଯାହାହେଲେ ମଧ୍ୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟର ସେ ନିଶ୍ଚୟ ଅନୁସରଣ କରିଛନ୍ତି ।

 

ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ଆଠଟି କଳା ମଧ୍ୟରୁ ଏହିପରି ବିଷୟବସ୍ତୁ ସୂଚିତ ହୁଏ ।

୧ମ କଳା— ପୁସ୍ତକର ନାମକରଣ ଏବଂ ବିଷ୍ଣୁପଦର ସ୍ୱତନ୍ତ୍ର ମହାତ୍ମ୍ୟ ପୁଣି ଦ୍ୱାରକାପୁରୀର ବର୍ଣ୍ଣନା ଏଥିରେ ରହିଛି । ଏହା ରସକୁଲ୍ୟା ରାଗରେ ୩୬ ପଦରେ ସଂପୂର୍ଣ୍ଣ ।

 

୨ୟ କଳା—ଦ୍ୱାରକାର ଭାଟ କର୍ତ୍ତୃକ ବିଦର୍ଭର ନଗରୀ କୁଣ୍ଡିକଟକର ମହତ୍ତ୍ୱ ବର୍ଣ୍ଣନା ଏବଂ ବିଦର୍ଭ ରାଜା ଭୀଷ୍ମକଙ୍କ ନିକଟରେ କୃଷ୍ଣଙ୍କର କୀର୍ତ୍ତି, ରୂପ, ଗଠନ ବର୍ଣ୍ଣନାରେ ରୁକ୍ମଣୀଙ୍କର ତାଙ୍କୁ ଭର୍ତ୍ତା ଭାବେ ପାଇବାର ଅଭିଳାଷ । ଏହା ଆଷାଢ଼ ଶୁକ୍ଲ ରାଗରେ ୫୨ ପଦରେ ସମାପ୍ତ ।

 

୩ୟ କଳା—ଆହାରି ରାଗରେ ୪୪ ପଦରେ ରଚିତ । ବିଦର୍ଭ ଜେମାମଣି ରୁକ୍ମିଣୀଙ୍କର ସଖିଦଳ ସହିତ ବନ ବିହାର ବର୍ଣ୍ଣନା ଏବଂ ଦେବର୍ଷି ନାରଦ ଉକ୍ତ ଜେମାଙ୍କ ସାକ୍ଷାତ ଲଭି କୃଷ୍ଣଙ୍କୁ ବରଭାବରେ ପାଇବାକୁ ତାଙ୍କୁ ଆଶୀର୍ବାଦ ଜ୍ଞାପନ ।

 

୪ର୍ଥ କଳା—ରାଗ କନଡ଼ା । ୨୨ ପଦରେ ସଂପୂର୍ଣ୍ଣ । କୃଷ୍ଣଙ୍କୁ ଏକ ଉପବନରେ ନାରଦ ଭେଟି, କୌଶଳରେ ତାଙ୍କଠାରେ ରୁକ୍ମିଣୀଙ୍କ ପ୍ରତି ପ୍ରଲୋଭନ ସଂଚାର କରି ବିଦାୟ ନେଲେ ।

 

୫ମ କଳା—ଚୋଖୀ ରାଗରେ ୩୫ ପଦରେ ଏ କଳାଟି ଲେଖାଯାଇଛି । (ବର୍ଣ୍ଣନା)—ବିଦର୍ଭ ନରପତି ଭୀଷ୍ମକ ନିଜଜେମାଙ୍କ ବିବାହ ପାଇଁ ବ୍ୟଗ୍ର ହେବା ବେଳେ ଏବଂ କୃଷ୍ଣଙ୍କୁ ଜ୍ୱାଇଁ କରିବାକୁ ଇଚ୍ଛା କରନ୍ତେ ତାଙ୍କର ଜ୍ୟେଷ୍ଠପୁତ୍ର ରୁକ୍ମୀ କୃଷ୍ଣଙ୍କର ନିନ୍ଦାକତି ଶିଶୁପାଳଙ୍କୁ ବରଣ କରିବାକୁ ପ୍ରବର୍ତ୍ତାଇଛନ୍ତି । ଫଳରେ ଭୀଷ୍ମକ ପୁତ୍ର ଭୟରେ ନିମନ୍ତ୍ରଣ କରନ୍ତେ ଶିଶୁପାଳ ବରଭାବେ ବିଦର୍ଭକୁ ଆସିଛନ୍ତି । ତା ଦେଖି ରୁକ୍ମିଣୀ କୃଷ୍ଣ ପ୍ରେମରେ ମଜ୍ଜିତ ରହି ଦୁଃଖାଭିଭୂତ ହୋଇ ପଡ଼ିଛନ୍ତି-

 

୬ଷ୍ଠ କଳା— କାମୋଦି ରାଗରେ ୩୬ ପଦରେ ସଂପୂର୍ଣ୍ଣ । (ବର୍ଣ୍ଣନା)— ରୁକ୍ମିଣୀ ସଖିମାନଙ୍କ ପ୍ରବର୍ତ୍ତନାରେ ଖଣ୍ଡିଏ ଚିଠି କୃଷ୍ଣଙ୍କୁ ଲେଖିଛନ୍ତି ଏବଂ ତାହା ଜଣେ ବିଶ୍ୱାସୀ ବ୍ରାହ୍ମଣ ନେଇ ଦ୍ୱାରକାରେ ଯଥା ସମୟରେ ପହଞ୍ଚାଇ, କୃଷ୍ଣଙ୍କୁ ରୁକ୍ମିଣୀଙ୍କ ପ୍ରତି ବିଶେଷ ପ୍ରଲୋଭନ ଅଣାଇଛନ୍ତି । ଏପରିକି କୃଷ୍ଣ ଏକାକୀ ରଥ ଏବଂ ସାରଥୀ ସହିତ ବିଦର୍ଭାଭିମୁଖରେ ବାହାରିଛନ୍ତି ।

 

୭ମ କଳା—କଳହଂସକେଦାର ରାଗରେ ୫୧ ପଦରେ ସଂପୂର୍ଣ୍ଣ । ଏଥିରେ ବର୍ଣ୍ଣିତ ଅଛି ଯେ କୃଷ୍ଣ ଏକାକୀ ବିଦର୍ଭ ଅଭିମୁଖରେ ଚାଲିଯିବା ଖବର ତଦନ୍ତିରୁ ଜାଣି, ବଳରାମ ମହାସମାରୋହରେ ରଥିମାନଙ୍କ ସହିତ ବିଦର୍ଭରେ ପହଞ୍ଚି କୃଷ୍ଣଙ୍କୁ ଭେଟିଛନ୍ତି । ଏବଂ ସେମାନେ ଏକ ଉପବନରେ ବିଶ୍ରାମ କରିଛନ୍ତି । ଏହା ମଧ୍ୟ ଶିଶୁପାଳ, ରୁକ୍ମୀ ଜାଣିପାରିଛନ୍ତି । (ପରଂପରା ଚିତ୍ରଣଠାରୁ କବି ଏଠାରେ ନିଜର ସ୍ୱାତନ୍ତ୍ର୍ୟ ରକ୍ଷାକରି, କୃଷ୍ଣ ଅତ୍ୟନ୍ତ ଗୋପନରେ ରୁକ୍ମଣୀଙ୍କୁ ହରଣ କରି ନେବାକୁ ସମର୍ଥନ କରିନାହାନ୍ତି । ଲୋକଙ୍କ ଜ୍ଞାତସାରରେ ସେ ଆସିଥିବା କଥା ଜଣାଇଁ ଦେଇ କନ୍ୟା ହରଣ କରାଇଛନ୍ତି ।)

 

୮ମ କଳା—ଏହା ବସନ୍ତ ବୃତ୍ତରେ ୫୭ ପଦରେ ଲେଖାଯାଇଛି । (ବର୍ଣ୍ଣନା)—କୃଷ୍ଣ କାଳେ ନ ଆସିବେ ଏହି ଚିନ୍ତାରେ ବିବାହ ପୂର୍ବଦିନ ରୁକ୍ମିଣୀ ହତଚେତନ ହୋଇଗଲେ । ତା ପରେ ସଖିଏ ଚେତାକରି ଦ୍ୱାରକାରୁ ଫେରିଥିବା ବ୍ରାହ୍ମଣଙ୍କଦ୍ୱାରା ଆନୀତ ସମ୍ବାଦ ଦେବାରୁ ସେ ଧୈର୍ଯ୍ୟ ଧଇଲେ । ଏହାପରେ ଜେମା ବିଧି ବିଧାନରେ ଦିଅଁ ମଙ୍ଗୁଳାକୁ ବିଜେକଲେ । ସେଇଠି କୃଷ୍ଣ ଲୁଚିଥିଲେ । ରୁକ୍ମିଣୀ ଦେବୀ ଦର୍ଶନ କରି ଫେରିବା ବେଳେ ତାଙ୍କୁ ରଥକୁ ନେଇ ଚାଲିଗଲେ । ଫଳରେ ବହୁ ସୈନ୍ୟ ସାମନ୍ତ ତାଙ୍କୁ ତଡ଼ିଲେ । କିନ୍ତୁ ବଳରାମ ସେମାନଙ୍କୁ ଅଟକାଇ ଦେଲେ । ଦର୍ପି ରୁକ୍ମୀ ନମାନି ଚାଲିଯାଇ କୃଷ୍ଣଙ୍କୁ ଭୀଷଣ ଗାଳିଦେଇ ଯୁଦ୍ଧ କରିବାକୁ ବାହାରିଲେ । କିନ୍ତୁ କୃଷ୍ଣ ତାଙ୍କୁ ଏକାନ୍ତ ଅପମାନ ଦେଇ ବନ୍ଦିକଲେ । ପଛରୁ ବଳରାମ ପହଞ୍ଚି ବନ୍ଧୁ ବୋଲି ପୁଣି ଉକ୍ତ ରୁକ୍ମୀଙ୍କୁ ମୁକ୍ତିଦେଲେ । ତା ପରେ କୃଷ୍ଣ ଦ୍ୱାରକାକୁ ଯାଇ ରୁକ୍ମିଣୀଙ୍କୁ ବିବାହ କରି ସୁଖୀ ହେଲେ ।

 

ଏ ହେଲା ସାଧାରଣ ବିଷୟ ବସ୍ତୁ । ଏ କାବ୍ୟଟି ଯତ୍ନ ସହିତ ପଢ଼ିଲେ ଜଣାଯିବ ଯେ ପ୍ରକୃତ ପାଣ୍ଡିତ୍ୟ ଯାହାକୁ କହନ୍ତି, ତାହା ଯଦୁମଣିଙ୍କଠାରେ ହିଁ ସମ୍ଭବିଥିଲା । ଶାସ୍ତ୍ରୋଜ୍ୱଳା ବୁଦ୍ଧି ଏପରି ଭାବରେ ପ୍ରତିଭା ସମ୍ମିଶ୍ରଣରେ ତାଙ୍କଠାରେ କିପରି ଫୁଟି ଉଠିଥିଲା, ତାହା ଭାବି ହୁଏନାହିଁ । ସେ ସମଗ୍ର ଶାସ୍ତ୍ର — ସମୁଦ୍ରକୁ ଯେପରି ମନ୍ଥନ କରି ତହିଁରୁ ଏ ଅମୃତ ସରସ୍ୱତୀ ଜାତ କରାଇ ଥିଲେ, ତା ସହିତ ପାରିଜାତ କୁଞ୍ଜର ଲକ୍ଷ୍ମୀଙ୍କୁ ମଧ୍ୟ ଜନ୍ମ ଦେଇଥିଲେ । ରୁକ୍ମିଣୀ ଯେ କି ପୂର୍ଣ୍ଣବ୍ରହ୍ମ, ପରମପ୍ରେମିକ, ପରମ ପୁରୁଷ, ପରମ ପଣ୍ଡିତ, ଭାରତ ଇତିହାସର ପରମ ପ୍ରାଣସ୍ଥାନୀୟ, ପରମ ସାମ୍ରାଜ୍ୟ ସଂସ୍ଥାପକ, ପରମ ଦାର୍ଶନିକ, ପରମ ଜ୍ଞାନୀ, ପରମ ଯୋଗୀ, ପରମ ନୀତିବିଦ୍, ପରମ ତ୍ୟାଗୀ, ପରମ ଧର୍ମ୍ମବେତ୍ତା, ସକଳ ସତ୍ୟତତ୍ତ୍ୱଜ୍ଞାତା ଏମନ୍ତକି ସତ୍ୟ ସ୍ୱରୁପ କୃଷ୍ଣଙ୍କର ପ୍ରିୟତମା ପତ୍ନୀ, ଯେ କି ତାଙ୍କର ସଚୀବ, ସଖୀ ପ୍ରିୟଶିଷ୍ୟା, ଗୃହିଣୀ ଏବଂ ଲଳିତକଳା ବିଧାୟିନୀ ଅଟନ୍ତି, ସେ କିପରି ବିଚକ୍ଷଣା ଥିଲେ, ତାହା ହିଁ ଯଦୁମଣିଙ୍କ ରଚନାରେ ଏକାନ୍ତ ଉପାଦେୟ ଭାବରେ ଏ ଗ୍ରନ୍ଥରେ ପ୍ରକଟିତ ହୋଇ ପାରିଛି ।

 

ଯଦୁମଣି ତାଙ୍କ ଗ୍ରନ୍ଥରେ ବିଚକ୍ଷଣା ରୂପସୀ ରୁକ୍ମିଣୀଙ୍କୁ ଅତ୍ୟୁଚ୍ଚ ଏକ କୋଠା ଉପରେ ତାଙ୍କର ପ୍ରିୟତମ ସଙ୍ଗିନୀଙ୍କ ମେଳରେ ହସଖେଳରେ ମାତିଥିବା ବେଳେ ପାଠକର ଦୃଷ୍ଟି ଆକର୍ଷଣ କରିଛନ୍ତି । ଯେ କି କ୍ରୀଡ଼ାରେ ରତ ଥାଇ ମଧ୍ୟ ନିମ୍ନତଳରେ ହେଉଥିବା ରାଜଦରବାରରେ କଣ ହେଉଛି ତା ଲକ୍ଷ୍ୟ କରୁଥିଲେ । ଶତ ଶତ ଭାଟ ନିଜ ରାଜ୍ୟର ଯୁବକ ରାଜା, ଯୁବରାଜଙ୍କ ପ୍ରଶଂସା କହନ୍ତି, କିନ୍ତୁ ସେଦିନ ନବପ୍ରତିଷ୍ଠିତ ଦ୍ୱାରକାର ଜଣେ ଭାଟ ଏପରି କଥାମାନ କହିଲା ଯହିଁରେ ସେ ଅଭିଭୂତ ହୋଇ ଏପରି ଅପାଙ୍ଗ ଢାଳିଦେଲେ ଯେ, ସଖିଏ ତା ଦେଖି କହିଲେ— ଜେମା ତୁ ଏକା ଶୁଣିନାହୁଁ, ଆମେ ବି ସେ ସୁନ୍ଦର ପୁରୁଷର ପ୍ରଶଂସା ଶୁଣିଛୁଁ । ହେଲେ ସେ ତ ଏଠାରେ ନାହିଁ, ଏହା କଥା ମାତ୍ର । ତୁ ଏପରି ଭାବରେ ଅପାଙ୍ଗ ଢାଳିଲୁ ଯେ ସେ ପୁରୁଷଟି ଏଠି ଥିଲେ ତ ତାହା ଦେଖି ସେ ମରି ଯାଇଥାନ୍ତା । ଏହା ଶୁଣି ଜଣେ ସଖି ବଞ୍ଚାଇ କହିଲା—‘ମରନ୍ତା କିପରି ? ରୁକ୍ମିଣୀର ହାସ୍ୟ ଅମୃତ ଅଛିତ ? ସେଥିରେ ସେ ବଞ୍ଚି ଆସନ୍ତା ନାହିଁକି ?’

 

‘‘ଅବରୋଧ ପ୍ରିୟ ସଙ୍ଗିସଙ୍ଗରେ

ତୁଙ୍ଗ ଅଟ୍ଟାଳି ଉତ୍ସଙ୍ଗେ ରଙ୍ଗରେ

ଥିଲେ ଯେ ରୁକ୍ମିଣୀ କର୍ଣ୍ଣେ ବାଜିଲା

ଉଲ୍ଲାସ ତା ଭ୍ରୁଲତାରେ ରାଜିଲା

ସମତ୍ତେ ସଖୀଙ୍କୁ

ଚାହିଁ କର୍ଣ୍ଣାୟତ୍ତ କଲେ ଆଖିକୁ” ।

 

କିନ୍ତୁ କବି ତାପରେ ଅନ୍ୟ କଳାରେ ବର୍ଣ୍ଣନା କରିଛନ୍ତି—

କ୍ଷୀର ସାଗର ଉଦର ଆଦରିଛି ନବ ମୁଦିର ଜ୍ୟୋତି ସଙ୍ଗ

ଚଣ୍ଡୀ ନିଶିଧବ ଧବଳେ ମିଶିଛି ଅଧବଳ ବିଷ କୁରଙ୍ଗ

ହାସେ ରାମାର

ନୀଳିମାର ନାହିଁ ସଂଚାର

ଏପରି ବିଦଗ୍‌ଧ କୀର୍ତ୍ତି ଯାର ଶୁଦ୍ଧ ସେହି ଏହି କଳା ବିଚାର ।

 

ଦୁଗ୍ଧ ସମୁଦ୍ର ସଂପୂର୍ଣ୍ଣ ଧବଳ ନୁହେଁ । କାରଣ ତା ମଧ୍ୟରେ ବିଷ୍ଣୁଙ୍କ ନୀଳମେଘ ରଙ୍ଗିମା ଅଙ୍ଗ ରହିଛି । ଶିବ ରଜତଗିରିନିଭ ଧବଳ ହେଲେହେଁ ତାଙ୍କ କଣ୍ଠ ନୀଳହେତୁ ସେ ମଧ୍ୟ ଧବଳ ନୁହନ୍ତି । ନିଶିଧବ ଚନ୍ଦ୍ରମା ସଂପୂର୍ଣ୍ଣ ଧବଳ ହେଲେହେଁ, ତାଙ୍କ ଅଙ୍ଗରେ କଳଙ୍କ ଚିହ୍ନ ରହିଛି । କିନ୍ତୁ ପୂର୍ବ ବର୍ଣ୍ଣିତ ନବୀନା ଜେମାମଣି ରୁକ୍ମିଣୀର ହସରେ ଟିକେ ହେଲେ ନୀଳିମା ନାହିଁ । ଅର୍ଥାତ୍ ସେ ମୁଖ, ସେ ଦନ୍ତ, ସେ ମାଧୁର୍ଯ୍ୟରେ କଳଙ୍କର ବିନ୍ଦୁ ମଧ୍ୟ ନାହିଁ । ପୁନଶ୍ଚ ସେ ଏମନ୍ତ ସ୍ୱତଃ ଏବଂ ମାଦକ ଯେ ତା ଦେଖିଲେ ବିଶ୍ୱ ପ୍ରଲୋଭିତ ହୋଇ ପଡ଼ିବ । ଏ କଳାର ବିଚାର ହେଲା ଏହି ଯେ ଯାହାର ବିଦଗ୍‌ଧ କୀତ୍ତି ଏପରି ଶୁଦ୍ଧ ତା’ରି କଥା ଲେଖାଯାଇଛି । ଏଥିରୁ ଜଣାଯିବ କବି ରୁକ୍ମିଣୀଙ୍କ ସମ୍ବନ୍ଧରେ କିପରି ଉଚ୍ଚଧାରଣା ଦେଇପାରିଛନ୍ତି ?

 

ତାଛଡ଼ା କବିଙ୍କ ରଚନା ତୃତୀୟ କଳାରେ ବହୁଳ କରି ବର୍ଣ୍ଣିତ ଅଛି ଯେ ରୁକ୍ମିଣୀ ବିଜେହେବାବେଳେ ପଥରେ ବହୁ ଫୁଲପାଖୁଡ଼ା ବିଞ୍ଛିହୋଇ ତା ଉପରେ କେତକୀ ଫୁଲ ଭିତର ଧୂଳି ସିଞ୍ଚା ଯାଇଥିଲା । ଏସବୁ ଅବଶ୍ୟ ଭଞ୍ଜଙ୍କ ଅନୁକରଣ । (ଲାବଣ୍ୟବତୀ)

 

‘‘ପରିଚାରି ବର୍ଗ ଆଚରିଲେ ମାର୍ଗ ମାର୍ଜନା ସିଦ୍ଧି ବେଗକରି

ଶିଳ୍ପ କଳ୍ପନାରେ କମଳ କୋମଳ ଦଳ ବହଳ କରିପାରି

ତଥି ଉପରେ, କେତକୀ ଗର୍ଭସ୍ଥ ରଜକୁ

ସୁସଞ୍ଚେ ସିଞ୍ଚିସେ କରାଇଲେ ବିଜେ ଅବଳା ସମାଜ ରାଜକୁ । ୫ ।

                  (୩ୟ କଳା)

 

ଏତଦ୍‌ବ୍ୟତୀତ ଜେମା ରୁକ୍ମିଣୀ କିପରି ଏକ ଭୂମିରେ ଜନ୍ମିଥିଲେ, ତାର ବର୍ଣ୍ଣନା ଯେପରି ସର୍ବୋତ୍ତମ ହୋଇଛି କୃଷ୍ଣଙ୍କର ଦ୍ୱାରକା ଏବଂ ସେ ନିଜେ କିପରି, ତାହା କବି ଅତି ନିଗୂଢ଼, ଲୋଭନୀୟ ଭାଷାରେ ବର୍ଣ୍ଣନା କରି କବିତ୍ୱକୁ ଏକାବେଳେ ନିଜସ୍ୱ କରି ନେଇଛନ୍ତି । ତାଙ୍କର କବିତାମାନଙ୍କ ମଧ୍ୟରୁ—

 

‘‘ଲକ୍ଷ୍ମୀ ବିଳାସ ବି-ନ୍ୟାସ ବିନାଲେଶ

ଲସିବ ନାହିଁ ଏ ମାରକ”

‘‘ନେଲେ ହରି ହରି ହରିଣ ନେତ୍ରାକୁ

ବିହରି ଗଲା ଏହି ହୁରି”

‘‘ପୁରୋଧା ନନ୍ଦନା ସାରି ବନ୍ଦାପନା

ମଣ୍ଡିଦେଇ ଧଣ୍ଡିଦେଇ ଧଣ୍ଡି-ପ୍ରସାଦ”

‘‘ନନ୍ଦିଘୋଷକୁ ଇନ୍ଦିବର ସୁନ୍ଦର

ରୂଚାଇତ ଥିଲେ ଅନନ୍ତେ”

 

—ଏପରି ଶତ ଶତ ପଦ ଆଜି ମଧ୍ୟ ଲୋକେ ପ୍ରବଚନ ଭାବରେ ଗାଁ ଗାଁରେ ଗାଇଥାନ୍ତି । ସୁର ଧରି ତାଙ୍କ କବିତା ଗାଇଦେଲେ ସତରେ ଗଛରୁ ଫୁଲ ଝଡ଼ିପଡ଼ିବ । ପଥର ତରଳିଯିବ, ବାଘଭାଲୁ ଥୟହୋଇ ରହିଯିବେ ବୋଲି ପ୍ରବାଦଅଛି ।

 

ମହେନ୍ଦ୍ର ମଣି ସୁନ୍ଦର ଯଦୁବୃନ୍ଦ ପୁରନ୍ଦର ରୌପ୍ୟ କନ୍ଦର

ନାଥ ଯା ପାଥୋଜ ପଦାଙ୍କେ ପକାନ୍ତି ମଥାମୁଦି ନେତ୍ର ପନ୍ଦର

ଅଷ୍ଟ ନେତ୍ରର

କଷ୍ଟ ହରଣେ ସେ କୁଶଳ

ଯାହା ରୋମମାଳ ଲତା ଆଳବାଳ ସଦୃଶ ବ୍ରହ୍ମାଣ୍ଡ ମଣ୍ଡଳ (୩/୨୩)

 

କବି ତାଙ୍କ କବିତାରେ ଆଧୁନିକତାକୁ ମଧ୍ୟ ନିପୂଣ ଭାବେ ଯୁକ୍ତିଯୁକ୍ତ ଭାବରେ ରଖିଛନ୍ତି । କିନ୍ତୁ ସେ ଏ କାବ୍ୟରେ ପ୍ରୟୋଜନୀୟ-ରୀତି ରକ୍ଷାକୁ କେବେହେଲେ ଭୁଲିନାହାନ୍ତି । କାରଣ ରୀତିର ବୈଦର୍ଭୀ ରଚନାରେ ମାଧୁର୍ଯ୍ୟ ବ୍ୟଞ୍ଜିତ ବର୍ଣ୍ଣ ବିନ୍ୟାସ ଓ ଗୌଡ଼ୀ ରଚନାରେ ଓଜ-ପ୍ରକାଶକ ବର୍ଣ୍ଣ ଓ ଆଡ଼ମ୍ବରଯୁକ୍ତ ସମାସ ବହୁଳ ରଚନା ଏମନ୍ତକି ସୁଖବୋଧ, ସାଡ଼ମ୍ବର, ସାଳଙ୍କାର ବର୍ଣ୍ଣନା ଭରି ଦେଇଛନ୍ତି ।

 

Unknown

ଉଦାହରଣ ସ୍ୱରୂପ—

‘‘ଧରାଧର ପୟୋଧରା ଧୀରାବୃନ୍ଦ, ପର୍ବ ଶର୍ବରୀଶ ଗର୍ବ ବିମର୍ଦ୍ଦନ ହାସ, ସ୍ୱର୍ଗସରଣୀ ବିଳାସିନୀ ଗର୍ଭଳସୀ ରାଜହଂସୀ ଗମନ ଶୋଭା” ଇତ୍ୟାଦିକୁ ପାଠକ ପଢ଼ି ଜାଣିବେ । ତାଙ୍କର ଏହି ରଚନାରେ ଅଶ୍ଳୀଳ ବର୍ଣ୍ଣନା ଗୋଟିଏ ଧାଡ଼ି ହେଲେ ସେ ରଖିନାହାନ୍ତି । ଯାହା ବା ଆଦିରସାତ୍ମକ ବର୍ଣ୍ଣନା ରହିଛି, ଏପରି ଶ୍ଲେଷରେ ବ୍ୟଞ୍ଜିତ ଯେ ବରଂ ତା ପଢ଼ି ଜଣେ ଯୋଗୀମଧ୍ୟ ଆନନ୍ଦ ପ୍ରକାଶ କରିବ । ଦ୍ୱିତୀୟ କଳାର ୧୨, ୧୩, ୧୪ ପଦଟିମାନ ପାଠକଲେ ପାଠକ ତାହା ସମଝିବେ ।

 

ଏହି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର କବି ନିଶ୍ଚୟ ଯେ ସଂସ୍କୃତରେ ପଣ୍ଡିତ ଥିଲେ ଏହା କହିବା ଅନାବଶ୍ୟକ । କିନ୍ତୁ ରଚନାକୁ ସେ ଏପରି ନିଜସ୍ୱ କରିଛନ୍ତି ଯେ, ତାହା ଧରି ଦେବାର ସୁବିଧା ହୁଏ ନାହିଁ । ତେବେ ବହୁ ଆଲୋଚନାର ପରେ ପଣ୍ଡିତମାନେ ତାହା ନିଶ୍ଚୟ ଜାଣିଯିବେ । ସେ ପାଣିନୀଙ୍କ ବ୍ୟାକରଣଠାରୁ ଆରମ୍ଭ କରି ଅଳଙ୍କାର ଶାସ୍ତ୍ର, ଭେଷଜ ଶାସ୍ତ୍ର, ଜ୍ୟୋତିଶାସ୍ତ୍ର, ଭକ୍ତିଶାସ୍ତ୍ର ଏବଂ ନିଗୂଢ଼ ଦର୍ଶନ ଆଦିର ବହୁ ଉଦାହରଣ ଦେଇଛନ୍ତି । ସେ ସବୁ ପାଠକ ତାଙ୍କ ଗ୍ରନ୍ଥ ପାଠ କରି ନିଶ୍ଚୟ ଜାଣିବେ । ଉଦାହରଣ ଦେବା ନିଷ୍ପ୍ରୟୋଜନ ।

 

କବିତ୍ୱ ଏବଂ ପ୍ରତିଭା ଏକତ୍ର ଘନିଷ୍ଟ ନ ହେଲେ ଏପରି ପ୍ରଜ୍ଞା ଏବଂ କବିତ୍ୱ ପ୍ରକଟିତ ହେବା ଅସମ୍ଭବ ମନେ ହୁଏ । ରୁକ୍ମିଣୀ ପରିଣୟ ବିବରଣ ଆମେ ଦଶଥର ବିଭିନ୍ନ କାବ୍ୟ ପୁରାଣାଦିରୁ ପାଠ କରି ସାରି, ଯେବେ ଯଦୁମଣିଙ୍କ ରଚନା ପାଠକରୁଁ ତେବେ ଆମେ ତାହା ନୂଆ ପଢ଼ିଲୁ ବୋଲି ନିଶ୍ଚୟ ମନେ ହେବ ।

 

କବି ତାଙ୍କ କାବ୍ୟରେ ଶୃଙ୍ଗାର, କରୁଣ, ଶାନ୍ତ, ରୌଦ୍ର ବୀର, ଅଦ୍‌ଭୂତ, ହାସ୍ୟ, ଭୟାନକ, ବୀଭତ୍ସ ରସମାନଙ୍କୁ ଯେପରି ଯଥାସ୍ଥାନରେ ଅବସ୍ଥାନ୍ତର ଭେଦରେ ଖଞ୍ଜିଛନ୍ତି ସେପରି ସ୍ଥାୟୀ ଭାବର ଲକ୍ଷଣମାନ ଯଥା ରତି, ଶୋକ, ନିର୍ବେଦ, କ୍ରୋଧ, ଉତ୍ସାହ, ବିସ୍ମୟ, ହାସ୍ୟ, ଭୟ, ଜୁଗୁପ୍‌ସା ଆଦିକୁ ମଧ୍ୟ ସୁନ୍ଦର ଭାବରେ ଥୋଇପାରିଛନ୍ତି । ତାଙ୍କର ଅପଟାନ୍ତର ବର୍ଣ୍ଣନାରେ ଅର୍ଥାତ ଶବ୍ଦଗୁଣ ମଧ୍ୟରେ— ଶ୍ଲେଷ, ପ୍ରସାଦ, ସମତା, ମାଧୁର୍ଯ୍ୟ, ସୁକୁମାରତା, ଅର୍ଥବ୍ୟକ୍ତି, ଉଦାରତା, ଓଜ, କାନ୍ତି, ସମାଧି ସର୍ବତ୍ର ପୂରି ରହିଛି । ଏମନ୍ତ କି ଭାବ ବର୍ଣ୍ଣନାରେ ହର୍ଷ, ସ୍ମୃତି, ବ୍ରୀଡ଼ା, ମୋହ, ଧୃତି, ଶଦ୍ଧା, ଗ୍ଲାନି, ଦୈନ୍ୟ, ଚିନ୍ତା, ମଦ, ଶ୍ରମ, ଗର୍ବ, ନିଦ୍ରା, ମତି, ବ୍ୟାଧି, ତ୍ରାସ, ସୁପ୍ରି, ବିବୋଧ, ଅମର୍ଷ, ଅବହିତ୍‌ଥ, ଉଗ୍ରତା, ଉନ୍ମାଦ, ମରଣ, ବିତର୍କ, ବିଷାଦ, ଔତ୍ସୁକ୍ୟ, ଆବେଗ, ଜଡ଼ତା, ଆଳସ୍ୟ, ଅସୁୟା, ଅପସ୍ମାର, ଚପଳତା, ନିର୍ବେଦ, ଦେବପ୍ରୀତି ଆଦି ଖଞ୍ଜିବାରେ ସେ ଅତ୍ୟନ୍ତ ନିପୂଣ ସାମର୍ଥ୍ୟ ପ୍ରକାଶିତ କରିପାରିଛନ୍ତି ।

 

ଏପରି ବିଚାରବନ୍ତ ଭାବରେ ସେ ନାୟିକାମାନଙ୍କୁ ବର୍ଣ୍ଣନା କରିଛନ୍ତି ଯେ ଜଣାଯାଏ କାମଶାସ୍ତ୍ରରେ ତାଙ୍କର ଅସୀମ ଦକ୍ଷତା ଜନ୍ମିଥିଲା । ଅବଶ୍ୟ ରାଜକୁମାରୀଙ୍କୁ ପଦ୍ମିନୀ ଭାବରେ ଏବଂ ସଖୀମାନଙ୍କ ମଧ୍ୟରେ ଅନ୍ୟାନ୍ୟମାନଙ୍କୁ ଚିତ୍ରିଣୀ, ଶଙ୍ଖିନୀ ଭାବରେ ସେ ଚିତ୍ରିତ କରିଛନ୍ତି ।

 

ବିଶେଷ ଭାବରେ ଦେଖିବାର କଥା ଯେ ରୁକ୍ମିଣୀ ଯେଉଁ ପତ୍ରଖଣ୍ଡି କୃଷ୍ଣଙ୍କୁ ଲେଖିଛନ୍ତି, ତାହା ସାତଟି ପଦରେ ସଂପୂର୍ଣ୍ଣ । ଏବଂ ଏତେ ପ୍ରଲୋଭନୀୟ ଯେ ବଡ଼ ବଡ଼ ଗ୍ରନ୍ଥକର୍ତ୍ତାମାନଙ୍କର ଯେପରି ଏକ ଏକ ଅଂଶ ତଦ୍ୱାରା ତୁଣ୍ଡେ ତୁଣ୍ଡେ ଜନସମାଜରେ ରହି ଆସିଛନ୍ତି । ଏ ସବୁ ଏବେ ମଧ୍ୟ ଗ୍ରାମେ ଗ୍ରାମେ ତୁଣ୍ଡେ ତୁଣ୍ଡେ ବୋଲା ହେଉଥିବାର ଶୁଣାଯାଏ ।

 

ରୁକ୍ମିଣୀ କୃଷ୍ଣଙ୍କ ରୂପ, ଗୁଣାଦି ଭାଟଠୁଁ ଶୁଣି ତାଙ୍କଠାରେ ଆତ୍ମାର୍ପଣ କରି ଦେଇଥିଲେ । ଅବଶ୍ୟ କଂସବଧ, ଯୋଗୁଁ ଜରାସନ୍ଧ ଦୌରାତ୍ମ୍ୟରେ ଦ୍ୱାରକାପୁରୀର ନିର୍ମ୍ମାଣ ଆଦି ସେତେବେଳେ ପ୍ରଚାରିତ ହୋଇଥିଲା । କୃଷ୍ଣ ଜଣେ ପରମପୁରୁଷ ଏ ସମ୍ବାଦ ମଧ୍ୟ ଲୁଚି ନଥିଲା । ଶିଶୁପାଳ ଜଣେ ଘୃଣ୍ୟ, ଅତ୍ୟଚାରୀ ନିଷ୍ଠୁର ବ୍ୟକ୍ତି ବୋଲି ରୁକ୍ମିଣୀଙ୍କୁ ମଧ୍ୟ ଜଣାଥିଲା । ତେଣୁ ସେ ନିଜର ଭାଗ୍ୟ ନିଜେ ଗଢ଼ିବାକୁ ଯେତେବେଳେ ଗଲେ, କଣ କରିବେ ନାରୀର ଯେଉଁ ଗର୍ବଟିକକ ତାହା ଜଣେ ଅପରିଚିତ ପୁରୁଷଠାରେ ସମର୍ପି ଦେବାକୁ ବାଧ୍ୟ ହୋଇଥିଲେ । ତେବେ ସେ ତାହା ଅପାତ୍ରରେ ଦାନ କରି ନଥିଲେ । ତାଙ୍କ ଚିଠି ରଚନା ଏହିପରି—

 

ପ୍ରଥମ ପଦ—

ନିଗମ ବନିତାର            ଫୁଲଗବା ଶିଖର

ମଂଜୁ ବଞ୍ଜୁଳ କଳିଗୁଚ୍ଛ

ପଦାଙ୍ଗୁଳିରୁ ଢ଼ାଳି            ବ୍ରହ୍ମସଲୀଳ ଶୂଳି

ଗରଳ ଜ୍ୱଳା କଲ ତୁଚ୍ଛ

ହେ ଯଦୁବତ୍ସ !

ଧାତା ଚିନ୍ତାକୁ ହେଲ ସତ୍ସ୍ୟ

ସିନ୍ଧୁ ସିନ୍ଧୁକ ହେଲା ପୁଚ୍ଛ

ଶକ୍ର ଆର୍ତ୍ତ କର୍ତ୍ତନ            କର୍ତ୍ତରୀ କଲବନ

ନର୍ତ୍ତନକାରୀ ହରି ଅଚ୍ଛ ହେ । ୬।୬ ।

 

 

 

ଶେଷପଦ—

ବ୍ୟାଜ ନୁହେ ଏ ଗୀର            ତ୍ୟାଗ କରି ନପାର

ପୟର ପୁରାଣରେ ସ୍ୱଚ୍ଛ

ମଥା ପୋତିଲେ ବ୍ୟଥା            ଲଭିବଟି ସର୍ବଥା

ମିଥ୍ୟା ଏ ନୁହନ୍ତି ଶ୍ରୀବତ୍ସ

ହେ ! କେକୀ ପୁଚ୍ଛ—

ମୁକୁଟ ! ନ କରିବ ମିଛ

ସଂକଟକୁ ମୋ ନାହିଁ କଚ୍ଛ

ତୁମ୍ଭଙ୍କୁ ଦେଲି ବହ            ବହିବା ପାଇଁ ସ୍ନେହ

ବହି ତ ହୋଇଥିଲ କଚ୍ଛା । ୬।୧୨ ।

 

ପତ୍ର ଲିଖିତ ୭ଟି ପଦର ସାରାଂଶ ହେଳା—’‘ହେ ଯଦୁବର ! ତୁମ୍ଭେ ଦିନେ ସ୍ୱ ଅଙ୍ଗୁଳି ଘାତରେ ଜଗତତ୍ପାବିନୀ ଗଙ୍ଗାଙ୍କୁ ଜନ୍ମାଇ ସେଥିରେ ଶିବଙ୍କ ଗରଳ ଜ୍ୱାଳା ନିବାରଣ କରିଥିଲ । ଦିନେ ମତ୍ସ୍ୟ ରୂପରେ ବ୍ରହ୍ମାଙ୍କ ବେଦକୁ ଅପାର ସମୁଦ୍ରରୁ ଉଦ୍ଧାର କରିଥିଲ, ପୁଣି ଦିନେ ଭୀତ ଇନ୍ଦ୍ରଙ୍କ ଲାଗି ମର୍କଟ ଓ ଭଲ୍ଲୁକଙ୍କ ସଙ୍ଗରେ ରହି ରାବଣ ବଧ କରିଥିଲ ସତ କିନ୍ତୁ ଏ କାର୍ଯ୍ୟରେ ତୁମର ପ୍ରଶଂସା କଣ ହେବ ? କାରଣ ତୁମ୍ଭେ ହରିହର ଏକାତ୍ମା ହେତୁ ଏକତନୁ । ତୁମ୍ଭ ନାଭୀ କମଳରୁ ବ୍ରହ୍ମା ଜନ୍ମିବାରୁ ସେ ତୁମର ତନୁଜ । ଇନ୍ଦ୍ର ଉପେନ୍ଦ୍ର ତୁମ୍ଭେ ଦୁଇଭାଇ ହେତୁ ଇନ୍ଦ୍ର ତୁମାର ଭାଇ । ତା ଛଡ଼ା ପ୍ରଳୟ ଘୁଞ୍ଚାଇ ତୁମ୍ଭେ ମାର୍କଣ୍ଡେୟଙ୍କୁ ଯେ ରକ୍ଷା କରିଥିଲ ସେଥିରେ ମଧ୍ୟ ତମର ପ୍ରଶଂସା ନାହିଁ । କାରଣ ତାଙ୍କୁ ତ ତୁମ୍ଭେ ତୁମଠୁ ସ୍ୱତନ୍ତ୍ର ଜଣେ ବୋଲି କହ ନାହିଁ । ପୁନଶ୍ଚ ଗୋପୀନୀଙ୍କ ପ୍ରେମରେ ମତ୍ତ ଥିବାରୁ ଗୋବର୍ଦ୍ଧନ ଯାହା ଧରିଥିଲ, ଏଥିରେ ବା କି ପ୍ରଶଂସା ତୁମର ଅଛି ? ହସ୍ତୀକୁ ରକ୍ଷା କଲ ବୋଲି ଲୋକେ ପ୍ରଶଂସା କରିଥାନ୍ତି । ମୁଁ ଭାବୁଛି ତୁମ୍ଭେ କାନ୍ତା (ନାରୀ) ସ୍ନେହୀ ଥିବାରୁ ହସ୍ତୀଠାରେ ଧୀର ଗମନ ଦେଖି ତାକୁ ନିଶ୍ଚୟ ରକ୍ଷା କରିଚ । ଏଠି କିଏ କହିପାରେ, କୁବଳୟା ତ ପୁଣି ଏକ ଗଜ ଥିଲା । ତା’ର କ’ଣ ଧୀର ଗମନ ନ ଥିଲା କି ? ତାକୁ ତା ଦାନ୍ତ ଉପାଡ଼ି କିଆଁ ମାଇଲ ? ମନେ ହୁଏ ଯେଉଁ ଗଜକୁ ତୁମେ ରଖିଲ ସେ ରଖ ରଖ ବୋଲି କରୁଣ ଧ୍ୱନି କରିଥିଲା । ଏଥିରୁ ଜଣାଗଲା ତୁମ୍ଭଙ୍କୁ ଭକ୍ତିରେ ନ ଡାକିଲେ ତୁମ୍ଭେ ନାରୀ ସ୍ନେହୀ ଭାବରେ ନାରୀର ଲକ୍ଷଣ ଦେଖି ମଧ୍ୟ ଦୟାର୍ଦ୍ର ହୋଇ ନ ଥାଅ । ବସ୍ତୁତଃ ନାରୀ ପ୍ରତି ପୁରୁଷ ସର୍ବତ୍ର ଆକାଙ୍‌କ୍ଷୀ ହୋଇଥାଏ । କିନ୍ତୁ କଣ କରିବି ଏପରି ଅସୁବିଧାରେ ମୁଁ ପଡ଼ିଛି ଯେ ତୁମ୍ଭଙ୍କୁ ବୋଧହୁଏ ଭକ୍ତିରେ ନ ଡାକିଲେ ତୁମ୍ଭେ ମୋ ଡାକ ଶୁଣିବ ନାହିଁ । ତେବେ ଶୁଣ— ନାଦେ ସଫା ମତେ ଆଶୀର୍ବାଦ କଲେ ଯେ ମୁଁ ତୁମକୁ ଲଭିବି । ଭାବୁଛି, ସତରେ ତାଙ୍କ ପରି ଦେବର୍ଷିଙ୍କ ବଚନ କଣ ମିଥ୍ୟା ହେବ ?— ମୋ ଜୀବ ବୃକ୍ଷକୁ କଣ ଶିଶୁପାଳ ରୂପକ ଜ୍ୟେଷ୍ଠ ମାସର ଗ୍ରୀଷ୍ମରେ ପୋଡ଼ି ଦିଆଯିବ ? ମୋର ଆଶା, ତୁମ୍ଭେ ନିଶ୍ଚୟ ନବୀନ ମେଘ ହୋଇ ବର୍ଷାଦିନରେ ମୋତେ ବଞ୍ଚାଇବ । ମନେ ରଖ, ଗୋଟିଏ ଅନ୍ତଃପୁରଚାରିଣୀ ଯୁବତୀର ଏହା କେବେ କାପଟ୍ୟ ନୁହେଁ । ମୁଁ ତୁମର ପିଲା ଦିନର କଥା ସବୁ ବହୁତ ଶୁଣିଛି । ତେଣୁ ଜାଣିଛି ଯେ— ତୁମ୍ଭେ କେବେ ଜଣେ ଅସହାୟା ଯୁବତୀ ପ୍ରତି ନିର୍ଦ୍ଦୟ ହେବନି । ତେଣୁ ଗୋଟିଏ ସରଳା ବାଳିକାର ଭାର ତୁମ୍ଭେ ବହନ କର । କାରଣ ମହା ଭାର ବହନରେ ତୁମ୍ଭେ ଯେ ଦିନେ କଚ୍ଛପ ରୁପ ଧରିଥିଲ ? ନ ହେଲେ ମୋର ମୃତ୍ୟୁ ସୁନିଶ୍ଚିତ ଜାଣିବ ।

 

ରୂପ ଗର୍ବିଣୀ ରମଣୀ କେବେ କାହାକୁ ସ୍ୱାମୀ ରୂପେ ପାଇବା ଲାଗି ନିବେଦନ କରି ନ ଥାଏ । ଅବା ସାବିତ୍ରୀଙ୍କ ପରି ବରଣ କରିଥାଏ । କିନ୍ତୁ ଘଟଣା ଚକ୍ରରେ ମୃତ୍ୟୁ ବରଣ କରିବା ଅପେକ୍ଷା ଏପରି ନିବେଦନ କରିବାକୁ ରୁକ୍ମିଣୀ ସମୀଚୀନ ବୋଲି ମନେ କରିଛନ୍ତି ।

 

ଏହି କାବ୍ୟ ଗ୍ରନ୍ଥର ବିଭିନ୍ନ ପ୍ରୟୋଗରେ ଏକାକ୍ଷର, ସଡ଼ଷ୍ଠକ, ନିରୋଷ୍ଠକ, ଅବନା ପ୍ରଭୃତି ଶବ୍ଦାଳଙ୍କାରର ଉଦାହରଣ ନ ଥାଇପାରେ; କିନ୍ତୁ ଉପମା, ଅନୁପ୍ରାସ, ଯମକ, ଶ୍ଳେଷ, ଅଦଭୁତୋପମା, ଅନ୍ତର୍ଲିପି, ବହିର୍ଲିପି ଆଦି ଦେଇ ଗ୍ରନ୍ଥକର୍ତ୍ତା ନିଜ ଗ୍ରନ୍ଥରେ ସୌନ୍ଦର୍ଯ୍ୟ, ଚାତୁର୍ଯ୍ୟ ବୈଚିତ୍ର୍ୟ ସୃଷ୍ଟି କରି ପାଠିକା ପାଠକମାନଙ୍କୁ ମୁଗ୍‌ଧ ଓ ମୋହିତ କରି ପାରିଛନ୍ତି ।

 

ଏହି ଗ୍ରନ୍ଥରେ କବି ନିଜକୁ ଶୁଦ୍ର ବୋଲି ବର୍ଣ୍ଣିତ କରି ତାଙ୍କର ମୁଖୋଚ୍ଛିଷ୍ଟ ସ୍ୱରୂପ କବିତାମାନ ସର୍ବସାଧାରଣ ଗ୍ରହଣ କରିବାର ଯେଉଁ ଯୁକ୍ତି ଦେଇଛନ୍ତି ତାହା ଏ ଗ୍ରନ୍ଥରେ ବହୁ ସ୍ଥାନରେ ବର୍ଣ୍ଣିତ ହୋଇଅଛି । ସେଥିରୁ ତାଙ୍କର ମାହାତ୍ମ୍ୟ ପ୍ରତିପାଦିତ ହେବ ।

 

ପୁନଶ୍ଚ ଏହି କାବ୍ୟ ପ୍ରବନ୍ଧ-ପୂର୍ଣ୍ଣଚନ୍ଦ୍ର ଘେନି ସ୍ୱନାମଧନ୍ୟ ପଣ୍ଡିତ ବିନାୟକ ମିଶ୍ର ଯେପରି ଆଲୋଚନା କରିଛନ୍ତି, ପାଠ କଲେ ତାହା ପାଠିକା ଏବଂ ପାଠକମାନେ କବିଙ୍କର ଏକ ବିଶେଷ ମହତ୍ୱ ଉପଲବ୍‌ଧି କରିପାରିବେ । ତେଣୁ ଏଥିରେ ତାହା ଉଦ୍ଧାର କରାଗଲା ।

 

ସେ ଲେଖିଛନ୍ତି —

‘‘ଶ୍ଲେଷାଳଙ୍କାର, ଯଦୁମଣି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ ବହୁଳ ପରିମାଣରେ ବ୍ୟବହାର କରିଅଛନ୍ତି । ବୃକ୍ଷ ଓ ଋଷି ଉଭୟ ନାମବାଚକ ଏକ ଏକ ଶବ୍ଦକୁ ରୈବତ ପର୍ବତର ବର୍ଣ୍ଣନାରେ ବ୍ୟବହାର କରିଅଛନ୍ତି । ଏଠାରେ ପ୍ରଶ୍ନ ଉଠେ, ଏକ ଶବ୍ଦ ବୃକ୍ଷ ଓ ଋଷି ଉଭୟ ନାମବାଚକ ହେବାର କାରଣ କଣ ? ବୌଦ୍ଧ ସନ୍ନ୍ୟାସୀମାନଙ୍କୁ କେତେକ ବୃକ୍ଷ ମୂଳରେ ବାସ କରିବା ପାଇଁ ବୌଦ୍ଧ ଶାସ୍ତ୍ରରେ ନିର୍ଦ୍ଦେଶ ଦିଆଯାଇଅଛି । ଏଣୁ ଅନୁମିତ ହୁଏ ଯେ ଯେଉଁ ଋଷି ଯେଉଁ ବୃକ୍ଷମୂଳରେ ବାସ କରୁଥିଲେ ସେହି ଋଷିଙ୍କ ନାମ ଅନୁସାରେ ସେହି ବୃକ୍ଷର ନାମକରଣ ହୋଇଅଛି । ଏହିପରି ଭକ୍ତ ସୂତ୍ର ପ୍ରଣେତା ଋଷିଙ୍କ ନାମ ଶାଣ୍ଡିଲ୍ୟ ଓ ବେଲଗଛର ନାମ ସାଣ୍ଡିଲ୍ୟ ।

 

ମାତଙ୍ଗ କୁମ୍ଭ ଅଗସ୍ତୀ ସଂସଗୀ

ଭୃଗୁ କଚିଳ ମରିଚ ସରାଗୀ

ଶାଣ୍ଡିଲ୍ୟେ କଉଶିକ ଡ଼ାକେ ବ୍ୟାସ

ଭରଦ୍ୱାଜ ଶୁକ ହାରିତ ବଂଶ ସେ

ବରାହ ରୋମାଞ୍ଚ ସଙ୍ଗ ଯେ

ରାମ ଶତାନନ୍ଦ ପବତ ବିଦିତ

ଜନକ ସଂସାର ଭଙ୍ଗ ଯେ ।

 

(ପଣ୍ଡିତ ମିଶ୍ର ତାଙ୍କ ଲେଖାରେ ଏହି ପଦଟି ଦେଇ ନାହାନ୍ତି କିନ୍ତୁ ଏହି ପଦ ଲକ୍ଷରେ ସେ ଲେଖିଥିବାରୁ ଏଠାରେ ଉଦ୍ଧାର କରାଯାଇଛି । ଏହାର ଟୀକା ଗ୍ରନ୍ଥରେ ଦ୍ରଷ୍ଟବ୍ୟ —ଛା ୧−୧୪ ପୃଷ୍ଠା)

 

‘ନାୟିକାର ବନବିହାର ପ୍ରସଙ୍ଗରେ ଯଦୁମଣି ଯେପରି ଶ୍ଳେଷାଳଙ୍କାର ବ୍ୟବହାର କରିଅଛନ୍ତି, ସେପରି ଅର୍ଥ— ବିଶିଷ୍ଟତାର ଶ୍ଲେଷ ଅନ୍ୟ କୌଣସି କାବ୍ୟରେ ବୋଧହୁଏ ନାହିଁ ।

 

କେ କହିଲା ନାଗେଶ୍ୱର ପଦ୍ମତୋଳା

ବିଦ୍ୟାରେ ନରେନ୍ଦ୍ର ମୁଁ ଅଟେ

ଶୁଣି ବେନି ଅଥ ମଣି ରମଣୀଏ

ବେନି ଅର୍ଥକୁ ରଖି ରଟେ

ତେବେ ଭୋଗୀର

ବିହାର ବିଧାନ କରିବୁ

ରଜନୀ କର ଚାଳିଲେ ସେ ନାଗର ଉଗ୍ର ପରିତାପ ହରିବୁ ।

 

‘‘ନାଗେଶ୍ୱର ଓ ପଦ୍ମଫୁଲ ତୋଳିବା ବିଦ୍ୟା ଏବଂ ନାଗେଶ୍ୱର ବଜାଇବା ଓ ପଦ୍ମତୋଳା ଗାଇବା ବିଦ୍ୟା । ଭୋଗୀ−ବିଳାସୀ ଓ ସର୍ପ, ବିଳାସୀର ଫୁଲ, ସର୍ପର ବାଜାଗୀତ ଲୋଡ଼ା । ରଜନୀକର ଚାଲିଲେ—ଚନ୍ଦ୍ର ଚାଳନା କଲେ ଓ ଧୂଳି ସମୂହ (ରଜନିକର) ମନ୍ତ୍ର ଫିଙ୍ଗିଲେ । ନାଗ−ରସିକର ଓ ସର୍ପର ।

 

‘‘ଅନ୍ୟାନ୍ୟ କବିଙ୍କ ପରି କେବଳ ଫୁଲ ଓ ଶିବ ଅର୍ଥରେ ଯଦୁମଣି ‘ନାଗେଶ୍ୱର’ ଶବ୍ଦ ବ୍ୟବହାର କରି ନାହାନ୍ତି । ଆହୁରି ଭିନ୍ନ ପ୍ରକାରର ଶ୍ଲେଷ ମଧ୍ୟ ତାଙ୍କ କାବ୍ୟରେ ଦେଖାଯାଏ ।

 

ଶଙ୍କର ପର−ଜରେ ପଡ଼ିରହିଲେ ଯୋଗ ଆଶାବରୀ ଗଉରୀ

ଲଳିତ ବସନ୍ତ ଭୈରବ ଦେବାରୁ ବହିବ କୋଳାହଳ ପୁରୀ

ମାଳବରେ ଯେ, ହୋଇବ ଶଙ୍କରାଭରଣ

ବିଷ ଆହାରି ହୋଇବୁ ନ ଭେଟିଲେ ମୋହନ ମଙ୍ଗଳ କଲ୍ୟାଣ !

 

ଶଙ୍କରପର−ଜରେ−କାମଜ୍ୱରରେ, କେବଳ ଆଶକୁ ବରଣ କରିବା ଘେନି (ଆଶାବରୀ) ଗୌରୀ ବା ପାର୍ବତୀ ପଡ଼ି ରହିଥିଲେ । (ସେପରି ପଡ଼ି ରହିଲେ ଏ ନାୟିକା ପାର୍ବତୀ ହେବ । କିନ୍ତୁ ଲଳିତ ବସନ୍ତ ଋତୁ ଭୈରବ (ଭୟ) ଦେବାରୁ ଏ ପୁରୀରେ କୋଳାହଳ ପଡ଼ିଛି । ମାଳ−ଶ୍ରେଷ୍ଠଦ୍ୱାରା ଶିବଙ୍କର ଅଳଙ୍କାର ହେବ । ମଙ୍ଗଳ କଲ୍ୟାଣ ମୋହନଙ୍କୁ ନ ଭେଟିରେ ବିଷାହାରୀ ହେବୁ ବା ବିଷ ଖାଇବୁଁ । ଏହି ସାଧାରଣ ଅର୍ଥ ଛଡ଼ା ଶଙ୍କର ପରଜ ରାଗରୁ କିପରି ଆଶାବରୀ ଓ ଗୌରୀ, ଲଳିତ ବସନ୍ତ ରାଗରୁ ଭୈରବ ପ୍ରଭୃତି ରାଗର ଉତ୍‌ପତ୍ତି ଘଟେ, ତହିଁର ସୂଚନା ମଧ୍ୟ ଅଛି । ସଙ୍ଗୀତଜ୍ଞମାନେ ଏହାକୁ ଆଲୋଚନା କରିବା ଉଚିତ ।”

(ଓଡ଼ିଆ ସାହିତ୍ୟର ଇତିହାସ ।)

 

ଚଉପଦୀମାଳା−

ଯଦୁମଣିଙ୍କର ଚଉପଦୀମାଳା କେତେକ ଅନବଦ୍ୟ କବିତାର ସମଷ୍ଟି । କିପରି ତାହା ସଂଗ୍ରହ କରାଯାଇଛି ତାର ଇତିହାସ ପୂର୍ବରୁ ଦିଆଯାଇଛି ।

 

୨୮ଟି କବିବାରୁ ୪ଟି କବିତା ଭଜନ ଭାବରେ ଗ୍ରହଣ କରାଯାଏ । ଏହି ଭଜନ ମଧ୍ୟରେ ପୁତ୍ରଶୋକାତୁର ଯଦୁମଣି ‘ଦେଲ ଯାହା ନେଲ ତାହା’ କବିତାଟି ଏକାନ୍ତ ଯୁକ୍ତିଯୁକ୍ତ ଓ ମଧୁର ଭାବରେ ଗାଇଛନ୍ତି । କବିତାଟିର ମର୍ମ୍ମହେଲା—

 

ଯେପରି କଂସ ଗଜକୁ ମାଇଲ, ସେପରି କୁମ୍ଭୀରଠାରୁ ଗଜ ଏକ ରକ୍ଷା କଲା । ଯେପରି ବଳୀର ଦାନ ବିଭୂତିକୁ ଲୋପକଲ, ସେପରି ଅକିଞ୍ଚନ ସୁଦାମକୁ ପ୍ରଚୁର ଦାନକଲ । ଯେପରି ଗୋପୀଙ୍କ ମହତ୍ୱ ନେଲ, ସେପରି କୃଷ୍ଣାଙ୍କୁ କୁରୁସଭାରେ ମହତ୍ୱ ଦାନକଲ ।

 

କିନ୍ତୁ—

 

ପାତଳୀ ମୁକୁଟ ଶ୍ରେଣୀ

ଶିରୋମଣି ଯଦୁମଣି

ମନ ତିଳେ ନେଇ ନ ପାରିବ

ଏହା ଉଦ୍ଧାରଣେ ଯେବେ

ଚିତ୍ତ ଦେଇପାର ଲବେ

ତେବେସିନା ଦାତା ବୋଲାଇବ

ନୀଳାଚଳ କଳାକର

ନେଲ ଯାହା ଦେଲେ ତାହା

ଏଥକୁ କିପାଇଁ ମହା−

ଦାତା ପଣେ ପତକା ବାନ୍ଧିଛ ?

 

ସେ ଜଗନ୍ନାଥଙ୍କ ନିକଟରେ କବିତାଟି ଦେଲ ଯାହା ନେଲ ତାହା ଏହି ଭାବରେ ଗାନ କରିଥିଲେ । କିନ୍ତୁ ରାଜା ବିନାୟକ ତାଙ୍କୁ କହିଥିଲେ, ତାଙ୍କର କାର୍ଯ୍ୟ କ’ଣ ତୁମ୍ଭପାଇଁ ଯଦୁମଣି ଏତିକିରେ ସରିଗଲା ? ତହୁଁ ସେ ଭାବିଚିନ୍ତି ପରେ ପରେ ‘‘ନେଲ ଯାହା−ଦେଲ ତାହା” ଭାବରେ ପରିବର୍ତ୍ତନ କରି ପ୍ରଚାର କରିଥିଲେ ।

 

ଅନୁପ୍ରାସ ଖଞ୍ଜିବାରେ ସେ ଜଣେ ବିଚକ୍ଷଣ କବି ଥିଲେ । ଉଦାହରଣ ସୂରୁପ କକା, ବକା, ଦକା ଡକା ଧକ୍‌କା, ପକ୍‌କା, ଏକା ଏବଂ ବିରଞ୍ଚି, ବିପଞ୍ଚ, ମଞ୍ଚୁ, କୁଞ୍ଚିଚ୍ଛ, ବିଂଚୁଥିଲି, ସଂକୁଚିତ, କିଂଚିତ, ଗାଞ୍ଚି ପହଞ୍ଚ ଆଦି ପ୍ରୟୋଗ ରେ ସେ ଏପରି ସିଦ୍ଧହସ୍ତ ଯେ କବିତାମାନ ଗାନକରିବାବେଳେ ଅର୍ଥ ବୁଝାବା ନବୁଝ ସ୍ୱତଃ ମୁର୍ଖଠାରେ ମଧ୍ୟ ଆନନ୍ଦ ଫୁଟିଉଠେ ।

 

ତାଙ୍କ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଯେଉଁ ସାତଟି କବିତା ଲେଖିଛନ୍ତି, ତନ୍ମଧ୍ୟରୁ ଗୋଟିଏ ପଦ ଏଠାରେ ଦିଆଯାଉଛି ।

 

ପୟୋଧରାରେ

ଚିର ଅଚିର ବୟସୀ ତୁ ଏ ଧରାରେ ।୦ ।

ଖଞ୍ଜା ତୋ ଖଞ୍ଜନା

ଖଞ୍ଜାଅ ଗଞ୍ଜନା

ଖକୁ ଖଙ୍ଗ ଯଦୁମଣି ତୋ ଖଟଣି ପରାରେ ।

 

ଅର୍ଥାତ ରେ ଖଞ୍ଜନା ( ଖଞ୍ଜନା ନାମ ଧାରିଣୀ) ଖଞ୍ଜ ଅର୍ଥାତ୍ ମୁଁ ତୋ ସେବାରେ ନିଯୁକ୍ତ-। ଅଥବା ତୁ ଖଞ୍ଜନ ଖଞ୍ଜା—ଖଞ୍ଜନା ନାମକ ରାଗିଣୀକୁ ଗାନକରି, ମୋର ଗଞ୍ଜନାକୁ ଖଞ୍ଜାଅ—ଶୂନ୍ୟରେ । ମୋ ମନୋବେଦନା ଦୂରକର । ‘ଖ’ କୁ–ସ୍ୱର୍ଗକୁ–ବା ଆକାଶକୁ, ଗଙ୍ଗା—ସମୁଦ୍ରବାସୀ ମାଛ ବିଶେଷ ଯେପରି ଅତି ଅନୁପଯୁକ୍ତ, ସେହିପରି ସେବା ବିଷୟରେ ଅତି ଅନୁପଯୁକ୍ତ ହେଲେ ସୁଦ୍ଧା ଯଦୁମଣି ତୋ ଖଟଣୀ—ଭୃତ୍ୟ ପରା ? ଅର୍ଥାତ ତୁ ସ୍ୱର୍ଗପରି ଅତି ଉଚ୍ଚରେ ହେଲେ ମୁଁ ସମୁଦ୍ରବାସୀ ଜୀବପରି ଅତି ନିମ୍ନରେ । ତଥାପି ସର୍ବଦା ତୋର ଭୃତ୍ୟ ଅଟେ । ତେଣୁ ତୁ ଖଞ୍ଜନା ରାଗିଣୀ ଗାଇ ମୋର ମାନସିକ ଗଞ୍ଜନା ଦୂରକର ।

 

(ପଣ୍ଡିତ ଗୋପୀନାଥ ମିଶ୍ରଙ୍କ ଟୀକା)

ଏହିସବୁ ସଙ୍ଗୀତ ମଧ୍ୟରେ ତାଙ୍କ ସ୍ତ୍ରୀଙ୍କୁ ସେ ଯେତେ ପ୍ରକାର ବନ୍ଦନା କରିଛନ୍ତି, ତନ୍ମଧ୍ୟରେ ତାଙ୍କର ଗୋଟିଏ କବିତାରେ ଭର୍ଯ୍ୟାଙ୍କ ବହୁ ସଦ୍‌ଗୁଣକୁ ବହୁ ସୁଖାଦ୍ୟ ସହିତ ତୁଳନା କରି ଲେଖିଛନ୍ତ -

 

ତୁ ମୋ ପ୍ରୀତି ମୋଦକୀ ପସରାରେ

ମୁଁ ତୋ ଲାଗୁଆ ଗ୍ରାହକ ପରା । ୦ ।

ଗୁମାନକୁ ତୋର ଗୁଡ଼ସାର ମଣେ

ସନମାନଟି ତୋ ଛେନା କାକରା । ୧ ।

ଇଙ୍ଗିତ ଭଙ୍ଗିତୋ ସୁରସ ଆରିସା

ସମାଦର ସରପୁଳି କାକରା । ୨ ।

ଗାଳି ପଦକ ତୋ ମଧୁରସାବଳୀ

ରୁଷାଣି ଠାଣିଟି ବଲ୍ଲଭ କୋରା । ୩ ।

ପରିରମ୍ଭଣ ତୋ କନ୍ତାରି ଦୋରୁଅ

ମଦନ ତୃଷାହାରୀ ମନୋହରା । ୪ ।

ଲାବଣ୍ୟ ଜଳଧି ଭାବହାବ ଲାଭ

ଆଶେ ଯଦୁମଣି ମନଟାକରା । ୫ ।

 

ଅର୍ଥାତ୍–ହେ ସଖି ! ତୁ ମୋର ପ୍ରୀତିରୂପକ ଗୁଡ଼ିଆ ପସରା ଅଟୁ । ମୁଁ ତୋର ଲାଗୁଆ ଗ୍ରାହକ ଅଟେ—ଏହା ଜାଣ ।

 

ତୁ ଯେତେବେଳ ଗୁମାନ କରୁ ମୁଁ ତାକୁ ଉକ୍ତ ପସବର ଗଡ଼ସାର ମନେକରେ । ଏବଂ ମୋ ପ୍ରତି ଯେତେ ତୁ ସମ୍ମାନ ଦେଉ ମୁଁ ତାହା ଛୋନକାକରା ପରି ମଣେ । ମୋ ପ୍ରତି ତୋର ଇଙ୍ଗିତ ଏବଂ ଭଙ୍ଗକୁ ଖାଣ୍ଟିଘିଅର ଆରିସା ଓ ମୋ ପ୍ରତି ତୁ ସ୍ନେହକଲେ ମୁଁ ତାକୁ ସରପୁଳି ଓ ସାକରା ପ୍ରାୟ ମନେକରେ । ତୋର ଗାଳି−ପଦକ ମୁଁ ମଧୁ ରସାବଳୀ ଓ ରୁଷାଢଙ୍ଗକୁ ବଲ୍ଲଭ କୋରା ପରି ଭାବେ । ମଦନତୃଷା ହରଣକାରିରେ ମନୋହରା ! ତୋର ଆଲିଙ୍ଗନାଦି ପ୍ରୀତିସଂପନ୍ନ କାର୍ଯ୍ୟକୁ ମୁଁ କନ୍ତାରି ଆଖୁଦୋରୁଅ ପରି ମଣେ । ତୋ ଲାବଣ୍ୟ ଜଳଧିର ଭାବହାବ ଆଶାରେ ଯଦୁବଣି ମନ ଟାକରା ହୋଇ ରହିଛି ।

 

ତାଙ୍କର ସଂଗୀତମାନ ସେ ରାଗ ଓ ତାଳ ସଂଯୋଗରେ ଲେଖି ଥିବାର ଦେଖାଯାଏ । ଏସବୁ କବିତାମାନ ତତ୍‌କାଳୀନ ମନୋବୃତ୍ତି ଉପରେ ନାରୀପ୍ରତି ଆକାଙ୍‌କ୍ଷା ରଖି ଅବଶ୍ୟ ଲେଖାଯାଇଛି । ସବୁକାଳେତ ନାରୀହିଁ କବିର ପରମ ଆଶ୍ରୟ ହୋଇଛନ୍ତି । କବି କାହିଁକି ବିଶ୍ୱଜଗତରେ ମଧ୍ୟ ନାରୀ ପରମ ଧର୍ମ୍ମ ବୋଲି କାଳ କାଳ ପୂଜିତ ହେଉଛନ୍ତି । କାଳୀଦାସ ହୁଅନ୍ତୁ, ରାଧାନାଥ ହୁଅନ୍ତୁ, ସବୁଠାରେ ନାରୀର ଅଙ୍ଗଗଠନ, ତାର କୋମଳନା, ତାର ପ୍ରେମ, ତା ପ୍ରତି ଆକାଙ୍‌କ୍ଷା ବର୍ଣ୍ଣିତ ହୋଇଅଛି । ନାରୀଭିନ୍ନ ବିଶ୍ୱ−ସାହିତ୍ୟରେ ଉଚ୍ଚଙ୍ଗ କବିତା ନାହିଁ । ତେଣୁ ତାଙ୍କ କବିତା ଯେ ଅନୁପାଦେୟ ବା ହେୟ ଏପରି ମତ କେହି ଦେଇ ନ ପାରେ ।

 

ସମସ୍ତ କବିତାମାନଙ୍କ ମଧ୍ୟରୁ ନୂଆଁଗଡ଼ ରାଜାଙ୍କ ଭଣତିରେ ୬ଗୋଟି, ଖଣ୍ଡପଡ଼ା ରାଜାଙ୍କ ଭଣତିରେ ୬ ଗୋଟି, ନିଜନାମ ଭଣତିରେ ସ୍ୱ ସ୍ତ୍ରୀଙ୍କ ପ୍ରତି ୭ଟି ଏବଂ ଅନ୍ୟପ୍ରତି ୩ଟି ଏବଂ ଘଟଣା ଚକ୍ରରେ୨ଟି ଏପରି ୨୪ଟି ଏବଂ ଭଜନ ୪ଟି ମିଶି ୨୮ ଟି ଲେଖାଯାଇଛି । ଏହା ବ୍ୟତୀତ ଚଉପଦୀ ଅସଂଖ୍ୟ ଥିବ ।

 

ଏହି ହେଲା ତାଙ୍କର ସମସ୍ତକୃତୀ ରଚନାର ପରିଚୟ ଏବଂ ବିବରଣ । ତାଙ୍କର ଜୀବନ କଥା ସ୍ୱତନ୍ତ୍ର ପ୍ରକାଶିତ ଅଛି, ତାହା ପାଠକଲେ ସେ କଣ ଥିଲେ, ନ ଥିଲେ ତାହା ସମସ୍ତେ ଜାଣିପାରିବେ । ଆଉ ଅଧିକ ତାଙ୍କ ସମ୍ବନ୍ଧରେ କଣ ବା କୁହାଯାଇପାରେ ?

 

ଏହି ସ୍ୱର୍ଗାଦପି ଗରୀୟସୀ ଉତ୍କଳ ଭୂମି କୋଳରେ ଜନ୍ମି କେତେ ସୁସନ୍ତାନ ଆମ ଜନନୀର ଭାଷା ସମୃଦ୍ଧି ଓ ସଂରକ୍ଷଣ ଲାଗି କେତେ ଅମୂଲ୍ୟନିଧି କାବ୍ୟ କବିତାଦି ଯେ ଦାନକରି ଯାଇଛନ୍ତି, ସେ ସମୂଜ୍ଜ୍ୱଳ ରତ୍ନମାନ ଏବେ ମଧ୍ୟ ଆମେ ଏକତ୍ର ଦେଖିବାର ସୁଯୋଗ ପାଇପାରି ନାହୁଁ । କାଳ ଅନନ୍ତ, ବ୍ୟବଚ୍ଛେଦ ଦୁର୍ନିରୀକ୍ଷ; ସୁତରାଂ ଏହି ପ୍ରାଚୀନତମ ପ୍ରତିଷ୍ଠିତ ଭୂମିର ନିଦର୍ଶନମାନ ଶାସ୍ତ୍ର ମାଧ୍ୟମରେ, କଳା ମାଧ୍ୟମରେ, ଲିପି ମାଧ୍ୟମରେ ସ୍ଥୂଳଦୃଷ୍ଟିର ଅଧିଗମ୍ୟ ନୁହେଁ । ତେଣୁ ଏ ରାଜ୍ୟର ଇତିହାସ ଏବେ ମଧ୍ୟ ଲେଖା ଆରମ୍ଭ ହୋଇନାହିଁ । ଏ ଜାତିର ସଂସ୍କୃତି, ଏ ଜାତି ସାହିତ୍ୟର ଇତିହାସ ଏବେ ମଧ୍ୟ ବିସ୍କୃତଗର୍ଭରେ ଲୁଚି ରହିଛି । ତାର ଆଲୋଡ଼ନ ଲାଗି ସ୍ୱୟଂ ଉତ୍କଳ ସନ୍ତାନ ମଧ୍ୟ ତାର ଜନନୀ ପ୍ରତି ବିଶ୍ୱାସୀ ଓ ପ୍ରୀୟତମ ହୋଇପାରିନି । ଯାହା ହୋଇଚି ତା ସମୁଦ୍ରକୁ ଶଙ୍ଖେ ପଣା ପରି ।

 

ନିଦିଧ୍ୟାସନ, ନିପୁଣତମ ଉଦ୍‌ଯୋଗ, ନିଜର ପରଂପରା ପ୍ରତି ବିଶ୍ୱାସ ନ ଆଣି ଆମେ ଉତ୍କଳୀୟ ଏପରି ଦୀନହୀନ କାପୁରୁଷ ହୋଇପଡ଼ିଛୁ । ଯେ ଜଣେ ଆଧୁନିକତମ ଯଦୁମଣି ମହାପାତ୍ର ଏକ୍ଷଣି ଲୋଡ଼ା ହେଉଛନ୍ତି—ଯେ କି ହିମାଳୟଠାରୁ କୁମାରିକା ମଧ୍ୟରେ ଏ ଜାତିର ମହତ୍ୱ ଓ କୀର୍ତ୍ତି ଆଦି ନିର୍ଭୀକ ଏବଂ ଦମ୍ଭୀକ ଏବଂ ଦାମ୍ଭୀକତାର ସହିତ ପ୍ରଚାର କରିପାରିବେ ।

 

ରଜା କହିଲେ ‘ତୋ’ ଟାକୁ ଯିବୁ—ଯଦୁମଣି କହିଥିଲେ—‘ତୋ ରାଣୀ’ ସାରି ଆସେ । ମୁଣ୍ଡ କଟୁପଛେ ଏପରି ଯେସାକୁ ତେସା ନୀତିରେ ଦମ୍ଭ ନ ଧଇଲେ, ରାଜପୁରୁଷମାନେ ଦିନେ ଯାହା କରୁଥିଲେ ବର୍ତ୍ତମାନ ମଧ୍ୟ ତା କରିବେ । ଯାହା କରୁଛନ୍ତି ତା କରୁଥିବେ । ଆକବରଙ୍କ ପାପ ଇଚ୍ଛା ଦୂରହେଲା, କବି ପୃଥ୍ୱୀରାଜଙ୍କ ସ୍ତ୍ରୀଙ୍କ ସୁନେଲି ତଟି ଆଘାତରେ । ଯଦୁମଣି ରାଜା ପାପ ଇଚ୍ଛା ଦୂର କରିଥିଲେ— ମାସ୍ତୁଲ ଦେଖାଇ ।

 

ମରଣକୁ ଡରି ଡରି ଏ ଜାତି ଅବିଚାରକ ଧର୍ମାବତାରଙ୍କ ତୁଣ୍ଡରୁ ‘ତୁମେ ବଡ଼ ଭଲ, ତୁମେ ବଡ଼ ଶାନ୍ତ ଶିଷ୍ଟ’ ଶୁଣି ଶୁଣି ଲୋପ ହେବାକୁ ଯାଉଛି । ତାର ସୀମା ବିଲୁପ୍ତ, ତାର ଭାଷା ବିପଦଗ୍ରସ୍ତ, ତାର ସଂସ୍କୃତି ଧ୍ୱଂସପ୍ରାପ୍ତ, ତାର ଧର୍ମ୍ମ, ତାର ମଣିଷ ପରି ବଞ୍ଚିବା ମଧ୍ୟ ଅନିଶ୍ଚିତ ହୋଇପଡ଼ିଛି । ସେ ବିଶ୍ୱଜଗତରେ ଚୁଟିଆ, ମୋଟବୁହା, କୁଲି ଓଡ଼ିଆ ବୋଲି ଏବେ ମଧ୍ୟ ବିଭିନ୍ନ ଗ୍ରନ୍ଥ ମଧ୍ୟରେ ପରିଚିତ ହେଉଛି ।

 

ହାୟରେ ହାୟ, ଏ କଥା ଏ ଦେଶର ଶିକ୍ଷତ ଯୁବକମାନେ ମଧ୍ୟ ହୃଦୟଙ୍ଗମ କରୁନାହାନ୍ତି-। ଦେଶର ହିତ ଲାଗି, ପରର ମଙ୍ଗଳ ଲାଗି ଯଦୁମଣି ଚିରଦିନ ଦୁଃଖ ଭୋଗି ମରିଛନ୍ତି-। ଏବେ ମଧ୍ୟ ତାଙ୍କ ସ୍କୃତି ଉଦ୍‌ଘାଟିତ ହୋଇନି । ସେ ଦୁଃଖରେ ମଲେ ସୁଦ୍ଧା ଅମର ହୋଇ ରହିଅଛନ୍ତି । ଅନ୍ତିମ ବୟସରେ ଯେଉଁମାନେ ତାଙ୍କୁ ଅର୍ଥାଗମର ସୁବିଧାରୁ ବଞ୍ଚିତ କରି ଅପମାନିତ କରିଥିଲେ, ସେ ମଲେଣି କେଉଁକାଳୁ, କିନ୍ତୁ ସଦ୍‌ବୁଦ୍ଧି ପରିଚାଳିତ ସମଦର୍ଶୀ ବିଦ୍ୱାନ ଶୁଦ୍ରକବି ଯଦୁମଣି ଆଜି ଓଡ଼ିଆ ଗାଁ ଗହଳରେ ଘରେ ଘରେ ବନ୍ଦନୀୟ ପୂଜାପୀଠରେ ଆସନ ପାଇ ଚାଲିଛନ୍ତି । ଆହୁରି ପାଇବେ ।

 

ଭବଭୂତିଙ୍କ ଭାଷାରେ—

ଉପତ୍ସ୍ୟତେତୁ ମମକୋପି ସମାନ ଧର୍ମ୍ମ ।

କାଳୋ ହ୍ୟୟଂ ନିରବଧିର୍ବିପୂଳା ତ ପୃଥ୍ୱୀ

 

କାଳ ଅନନ୍ତ, ପୃଥିବୀ ବିପୁଳ, ମୋ ସମାନ ଧର୍ମ୍ମୀ କେହି ଏହି ସଂସାରରେ ଜନ୍ମିବେ । ତାଙ୍କ ଲାଗି ମୁଁ ଏ ପରିଶ୍ରମ କରୁଛି ।

 

ଯଦୁମଣି ଯେଉଁ ପରିଶ୍ରମ କରିଛନ୍ତି, ସେ ଯେଉଁ ଆତ୍ମଦାନ ଦେଇଛନ୍ତି, ଦିନେ ତାହା ସାଧାରଣ ସର୍ବଜନରେ ଗର୍ବିତ ପୌରଜନରେ ନିଶ୍ଚୟ ସମ୍ମାନିତ ହେବ ।

 

ସୁଖସ୍ୟାନନ୍ତରଂ ଦୁଃଖଂ ଦୁଃଖସ୍ୟ ନନ୍ତରଂ ସୁଖଂ

ଚକ୍ରବତ୍ ପରିବର୍ତ୍ତନେ ଦୁଃଖାନି ଚ ସୁଖାନି ଚ ।

 

ଉତ୍ସର୍ଗପତ୍ର

ସ୍ୱର୍ଗତ ଅଦର୍ଶ ରାଜପୁରୁଷ, ପରମ ନୈଷ୍ଠିକ ଶ୍ରୀବନମାଳୀ କ୍ଷତ୍ରିୟ

ବୀରବର ଚମୁପତି ସିଂହ ମହାପାତ୍ର ଏବଂ

ସ୍ୱଗତ ଆଦର୍ଶମାନବ,ବହୁ ସଦ୍‌ଗୁଣଭୂଷଣ ପଣ୍ଡିତ କପିଳେଶ୍ୱର

ବଡ଼ପଣ୍ଡା, ତିଗିରିଆ ଦୁର୍ଗଙ୍କ

କରକମଳରେ ଉତ୍ସର୍ଗୀକୃତ ।

 

ଆପଣ ଦୁହେଁ ଥିଲେ ଏକାତ୍ମୀୟ । ଜଣେ ସର୍ବମୟ କର୍ତ୍ତୃତ୍ୱସଂପନ୍ନ ରାଜା ହୋଇ ଶ୍ୟାଳକ ଏବଂ ଜଣେ କୌତ୍ସସାନ୍ୱୟ କୁଳୀନ ଅଭିଜାତ ବ୍ରାହ୍ମଣ ହୋଇ ତାଙ୍କର ଭିଣୋଇଁ । ଏଠି ରହସ୍ୟ ଥିଲା ଏତିକି ଯେ ରାଜାଙ୍କ ଗୁରୁଗୋସେଇଁଙ୍କ ଜେମାଙ୍କୁ ବିବାହକରିବାରୁ ଏହି ସମ୍ବନ୍ଧ ସାଧାରଣ ସମ୍ବନ୍ଧ ପ୍ରାୟ ରହି ଆସିଥିଲା । ପୁନଶ୍ଚ ନାରୀ ହିସାବରେ ‘ଶ୍ରୀମତୀ’ ଶ୍ରୀଙ୍କ ପରି ସର୍ବଗୁଣାଳଂକୃତା ଥିଲେ । ଉକ୍ତ ଶ୍ରୀମତୀଙ୍କ ସାନ କନ୍ୟାଙ୍କୁ ମୁଁ ୧୯୨୯ରେ ବିବାହ କରିବା ପୂର୍ବଦିନ ଘଟଣାଚକ୍ରରେ ଯଦୁମଣିଙ୍କ ଛାନ୍ଦର ଏକ ଶ୍ଲୋକ ହେ ରାଜପୁରୁଷ ! ତୁମଠୁ ଶୁଣିଥିଲି; ପୁଣି ସାତ ମଙ୍ଗଳା ମଧ୍ୟରେ ତୁମର ନିତ୍ୟ ଅତିଥ୍ୟ ଲଭିବାବେଳେ ତୁମ ଦୁହିଁଙ୍କଠାରୁ ଯଦୁମଣିଙ୍କ ତିଗିରିଆ ରହଣି ଗଳ୍ପ ଶୁଣି ଆଚମ୍ବିତ ହେଉଥିଲି ।

 

ହେ ଚମୁପତି ! ତୁମ୍ଭେ ପରିହାସରେ ପଚାରିଥିଲ— ‘ହଇହେ ବାବୁ ! ପଣ୍ଡିତ, କବି ତ ହୋଇଛ; ବହି ତ ଲେଖୁଛ, ଆଚ୍ଛା ଯଦୁମଣି ମାହାପତ୍ରଙ୍କ କବିତା ଅର୍ଥ କରିପାରିବତ ?

 

ହେ ବଡ଼ପଣ୍ଡା ! ତୁମ୍ଭେ କହିଥିଲ—‘ଯାଃ, ଅର୍ଥ କରିବେ କ’ଣ, ଯଥାର୍ଥ ଭାଷ୍ୟ ଦେଇ ତାକୁ ଏକାଠି ଗୁନ୍ଥି ଗ୍ରନ୍ଥାବଳୀ କରିଦେବେ । କ’ଣ ବିଚାରିଛନ୍ତି କି ? ରାଜଗୁରୁ ବର୍ଦ୍ଧନ ମହାପାତ୍ରଙ୍କ ଅନ୍ୱୟଟି ସେ ?’

 

ଚମୂପତି, ତା’ଶୁଣି ତୁମ୍ଭେ କହିଥିଲ—‘ସତେ ! ତେବେ ଏ ଦକ୍ଷତା କେବେ ଦେଖିବା ?’

ହେ ଅଦୂଷିତ ସରଳ ମହାନ ଜୀବନ ଯୁଗଳ ! ତୁମ ଦୁହିଙ୍କ କଥା ଏବେ ମନେ ପଡ଼ୁଛି । ତୁମମାନଙ୍କ ପାଖରୁ ଦୂରେଇ ହୋଇ ଯଦୁମଣିଙ୍କ ରଚନା ଆଦିକୁ ମୁଁ ସଂଗ୍ରହ କରିବାକୁ ଯେପରି ସେତେବେଳେ ଲଜ୍ଜାର ବିଷୟ ଭାବୁଥିଲି । କିନ୍ତୁ ସେ ଲଜ୍ଜା ଦିନେ ଦୂର ହୋଇଗଲା ।

 

ଏବେ ଏତେ ଦିନେ ତା ସତ୍ୟ ହେଲା । ହେ ଗ୍ରନ୍ଥ ଯୁଗଳ ! ସାଥି ହୋଇ ପରଲୋକରେ ତୁମର ଭାବନା ଏବଂ ଆକାଙ୍‌କ୍ଷା ପୂରଣ ହୋଇଥିବାରୁ ସନ୍ତୋଷ ଲାଭ କର ।

 

ସାନ ଜୁଆଁଇ

 

ଏ କାର୍ଯ୍ୟ କିପରି ସମ୍ଭବ ହେଲା ?

ଏକଥା କିପରି ସମ୍ଭବ ହେଲା, ଏକ୍ଷଣି ଆଦୌ ଭାବି ହେଉ ନାହିଁ । କବିମଣି ଯଦୁମଣି ମହାପାତ୍ରଙ୍କୁ ମୁଁ କେବେ ଭୁଲରେ ମଧ୍ୟ ଜାଣେନା । ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ‘ଶୁଦ୍ର ମୁଖୁଁ ଏ ହୋଇଛି ବାହାର, ରୌଦ୍ରତା ବହି କେହି ନ ବିଚାର’—ଏହା ତିଗିରିଆର ବରେଣ୍ୟ କପିଳେଶ୍ୱର ବଡ଼ପଣ୍ଡାଙ୍କ ତୁଣ୍ଡରୁ ଏବଂ ‘ନେଲେ ହରି ହରି ହରିଣ ନେତ୍ରାକୁ ବିହରିଗଲା ଏହି ହୁରି’ ଏହି ପଦକ ଉକ୍ତ ତିଗିରିଆର ମହନୀୟ ରାଜପୁରୁଷ ବନମାଳୀ କ୍ଷତ୍ରିୟ ବୀରବର ଚମୁପତି ମହାପାତ୍ରଙ୍କ ତୁଣ୍ଡରୁ ଶୁଣି ମୁଁ ତାହା ମୁଖସ୍ଥ କରି ଗାଏ ।—ବେଶ୍, ଏତିକିରେ ଯଦୁମଣିଙ୍କ ସହିତ ମୋର ପରିଚୟ ଶେଷ । ତାଙ୍କର ଅନେକ ହାସ୍ୟ କବିତା ଶୁଣିଥିବି । କିନ୍ତୁ ସେ ପ୍ରତି ମୋର ଆଦର ନ ଥାଏ ।

 

ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ଉକ୍ତ ଦୁଇଟି ପଦ ଯେଉଁ ଘଟଣାରୁ ମୁଁ ଶୁଣି ତତ୍‌ପ୍ରତି ମନଯୋଗ ଆଣିଥିଲି, ସେ ଘଟଣାଟି ସଂକ୍ଷେପରେ କହିଲେ ଏଠାରେ ଭଲ ହେବ । ମୁଁ ୧୯୨୯ରେ ଖଦଡ଼ପିନ୍ଧା ଏକ ପୂର୍ଣ୍ଣ ସ୍ୱାଧୀନତାପିପାସୀ ସମାଜସଂସ୍କାରକ ଯୁବକ ଭାବରେ ତିଗିରିଆ ଦୁର୍ଗରେ ବିବାହ କରିବା ଘଟଣା ସେ ସମୟରେ ଚମକ୍ ଆଣିବା ସ୍ୱାଭାବିକ । କାରଣ ବର ସ୍ୱୟଂ କନ୍ୟା ଦେଖି ଆସିବାଠାରୁ ନିଜର ନିଷ୍ଠାପର ଆଭିଜାତ୍ୟ ବର୍ଜ୍ଜନ କରି ଗାଡ଼ି କେତେ ଖଣ୍ଡରେ ସାମଗ୍ରୀ ଧରି ବିବାହ କରି ଆସିବା ବାସ୍ତବିକ୍ ନୂତନ ଜଣାଯାଉଥାଏ । ତିଗିରିଆ ଗଡ଼ର ଶ୍ରୀଯୁକ୍ତ ମଧୁସୂଦନ ପଟ୍ଟନାୟକ ଏହା ତତ୍‌କାଳର କେବଳ ସମର୍ଥନ କରନ୍ତି । ମୁଁ ଏତେ ନିଷ୍ଠୁର ଥିଲି ଯେ ସମଗ୍ର ଗ୍ରାମରେ ଅନୁରୋଧ ଉପରୋଧ ଭାଙ୍ଗି ସଂସ୍କାର ପ୍ରତି ଜିଗର କରି ଏହି ଘଟଣାରେ ବ୍ୟଥିତ ଥିବା ମୋର ବଡ଼ମାଆଙ୍କୁ ମୋ ବିବାହର ଦଶମଙ୍ଗଳା ଦିନ ହରାଇଲି ପଛରେ, ରାଜଗୁରୁ ସାଟୋପରେ, ବରବେଶରେ କଦାପି ଘରୁ ଆସି ନ ଥିଲି ।

 

ତିଗିରିଆ ଦୁର୍ଗ ସମ୍ଭ୍ରାନ୍ତ କରଣବହୁଳ ଏକ ଜନପନ । ଘରେ ଘରେ ଚର୍ଚ୍ଚା ଚାଲିଥାଏ କପିଳଶ୍ୱର ବଡ଼ପଣ୍ଡାକୁ ଦୁର୍ବୁଦ୍ଧି ଘୋଟିବାରୁ ସେ ତାରପରା କନ୍ୟାଟିକୁ ଭସେଇଦେଲା । କନ୍ୟାର ନାମ କନକ ମଞ୍ଜରୀ । ସତରେ ପାଗଳା ବାବାଜୀ କଥାରେ ସେ ଅତୁଲ୍ୟ ରୂପବତୀ ଜେମା । ପୁରୀ ଜଗନ୍ନାଥଙ୍କ ପଣ୍ଡାଠୁ ଶୁଣିଲି ସେ ରାଜରାଜେଶ୍ୱରୀ କନ୍ୟା । ସେହି କନ୍ୟାର ବର କିନ୍ତୁ ନରସିଂହପୁରରେ ଥିବା ବତ୍ସସାନ୍ୱୟ ଗଜପତିଙ୍କ ରାଜଗୁରୁ ବଂଶଜ ହୋଇ ପଦରେ ଚାଲି ବିଭା ହୋଇ ଆସିବ, ତାକୁ କେହି ଯୁକ୍ତିଦେବାର ପାତ୍ର ନାହାନ୍ତି,ଏହି ବିଷୟଟି ଉକ୍ତ ଜନପଦକୁ ବିବ୍ରତ କରିଥାଏ ।

 

ବିବାହ ପୂର୍ବଦିନ ରାତ୍ରରେ ଯୁବାର ଏହି ଜିଗର ଭାଙ୍ଗିବା ଲାଗି ଅଭିଜାତ ଶିରୋମଣୀ ମହାମାନ୍ୟ ପରମପୂଜ୍ୟ ବୃଦ୍ଧ ରାଜା ଗୁଣ୍ଡଚା ମଣ୍ଡପକୁ ବିଜେ ହେଲେ । ତାହା ହେରା ପଞ୍ଚମୀର ପୂର୍ବ ଦିବସ । ମୋତେ ସେଠାକୁ ଡକାଇ ଆଣିଲେ । ନିକାଞ୍ଚନରେ ତାଙ୍କଠୁ ଗୁରୁ ଗମ୍ଭୀର ଧ୍ୱନିରେ ବାଣୀ ଫୁଟି ଉଠିଲା—

 

‘ଓ ହୋ, କି କଥା ୟେ । କାହାର ପରଂପରା ନାହିଁ ବା ନ ଥିଲା ହେ ? ୟେ କି ସମାଜ ସଂସ୍କାର ?’

 

ତାଙ୍କର ଗମ୍ଭୀର ମୂର୍ତ୍ତି ଦେଖି ମହାଦାମ୍ଭିକ ଯୁବକ ମୁଁ, ଭୟରୁ ନୁହେଁ,ଏକ ଅହୈତୁକି ମମତା ଘେନି ମୋର ସ୍ୱେଚ୍ଛାଚାରିତାର ଦୁର୍ଗ ଭୁଷୁଡ଼ି ପଡ଼ିଲା । କିନ୍ତୁ ପିତୃହୀନ ସନ୍ତାନର ଜିଗର ସର୍ବତ୍ର ବଡ଼ ବେଶୀ ଦେଖାଯାଏ ।

 

ଭବିଷ୍ୟତ୍‌କୁ ଶ୍ୱଶୁର ନାମରେ ଯେ ଚିହ୍ନିତ ହେବେ, ସେ କହିଲେ—ଜାଣନ୍ତି ଆଜ୍ଞ ! ଅତି ଉଚ୍ଚକୁଳରେ ଜନ୍ମିଛନ୍ତି ।

 

ରାଜା କହିଲେ—‘ସାନ ଜୁଆଇଁଙ୍କର ଏଦା ବଂଶୋଚିତ ହେଉନି ।’ ଏହା କହି ସେ ମୋର ଓଠ ମୁଖ ଆଉଁସି ଦେଲେ । ପୁଣି କହିଲେ— ‘ହେଉ ତୁମ କଥା ରହୁ—ଆମ କଥା ରହୁ । ମୋର ମାନ ରଖ ।’

 

ମୁଁ କହିଲି—‘ବେଦୀକୁ ନ ଯାଉଣୁ କଣ ବର କେହି ହୁଏ ?’ ରାଜା ମୋର ଚିତ୍ତ ବଦଳିଛି ମନେକରି, କି ଆଶ୍ଚର୍ଯ୍ୟ, ସେଠାରେ ସାଧାରଣ ବ୍ୟକ୍ତି ପରି ସ୍ୱର ଧରି ଗାଇଦେଲେ—

 

ଧପଟେ ଲମ୍ପଟ            କରାଇ ତାହାକୁ

ପରମ କପଟୀ ଶେଖର

ଝଟକରି ଉଠି            ଧଇଲେ ରତନ

କଟକ ଶୋଭିନୀର କର

ନିଃଶଙ୍କେ

ନେଇ କଲେ ଅଙ୍କ ବିହାରୀ

ନେଲେ ହରି ହରି            ହରିଣ ନେତ୍ରାକୁ

ବିହରିଗଲା ଏହି ହୁରି ।

 

ପୁଣି କହିଲେ—ଆହେ ଚଞ୍ଚଳମନା ! ଜୁଆଇଁ ତ ହୋଇନ, କେଉଁ ସାହସରେ ଆମ ଜେମାକୁ ଦେଖି ଚାହିଁ ବିବାହ କରିବି ବୋଲି କହି ଯାଇଥିଲ ? ପୁଣି ପନ୍ଦର କ୍ରୋଶ ବାଟ କେଉଁ ଆଶା ଧରି ଧାଇଁଚ ? ବାବୁ, ତମ ଚୁଟିକଟାଙ୍କ କଥା ଆମକୁ ଜଣା । ତମ ମନ ଯେ—ଦାଣ୍ଡରେ ସିଧା ଚାଲିଯାଇ ହାତଧରି ନେଇ ଚାଲିଯାନ୍ତ । ଏୟାତ ? ସତରେ କପିଳ ବଡ଼ପଣ୍ଡାଠେଇ ବିଶ୍ୱାସ ନାହିଁ । ସେ ତାହା କରିପାରନ୍ତି । କିନ୍ତୁ ମୁଁ ଥିବାଯାଏ ତ କେବେ କରାଇ ଦେବିନି ।’

 

ତାଙ୍କରି କଥା ରହିଲା । ବିବାହ ସରିଲା । ନିତି ଡକରା ଆସିଲା— ‘ଛାମୁଁଙ୍କ ପାଖକୁ ଆସନ୍ତୁ ।’ ନାନା ଭଳିର ଜଳଖିଆ ଖୁଆନ୍ତି ନିତିକୁ ନିତି । ସବୁଦିନ ନାନା ଶାସ୍ତ୍ରଚର୍ଚ୍ଚା ମଧ୍ୟରେ ଯଦୁମଣି କଥା ମଧ୍ୟ କହନ୍ତି । ଏମନ୍ତ କି ବଡ଼ପଣ୍ଡା ମଧ୍ୟ ସେ ଚର୍ଚ୍ଚାରେ ଯୋଗଦେଇ କେତେ ପଦ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରୁ ଗାନ କରନ୍ତି ।

 

ଯଦୁମଣିଙ୍କ ସହିତ ପରିଚୟର ଏହା ହିଁ ପ୍ରାଥମିକ ସମସ୍ୟା ହେଲେହେଁ— ଏ କଥା କୋଉ କାଳ କଥା, କୁଆଡ଼େ ମନରେ ଲୁଚିଗଲା । ଅବଶ୍ୟ ମୁଁ ସେତେବେଳେ ଗର୍ବିତ ହୋଇ ତିଗିରିଆର ସେ ଦୁଇ ଜଣ ମନସ୍ୱୀଙ୍କୁ କହିଥିଲି—ମୁଁ ଇଚ୍ଛାକଲେ ଯଦୁମଣି ମହାପାତ୍ରଙ୍କ କାବ୍ୟ କବିତାର ଏକ ସୁଚାରୁ ସଂଗ୍ରହ କରି ଦେଇପାରେ ।

 

ଯଦୁମଣିଙ୍କ ସଂପର୍କରେ ଏପରି ଦୃଢ଼ତା ଦେଖାଇ କହିବାର ତାତ୍‌ପର୍ଯ୍ୟ ଥିଲା ଏହି ଯେ—ଦୁଇ ଜଣ ସେ କାଳର ବୃଦ୍ଧ ବିଜ୍ଞଜନଙ୍କ ନିକଟରେ ନିଜର ଅର୍ବାଚୀନ ବଡ଼େଇ ଦେଖେଇହେବା । କିନ୍ତୁ ଯଦୁମଣିଙ୍କ ସମ୍ବନ୍ଧରେ ଅ’ ଆ’ ମୋତେ ପ୍ରକୃତରେ ଯେପରି ସେତେବେଳେ ଜଣା ନ ଥିଲା, ସେପରି ମୁଁ ତାଙ୍କୁ ବାସ୍ତବିକ ଶ୍ରଦ୍ଧା ମଧ୍ୟ କରିପାରୁ ନ ଥିଲି । ୧୯୪୭ ପରେ ଏ ଶ୍ରଦ୍ଧା ଆପେ ସମଗ୍ର ମନ ଉପରେ ପ୍ରଭାବିତ ହେଲା ।

 

ଦିନେ କଟକର ପଡ଼ୋଶୀ ଭାବରେ ସ୍ୱନାମଧନ୍ୟ ଅଧ୍ୟାପକ ଗୌରୀକୁମାର ବ୍ରହ୍ମା ମତେ ଗଡ଼ଜାତର ବ୍ୟକ୍ତି ବୋଲି କହି ବସିଲେ—‘ଆପଣ ସଂଗ୍ରାହକ ଭାବରେ ଯେ ସିଦ୍ଧି ଦେଖାଇଲେ, ତାହା ଯଦୁମଣି ମହାପାତ୍ରଙ୍କଠାରେ ପ୍ରୟୋଗ କଲେ ହୁଅନ୍ତା ନାହିଁ କି ?’ ସେ କହିଲେ—‘ମୋର ମନେ ହେଉଛି ସେ କେବଳ ଜଣେ ରଙ୍ଗରସିକ ନ ଥିଲେ, ସେ ଜଣେ ବିଜ୍ଞ ପଣ୍ଡିତ ମଧ୍ୟ ଥିଲେ ।’

 

ମୁଁ ତାଙ୍କୁ ତୁରନ୍ତ ନାହିଁ କଲି ଏହି କାରଣରୁ ଯେ—

 

‘ବ୍ରହ୍ମା, ମୁଁ ତାଙ୍କ ସମ୍ବନ୍ଧରେ କିଛି ମାତ୍ର ଜାଣେନି । ମୋଦ୍ୱାରା ତାହା ହୋଇପାରିବ ନାହିଁ । ମୋର ମଧ୍ୟ ସେ ଯୋଗ୍ୟତା ନାହିଁ ।’

 

ସେ ତଥାପି କହିଲେ—‘ତେବେ ଆପଣ ମୋ କଥାଟା ମନେ ରଖିଥାନ୍ତୁ ।’

 

ତେବେହେଁ ମୁଁ ସେ କଥା ସଂପୂର୍ଣ୍ଣ ମନକୁ ନେଲି ନାହିଁ । କିନ୍ତୁ ‘‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର” ଛାପା ବହି ଖଣ୍ଡେ ସଂଗ୍ରହ କରି ପଢ଼ିବା ଆରମ୍ଭ କରି ଦେଖିଲି ସେ ମୂଳ ରଚନା ଏବଂ ଟୀକାରୁ ମୁଁ କିଛି ବୁଝି ସନ୍ତୋଷ ଲଭି ପାରୁନି । ମୋର ଜଣେ ଗ୍ରାମ୍ୟ ବନ୍ଧୁ ରଘୁନାଥ ରାୟଗୁରୁଙ୍କଠାରୁ ତାଙ୍କ ହାତଲେଖା ପାଣ୍ଡୁଲିପି ଆଣି କିଛି ସମଝିଲି, କିନ୍ତୁ ସେଥିରେ ତୃପ୍ତି ମଧ୍ୟ ଲଭିପାରିଲି ନାହିଁ । ବର୍ଷେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଡ଼ିଗ୍ରୀ ଉତ୍ସବକୁ ଆସିଥିବା ବଲାଙ୍ଗିର ରାଜେନ୍ଦ୍ର କଲେଜର ଜଣେ ସଂସ୍କୃତ ଅଧ୍ୟାପକଙ୍କ ସହିତ ୭ ଡିସେମ୍ବର ୧୯୫୯ ରେ ହଠାତ୍ ରେଲରେ ଦେଖାହେଲା । ସେ ଯଦୁମଣି ମହାପାତ୍ରଙ୍କର ବହୁ ପଦକୁ ଏପରି ଅର୍ଥ କରୁଥାନ୍ତି, ମତେ ସତରେ ଅତ୍ୟନ୍ତ ଭଲ ଲାଗିଲା-। କିନ୍ତୁ ଘରକୁ ଫେରି ତା’ ସବୁ ଭୁଲିଗଲି । ମୋଦ୍ୱାରା ବାସ୍ତବିକ୍ ହେବ ନାହିଁ ସିଦ୍ଧାନ୍ତ କରି ସେ ଆଲୋଚନା ଏକାବେଳେ ଛାଡିଦେଲି ।

 

ଏପରି ଭାବରେ କେତେକାଳ ଚାଲିକଲା । ବର୍ଷେ ବସନ୍ତ ପଞ୍ଚମୀ ପୂର୍ବଦିନ ତା ୧୧−୨−୫୯ ବୁଧବାର ଏକ ହତାଶ ଜୀବନ ଘେନି ବକ୍‌ସିବଜାର ମାର୍କେଟ ପାଖ ଦେଇ ରିକ୍‌ସାରେ ଚାଲିଯାଉଥାଏ । ଏପରି ଦୁଃଖପ୍ରଦ ଦିବସ, ଏପରି ଅସହାୟତା ଅନୁଭବ କରିନି କେବେହେଲେ ଜୀବନରେ ଦିନକ ପାଇଁ । ପ୍ରିୟତମା କନକ ମଞ୍ଜରୀ ମୋତେ ନିରନ୍ତର ଜାଗ୍ରତ ପ୍ରହରୀ ପରି ଜଗି ରହିଥାନ୍ତି । ସର୍ବଦା ଭରସା ଦେଇ ଚାଲିଥାନ୍ତି—‘ତୁମେ ଏତେ ଅଧୈର୍ଯ୍ୟ ହୁଅନି, ନିଶ୍ଚୟ ତୁମର ଅସୁବିଧା ଦୂର ହେବ ।’ ବାସ୍ତବିକ କିପରି ଯେ ତାଙ୍କ କଥା ସତ୍ୟ ହୁଏ, ମୁଁ ସ୍ତମ୍ଭୀଭୁତ ହୋଇଥାଏ । ମୁଁ ଶୁଷ୍କ ମୁଖରେ ନିରାଶ ହୃଦୟରେ ଜଣେ ପରିଚିତଙ୍କ ପାଖକୁ ସମସ୍ତ ଲଜ୍ଜା ବିସର୍ଜନ ଦେଇ ଏକ ପରାମର୍ଶ ମାଗି ଯାଉଛି, ପଛରୁ ଶୁଭିଲା—

 

‘ଚକ୍ରଧର ବାବୁ । କ’ଣ ଏମିତି ଚାଲିଯିବେ କି ?’ —ଯେ ଡାକିଲେ ସେ ମୋର ଜଣେ ବହୁଦିନର ପୁରାତନ ହିତୈଷୀ ବନ୍ଧୁ ଓ ଗୁରୁଜନ । ପଛକୁ ଅନାଇଁ ଦେଖିଲି ସତ୍ୟବାଦୀ ପ୍ରେସର ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ଫକୀରଚରଣ ଦାସ । ଆମର ଫକୀର ବାବୁ । ସବୁଦିନେ ସମାନ ଗଠନ । ସମାନ ବ୍ୟବହାର । ସମାନ ଢଙ୍ଗଢ଼ାଙ୍ଗ । ସମାନ ବେଶଭୂଷା । ସ୍ପଷ୍ଟଭାଷୀ । ସ୍ୱଳ୍ପଭାଷୀ । କେହି କହିପାରନ୍ତି ବଢ଼େଇ କରି କହୁଛି । କିନ୍ତୁ ଏହା ହିଁ ସତ୍ୟ—ନିରାଟ ସତ୍ୟ । ସେ ଡାକିବା ମାତ୍ରେ ମନରେ ଭାବିନେଲି ‘ଲଜ୍ଜା−ନିବାରଣ’ ମୋର ଲଜ୍ଜା ଏତଦ୍ଦ୍ୱାରା ନିବାରଣ କଲେ କି-?

 

ଆମ ବଂଶର ଏକ ପ୍ରବଚନକୁ ମୋ ଜନନୀ ସର୍ବଦା କହିଥାନ୍ତି—‘ସଦୈ ରଙ୍ଗ ରଙ୍ଗ ।’ ଯେଉଁ ରଙ୍ଗ ସର୍ବଦା ସମାନ ତାହା ହିଁ ବିରଣୀୟ । ଆଜି ଯାନବାହନରେ ଫୁଲମାଳରେ, କାଲି ନିର୍ଧୂମ ଖରାରେ ଖାଲି ପାଦରେ ଝାମ୍ପି ମୁଣ୍ଡରେ, ଏହା ପୂର୍ବ ଅଭିଜାତ ପସନ୍ଦ କରୁ ନ ଥିଲେ । ଆମର ଫକୀର ବାବୁ ହେଲେ—‘ସଦୈ ରଙ୍ଗ ରଙ୍ଗ ।’

 

ଶ୍ରୀଯୁକ୍ତ ଫକୀର ବାବୁ କହିଲେ—‘କାଲି ଆପଣ ଏଠି ଅଛନ୍ତି ?’ ମୁଁ ହଁ କରିବାରୁ କାନ୍ଦିଲେ—’‘ସମାଜ ତରଫରୁ ମୋର ନିମନ୍ତ୍ରଣ, କାଲି ଆପଣ ଟିକିଏ ନିଶ୍ଚୟ ଆସିବେ । କଣ ନିମନ୍ତ୍ରଣ ପତ୍ର ପଠାଇବି ?”

 

ମୁଁ ନତ ବଦନରେ କହିଲି—‘ନିମନ୍ତ୍ରଣ ପତ୍ର ଏହାଠୁ କଣ ଅଧିକ ହେବ?’ ମୁଁ କଣ ଭାବି ଘରକୁ ଫେରିଆସିଲି ସେଦିନ । ଆଉ କାହିଁ ଗଲି ନାହିଁ ।

 

ପ୍ରଖ୍ୟାତ ‘ସମାଜ’ ସହିତ ମୁଁ ୧୯୨୭।୨୮ ରୁ ସଂପୃକ୍ତ । ମାନନୀୟ ରାଧାନାଥ ରଥଙ୍କ ସହିତ ପିଲାଦିନୁଁ ମୋର ଘନିଷ୍ଠ ସଂପର୍କ । ତାଙ୍କୁ ମୁଁ ନିରନ୍ତର ପୂଜ୍ୟ ଭାବରେ ଦେଖିଆସିଛି । ‘ସମାଜ’ର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀହର୍ଷ ବାବୁ, ଉଦୟନାଥ ବାବୁ ପ୍ରଭୃତି ମତେ ଯଥେଷ୍ଟ ଶ୍ରଦ୍ଧା କରିଥାନ୍ତି । ଏ ନିମନ୍ତ୍ରଣରେ ଯୋଗ ଦେଇ ବହୁ ବିଜ୍ଞ ବନ୍ଧୁଙ୍କର ଦର୍ଶନ ଲାଭ କରି ଆନନ୍ଦିତ ହେଲି । କିନ୍ତୁ ଅର୍ଥ କଷ୍ଟ ଏପରି ଯନ୍ତ୍ରଣାଦାୟକ ଯେ ବାଣୀକଣ୍ଠ ନିମେଇ ହରିଚନ୍ଦନଙ୍କ ମୋ ପ୍ରତି ଅତୀବ ଶ୍ରଦ୍ଧା ଏବଂ ତାଙ୍କର ସଙ୍ଗୀତ ଧ୍ୱନି ମଧ୍ୟ ମୋତେ ଶୁଣିବାକୁ ଅଲଣା ଲାଗୁଥାଏ । ଉତ୍କଳର ବହୁ ସମ୍ମାନାସ୍ପଦ ବ୍ୟକ୍ତିଙ୍କର ଦର୍ଶନ ମିଳିଲା । ଶ୍ରୀଯୁକ୍ତ ରାଧାନାଥ ରଥ, ଶ୍ରୀଯୁକ୍ତ ବୈକୁଣ୍ଠନାଥ ପଟ୍ଟନାୟକ, ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀ ମତେ ଦୁଃଖ ସୁଖ ପଚାରିଲେ । ମହାପ୍ରସାଦ ଭୋଜନ ହେଲା । ଏତେ ସତ୍ତ୍ୱେ ମୁଁ ନିରାଶ ମନଧରି ରହିଥାଏ ।

 

ହଠାତ୍ ଫକୀରବାବୁ ନିକାଞ୍ଚନ ଦେଖି ଡାକି କହିଲେ—’‘ଆପଣ ପାରିବେ ବୋଲି ମୁଁ ‘‘ଦାସ ବ୍ରଦର୍ସ”ଙ୍କୁ ଜବାବ୍ ଦେଇ ଦେଇଛି । ଚିଠି ଲେଖିଥାନ୍ତି, କିନ୍ତୁ ଦେଖା ତ ହୋଇଗଲା ଆଜି ତ ସୁବିଧା ହେବନାହିଁ । କାଲି ସକାଳ ନଅଟା ପରେ ଆପଣ ଏଠିକୁ ଆସିଲେ ସବୁ ତୁଟିଯିବ । ଆପଣ ଯଦୁମଣି ମହାପାତ୍ରଙ୍କ କାର୍ଯ୍ୟାବଳୀ ସଂଗ୍ରହ କରି ଗ୍ରନ୍ଥାବଳୀଟିଏ ନିଶ୍ଚୟ କରିବେ ।”

 

ମଳୁ ଲୋଡ଼ୁଥିଲା କାକର ପାଣି

ବଇଦ କହିଲା ଦିଅ ତୋରାଣି—

 

ସତ ଯେ, ଆଚ୍ଛା କଥାରେ ପଡ଼ିଲି । କହିଲି—‘କାଲି କହିବି ।’

 

ଘରକୁ ଫେରିଲି । କନକ ମଞ୍ଜରୀ କହିଲେ—‘ନିଶ୍ଚୟ କରିବାକୁ ହେବ । ତେବେ କଣ ପିଲାଏ ପରିକ୍ଷା ଦେବେ ନାହିଁ, ନାଁ ଲେଖାଇବେ ନାହିଁ ? ଏତେ ବାଟ ନିଜ ଦମ୍ଭରେ ଚାଲି ଆସିଲ । ଏଇଠି ଅଟକି ଯିବ ? ତୁମେ ଚୁକ୍ତି କରି ଟଙ୍କା ଆଣ । ଦେଖ, ତୁମର ସବୁ ସଫଳ ହୋଇଯିବ । ସେ ଅସମୟରେ ଆମକୁ ଯାହା ଦେବେ, ତା ଆମର ଲକ୍ଷେ ଟଙ୍କା । ଦେଖ, ଏହା ଦେବତାର ଆଶୀର୍ବାଦ ।’

 

ଦିନ ତମାମ, ରାତ୍ର ତମାମ ଦୁଶ୍ଚିନ୍ତାରେ ଥାଏ । କ୍ରୋଧରେ ଅନ୍ଧ ହୋଇ କହିଲା—ମୁଁ ଯେଉଁ ବିଷୟ ଭଲ ପାଏନି ପୁଣି ଜାଣେନି, ସେଥିପାଇଁ ମୁଦ୍ରା ନେଇ ଆସିବି ? ଶେଷକୁ ଡକାଏତ ହେବି ତ ?

 

ପତ୍ନୀ କହିଲେ—ହଁ, ହଁ, ମୋ ପାଇଁ ତୁମକୁ ଡକାଏତ ହେବାକୁ ହେବ । ମିଥ୍ୟାବାଦୀ ହେବାକୁ ହେବ । ତୁମେ ନିର୍ଭୀକ ଭାବରେ ଚୁକ୍ତି ସଂପାଦନ କର । ମୁଁ ନିଶ୍ଚିତ କହୁଛି, ମୁଁ ଥିବା ଯାଏ ତୁମ ଚରିତ୍ରରେ କଳଙ୍କର ଦାଗ ତ ଦାଗ ବିନ୍ଦୁ ମଧ୍ୟ କେବେ ସ୍ପର୍ଶ କରିବ ନାହିଁ । ସାହସୀ ହୁଅ । ଯାହା ଆମେ ନିରନ୍ତର ତ୍ୟାଗ କରି ଚାଲିଚୁଁ, ସେ ଆମ ପାଖକୁ ବାରମ୍ବାର ଆସୁଛି । ତେଣୁ ଏଥିରେ ଆମର ଜୟ ସୁନିଶ୍ଚିତ ।

 

ଦେଖିଲି—‘ଦାସ ବ୍ରଦର୍ସ’ର ପ୍ରୋପ୍ରାଇଟର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାସ ଏବଂ ମାନେଜର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମିଶ୍ର ଆଗରୁ ଆସି ବସିଛନ୍ତି । ଫକୀର ବାବୁଙ୍କ କଥା ତ ପାଟିରୁ ବାହାରିଲେ ହେଲା । ଚୁକ୍ତି ହୋଇଗଲା । ନଗଦ ମୁଦ୍ରା ଧରି ପର୍ବତଭାରା ମୁଣ୍ଡରେ ବହି ଯୁବକସୁଲଭ ଉନ୍ମାଦନା ଘେନି ଚାଲିଲି ଭୁବନେଶ୍ୱର, ଖୋର୍ଦ୍ଧା, ସୁନାଖଳା, ବୋଲଗଡ଼, ବାଉଁଶିଆପଡ଼ା, ଗୋବିନ୍ଦପୁର, ଇଟାମାଟି, ନୂଆଗଡ଼, ମାନ୍‌ଧାତାପୁର, ଓଡ଼ଗାଁ, ଶରଣକୁଳ, ରଣପୁର, ଆଠଗଡ଼, ଗଞ୍ଜାମ ଦଶପଲ୍ଲା, ଖଣ୍ଡପଡ଼ା, ବାଘମାରୀ, ପୁରୀ, ତିଗିରିଆ, ବଡ଼ମ୍ବା, ନରସିଂହପୁର, ବୌଦ, ଅନୁଗୁଳ, ଢେଙ୍କାନାଳ ଇତ୍ୟାଦି ସର୍ବତ୍ର ଖୋଜି ଚାଲିଲି ।

 

ଯଦୁମଣିଙ୍କ ଅଣନାତି ଦାଶରଥି, ଚନ୍ଦ୍ରଭାନୁ, ଉଦେଭାନୁ ତିନି ଭାଇ, ତାଙ୍କ ସାଇର ଶିକ୍ଷିତ ଯୁବକ ବେଣୁଧର, ନରସିଂହପୁରର ଜଣେ ଟୋଲ ଛାତ୍ର ନବଘନ ଏପରି ବହୁ ପ୍ରିୟଜନ ସାମଗ୍ରୀ ଯୋଗାଇଲେ । ଯଦୁମଣିଙ୍କ ହାତଲେଖା ପୋଥି, ଚିତ୍ରିତ ମୂର୍ତ୍ତି, ତାଙ୍କର ଜମିର ସରକାରୀ ଦସ୍ତାବିଜର ନକଲ ସବୁ ଦେଖିଲି ।

 

ବାସ୍ତବିକ୍ ଚାହୁଁ ଚାହୁଁ ଚାରି ମାସ ମଧ୍ୟରେ ନାନା ସମ୍ଭାର ମିଳିଗଲା । କି ଆଶ୍ଚର୍ଯ୍ୟ ! ବିଚିତ୍ର ଭାବରେ ମୁଁ ଛିଡ଼ା ହୋଇଗଲି । ଯାହା ଭାବି ନ ଥିଲି, ତାହା ହୋଇ ଚାଲିଲା ।

 

ଗୋଟିଏ ଗୋଟିଏ ଜଟିଳ ପଦ ପାଇଁ ମତେ ସକାଳୁ ସଞ୍ଜଯାଏ ଭାବିବାକୁ ହୁଏ । ପୁଣି ତାର କିନାରା ମିଳିଯାଏ । କିପରି ମିଳେ ଭାବି ମୁଁ ଆଶ୍ଚର୍ଯ୍ୟ ହୋଇଥାଏ । ଏପରି କଠୋର ପରିଶ୍ରମ କିପରି ମୁଁ କଲି ତାହା ଆଜି ଭାବି ସ୍ତମ୍ଭୀଭୂତ ହେଉଛି ।

 

ଏହା ହିଁ ହେଲା ସଂଗ୍ରହର ଇତିହାସ । ପୁଣି ଟୀକା କରିବାରେ, ସଠିକ ଭାବରେ ପଦମାନ ଜାଣିବାରେ ମୁଁ କିପରି ପରିଶ୍ରମ କଳି ତାହା ଏକ୍ଷଣି ଭାବିପାରୁନି । ଏପରି ଅଶୁଦ୍ଧ ଗ୍ରନ୍ଥ, ଅଶୁଦ୍ଧ ପଦସବୁ ମିଳିଲା ଯେ ଦିନେ ଦିନେ ମୁଁ ବାତୁଳ ପରି ହୋଇଯାଏ । କନକ ମଞ୍ଜରୀଙ୍କର କି ମେଧା, ସେ ମୋର ସଂଶୟ ଦୂର କରିଦିଅନ୍ତି । ଅନ୍ୟାନ୍ୟ କୋଷ ଗ୍ରନ୍ଥ ଅପେକ୍ଷା ମହନୀୟ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଭାଷାକୋଷ ଏଥିରେ ମୋତେ ବହୁ ସାହାଯ୍ୟ କରିଛି ।

 

ଏ କାର୍ଯ୍ୟରେ ଉତ୍କଳର ବହୁ ଜନମାନବ ମତେ ଉତ୍ସାହିତ କରିଛନ୍ତି । ଏ ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ସ୍ୱନାମଧନ୍ୟ ପ୍ରଖ୍ୟାତ କବି ଡକ୍ଟର ମାୟାଧର ମାନସିଂ ଯେଉଁଦିନ ଏଗ୍ରନ୍ଥର ପ୍ରକାଶକଙ୍କୁ କହିଥିଲେ ଯେ—

 

‘ଆପଣ ବିଶ୍ୱସ୍ତ ଏବଂ ଉପଯୁକ୍ତ ବ୍ୟକ୍ତିଙ୍କ ହାତରେ ସେ ଭାର ଅର୍ପଣ କରିଛନ୍ତି ।’ ତାହା ଶୁଣି ମୁଁ ଅସୀମ ଶକ୍ତିରେ ଜାଗିଉଠିଥିଲି ।

 

ଯଦୁମଣିଙ୍କର ରଚନା ମଧ୍ୟରେ ଅନେକ ବାକ୍ୟ ଆଧୁନିକ ପାଠକ ପାଠିକାମାନଙ୍କୁ ଅଶ୍ଲୀଳ ନିଶ୍ଚୟ ବୋଧ ହେବ । କିନ୍ତୁ ବହୁ ବିଚାରରେ ତାହା ଲୁଚାଇ ଦିଆଯିବା ଅସମୀଚୀନ ବୋଲି ହେବାରୁ ଯେପରି ପ୍ରଚଳିତ ଅଛି, ସେପରି ରଖାଯାଇଅଛି ।

 

ଶ୍ରଦ୍ଧେୟ ଫକୀର ବାବୁ ଏ ଗ୍ରନ୍ଥର ମୂଳରୁ ଶେଷଯାଏ ମତେ ସାହାଯ୍ୟ, ସହାନୁଭୂତି, ନିର୍ଦ୍ଦେଶ ଏବଂ ଧୈର୍ଯ୍ୟ ଦେଇଥିବାରୁ ତାଙ୍କ ନିକଟରେ ମୋର ଗଭୀର କୃତଜ୍ଞତା ଜଣାଉଛି ।

 

ଏମନ୍ତ କି ପ୍ରକାଶକ ଶ୍ରଦ୍ଧେୟ ଦାସ ବ୍ରଦର୍ସଙ୍କର ବଚନରକ୍ଷା ମଧ୍ୟ ଏହି କାର୍ଯ୍ୟର ଉଦ୍ୟମର ସଫଳତା ଯେ ଆଣିଦେଇଛି, ତେଣୁ ସେ ମୋର ବିଶ୍ୱାସ ଏବଂ ଶ୍ରଦ୍ଧା ଗ୍ରହଣ କରନ୍ତୁ । ଲେଖକ ତାର କଠୋର ପରିଶ୍ରମ ତୁଳନାରେ ଏଯାଏ ଏ ଦେଶରେ ପ୍ରକୃତ ମୂଲ୍ୟ ପାଏନି । ତେଣୁ ପ୍ରକାଶକ ବହୁଭାବରେ କୃତକାର୍ଯ୍ୟ ହେଲେ ଉଦାରତାପ୍ରଯୁକ୍ତ ଲେଖକ ପ୍ରତି ଦୃଷ୍ଟି ଆଣିବା ସ୍ୱଭାବିକ ମନେ ହୁଏ ।

 

ଯେଉଁମାନେ ମୋତେ ଏ କାର୍ଯ୍ୟରେ ପଦେ କଥା କହି ମଧ୍ୟ ଉତ୍ସାହିତ କରିଛନ୍ତି, ସେମାନଙ୍କୁ ଧନ୍ୟବାଦ ଅର୍ପଣ କରୁଅଛି ।

 

ବିଶେଷରେ ମୋର ଅର୍ଦ୍ଧାଙ୍ଗିନୀ ଭାର୍ଯ୍ୟା—କାୟାର ଛାୟା, ଚନ୍ଦନର ଗନ୍ଧ ରଙ୍ଗର ରଙ୍ଗିମା, ନୈଶାନ୍ଧକାରର ଦୀପ ଶିଖା, ଚନ୍ଦ୍ରମାର କୌମୁଦୀ, ମେଘର ତଡ଼ିତ୍, ତାଙ୍କୁ ବା କ’ଣ କୃତଜ୍ଞତା ଜଣାଇବି ? ସେ ଏ ଲେଖାର ମୂଳରୁ ଶେଷଯାଏ ମତେ ତାଙ୍କର ନିପୁଣ କୃତିତ୍ୱରେ ମୁଗ୍‌ଧ କରି ଏହାକୁ ଯଥାସମ୍ଭବ ମନୋହାରୀ କରିପାରିଛନ୍ତି । ଏପରି କି ସେ ଏଥିରୁ କିୟଦଂଶର ପାଣ୍ଡୁଲିପି ଲେଖିଛନ୍ତି ।

 

ତା ଛଡ଼ା ମୋର ପିଲାଏ ଏହି ରଚନାଟିକୁ ନକଲ କରିଦେଇ ମୋର ଶ୍ରମ ଲାଘବ କରିନାହାନ୍ତି କେବଳ, ମୋର ତ୍ରୁଟି ବିଚ୍ୟୁତି ମଧ୍ୟ ଧରାଇ ଦେଇଛନ୍ତି । ବିଭିନ୍ନ ପୁସ୍ତକାଳୟରେ କେଉଁଠି ଯଦୁମଣି ସମ୍ବନ୍ଧରେ ଲେଖାଟିଏ ବା ସମାଲୋଚନାଟିଏ ପାଇଲେ ତାହା ମତେ ଯୋଗାଇଛନ୍ତି । ଶୂଦ୍ର ବଢ଼େଇ କୁଳ ଚନ୍ଦ୍ରମାର ଆଶୀର୍ବାଦ ଲାଭକରି ସେମାନେ ଯେ ‘ଆମେ ସବୁଠୁ ବଡ଼’ ଏପରି ଧାରଣା ପରଂପରା ଦୋଷରୁ ଭୁଲି ନାହାନ୍ତି, ତାହା ଏବେ ଭୁଲିଯାନ୍ତୁ ଏବଂ ସମସ୍ତଙ୍କ ସହିତ ଜଣେ ଜଣେ ହୋଇ ସୁଖୀ ହୁଅନ୍ତୁ ।

 

ଏହି ସଂଗ୍ରହ ଯଦୁମଣିଙ୍କ ସମ୍ୱନ୍ଧରେ ସଂପୂର୍ଣ୍ଣ ବୋଲି ଏପରି ବାବଦୂକତା ଦେଖାଇବା ମୋ ମତରେ ଅସମୀଚୀନ ଅଟେ । ଏହା ଗୋଟିଏ ମାତ୍ର ବର୍ଷର ପରିଶ୍ରମ । ଏ ଗ୍ରନ୍ଥ ପ୍ରକାଶିତ ହେବା ପରେ ଆଉ ଯାହା ଥିବ, ତାହା ନିଶ୍ଚୟ ସମୟକ୍ରମେ ପ୍ରକାଶିତ ହେବାର ସୁଯୋଗ ଆସିଯିବ-

 

ମନୁଷ୍ୟ ମାତ୍ରେ ଓ ଦୋଷସଂପନ୍ନ । ତେଣୁ ଏହି ଜାତୀୟ ଉଦ୍ୟମରେ ଯେଉଁ ତୃଟି ବା ଦୋଷ ପରିଲକ୍ଷିତ ହେବ, ତାହା ପାଠିକା ପାଠକମାନେ ସୌଜନ୍ୟ ଯୋଗୁଁ କ୍ଷମାଦେଇ ଗୁଣ ମାତ୍ର ଗ୍ରହଣ କରିବେ ।

 

ସଜ୍ଜନା ଗୁଣମିଚ୍ଛନ୍ତି, ଦୋଷମିଚ୍ଛନ୍ତି ଦୁର୍ଜନା

ଦ୍ୱିରେଫା ମଧୁ ମିଚ୍ଛନ୍ତି, ବ୍ରଣ ମିଛନ୍ତି ମକ୍ଷିକା ।

 

ଚକ୍ରଧର ମହାପାତ୍ର

ହରିପୁର ରୋଡ଼, କଟକ-୧

୧୪-୫-୬୧, ସାବିତ୍ରୀବ୍ରତ

 

ଚଉପଦୀ ମାଳା

ଭଜନ—୧

ନୀଳାଚଳ କଳାକର ! ସତ କି ଏ ମିଛ

ନେଲ ଯାହା ଦେଲ ତାହା

ଏଥିକୁ କିପାଇଁ ମହା—

ଦାତା ପଣେ ପତାକା ବାନ୍ଧିଛ ? । ୦ ।

 

ଓଜଶୀଳ ଭୋଜଗଜ—

ଜୀବନ ହରଣେ ତେଜ

ଅର୍ପଣ କଲ କୃପଣ ନୋହି

ଗଭୀର ଜଳେ କୁମ୍ଭୀର

ଗଳ ଗ୍ରହଣେ କୁମ୍ଭୀର

ଜୀବ ରକ୍ଷା କଲ କକ୍ଷାବହି । ୧ ।

 

ବଳି ବଳିଷ୍ଠ ବଳୀ କି

ଅକଳିତ ବିଭୁତିକି

ଦଳିତ କରରେ କରିଥିଲ

ନମାମି କରି ରମାକୁ

ଅକଞ୍ଚନ ସୁଦାମାକୁ

ବିପୁଳ ସମ୍ପଦେ ମଣ୍ଡିଦେଲ । ୨ ।

 

ଗୋକୁଳ କଳ−ଧଉତ

ଗଉରାଙ୍ଗିଙ୍କ ମହତ୍ତ୍ୱ

ନେଇଥିବା ସକାଶରୁ କରି

ଦ୍ରୁପଦ−ନୃପ−ନନ୍ଦନା

ମହତ୍ତ୍ୱ ହର ବେଦନା

ବିନାଶନେ ହେଲ ଧନ୍ୱନ୍ତରୀ ।୩।

 

ପାତକୀ—ମୁକୁଟ ଶ୍ରେଣୀ

ଶିରୋମଣି ଯଦୁମଣି

ମନ ତିଳେ ନେଇ ନ ପାରିବ

ଏହା ଉଦ୍ଧରଣେ ଯେବେ

ଚିତ୍ତ ଦେଇପାର ଲବେ

ତେବେ ସିନା ଦାତା ବୋଲାଇବ । ୪ ।

 

କଳାକର—ଚନ୍ଦ୍ରମା । ଓଜଶୀଳ—ବଳବନ୍ତ । ଭୋଜ—ଭୋଜବଂଶୀୟ କଂସ । କୁମ୍ଭୀ—ହସ୍ତୀ । କଳଧଉତ—ସୁବର୍ଣ୍ଣବର୍ଣ୍ଣ । ଗଉରାଙ୍ଗି—(ଗୌରାଙ୍ଗି)—ଗୌରବର୍ଣ୍ଣ ବିଶିଷ୍ଟା; ଗୋପୀମାନେ । ହର—ହରଣଘେନି । ପାତକୀ ମୁକୁଟ—(ପାଠାନ୍ତର) ପରମପାତକୀ । ଏହା—(ପାଠାନ୍ତର) ଏବେ । ଚିତ୍ତଦେଇପାର—(ପାଠାନ୍ତର) କୃପାବସିଅଛି । ଦାତା—(ପାଠାନ୍ତର) ଦାନୀ-

 

ଭଜନ—୨

 

( ରାଗ—ତୋଡ଼ି ପରଜ । ତାଳ—ଏକତାଳୀ )

ମାନସ

ଚକା ନୟନକୁ ତକା ରେ ମାନସ,

ଚକା ନୟନକୁ ତକା

ନାଲୀକ—ବନ୍ଧୁଜ ନାଲ ନେତ୍ର ତେଜ

କରାଇ ପାରନ୍ତି ଫକା ।୦।

 

ଯାହା ବିଜେ ଭୁଜେ

ପଡ଼ି ଚାରି ଭୁଜେ

ବିହରେ ବିଲୋମେ କକା

ଦର୍ଶନ ମାତ୍ରକେ

ସେ ଅଘ ଲଙ୍ଘନ

କଲେ ମଘବାରି ବକା ।୧।

 

ପଶୁ ତିର୍ଯ୍ୟକେ

ଦୁଷ୍ଟପଣ ସର୍ଜିକେ

ମୃଷ୍ଟ ଯେଉଁ ଷଣ୍ଢା ବକା

ଯୁଗଳ ବିଘାତ

ସର୍ଜି ବର୍ଜି ଦେଲେ

ଅର୍ଜ୍ଜିତ ବୃଜିନ ଦକା ।୨।

 

ବାଜା ବଜା ପାପୀ—

ରଜା ଅଜାମ୍ବିଳ

ପୁତ୍ରକୁ ଡାକିବା ଡକା

ଗରିଷ୍ଠ ନଷ୍ଟ

ଦୁରିତ ପାପୀଷ୍ଠକୁ

ତୁରିତେ ମାଇଲେ ଧକ୍‌କା ।୩।

 

ନିନ୍ଦା ସ୍ତୁତି ଭକ୍ତି

ଘେନି ମୁକ୍ତି ଦେବା

ଶକ୍ତି ମନ୍ତେ ଜଣେ ପକ୍‌କା

ଚେଦି ରାଜପୁତ୍ର

ନଦୀଜ ପବିତ୍ର

ପାତ୍ରକୁ ଯେ କଲେ ଏକା ।୪।

 

ମହା ମହିମା—

ବନ୍ତ ବୋଲି ଯା ନାମେ

ବ୍ରହ୍ମାଣ୍ଡେ ବାଜଇ ଢ଼କ୍‌କା

ମାନ ହାନି କରି

ସେ ମାନଗୋବିନ୍ଦ

ନୃପକୁ ଯେ କଲେ ବୋକା ।୫।

 

ଯଦୁମଣି ରଣେ

କଲା କର୍ମ ଚାଣେ

ରଖିବେ ନାହିଁ କଢ଼କା

ନୀଳାଚଳ ଚୂଳେ

ନୀଳଚକ୍ର—ଚଳେ

ପାପି ପାବନ ଫଡ଼କା ।୬।

 

ତକା – ଚାହାଁ । ନାଲୀକ (ନାଳିକ)- ପଦ୍ମ । ବନ୍ଧୁକ – ପଦ୍ମରବଂଧୁ ସୂର୍ଯ୍ୟଙ୍କର ପୁତ୍ର ଯମ । ବିଜେ ଭୁଜେ – ବିଜୟ କରିଥିବା କ୍ଷେତ୍ର ମଧ୍ୟରେ । ବିଲୋମେ କକା – କାକ, କାକ ଚତୁର୍ଭୁଜ ହେବା କଥା ପୁରୀ ଜଗନ୍ନାଥ ମନ୍ଦିରରେ ଦ୍ରଷ୍ଟବ୍ୟ । ଅଘ-ପାପ । ମଘବାରି – ଇନ୍ଦ୍ର ଶତ୍ରୁ । ବକା – ବୋକା, ଭର୍ତ୍ସନା, ବକରାକ୍ଷସ । ତିର୍ଯ୍ୟକେ – ମାବେତର ଜୀବ ମଧ୍ୟରେ । ମୃଷ୍ଟ – ମର୍ଦ୍ଦିତ । ଷଣ୍ଢା ବକା – ଅସୁର ଦ୍ୱୟ । ବୃଜିନ – ପାପ । ଦକା – ଭୟକୁ ବର୍ଜିଦେଲେ । ଦୂରିତ – ପାପ । ଚେଦି ରାଜପୁତ୍ର – ଶିଶୁପାଳ । ନଦୀଜ- ଭୀଷ୍ମ । କଡ଼କା – ସନ୍ତାପ । ଫଡ଼କା – ପତାକା । ମାନଗୋବିନ୍ଦ – ଦୁର୍ଯ୍ୟୋଧନ । ପବିତ୍ର ପାତ୍ର – ଯେଉଁ ବ୍ୟକ୍ତି ଅତି ପବିତ୍ର । (ନିନ୍ଦା କରିବାରେ ଶିଶୁପାଳ, ସ୍ତୁତି କରିବାରେ ଭୀଷ୍ମ ଏବଂ ଯେୁଁ ପବିତ୍ର ବ୍ୟକ୍ତି ଭକ୍ତି କରନ୍ତି ସେ ତାଙ୍କୁ ମୁକ୍ତି ଦିଅନ୍ତି ।)

 

ଭଜନ—୩

( ରାଗ—ପୂରବୀ । ତାଳ—ଆଠତାଳୀ । )

 

ଅବିରତେ ହରି ଭଜରେ ମାନସ

ଅବିରତେ ହରି ଭଜ

ଦବିବ ରବିଜ ଛବିଜ ପହିଜ

ଅବିଳମ୍ବେ ତୁହି ହେଜ । ରେ । ୦।

 

ନବୀନ ଜଳଦ ଛବି ନଟବର

ପବିତ୍ର ପଦ ସରୋଜ

ଥବିର ହୋଇତୁ ସ୍ରବିବାର ସେଥୁଁ

ମଧୁପାନେ ଭୃଙ୍ଗ ସାଜ ରେ । ୧।

 

ଗବୀଶ ଧ୍ୱଜ ଅବ୍‌ଜଜ ଅହିରାଜ

ଆଦି ଅପର ସମାଜ

ସବିନୟ ଭରେ କବିତ୍ୱ ଗୁଣରେ

ଭାବି ହୋନ୍ତି ଯାଙ୍କୁରୋଜ ରେ । ୨।

 

ଗର୍ବି ଗର୍ବ ଗଞ୍ଜା ଛବିଶ ନାମ ଯା

ପବିଧର ଦେବରାଜ

ଦ୍ରବିଗଲା ତାର ଗର୍ବ ଅହଙ୍କାର

ଶରଣାର୍ଥୀ ପଦ କଞ୍ଜ ରେ । ୩ ।

 

ହବି ଆହାରି ସହିତେ ଦେବୀ ଦେବ

ଦାନବାଦିଙ୍କ ଯେ ପୂଜ୍ୟ

କବି ଯଦୁମଣି ନ ବିସ୍ମରୁ ସେହି

ନନ୍ଦାତ୍ମଜ ନାମ ବ୍ରଜ ରେ । ୪।

 

ରବିଜ—ଯମ । ଛବିଜ ପହିଜ —ତେଜରୁ ଜାତ ଗର୍ବ । ଥବିର—ବୃଦ୍ଧ । ଗବୀଶ—ଷଣ୍ଢ । ଗବୀଶ ଧ୍ୱଜ—ମହାଦେବ ଶିବ । ଅବ୍‌ଜ—ବ୍ରହ୍ମା । ଅହିରାଜ—ଅନନ୍ତ । ପବିଧର—ବଜ୍ରଧର । ଛବିଶ ନାମ ଯା—ଇନ୍ଦ୍ରଙ୍କର ଛବିଶ ଗୋଟି ନାମ ଅଟେ । ହବି ଆହାରି—ଅଗ୍ନି ଦେବତା । ନାମବ୍ରଜ—ନାମ ସମୂହ ।

 

ଭଜନ—୪

( ରାଗ—ରସକେଦାର । ତାଳ—ସରିମାନ)

 

ଅନୁକମ୍ପା ଧାରୀ ହରି ହର ମୋହର ଆତଙ୍ଗ

ଦନୁଜାରି ଚକ୍ରାୟୁଧ ହେ ଶୀରିପତି ଶାରଙ୍ଗ । ୦।

କୁଞ୍ଜର−ବର−ତାରଣ

କୁଞ୍ଜର ମତ୍ତ ବାରଣ

କୁଞ୍ଜର ନାଶନ ଗୁଞ୍ଜ—ଆବଳୀ ଭୁଷିତ ଅଙ୍ଗ । ୧।

 

ବାସବର ଗର୍ବଗଞ୍ଜା

ଯାମଳ ଅର୍ଜ୍ଜୁନ ଭଞ୍ଜା

ଗୋପିନୀ ମାନସ ରଞ୍ଜା ଶ୍ରୀ ବୃନ୍ଦାରଣ୍ୟ ଅନଙ୍ଗ । ୨।

 

ଉରଗେଶ ଦଳା କଳା

ବଳାହକ କାନ୍ତିକଳା—

ବତୀ ଶ୍ରୀ ଭାନୁଜା ଗଳା—

ମାଳା ଧାରକ ସାରଙ୍ଗ । ୩।

 

ବଇକୁଣ୍ଠ କଣ୍ଠିରବ

ତବ ମହିମା ପ୍ରଭାବ

ଦେଖାଅ ନକରି ଲବ

ଅବହେଳା ମଣି ଖଙ୍ଗ । ୪।

 

ପ୍ରସନ୍ନ ଯଦୁମଣିର

ଯଦୁମଣି—ବାଧା ଘୋର

ପ୍ରସନ୍ନେ ହରି ପଦାବ୍ନେ

ରଖ କରି ମତ୍ତ ଭୃଙ୍ଗ । ୫।

 

ଆତଙ୍ଗ—ଭୟ, ପୀଡ଼ା । ଗୁଞ୍ଜ—କାଇଞ୍ଚ । ଉପଗେଶ—କାଳୀୟ । କଳାବଳାହକ—କଳାମେଘ । ଭାନୁଜା—ରାଧା । କଣ୍ଠିରବ—ସିଂହ । ଖଙ୍ଗ—ଦୁଃଖ ।

 

ଖଞ୍ଜନାଙ୍କ ପ୍ରତି—୧

( ରାଗ—ତୋଡ଼ି ପରଜ । ତାଳ—ଏକତାଳ)

ଜାଣୁ ଜାଣି ଖଣାରେ ମୁଁ ପଡ଼ିଲି ରେ

ଜଣା ଶୁଣା ସରଣୀ ଛାଡ଼ିଲି ରେ । ୦।

 

ଊଣା ଟିଣା ବୁଦ୍ଧିରେ

ତେଲି ଘଣା ମଧ୍ୟରେ

ଚଣା ପେଷାଇ ବଣା ଅଡ଼ିଲି ରେ । ୧।

 

ନବ ଧଉତ ତିଳ

ପେଷି ଏରଣ୍ଡ ଫଳ

ନାରୀକେଳକୁ ଯା ନ ପେଡ଼ିଲି ରେ । ୨।

 

ଯତି ଜପ ଧ୍ୱଂସତି

କରିବା ରସବତୀ

ସତୀ ନାୟିକା ସଙ୍ଗ ଏଡ଼ିଲି ରେ । ୩।

ନିପଟ ମରକଟି

ବଜାର ନାହାକାଟି

ପାଦାନ୍ତି ରଥି ମୁଣ୍ଡ ମାଡ଼ିଲି ରେ । ୪।

 

ବହୁକାଳ ସୁରଙ୍ଗ

ପାତାଳ ଫୁଟା ଲିଙ୍ଗ

ଶିରେ ବାରୁଣୀ ଆଣି ଇଡ଼ିଲି ରେ । ୫।

 

କୁଶଳ କଥା ମୋର

ମୁଷଳ କଥା ମୋର

ଗାଣ୍ଡିକି କରପତ୍ର ଯୋଡ଼ିଲି ରେ । ୬।

 

ରାତ୍ରିଟି ଉଜାଗର

ନିଦ୍ରାରେ ଗରଗର

ହୋଇ ଉଚ୍ଚେ ମୁଁ ଯେତେ ରଡ଼ିଲି ରେ । ୭।

 

ନ ଶୁଣିଲା ମୋ ଗିର

ଯଦୁମଣି ଉତ୍ତର,

କର୍ମ୍ମ ଦୋଷରୁ ଏହା ବିଡ଼ିଲି ରେ । ୮।

 

ଟିଣା—କ୍ରୋଧପୂର୍ଣ୍ଣ । ଊଣା—ନ୍ୟୂନତମ । ବଣା ଅଡ଼ିଲି—ଭ୍ରମପୂର୍ଣ୍ଣ ଜିଦ୍ ରଖିଲି । ନାହାକାଟି—ନିଲ୍ଲଜ୍ଜା, ଅଣ୍ଡିରାଚଣ୍ଡୀ । ପାଦାନ୍ତି—ପାଦାତିରଥୀ । ସୁରଙ୍ଗ—ନାରଙ୍ଗ ରଙ୍ଗ । ବାରୁଣୀ- ମଦ୍ୟ । ବିଡ଼ିଲି—ପରୀକ୍ଷାକଲି । କୁଶଳାକଥା—ସ୍ପଷ୍ଟକଥା ।

 

ଖଞ୍ଜନାଙ୍କ ପ୍ରତି—୨

( ରାଗ—ମୁଖାବରି )

 

ପୟୋଧରାରେ

ଚିର ଅଚିର ବୟସୀ ତୁ ଏ ଧରାରେ । ୦।

କୋଟି ସାମନ୍ତାଣି

ମଥା ମଥାମଣି

ପଦ ପଲ୍ଲବେ ମୋ ଶିର ଚିର ଧରାରେ । ୧।

ଲାବଣ୍ୟ ଭୁତି ତୁ

ପୁରୁଷାୟିତା ତୁ

ଲାବଣ୍ୟ ବତୀତୁ ଚିତ୍ର ମେଘାମ୍ବରାରେ । ୨।

ମୋ ନରକ ଛେଦି

ଦେଲୁ ନର୍କ ଛେଦୀ

ମାଳା ମୋ ଗଳାରେ ଗୁର୍ବିମନୋହରାରେ । ୩।

ନାତି ଦୀର୍ଘା ନାତି

ହ୍ରସ୍ୱଆ ମୋଦତି

ଖେଳା ଖଞ୍ଜରୀଟ ନେତ୍ରୀ ଜବା ଧରାରେ । ୪।

କ୍ଷମା ମହୋଦଧି

ରସାମୃତ ନିଧି

ତୋ ନିଧି ଅବଧି ବଧି ସୁଧା ଧାରାରେ । ୫।

 

ଖଞ୍ଜା ତୋ ଖଞ୍ଜନା

ଖଙ୍କାଅ ଗଞ୍ଜନା

ଖକୁ ଖଙ୍ଗା ଯଦୁମଣି ତୋ ଖଟଣି ପରାରେ । ୬।

 

ପୟୋଧରା—(ପୟଃ—ରସ) ରସମୟୀ, (ପୟଃ—ଦୁ ଧ) ମନୋହର ସ୍ତନ ଧାରିଣୀ । ଚିର—ଚିରକାଳ । ଅଚିର ବୟସୀ—ଯୁବତୀ । ଚିର ଅଚିର ବୟସୀ—ଅନନ୍ତ ଯୌବନା । ଚିରଧରା—ଚିର ଦିନ ନତ । ଭୂତି—ଐଶ୍ୱର୍ଯ୍ୟ, ସଂପଦ । ଲାବଣ୍ୟ ଭୂତି—ଲାବଣ୍ୟର ସଂପଦ ସ୍ୱରୂପା । ପୁରୁଷାୟିତା—ବିପରୀତ କେଲି ରସିକା । ଚିତ୍ର ମେଘାମ୍ବରା—ଚିତ୍ର ମେଘି ପାଟ, ପରିହିତା । ଗୁର୍ବି ମନୋହରା—ଅତି ମନୋହରା । ନର୍କଚ୍ଛେଦୀ—ବିଷ୍ଣୁ । ନରକ—ଦୁଃଖ । ଧରା- ଭୂମି, ଭୁବନ । ଜବାଧରା—ପାଠାନ୍ତର ‘ତ୍ରୟଧରା’ । ତ୍ରୟଧରା—ତ୍ରିଭୁବନ । ଆମୋଦତୀ—ଆନନ୍ଦ ଦାୟିନୀ । ମହୋଦଧି—ସମୁଦ୍ର । ନିଧି—ଖଣି । ବଧି—ଦେହ । ଖଞ୍ଜନା— ଖଞ୍ଜନା ନାମଧାରିଣୀ । ଖଞ୍ଜା—ସେବାରେ ନିଯୁକ୍ତ । ଖଞ୍ଜନା ଖଞ୍ଜା—ଖଞ୍ଜନା ନାମକ ରାଗିଣୀକୁ ଗାନକରି । ଖଞ୍ଜନା—ମନୋଦୁଃଖ । ଖଙ୍କାଅ—ଦୂରକର । ଖ’କୁ—ସ୍ୱର୍ଗକୁ । ଘଙ୍ଗା—ସାମୁଦ୍ରିକ ମତ୍ସ୍ୟବିଶେଷ । ଖଟଣୀ—ନିରନ୍ତର ଖଟିବା ।

 

ଚଉପଦୀର କଥା ଅଂଶ—

ରେ ପୀନପୟୋଧରା ରସଦାୟି ! ତୁ ଏ ପୃଥିବୀରେ ଚିରକାଳ ଅଚିର ବୟସୀ ଅର୍ଥାତ୍ ଚିରନୂତନା ଅନନ୍ତ ଯୌବନା ଅଟୁ । ତୁ ସମସ୍ତ ଉତ୍କୃଷ୍ଟ ରମଣୀମାନଙ୍କର ମଥାରେ ମଥାମଣି ସ୍ୱରୁପା ଅର୍ଥାତ୍ ଶୀର୍ଷ ସ୍ଥାନୀୟା ଅଟୁ । ତୋପରି ସୁନ୍ଦରୀ ସଦ୍‌ଗୁଣବତୀ ରମଣୀମଣି କ୍ୱଚିତ୍ ଦେଖାଯାନ୍ତି । ତୋ ପଦପଲ୍ଲବରେ ମୋ ଶିର ସର୍ବଦା ନତ ଅଟେ । ନାରୀମାନେ ଦେହର ଲାବଣ୍ୟକୁ ସଂପଦ ମଣିଥାନ୍ତି । କିନ୍ତୁ ତୁ ଲାବଣ୍ୟର ସଂପଦ ସ୍ୱରୂପିଣୀ ଅଟ । ତୁ ବିପରୀତ କେଳିରେ ପ୍ରବୀଣା, ଲାବଣ୍ୟମୟୀ ହୋଇଥିବାରୁ ସର୍ବଦା ମୋ ଚିତ୍ତକୁ ବିଚିତ୍ରମେଘ ଅମ୍ବରକୁ ଆଚ୍ଛାଦନ କଲାପରି ଅଥବା ଚିତ୍ରମେଘୀ ଶାଢ଼ୀ ଯାହା ତୁ ଅତି ଭଲପାଉ ତା ପିନ୍ଧି ଆଚ୍ଛନ୍ନ କରିଥାଉ-

 

ରେ ଅତି ମନୋହାରିଣି ! ତୁ ଯେପରି ରୂପସୀ ଓ ଗୁଣବତୀ ବିଷ୍ଣୁଙ୍କ ଗଳାରେ ବରଣମାଳା ଦେଇଥିଲେ ବି ଅନ୍ୟାୟ ହୋଇ ନଥାନ୍ତା । କିନ୍ତୁ ତୁ ମୋର ସମସ୍ତ ଦୁଃଖ ଦୁରକରି ମୋ ଗଳାରେ ମାଳା ଅର୍ପଣ କରିଅଛୁ । ତୋର ଏପରି ତ୍ୟାଗ ଅନନ୍ୟ ଅଟେ ।

 

ତୁ ଅତିଦୀର୍ଘ କିମ୍ବା ଅତି ହ୍ରସ୍ୱ ଆକୃତି ନୋହୁ । ତ୍ରିଭୁବନରେ ତୋପରି ଖେଳାଖଞ୍ଜରୀଟ ନେତ୍ରୀ ଅର୍ଥାତ୍ ଖେଳୁଥିବା ଖଞ୍ଜନ ପକ୍ଷୀ ଭଳି ଅତି ମନୋହର ଚଞ୍ଚଳ−ନୟନା ରମଣୀ ଆଉ ନାହାନ୍ତି । ତେଣୁ ତୁ ଏକାନ୍ତ ଆମୋଦ ଦାୟିନୀ ଅଟୁ । ପାଠାନ୍ତରରେ—ତୋର ଜବାଫୁଲ ପରି ଅଧର ଅଟେ ଏବଂ ଖେଳାଖଞ୍ଜନ ପକ୍ଷୀ ପରି ଚଞ୍ଚଳ ନୟନ ଅଟେ ।

 

ତୁ କ୍ଷମାର ସମୁଦ୍ର ଅଟୁ । ଧୀରା ନାୟିକା ହେତୁ ଯେତେ ଅପରାଧୀ ହେଲେହେଁ ମୋତେ କ୍ଷମା ଦେଇଥାଉ ଏବଂ କେବେହେଲେ ଅଧୀର ହେଉନାହିଁ । ଆଉ ମଧ୍ୟ ତୁ ରସାମୃତର ଖଣି ଅଟୁ-। ଅର୍ଥାତ୍ ତୁ ଚଉଷଠୀ କଳାରେ ନିପୂଣା ଥିବାରୁ ସମସ୍ତ ରସରେ ପରିପୂର୍ଣ୍ଣା ଅଟୁ।

 

ରେ ଖଞ୍ଜନା ! ମୁଁ ତୋ ସେବାରେ ନିଯୁକ୍ତ ଅଟେ । ଅଥବା ତୁ ଖଞ୍ଜନା ନାମକ ରାଗିଣୀକୁ ଗାନ କରି ମୋର ଗଞ୍ଜନା ଦୂରକର ବା ମୋର ମନୋବେଦନା ଶୂନ୍ୟ କର । ତୁ ସ୍ୱର୍ଗ ପରି ଅତି ଉଚ୍ଚରେ ହେଲେ ମୁଁ ସମୁଦ୍ର ବାସୀ ଖଙ୍ଗା ମାଛ ପରି ଅତି ନିମ୍ନରେ । ତଥାପି ସର୍ବଦା ତୋର ଭୃତ୍ୟ ଅଟେ । ତେଣୁ ମୋର ମାନସିକ ଦୁଃଖ ଦୁର କର ।

 

Unknown

ଖଞ୍ଜନାଙ୍କ ପ୍ରତି—୩

( ରାଗ—ତୋଡ଼ି ପରଜ । ତାଳ—ଆଠତାଳୀ )

 

କୀରଜିତ ଗୀର ପଦକ ଶୁଣାରେ

ହୀରକ ଦଶନା ବାଳା ରେ

କୀରତି ରଖାଅ ମହୀସୁର ଅଗ୍ରେ

ଖଞ୍ଜନା ପ୍ରୀତି ବତ୍ସଳା ରେ

କୀରତି ରଖାଅ ଏ ମହୀମଣ୍ଡଳେ

ଆରେ ପୀରତି ବତ୍ସଳା ରେ ।୦।

 

ଧୀର ଗତି ନବ ନୀରଦ କୁନ୍ତଳା

ଚିର ଆଶ୍ରିତ ମୁଁ ତୋର

ନିରସ ବଦନ କରି ଯା’ ବସିଛୁ

ଶିର କରି ଅବନୀର । ୧।

 

କ୍ଷୀର ଖଣ୍ଡ ମିଶା ତୋ ମଧୁର ଭାଷା

ଶୁଣା ଏ ଋଷଣା ମୁଞ୍ଚି

ଦ୍ୱିରଦ କୁମ୍ଭ ଉରଜା ନାରୀରାଜା

ବ୍ୟର୍ଥେ ତୁ ନବସ ଘୁଞ୍ଚି ।୨।

 

ନୀରଦ ନୟନୁଁ ନୀରଧାର ହାର—

ପରେ ଆଉ ନବରଷା

ଚିର ଶୋଭୀ ଘେନ ଅନୁନୟ ମୋର

ତୋ ବିନେ କେବା ଭରସା । ୩।

 

ତୀରଣ ଦଶନେ ଧରି ମୁଁ ମାଗୁଛି

ଗୁମାନି ହୁଅନା ଧନ

ବୀର ମାରକୁ ହଟାଅ ହରିମଧ୍ୟା

ଦେଇ କେଳତି ବର୍ତ୍ତନ । ୪।

 

ତିରସ୍କାର କଲେ କର ସେ ମୋ ସୁଖ

ଆରେ ମଦାଳସା ମଣି

ଭୀରୁ ସେ ନ ଭାଷୁ ଆଶୁତୋଷ ମୋହୀ

ସଦାଧୀନ ଯଦୁମଣି । ୫।

 

କୀର—ଶୁକପକ୍ଷୀ । ଜିତ—ପରାଭୂତ । ଗୀର—ବଚନ । ପଦକ—ପଦଟିଏ । ହୀରକ ଦଶନା- ବ୍ରାହ୍ମଣଜାତି ଶୁକ୍ଲ ହୀରକ ପ୍ରାୟ ସୁନ୍ଦର ଦନ୍ତ ବିଶିଷ୍ଟା । ମହୀସୁର—ବ୍ରାହ୍ମଣ । ଖଞ୍ଜନା—ନାମ ବିଶେଷ । ବତ୍ସଳା—ଅନୁରକ୍ତା । ନିରସ—ଶୁଖିଲା । ଶିର କରି ଅବନୀର—ମୁହଁ ପୋତି । ଋଷଣା- ଋଷିବା, ଅଭିମାନ କରିବା । ମୁଞ୍ଚି—ଛାଡ଼ି । ଦ୍ୱିରଦ—ହସ୍ତୀ । ଦ୍ୱିରଦ କିମ୍ଭ ଉରଜା—ହସ୍ତୀମୁଣ୍ଡ ପ୍ରାୟ କୁଚ ଶୋଭନୀ । ନୀରଦ—ପଦ୍ମ । ଚିର ଶୋଭୀ—ଚିରନ୍ତନ ଶୋଭନୀୟା, ସବୁବେଳେ ସୁନ୍ଦର । ତିରଣ—ତୃଣ, ଘାସ । ଦଶନେ—ଦନ୍ତରେ । ଗୁମାନି—ଅଭିମାନୀ । ବୀର- ଦୁର୍ଜୟ । ମାର—କାମଦେବ । ହରିମଧ୍ୟା—ସିଂହ କଟୀ । କେଳତି—ରତି । ବର୍ତ୍ତନ—ବୃତ୍ତି, ଜୀବିକା । ମଦାଳସା—ମତ୍ତତା ହେତୁ ଆଳସ୍ୟ ପରାୟଣା । ମଣି—ଶ୍ରେଷ୍ଠତମା । ଆଶୁତୋଷ—ସହଜରେ ସନ୍ତୁଷ୍ଟ । ମୋହୀ ମୁଗ୍‌ଧ କାରିଣୀ । ଭୀରୁ—ସହଜରେ ଭୀତା, କୋମଳା ନାରୀ । ନ ଭାଷୁ—ନ କହୁ । ସଦାଧୀନ—ଚିର ଅନୁଗତ ।

 

ଖଞ୍ଜନାଙ୍କ ପ୍ରତି—୪

( ରାଗ—ଆହାରି । ତାଳ—ଆଠତାଳୀ )

 

ଆହା କି କର୍ମ କଲି

ଜାଣି ଜାଣିତ ବୁଦ୍ଧି ହୁଡିଲି ରେ । ୦।

ଆସିବା କାଳରେ

ସୁମନା ମଣ୍ଡନା

ସୁମନାର ମନା ବାଣୀ

ନ ଘେନିଲି ତିଳେ

ପଡ଼ି ପାଦ ତଳେ

କରୁଥିଲା ଯା ଦଇନି ଯେ । ୧।

 

ଯୋଷା ରତନର

ଓଷା ମୋ ବଚନ

ପାଳିବାର ପ୍ରତି ନିତି

ଖୋଷା ମଞ୍ଜୁଳାକୁ

ଏକାକିନୀ କରି

ବିଦେଶରେ ଦେଲି ମତି ଯେ । ୨।

 

କେତେ ପରମାଦ

ପଡ଼ିଲା ଆସିତ

ବିଚାରି ପାରିଲି ନାହିଁ

କ୍ରୋଡ଼େ ଘେନି ଗାଢ଼େ

ନିଶି ଯା ନନେଲି

ଧନକୁ ମୂର୍ଚ୍ଛିଲି କାହିଁ ଯେ । ୩।

 

ଯଦୁମଣି ଭଣେ

ଅଦୂରେ ଦେଖି ଯେ

ଆହାଲାଦେ ଭାଷେ ବାଣୀ

ସେ ଦୁଃଖ ପାଶୋରା

ନାଗରୀ ହୀରାକୁ

ଦୂର କଲି ଜାଣିଜାଣି । ୪।

 

* ଯଦୁମଣିଙ୍କ ସ୍ତ୍ରୀ ଖଞ୍ଜନା ଯୁବତୀ ଥିବାବେଳେ ସେ ଥରେ ତାଙ୍କ ମନା ନମାନି ବିଦେଶ କରିଥିଲେ-। ଅର୍ଥାତ୍ ନିଜର ପିତୃଭୂମି ଆଠଗଡ଼କୁ ଯାଇ ହଠାତ୍ ଫେରିପାରି ନଥିଲେ ।

 

ଯୋଷାରତନର ଓଷା—ଯେ ନାରୀରତ୍ନ ମୋ ଲାଗି ବାରବ୍ରତ କରିଥାଏ । ପୁଣି ମୋ ବଚନ ନିତିପ୍ରତି ପାଳନ କରେ । ଖୋଷା ମଞ୍ଜୁଳା—ଯାହାର ଜୁଡ଼ା ଅତି ରମଣୀୟ । ଆହାଲାଦେ—ଆହ୍ଲାଦେ, ଆନନ୍ଦରେ ।

 

ଖଞ୍ଜନାଙ୍କ ପ୍ରତି—୫

ଶଶି ବଦନାରେ

ହସି ଚାହିଁଦେ ତୁ ଢ଼ାଳେ

ନିଗିଡ଼ି ପଡ଼ୁ ତୋ ରଦବାସୁ ଆଶୁ

ସାଚି ସରପଣା ବାଳେ । ୦।

 

ତରୁଣାଙ୍ଗି ଧନ

କରୁଣା ହୃଦୟା

ନାଗରୀ ମୁକୁଟ ହୀରା

ପରାଣ ସଙ୍ଗନୀ

ସୁରତ ରଙ୍ଗନୀ

ଉନ୍ମାଦ ପ୍ରେମ ପସରା । ୧।

 

ମହୀ ମହିଳାର—

ଗଭା—ଚମ୍ପା ମାଳା

ସୁନ୍ଦରୀଙ୍କ ପୁରନ୍ଦରୀ

ବୃଷ ପତି ମତି

ମୋହିନୀ—ଚତୁରୀ

ଆତୁରି କୃଶ ଉଦରୀ । ୨।

 

ଚଣ୍ଡୀ ବାହନ

ମଧ୍ୟମା ସୁପଣ୍ଡିତା

ଅଣ୍ଡିର ପିକ ବଚନା

ମଣ୍ଡିମୋର ହୃଦ

ଖଣ୍ଡିଦେ ତୁ ଖେଦ

ଦଣ୍ଡି—ଶୋଭି ସୁଲୋଚନା । ୩।

 

ଚଣ୍ଡ ଦୂରୁ—ଦଣ୍ଡ

ମାର ଭଣ୍ଡ ଦଣ୍ଡ

ଖଣ୍ଡ ଖଣ୍ଡ କରିପକା

ଗଣ୍ଡ ଦର ପଣେ

ଦିଅ ଚୁମ୍ବ ପଣେ

ଯାଉ ଯଦୁମଣି ଦକା । ୪।

 

ରଦବାସୁ—ଦନ୍ତ ବାସ ସ୍ଥାନରୁ, ମୁଖ, ଗହ୍ୱର । ବାଳେ—ହେ ବାଳା, ଯୁବତୀ । ବୃଷପତି−ମତି−ମୋହିନୀ−ଚତୁରୀ—ଶିବପତ୍ନୀ ପାର୍ବତୀଙ୍କ ସମା ଚତୁରୀ । ଆତୁରୀ—କାମ ଅତୁରୀ-। ଚଣ୍ଡୀବାହନ ମଧ୍ୟମା—ସିଂହ କଟୀ ।

 

ଖଞ୍ଜନାଙ୍କ ପ୍ରତି—୬

( ରାଗ—କଲ୍ୟାଣ । ତାଳ—ଝୁଲା)

 

ତୁ ମୋ ପ୍ରୀତି ମୋଦକୀ ପସରା ରେ

ମୁଁ ତୋ ଲାଗୁଆ ଗ୍ରାହକ ପରା । ୦।

ଗୁମାନକୁ ତୋର

ଗୁଡ଼ ସାର ମଣେ

ସନମାନଟି ତୋ ଛେନା କାକରା । ୧।

ଇଙ୍ଗିତ ଭଙ୍ଗିତୋ

ସୁରସ ଆରିସା

ସମାଦର ସରପୁଳି କାକରା । ୨।

ଗାଳିପଦକ ତୋ

ମଧୁ ରସାବଳୀ

ରୁଷାଣି ପଣିଟି ବଲ୍ଲଭ କୋରା । ୩।

ପରିରମ୍ଭଣ ତୋ

କନ୍ତାରି ଦୋରୁଅ

ମଦନ ତୃଷାହାରୀ ମନୋହରା । ୪।

ଲାବଣ୍ୟ ଜଳଧି

ଭାବ ହାବ ଲାଭ

ଆଶେ ଯଦୁମଣି ମନ ଟକରା । ୫।

ମୋଦକୀ ପସରା ଗୁଡ଼ିଆ ପସରା । ଗୁଡସାର—ଏକ ପୁରୁଣା ଶୀତଳ ମଣୋହିଁ । ଲାଗୁଆ—ଦୈନିକ ଖଞ୍ଜା । ଇଙ୍ଗିତ ଭଙ୍ଗି—ହାସ ପରିହାସ । ସୁରସ—ସୁମିଷ୍ଟ । ସମାଦର—ଅତି ଆଦରଣୀୟ । ମଧୁ—ମିଷ୍ଟ । ପରିରମ୍ଭଣ—ରମଣ । (ମଦନ ତୃଷ ହାରୀ ମନୋହରା ପରିରମ୍ଭଣ)-। ତୋ ଲାବଣ୍ୟ ଜଳଧି ଭାବ ହାବ ଲଭ ଆଶେ ଯଦୁମଣି ମନ ଟକରା । ଟକରା—ଅତିଲୋଭି, ବାରମ୍ବାର ପ୍ରଲୋଭିତ ।

 

ଖଞ୍ଜନାଙ୍କ ପ୍ରତି—୭

( ରାଗ—ମେଘ ମହ୍ଲାର । ତାଳ—ଆଠତାଳୀ )

 

ବରଷା କାଳ ହୋଇଲା ଆସିରେ

ବର ସାରସ ନେତ୍ରୀ ଯିବ ଭାସି ରେ । ୦।

ବରଷାଇ ନେତ୍ରୁ ଅଶ୍ରୁ ଧାରକୁ

ବୁହାଉ ଥିବତ ବସି ଉରକୁ ରେ । ୧।

ବରଷ ପୂରିଲା ହେଲି ବିଦେଶୀ

ବରଷ ପୂରି ନାହିଁ ତାକୁ ଶଶି ରେ । ୨।

 

ବର ବରନୀର ଶୁଭ ଖବର

ବରଗନ୍ତା କେହୁ ମୋର ଆଗର ରେ । ୩।

ବର ମୁଁ ଧନର କାହିଁ ଆବର

ବରଧନ କରିବ ରାଗ ବର ରେ । ୪।

ବରଛି ମାରଇ ମାର ଶବର

ବରଡ଼ା ପରି ଥରେ କଳେବର ରେ । ୫।

 

ବରଦ ହେବେ କି ପାର୍ବତୀବର

ବରତି ଯିବି ମୁଁ ପ୍ରିୟା ନବର ରେ । ୬।

ବରଜି ବାଳୀକି ଯଦୁବର୍ବର

ବର ଚିନ୍ତାର୍ଥୀ ପ୍ରବାସେ ଥିବାର ରେ । ୭।

 

ଏହା କବିଙ୍କର ପ୍ରଥମ କବିତା, ଏହା ସେ ବାଘମାରି ଗ୍ରାମରେ ଲେଖିଥିଲେ ୧୮୦୩ ରେ-। ବର—ଶ୍ରେଷ୍ଠ । ସାରସ—ପଦ୍ମ । ଉର—ଛାତି । ଶଶି—ଚନ୍ଦ୍ର ବନ୍ଦାପନା ।

 

୪—ସେ ଧନର କାହିଁ ଆବର ବର ମୁଁ । ବର—ସ୍ୱାମୀ, ବିବାହିତବର । ଧନ—ଗୃହସ୍ଥର ସମ୍ପତ୍ତି ସ୍ୱରୂପା ନାରୀ । ଆବର—ପୁଣି, ଆଉ । ବରଧନ—ବୃଦ୍ଧି । ରାଗ—କ୍ରୋଧ, ଅଶାନ୍ତି । ବର ରାଗ—ଅତିକ୍ରୋଧ ବା ଅତିପ୍ରୀତି । (ମୁଁ ଧନର ବର ସତ, କିନ୍ତୁ ପୁଣି କାହିଁ ସେ ମୋ ପ୍ରତି ଅଧିକ ପ୍ରୀତି ବା ବଢ଼ାଇବ ?) ବରଛି—ବର୍ଚ୍ଛା । ମାର ଶବର—କନ୍ଦର୍ପ ଶିକାରୀ । ବରଡ଼ା—ଏକ ବଣ୍ୟବୃକ୍ଷ, ତାର କୋମଳ ଶାଗ ଖିଆଯାଏ, ସାମାନ୍ୟ ପବନ ହେଲେ ଥରିଉଠେ ବା ନିରନ୍ତର ଥରୁ ଥିବାରୁ କଥାରେ କହନ୍ତି ବରଡ଼ା ପତ୍ରପରି ଥରୁଛି । ବରତିଯିବି—ଏହି ରମଣୀ ପାଲରୁ ବର୍ତ୍ତିକରି ଯିବି, ସେ କବି ମନୋରମା ନାମକ ବାଘମାରୀର ଏକ ରମଣୀ ଫାଶରେ ପଡିଥିବା କଥା ଜୀବନ ଚରିତରେ ଦ୍ରଷ୍ଟବ୍ୟ । ବରଚିନ୍ତାର୍ଥୀ—ଅଧିକ ଚିନ୍ତାକୁଳ । ଏହି କବିତାଟି ଆଦ୍ୟ ଯମକରେ ‘ବର’କୁ ଧରି ଲେଖା ଯାଇଛି । କାରଣ ପ୍ରାଚୀନ ଛାନ୍ଦପ୍ରତି ଅଧିକ ପ୍ରଲୋଭନ ଥିବାରୁ ସେ ଏପରି ରଚନା ସର୍ବାଗ୍ରେ କରିପାରିଛନ୍ତି ।

 

ସାମୟିକୀ—୧

( ରାଗ—ତୋଡ଼ି ପରଜ । ତାଳ—ଏକତାଳୀ )

 

ହେ ରସିକେ !

ମଉଳି ପଛକେ ଯିବ

ମରଜି ନ ଥିବା ଜବା−ଅଧରୀ କି

ଅଭୋଗେ କେ ବରଜିବ ? ।୦।

 

ଦରଜି କୁଳରେ ସରଜି ଅଛି କେ

ବିଧୁ ସମତୁଲ ହାସ

ମରଜି ବୁଝି ମୁଁ ଅରଜି ଦେବାକୁ

ପାଉ ନାହିଁ ଅବକାଶ । ୧।

 

ମନ୍ଦର ଉରଜା ମନ୍ଦ ଉଦରୀର

ମନ୍ଦ ମନ୍ଦ ହାସ ଚାହିଁ

କନ୍ଦରପପ୍ରିୟା ଲୀଳାକୁ ନ ବାଞ୍ଛି

ସୁନ୍ଦରେ ରହିବେ କାହିଁ ? ।୨।

 

ଲଟା କୁରଙ୍ଗି−ନୟନୀ ଶୋଭାଙ୍ଗୀର

କଟାକ୍ଷ ଗୃହାଣୀ ଛଟା

ପଟାଟୋପ ଭଙ୍ଗୀ ନେତ୍ରେ ସଙ୍ଗୀ ହେଲେ

ଧୈର୍ଯ୍ୟ ଧରିବ କେ ବେଟା ? ।୩।

 

ଯଦୁମଣି ଭଣି ଧନ୍ୟ ସେ ରମଣୀ

ଅଣିମାଦି ଭୂତିଦାତ୍ରୀ

ଅଦୁରେ ଯା ଚାଲିଗଲା ମର୍ମେ ଘାଲି

ବାରବାନୀ ହେମଗାତ୍ରୀ । ୪।

 

ଏହି କବତାଟି ରାଜା ବିନାୟକ ସିଂହ ଏକ ଦରଜି ଯୁବତୀ ପ୍ରତି ଆକୃଷ୍ଟ ହୋଇଥିବା ଜାଣି ବରାଦ ମତେ କବି ଲେଖିଥିଲେ । ତାଙ୍କ ଜୀବନକଥାରେ ଏବଂ ହାସ୍ୟଗୀତିକାରେ ଏହା ଦିଆଯାଇଛି ।

 

ମରଜି—ଇଚ୍ଛା, ଅଭିପ୍ରାୟ । ମରଜି ନ ଥିବା—ଯାହାର ଇଚ୍ଛା ନାହିଁ ଏପରି । ଜବା ଅଧରୀ—ଓଷ୍ଠ ଜବା ଫୁଲ ପରି ରକ୍ତବର୍ଣ୍ଣବିଶିଷ୍ଟ । ଜବା—ମନ୍ଦାର ଫୁଲ । ମଉଳି ଯିବ—ଝାଉଁଳି ଯିବ । (ଯେଉଁ ରୂପବତୀ କୁମାରୀ ପ୍ରତି ଆକାଙ୍‌କ୍ଷା ଜାଗ୍ରତ ହେଲାଣି, ପୁଣି ଯେ ଏକାନ୍ତ ଅନିଚ୍ଛୁକା ତାକୁ ଭୋଗ ନ କରି ଛାଡ଼ିବା ସହଜ ନୁହେଁ । ସେଥିପାଇଁ ଦୀର୍ଘଦିନ ଲାଗୁ ଅର୍ଥାତ୍ ତାର ଯୌବନ ମଉଳି ଯାଉ ପଛେ ।) ଅରଜି—ଦରଖାସ୍ତ, ନିବେଦନ । କନ୍ଦରପପ୍ରିୟା—ରତି । ସୁନ୍ଦରେ—ଶୋଭନୀୟ ପୁରୁଷମାନେ । ଲଟା—ଅରଣ୍ୟ । ଭଙ୍ଗୀ—ଚାହାଣୀ । ଅଣିମାଦି ଭୂତି—ଅଷ୍ଟଐଶ୍ୱରି୍ଯ୍ୟ । ବାରବାନୀ—ଉତ୍କୃଷ୍ଟ ସ୍ୱର୍ଣ୍ଣ ।

 

ସାମୟିକୀ—୨

( ରାଗ—ତୋଡ଼ି ପରଜ । ତାଳ—ଆଠତାଳୀ )

 

କି ଦେଖିଲି,

ଏ ଧନ ଦରପଣ ମୁହୀଁ

ଅଙ୍କେ ବସାଇଲେ ନ ଗଣନ୍ତି ଆଉ

ଧନ ଦର ପଣ ମୁହିଁ ।୦।

 

ବନଦ ଚିକୁର

ମନୋହରା ସୁର—

ପୁରବାଳା ପ୍ରତି ସାର

ସନନ୍ଦ ସନକାଦି

ମୁନି ମୋହିନୀ

ହେବ କାହା ଗଳାହାର ।୧।

 

କନକ କେତକୀ

ଗୋରୀ କଉତୁକୀ

ମତ୍ତ କୋକିଳ ବଚନା

ଜନଙ୍କ ଧଇର୍ଯ୍ୟ−

ତରୁ ଟାଳିଦେବ

କରେ ଯା ଭଙ୍ଗି ରଚନା । ୨।

 

ମନକଥା ପଦେ

ଶୁଣାନ୍ତି କି କରି

କରୀନ୍ଦ୍ର ବର ଗତିକି

ସନମତ ଯେବେ

କରନ୍ତା ସୁନ୍ଦରୀ

ଜିଣନ୍ତି ରତିପତିକି । ୩।

 

ଘନ ଜଘନାର ତନମୟ ଭାବ

ନାହିଁ ନା ମହୀମଣ୍ଡଳେ

ଛନ୍ନକା ପୂରାଇ ଦେଉଛି ମରମେ

କଟାକ୍ଷ ଚାଳି ସୁଲୋଳେ । ୪।

 

ଅନବରତରେ

ଅବଳା ମଣିର

ଖଟନ୍ତି ସେବା ଖଟଣି

ଜନମ ସଫଳ

ମଣନ୍ତି ଭଣନ୍ତି

ଯଦୁମଣି କବିମଣି । ୫।

 

ଏ କବିତାଟି ପୁରୀରେ ଜଗନ୍ନାଥ ରାୟଗୁରୁ ନାମକ ପଣ୍ଡିତଙ୍କ ‘କି ଦେଖିଲି, ଏ ଧନ ଦରପଣମୁହୀଁ’ ପାଦ ପୂରଣରେ କବି ଗାନ କରିଥିଲେ ।

 

ଦରପଣ—ଦର୍ପଣ । ମୁହୀଁ—ମୁଖବିଶିଷ୍ଟା । ଧନ—ସଂପତ୍ତି । ଦର—ଭୟ, ମୂଲ୍ୟ, ଦାମ-। ପଣ—ଅଧିକାର । ମୁହଁ—ମୁଁ । ବନଦ—ମେଘ । ପ୍ରତି—ପ୍ରତିନିଧି । ସାର—ଶ୍ରେଷ୍ଠ ସନନ୍ଦ, ସନକାଦି—ଦଶବିଶ୍ୱେଦେବା, ଶ୍ରେଷ୍ଠ ପିତୃପୁରୁଷ । ତନମୟ—ତନ୍ମୟ । ଛନ୍ନକା—ଛନକା-। ଖଟଣି ସେବା—ବସ୍ତ୍ରକୁଞ୍ଚିବାଦି କାର୍ଯ୍ୟ ।

 

ସାମୟିକୀ—୩

ପରାଣ ଯିବାର ଲୋଡ଼ା

ପ୍ରିୟଜନ ପ୍ରୀତି−ପୀୟୁଷରୁ ଅତି

ଯେବେ ହୁଅଇ ଖଦଡ଼ା । ୦।

 

ପଢ଼ା ଶୁକ ବୋଲି ପୋଷିଲି ତା’ ହେଲା

ତେରଭାଗୁ ଭାଗେ କଡ଼ା

ପଡ଼ି ମୁଁ କହନ୍ତେ ପଡ଼ାର ପଡ଼ିଶା

ଦେଖାଇଲା ଆଣି ଅଡ଼ା । ୧।

 

ବେହରଣେ ବେହେରାଣିଆ ବେଭାରେ

ମୁଣ୍ଡ ନିତି ପାଣି ଛଡ଼ା

ଅଭଡ଼ା ଖାଇ ମୁଁ ଚଢ଼ିଲି ପଢ଼ୋଉ

ଛୁଇଁବି ବୋଲି ଅତଡ଼ା । ୨।

 

ଅତିଯତ୍ନେ ପୁଣି ବାଡ଼ି ଆଡେ ଆଣି

ଲଗାଇଲି ବରଗଡ଼ା

ବୋଲେ ଯଦୁମଣି ମୋ କର୍ମକୁ ପୁଣି

ଫଳିଲା ପିତା ତରଡ଼ା । ୩।

 

ପ୍ରିୟଜନ ପୀୟୂଷରୁ ପ୍ରୀତି ଯେବେ ଅତି ଖଦଡ଼ା ହୁଅଇ, (ତେବେ) ପରାଣ ଯିବାର ଲୋଡ଼ା ଅଟେ । ତେରଭାଗୁ ଭାଗେ କଡ଼ା—କଡ଼ାକର ତେର ଭାଗରୁ ଭାଗକ ନାମ ‘କାକ’ । ପଡ଼ି- ସଙ୍ଗୀତର ଏକପ୍ରକାର ଘୋଷା । ପଡ଼ା—ସାହି । ପଡିଶା—ପଡ଼ୋଶୀ । ଅଡ଼ା—ଏକ ଶସ୍ୟ ମାପିବା ପାତ୍ର । ସଙ୍ଗୀତ ହେଉଥିବା ସ୍ଥାନରେ ଘୋଷା ଧରିବାକୁ ପଡ଼ କହନ୍ତେ ପଡ଼ିଶାଘର ମୋର ଦାରିଦ୍ର୍ୟ ଜାଣିଥିବାରୁ ଅଡ଼େ ଚାଉଳ ଆଣି ଦେଖାଇଲା ମୁଁ ନେବାକୁ । ବେହରଣ—ସଭାମଣ୍ଡପ । ବେହେରାଣିଆ—ରକ୍ଷିତା ସ୍ତ୍ରୀର ସନ୍ତାନ, ଅନ୍ତର ସା’ନ୍ତ−ସେମାନେ ପ୍ରାୟ ଅସାଧୁ ହୋଇଥାନ୍ତି । ବେଭାର —ଆଚରଣ । ପାଣିଛଡ଼ା ମୁଣ୍ଡ ଅର୍ଥାତ୍ ରଜା ଯେତେ ଭଲ ପାଇଲେ କଣ ହେବ ବେହେରାଣିଆ ପୁଅର ପ୍ରତାପ ଅସହ୍ୟ ହୋଇଥାଏ । ଅଭଡ଼ା—ମହାପ୍ରସାଦ । ପଢ଼ୋଉ—କ୍ଷୁଦ୍ରଡଙ୍ଗା, ସମୁଦ୍ରରେ ବ୍ୟବହୃତ ପାଳଧୁଆ କାଠ ତିଆରି ଡଙ୍ଗା । ଅତଡ଼ା—ଅତଟ, କୂଳ । ଦେବତା ଭୋଗ ଖାଇ ସମୁଦ୍ରର ଅପରାପର ପଢ଼ୋଉରେ ବସି ଛୁଇଁଦେବି ବୋଲି ଭାବିଥିଲି ।

 

ସାମୟିକୀ—୪

( ରାଗ—ପରଜ ଏକା ତାଳ—ଆଠତାଳୀ )

 

ରେ ସରସାନନା ରସାର ସାର

ରସାଳସା ଯୋଷା ଦମ୍ଭ ନ ସାର । ୦।

 

ତୁ ରତି−ମୂରତି ସୁରତିଦାତ୍ରୀ

ଶତବାନୀ ଶାତକୁମ୍ଭ ସୁଗାତ୍ରୀ । ୧।

 

ଆଳୀ ଆଳିମାଳିକାରେ ବାଳୀଶ

ଚାଲିବା ଚରଣ କରେ ବାଳିଶ । ୨।

 

କି କରିରେ ମତ୍ତ କରୀନ୍ଦ୍ରଗତି

ଶ୍ରୀକର ଧରି କିଂକର ହୁଅନ୍ତି । ୩।

 

ଅନଙ୍ଗ ରଙ୍ଗରେ ରଙ୍ଗ ଅଧରା

ସଙ୍ଗ ଭଙ୍ଗ ବେଳେ ନୁହନ୍ତା ପରା । ୪।

 

ଭଣି ଯଦୁମି ରମଣୀମଣି

ଅଣିମାଦି ସୁଖ ଦିଅନ୍ତା ଗଣି । ୫।

 

ଖଞ୍ଜନା ଏବଂ ଯଦୁମଣି ଥରେ ପୁରୀ ସମୁଦ୍ର ସ୍ନାନକୁ ଯାଇ ଫେରିବା ବାଟରେ ଗୋଟିଏ ଅତି ରୂପବତୀ ଯୁବତୀକୁ ଦେଖିଥିଲେ । ସେ ଦାକ୍ଷିଣାତ୍ୟବାସିନୀ ହେତୁ ତାର ଭାଷା ବୁଝା ନ ପଡ଼ୁଥିଲେହେଁ ତାର ମାଧୁରୀରେ ଖଞ୍ଜନା ମଧ୍ୟ ଆକୃଷ୍ଟ ହୋଇ ଅଲଭ୍ୟ ବସ୍ତୁ ପ୍ରତି କବିଙ୍କର ଆଗ୍ରହ ଜଣାଇ ଏ କବିତାଟି ବୋଲାଇସାରି କହିଥିଲେ—ତୁମେ ତାକୁ ଭୋଗ କରିବାରେ ମୋର ଟିକେ ଆପତ୍ତି ନାହିଁ । ଯଦୁମଣି କହିଥିଲେ—ଅପାଞ୍ଚପାଞ୍ଚ ଦେଖି ଜାଣି ସିନାଏ ଅନୁଗ୍ରହ ହୋଇଛି । ତା ଶୁଣି ଖଞ୍ଜନା ହସିଥିଲେ ।

 

ସରସ—ସଦା ପ୍ରଫୁଲ୍ଲ । ସରସାନନା—ପ୍ରଫୁଲ୍ଲମୁଖୀ । ରସା—ଧରଣୀ । ସାର—ଶ୍ରେଷ୍ଠ । ରସାଳସା—ରସମୁଗ୍‌ଧା ନାୟିକା । ଯୋଷା—ରମଣୀ । ଦମ୍ଭନ ସାର—ମୋ ଦମ୍ଭ ସାରେନା । ଶତବାନୀ—ଅତ୍ୟୁକୃଷ୍ଟ ଏକ ସ୍ୱର୍ଣ୍ଣର ନାମ । ଶାତକୁମ୍ଭ—ସ୍ୱର୍ଣ୍ଣ । ସୁଗାତ୍ରୀ—ଅତି ସୁନ୍ଦର ଦେହ−ବିଶିଷ୍ଟା । ଆଳୀ—ସଖୀ । ଅଳୀ—ଭ୍ରମର । ଆଳୀ ଆଳିମାଳିକା—ସଖିସମୂହ ଏବଂ ଭ୍ରମର ସମୂହରେ । ବାଳୀଶ—ଶ୍ରେଷ୍ଠତମା ରମଣୀ । ତୋ ଚାଲିବା ଚତଣ ବାଳିଶ—ତକିଆ, ତୂଳାର ମାଣ୍ଡି ପରି କୋମଳ କରିଥାଏ । କି କରି—କିପରି ହାୟ ରେ । ମତ୍ତ କରୀନ୍ଦ୍ର ଗତି- ରେ ମତ୍ତହସ୍ତୀଗାମିନୀ, ଧୀରଗମନୀ ! ତୋ ଶ୍ରୀକର ଧରି ତୋର କିଂକର—ଅନୁଗତ ହୁଅନ୍ତି । ରଙ୍ଗ ଅଧରା—ଜବାଧରା । ବେଳେ—କେତେବେଳେ ହେଲେ । ଏ ରମଣୀମଣି ଅଣିମାଦି—ଅଷ୍ଟୈଶ୍ୱର୍ଯ୍ୟସୁଖ । ଗଣି—ସଂଖ୍ୟା କରି କରି । ରମଣୀମଣି—(ପାଠାନ୍ତର) ଖମଣିମଣି—ଅଲଭ୍ୟ ସୁନ୍ଦରୀ ।

 

ସାମୟିକୀ—୫

( ରାଗ—କାଫି । ତାଳ—ଝୁଲା)

ସରିଲି ସରିଲି ହରି ପୀରତି ଆଶାରେ । ୦।

ମଲ୍ଲିଝରା ଦେଲି ମଲି ନ ବୋଲି ଭାଷାରେ

ଖୋସିଲେ ତା ନେଇ ଚନ୍ଦ୍ରାବଳୀର ଖୋସାରେ । ୧।

ଡାକି ଗଲା ଶୁକ ଡାକି

ପଢ଼ା ପିପାସାରେ

ତା ମନ୍ଦିର ବାନ୍ଦି ବନ୍ଦୀ

ବିହିଲେ ହସାରେ । ୨।

ସାରି ତା ତନୁ ଉଜ୍ଜ୍ୱଳ

କଜ୍ଜ୍ୱଳ ଘଷାରେ

ଧରାରୁ ଛାଡ଼ିଲେ ଖରା

ପ୍ରସାରୁ ରସାରେ । ୩।

ଇଙ୍ଗିତ କଲେ ମୋ ମାଳି

ବାଳୀକି କାସାରେ

କେହୁ ଶୁକ କାକ ହୁଏ

ରାଧିକା ପୋଷାରେ । ୪।

ଭାଷିଲି ବୋଲି ଲେଖିଲି

ବିନୟ ଭାଷାରେ

ରସେ ଯଦୁମଣି ବୋଲେ

ବିପକ୍ଷ ଯୋଷାରେ । ୫।

 

ମଲି—ମରିଯିବି । ମଲ୍ଲିଝରା ଦେଇ ସେ ଭାବିଲା ନାଗରୀ ନିଶ୍ଚୟ ଭାବିବ ନାଗର ନିଶ୍ଚୟ ମରିଯିବ । କିନ୍ତୁ ଭାଷାରେ ନ କହିବାରୁ ଫଳ ଏପରି ହେଲା ଯେ ବିପକ୍ଷ ଯୋଷା ଚନ୍ଦ୍ରାବଳୀ ନେଇ ତା ଖୋସାରେ ଖୋସିଦେଲା । ପଢ଼ିବା ପିପାସା ରଖି ଶୁକ ଡାକି ଡାକି ଗଲା ଏହି କଥା । ତେଣୁ ମୋ ନାୟିକା ଗୃହର ବନ୍ଦୀ—ଦାସୀଗଣ, ବନ୍ଦୀ—ଗାୟକଗଣ ତା ଶୁଣି ହସାରେ ବିହିଲେ- ଖୁବ୍ ହସିଲେ । ମାଳୀ—ମାଳା । କାସାରେ—ପୁଷ୍କରିଣୀରେ ।

 

ନୂଆଗଡ଼ ରାଜାଙ୍କ ଭଣତିରେ—୧

( ରାଗ—ସାରଙ୍ଗ । ତାଳ—ଝୁଲା)

 

ରଚିଥିଲା ଏହା ବିରଞ୍ଚି

ବିପଞ୍ଚି ଗୀରାକୁ ଅଇଲି ମୁଞ୍ଚି । ୦।

 

କୁଞ୍ଚିତକେଶୀର ଅଞ୍ଚିତ ମୁଖ

ଦେଖି ବଞ୍ଚୁଥିଲି ଲଭିଣ ସୁଖ

ସଞ୍ଚିତ ମୋ ତପ ସଙ୍କୁଚିତ ହେଲା

କୁଚିତ୍‌କାରେ ଯାହା ଅଇଲି ଘୁଞ୍ଚି । ୧।

 

ଯାଚିଲି ମୁଁ ତାକୁ ପୁରୁଷାୟିତ

ସୁଚିତ୍ତରେ ଦେଲା ହସି କିଞ୍ଚିତ

ରଞ୍ଚିଥିଲା ତାହା ସେ ମୃଣାଳ ବାହା

ଏବେ ଏ କାଳରେ ଥିବ କି ବଞ୍ଚି ? ।୨ ।

 

ରୁଚିର ହେବାର ମୁକୁତା ହାର

ଛିଞ୍ଚି ଗଣି ତାକୁ ହୋଇ ବାହାର

ଖଚିତ ଭୂଷଣ ହେବଣି ଦୂଷଣ

ରଖିଥିବ ଯାହା ପୂରବୁଁ ସଞ୍ଚି । ୩।

 

ନିଶି ଦିବସରେ ଲୋତକ ମୁଞ୍ଚି

ମୁଞ୍ଚି ହେଉଥିବ ଧରାରେ ବିଞ୍ଚି

ନବ ଦୁର୍ଗେଶ୍ୱର ଭଣନ୍ତି ଏ ଗିର

ଫେଡ଼ିବ ସେ ଦୁଃଖ ଯାଇ ପହଞ୍ଚି । ୪।

 

ବିରଞ୍ଚି—ବିଧାତା । ବିପଞ୍ଚି—ବୀଣା । ଗୀରା—ଭାଷିଣୀ । ମୁଞ୍ଚି—ତ୍ୟାଗ କରି । ଅଞ୍ଚିତ- ବକ୍ରୀକୃତ, ଆକୁଞ୍ଚିତ, ଭୂଷିତ । କୁଚିତ୍‌କାରେ—ଗାଲିରେ । ଯାଚିଲି—ମାଗିଲି । ପୁରୁଷାୟିତ—ବିପରୀତ ରତି ।

 

ନୂଆଗଡ଼ ରାଜାଙ୍କ ଭଣତିରେ—୨

( ରାଗ—ତୋଡ଼ି ପରଜ । ତାଳ—ପହପଟ୍ଟ)

ସୁନ୍ଦରୀ, ଭାଲେ ସିନ୍ଦୂର ବିନ୍ଦୁ

ମିତ୍ରକୁ କୋଳ କି କରିଛି ଇନ୍ଦୁ । ୦।

ସ୍ୱର୍ଣ୍ଣ ଭୂମିରେ ଇନ୍ଦ୍ର ଗୋପ କି ସେ ?

ବାହ୍ୟେ ଅନୁରାଗ କିବା ବରଷେ । ୧।

ଯୁବାଜୟ ଆଶେ ରଙ୍ଗ ବାଟୁଳି

ରଖିଅଛି ମାର ବୀର କି ଭାଳି । ୨।

ଚାରୁ ସେ ଭୁରୁଲତା ପକ୍ୱ ଫଳ

ମାଣିକ୍ୟ ମଥାମଣି ପ୍ରତି ତୁଳ । ୩ ।

କି ଅବା ବଦନ ଲାବଣ୍ୟ ଜଳେ

ନବ ପ୍ରଫୁଲ୍ଲ କୋକନଦ ଝୁଲେ । ୪।

କି କାମଶର ଅରବିନ୍ଦ ଫୁଲ

ଶ୍ରୀମାନଧାତା ବୋଲେ (ନୁହେଁ) ସମତୁଲ । ୫।

ମିତ୍ର—ସୂର୍ଯ୍ୟ

 

ନୂଆଗଡ଼ ରାଜାଙ୍କ ଭଣତିରେ—୩

( ରାଗ—ସୁରଠ । ତାଳ—ଝୁଲା)

ନୂଆ ଛଇଳା ମହିଳା କାହାର ଏ

ସୁ ଆଳୀ ଗଣେ ଗହଣେ ବାହାର ଏ ।୦।

ଅବଳା ମଣିର ବଳା

ନୁପୂର ଶବଦ

ବଳାରାତି ପଦକୁ ତ କରିଅଛ ରଦ୍ଦ । ୧।

ରାଜହଂସଗମନୀର

ଛଟକ ଚାତୁରୀ

ସାଜଇ କି ମନୋହର ବେଶଭୁଷା ଶିରୀ । ୨।

ହୋଇପାରନ୍ତି ଭାଜନ

ଯଦି ଛାମୁଁ କୁ ତା

ଗଜରା ନିଶରେ ପରା ଗୁନ୍ଥନ୍ତି ମୁକୁତା । ୩।

ରସାରେ ମୁଁ ଥିବାଯାକେ

ଜୀବନ ଦଶାରେ

ଯଶ ଧ୍ୱଜାକୁ ଉଡ଼ାନ୍ତି ରସିକ ସଂସାରେ । ୪।

ସତେ ରତେ ବସାଇବି

କରିବ ବିଧାତା

ପ୍ରତେ ନାହିଁ କହେ ବିନାୟକ ମାନଧାତା । ୫।

 

ନୂଆଗଡ଼ ରାଜାଙ୍କ ଭଣତିରେ—୪

( ରାଗ—ସୁରଠ । ତାଳ—ଏକତାଳୀ )

ସଞ୍ଚ ଘଞ୍ଚ ଉଚ୍ଚ ପୀବର ଉରଜା

ଗଭା ଚାହିଁରେ । ୦।

ଭଲା ତା’ ନୟନ−ବାଣ

ଚାପେ ଯୋଗ ବିନା ପ୍ରାଣ

ଦେଲା ଦହି ରେ । ୧।

କିଞ୍ଚିତେ ବଦନ ଶଶୀ

ଫେରାଇ ଅଳପ ହସି

ନେଲା ମୋହି ରେ । ୨।

ଯେତେ ଅନୁରାଗ ଭାବ

କେତେ ସାଉକାର ଲୋଭ

ଥିଲା ତହିଁରେ । ୩ ।

ନୃପ ମାନଧାତା ଗିର

ସେ କାଳେ ଯା କଲା ମାର

ନୋହେ କହି ରେ । ୪।

ଜ—ଜୟଯୁକ୍ତ ।

 

ନୂଆଗଡ଼ ରାଜାଙ୍କ ଭଣତିରେ—୫

( ରାଗ—ଆଶାବରି । ତାଳ—ଝୁଲା )

 

ସେ କି ରସିକରେ ଗଣାରେ

ଯେ କି ନ ଚାଖିଛି ପ୍ରୀତି ପଣାରେ । ୦।

 

ତାର ଥିଲେ ଇନ୍ଦ୍ର ସଂପତ୍ତି

ସାର ବିଚାର ସେ ବିପତ୍ତି

ଯାର ନାହିଁ ସୁ ରସବତୀ

କରମଟି ତାର ବଡ଼ ଊଣା ରେ । ୧।

 

ଯୋଗୀ ଯୋଗ ଭଙ୍ଗ ନବୀନା

ଭୋଗି ଭୋଗ ପାଇଁ ସେ ସିନା

ଭାଙ୍ଗିଦିଏ କାମ ବେଦନା

ଏହି ରୀତି ଯା’କୁ ନୋହେ ଜଣା ରେ । ୨।

 

ପ୍ରକାଶ ସୁହାସ ମଧୁର

ପରସନ୍ନ ମୁଖ ବନ୍ଧୁର

ଦରଶନ ନୋହିଛି ଯା’ର

ପଦ୍ମ ସମ ନେତ୍ର ଥିଲେ କଣା ରେ । ୩।

 

ନବଦୁର୍ଗାଧିପ ଭାଷିତ

ଭାଗ୍ୟ ଥିଲେ ଅପରିମିତ

ଯୋଗ୍ୟ ହେବ ସ୍ନେହକୁ ସତ

ଭଗବତୀର ଥିଲେ କରୁଣା ରେ । ୪।

 

ନୂଆଗଡ଼ ରାଜାଙ୍କ ଭଣତିରେ—୬

( ରାଗ—ଆଶାବରି । ତାଳ—ଝୁଲା)

 

ରହିଯା ରେ ବନ୍ଧୁ ରହିଯା ରେ

ହସି କଥାପଦେ କହିଯା ରେ ।

ଅରୁଣା ଧରିତୁ ତରୁଣାଙ୍ଗି ବାଳା

ମୋଠାରେ କରୁଣା ବହିଯା ରେ ।୦।

 

ଛଳ ପରିହାସ ପହିଯା ରେ

ଜଳପନା ମୋର ସହିଯା ରେ

ରଦନ ମଞ୍ଜୁଳ ବଦନ ଛପାଇ

ମଦନ ଶରେ ନ ଦହିଯା ରେ । ୧।

 

ମୋ ଅଙ୍କ−ତଳପେ ଶୋହିଯା ରେ

ମନମୋହୀ ଥରେ ମୋହିଯା ରେ

କୀର୍ତ୍ତିକେତନକୁ ଉଡ଼ାଇ ଅଭୀତେ

ପ୍ରୀତି−ନାବ ମଙ୍ଗ ବାହିଯା ରେ । ୨।

 

ଭାବେ ନିଶିଥିନୀ ପ୍ୱାହିଯା ରେ

ସଂସାରେ ଯଶ ରୁହାଇଯା ରେ

ଚିର କ୍ଷୁଧାର୍ତ୍ତିକୁ ସାରଙ୍ଗ ଅଧରୁ

ସୁଧାର ଧାର ବୁହାଇଯା ରେ । ୩।

 

ନିର୍ଦ୍ଦୟାବତୀ ତୁ ନୋହିଯା ରେ

ଦୟାମ୍ବୁଧି ଏବେ ହୋଇଯା ରେ

ନବଦୁର୍ଗ ରାଣ ପକାଉଛି ରାଣ

ନିଧୁବନ ରସ ଦେଇଯା ରେ । ୪।

 

ନିଧୁବନ—କାମ, ରତି ।

 

ଖଣ୍ଡପଡ଼ା ରାଜାଙ୍କ ଭଣତିରେ—୧

( ରାଗ—ଯମକ ରାଜ । ତାଳ—ଯତିତାଳ)

 

ସୁଧାରୀ ହୀରା—ବିପଞ୍ଚି ଗୀରାରେ

କି ରାଗିଛୁ ମୋହ ପରେ କୁସୁମ ଶିରା । ୦।

 

ଛାର—ମାରଣା ବୀର ମାର

ମାର୍ଗଣ ଗଣ ତାର

ବିନ୍ଧଇ ଅସୁମାର

ମରଣ ଯହିଁ ଆର

ବରଣ ଗତି ତାର

ହାରକ ହେଉ ତାର । ୧।

 

ସାର—ଶାରଦ ତାରକାର

ଧାର ଲପନା ବାର

ବେନି ବୟସୀ କାର

ହେବି ମୁଁ ତୁ ବିଚାର

କରୁଛିଟି ଜୁହାର

ମୋ ମଣିମୟ ହାର । ୨।

 

ଗାର—ନ କାଟ ବସୁଧାର

ନୟନୁଁ ଧାର ଧାର

ନ ବୁହା ନୀରଧାର

ସୁବାଣୀ ତୋ ଉଚ୍ଚାର

ମୁଁ ପରା ପରିଚାର

ନ କର ନାରଖାର । ୩।

 

ବାର—ଅଦୋଷେ ତୁଛାଟାର

ନ ମଣ ଅବିଚାର

ମନକୁ ତୋ ପଚାର

କେବଣ ଉପଚାର

ସେବାକୁ ନ ଦେବାର

କାରଣେ ରୁଷିବାର । ୪।

 

ଠାର—କି ଅବା ଅସ୍ୱୀକାର

କଲି ତୋ ଆଜ୍ଞାଭାର

ସରୋଷେ କରୁ ଆର—

କତ ଲୋଚନ ବାର

ଜ ଓଷ୍ଠ ହତିଆର

ନ କମ୍ପା ବାରମ୍ବାର । ୫।

 

ଝାର—ଖଣ୍ଡ ପତ୍ତନ ସାର

ସଚୁମ୍ବା ବର ଯାର

ଇସ୍ପାତ ତରୁ ଆର

ସନ୍ତକ ସେ ରାଜାର

ଦୋଷ ଥିଲେ ହଜାର

କ୍ଷମରେ ଗଳାହାର ! ୬ ।

 

ଖଣ୍ଡପଡ଼ା ରାଜାଙ୍କ ଭଣତିରେ—୨

(ରାଗ—ଆଷାଢ଼ ଶୁକ୍ଲ । ତାଳ—ଝୁଲା)

 

ଆ ଜୀବନ ଧନୀ

ତୋ ପ୍ରେମେ ମୁହିଁ ଆଜୀବନ ଧନୀ । ୦।

 

ରାଜୀବନେତ୍ରା ଆଜି କିମ୍ପା ମାନ

ତାଜିବ ହେଉଛି ଦେଖି ଏମାନ

ରାଜି ହେଉ ନାହୁଁ ମୋ ଚାଟୁ ଗିରେ

ସାଜିଲା କି ଏହା ରସନିଧି ରେ । ୧।

 

ବାଜୀ ରାଜି ପାଜି କାଜି ମଦନ

ଗାଜି ବିନ୍ଧି ମର୍ମ୍ମେ ଦିଏ କଦନ

ଝାଞ୍ଜି ବାଜିଲା ପଲ୍ଲବ ପ୍ରକାରେ

ଭାଜି ପଡୁଛି ଅନା ରାମାବର । ୨।

 

ମାଜିଦେବି ମୁଖ ଅଙ୍ଗେ ବସାଇ

ସାଜିଦେବି କେଶ ଚିତ୍ତ ରସାଇ

ଲାଞ୍ଜି କଜ୍ଜ୍ୱଳ ଗାରେ ଅକ୍ଷଯୁଗ

ରଞ୍ଜିଦେବି ବଳାଇ ଅନୁରାଗ । ୩।

 

ଖଞ୍ଜିବି ଯଥାସ୍ଥାନେ ଆଭରଣ

ଗଞ୍ଜିବି ଦର୍ପକ ଗାରିମା ପଣ

ମଞ୍ଜିଷ୍ଠା ରାଗେ ଲହିବି ଯାବକ

ବର୍ଜ୍ଜିଦେ ଗୃମାନ ଯାଉ ମୋଦକ । ୪।

 

ଅର୍ଜ୍ଜିବି ପାକ ଶାସନ ସମ୍ପଦ

ମର୍ଜ୍ଜିରେ ବିଚାରି ଦେ ସେହି ପଦ

ଭଜି ମହିମାମେରୁ ଶ୍ରୀପୟର

ଅର୍ଜ୍ଜି ଲେଖେ ନୃପ ଭ୍ରମରବର । ୫।

 

ଖଣ୍ଡପଡ଼ା ରାଜାଙ୍କ ଭଣତିରେ—୩

( ରାଗ — ତୋଡ଼ି ପରଜ । ତାଳ—ଆଠତାଳୀ)

 

ବଡ଼ ସୁଯୋଗ ଯେ ଆଜ

ନିଶିଥିଲା ପାହି

ବଜ୍ରଧର ଅଇଶ୍ୱର୍ଯ୍ୟକୁ ଲିଭିଲି

ବନଜାକ୍ଷି ଶୋଭା ଚାହିଁ । ୦।

 

ତ୍ରିଭୁବନ ମୋହି

ଭୁବନ ପୂରାଇ

ବେନି ଘଟ ଥିଲା ଥୋଇ

ତରଣିଜା ତୀରେ

ଏହି ସମୟରେ

ପ୍ରବେଶ ମୁଁ ହେଲି ଯାଇ । ୧ ।

 

ବେନି କରେ କୁମ୍ଭ

ତୋଳିବା ଆରମ୍ଭ

କରୁଁ କରିକୁମ୍ଭସ୍ତନା

ବୃଷଧ୍ୱଜ ଶିର

ମଣ୍ଡନେ ତତ୍‌ପର

ବିହାୟମୁଁ କି ଚନ୍ଦ୍ରମା । ୨।

 

ସେ କାଳେ କି ଦୃଶ୍ୟ

ହେଲା ଏକପାର୍ଶ୍ୱ

ଚକ୍ଷକ କକ୍ଷରେ ମାଳି

ରତ୍ନ ସାନୁ ସନ୍ନି

କଟେ ନବ ଘନ

ଉଦୟ ପରାୟେ ଝଳି । ୩।

 

କଳସକୁ ରଖି

ଶିରେ ସରୋଜାକ୍ଷି

ଈଷଦ୍ଧାସ୍ୟେ ଚାହୁଁ ମୋତେ

ମଣିଲି ପ୍ରବାଳ

ସଂପୂଟକୁ ହୀରା

ଝଟକି ଆସିଲା ପ୍ରତେ । ୪।

 

ଶ୍ୟାମରମ୍ୟ ବାଣୀ

ସୁଧ ସମ ମଣି

ଆନନ୍ଦିତ ସଖାବୃନ୍ଦ

ମୋହନ ବିଗ୍ରହ

ପଦଯୁଗ୍ମ ବନ୍ଦେ

ଭ୍ରମରବର ନରେନ୍ଦ୍ର । ୫।

 

ଖଣ୍ଡପଡ଼ା ରାଜାଙ୍କ ଭଣତିରେ—୪

 

( ରାଗ—ମଙ୍ଗଳ ଗୁଜ୍ଜରୀ । ତାଳ—ଆଡ଼ଖେମଟା )

ଆସେ କି ରଙ୍ଗେ ଢଳି ରସ ରଙ୍ଗନୀରେ

ହୁଅନ୍ତା କି ଏ ମୋ ପ୍ରାଣସଙ୍ଗନୀରେ । ୦।

ସେ ନବ ରଙ୍ଗନୀ ବର କୁନ୍ଦନ ଅଙ୍ଗନୀ

ଯୋଗେଶ ଯୋଗ ଭଙ୍ଗିନୀ ଚାରୁ ଭ୍ରୂଭଙ୍ଗିନୀ । ୧।

ବାଳାର ଚାତୁର୍ଯ୍ୟ ଭଙ୍ଗି କନ୍ଦର୍ପ କତୁରୀ

ସିଦ୍ଧ ବ୍ରହ୍ମଚାରୀ ଧୈର୍ଯ୍ୟ ଦେବ ତ କତୁରି । ୨।

ଅନୁକ୍ଷଣେ ତା ତୀକ୍ଷଣ ଇକ୍ଷଣ ଅଞ୍ଚଳ

ବନୁବଣା ଏଣୀ ଚାହାଣିରୁ ତ ଚଞ୍ଚଳ । ୩।

ଲାବଣ୍ୟ ରସନିଧିର ଭାବ ଚମତ୍‌କାର

ବିଲୋକନେ ଅଙ୍ଗେ ଜନ୍ମେ ମଦନ ବିକାର । ୪।

ପ୍ରିୟ ସଖୀ କରେ କର ଭାର ଦେଇ ରଙ୍ଗେ

କଥା ହୁଅଇ ସ୍ମିତ ହାସେ କି ପ୍ରସଙ୍ଗେ । ୫।

ଭଲା ସୁଯୋଗରେ ଭେଟ ପଡ଼ିଛି ଛଇଳୀ

କରନ୍ତି କି ତାକୁ ମୋର ଗଳା ସୁନାମାଳୀ । ୬।

କହେ ଭୃଙ୍ଗବର କୁଞ୍ଜବିହାରୀ କେଶରୀ

ରସିକ ରାଜ୍ୟେ ମୋ ତୁଲେ ହୁଅନ୍ତା କେ ସରି ? । ୭।

 

ଖଣ୍ଡପଡ଼ା ରାଜାଙ୍କ ଭଣତିରେ—୫

 

( ରାଗ—ରେଗୁପ୍ର । ତାଳ—ନାତି )

ଆଉ କି କଳାବତୀ କି

କେଳିପୁରେ ଦେଖିବି । ୦।

ପରବାସେ ରହିବାର

ଯେତେ ଦୁଃଖ ସହିବାର

ଦର୍ଶନ ମାତ୍ରକେ ତାର

ଦୁଃଖକୁ ଉପେକ୍ଷିବି । ୧।

ଉରଜେ ଉର ଲଗାଇ

ଗାଢ଼େ ମୁଁ ଭିଡ଼ିବି ନେଇ

ଚିତ୍ରପଟେ ଯତୁ ପରି

ତା ଅଙ୍ଗରେ ଲେଖିବି । ୨।

ମଦନରେ ମୁକୁର

ବଦନକୁ ଚୁମ୍ବିବାର

ଜୀବଲୋକେ ଜୀବନକୁ

ଧନ୍ୟକରି ଲେଖିବି । ୩।

ସଖୀ ଭାବେ କରି ବେଶ

ଦେଖାଇବି ଆଦରଶ

ତା’ ଅଧର ବଧୂଲିର

ସତେ ମଧୁ ଚାଖିବି । ୪।

ବନ୍ଧୁ ବନ୍ଧେ ବରେ ରତି

ନିରତେ ସୁରତେ ମାତି

ପାଶୋରିଲେ ବନ୍ଧ ରୀତି

ଶିଖାଇଲେ ଶିଖିବି । ୫।

ବଦତି ଭୃଙ୍ଗ ଭୂପତି

କରିବେ କି ଶିରୀପତି

ମତି ମୋହନାକୁ ସତେ

କୋଳେ ଧରି ଜାକିବି । ୬।

 

ଖଣ୍ଡପଡ଼ା ରାଜାଙ୍କ ଭଣତିରେ—୬

( ରାଗ—ଭାଟିଆରି । ତାଳ—ଏକତାଳୀ )

 

ରୁଷୁ ରୁଷୁ ତ ରାତି ପାହିଲାରେ

ଧନ ତୋ ଅନୁକମ୍ପା ନୋହିଲାରେ ।

କରୁଣା ବତୀ ବୋଲି

ଶରଣାଗତି ହେଲି

ଅରୁଣ ଦେଖୁ ଦେଖୁ ଉଇଁଲାରେ । ୦।

 

ତରୁଣାଙ୍ଗୀ ଛଇଳା

ଅରୁଣା ଧରି ବାଳା

ଫୁରୁଣା ତୋର କାହିଁ ରହିଲାରେ ।

କରୁଣାଳୟା ମତି

ଦନ୍ତୀ-ଗତି ସୁଦନ୍ତୀ

ମୋ ନାଁ ଲଗାଇ କେ’ କି କହିଲାରେ । ୧ ।

 

ଚରଣାଶ୍ରିତ ଜନେ

ଏ ରୀତି ଅରଜନେ

ସଂସାରକୁ କି ଶୋଭା ପାଇଲାରେ ।

ଘୋରଣା ସମ ମଥା

ଭ୍ରମୁଛି ଯାହା କଥା-

ପଦକ ତୋ ଅଶୁଣା ହୋଇଲାରେ । ୨।

 

ସ୍ମରଣା କରି ଗୁଣ

ଗଣ ସରାଗ ପଣ

ଏ ଦାସ ମର୍ମେ କ୍ଲେଶ ବହିଲାରେ ।

ଝରଣା ବିମ୍ବାଧରୁ

ସୁଧା ନପିଇବାରୁ

କ୍ଷୁଧା ମରଣ ଦଶା ବିହିଲାରେ । ୩ ।

 

ବରଣା ଭାବ ଦେଖି

ଆଶା ଚାତକ ପକ୍ଷୀ

ଭବିଷ୍ୟତରେ ନିକି ଜୀଇଲାରେ ।

ଅରଣା ହରିଣାକ୍ଷି

ଅନା ବାରେ ସଳଖି

ଭ୍ରମରବର ନୃପ କହିଲାରେ । ୪।